ପ୍ରାଧାନ୍ୟ ସଜନାର ଅପରିପକ୍ଵ ଫଳଗୁଡିକ ସ୍ଵାଦିଷ୍ଟ ଏବଂ ଏକ ଉତ୍ତମ ପରିବା ।ଏହାର ପତ୍ରକୁ ଶାଗ ରୂପେ ବ୍ୟବହାର କରାଯାଏ । ଫଳ ଓ ପତ୍ର ଉଭୟରେ ପ୍ରଚୁର ପରିମାଣର ‘କ’ ଓ ‘ଖ’ ଖାଦ୍ୟପ୍ରାଣ ଏବଂ ଲୌହ ପ୍ରଭୃତି ପ୍ରଭୃତି ଅନେକ ଲବଣ ଅଛି । ସଜନା ପତ୍ରର ରସ ଖାଇଲେ ଉଚ୍ଚ ରକ୍ତଚାପ କମିବାରେ ସାହାଯ୍ୟ କରେ । ଏହି ବୃକ୍ଷ ଓଡିଶାର ସମସ୍ତ ଅଞ୍ଚଳରେ ଦେଖାଯାଏ । ଲୋକମାନେ ଘରର ବାଡିରେ ସଜନା ଗଛକୁ ଲଗାଇଥାନ୍ତି । ଜଳବାୟୁ ଓ ମୂର୍ତ୍ତିକା ଆର୍ଦ୍ର ଓ ଉଷ୍ମ ଜଳବାୟୁରେ ସଜନା ଗଛ ଭଲ ବଢେ । ବର୍ଷା ଉପରେ ନିର୍ଭର କରି ସଜନା ଚାଷ କରାଯାଇପାରିବ । ବେଶୀ ଥାନଦା ଅଞ୍ଚଳରେ ସଜନା ଭଲ ବଢେ ନାହିଁ । ଫୁଲ ଆସିବା ପୂର୍ବରୁ ଶୁଖିଲା ପାଗ ଆବଶ୍ୟକ ପଡିଥାଏ । ଗଛ ମୂଳରେ ପାଣି ଜମିଲେ ଗଛ ଅଳ୍ପ ଦିନରେ ପଚି ମରିଯାଏ । ସଜନା ଚାଷ ପାଇଁ ନିଗିଡା, ଉର୍ବର, ମଟାଳ ଓ ବାଲି ଦୋରସା ମାଟି ଉପଯୁକ୍ତ । କାଦୁଅ ମାଟିରେ ମଧ୍ୟ ଏହାକୁ ଚାଷ କରାଯାଇପାରିବ । କିସମ ଫଳର ଆକୃତି ଓ ଦୈର୍ଘ୍ୟ ଅନୁସାରେ ବିଭିନ୍ନ ପ୍ରକାର କିସମ ଦେଖାଯାଏ । ଆମ ଓଡିଶାରେ ଦେଖାଯାଉଥିବା କିସମଗୁଡିକ ବହୁ ବର୍ଷ ବଞ୍ଚିଥାଏ । ଫଳ ଆସିବାକୁ ଡେରି ଲାଗେ । କିନ୍ତୁ ତାମିଲନାଡୁ କୃଷି ବିଶ୍ଵବିଦ୍ୟାଳୟ ଦ୍ଵାରା ବାହାର କରାଯାଇଥିବା ପିକେଏମ୍ – ୧ ଏକ ବାର୍ଷିକ ଅଧିକ ଅମଳକ୍ଷମ କିସମ । ଏହା ଏକ ବର୍ଷ ମଧ୍ୟରେ ଅମଳ ଦିଏ । ଜମିରେ ତିନି ଚାରି ବର୍ଷ ପର୍ଯ୍ୟନ୍ତ ରଖାଯାଇପାରେ । ଏହା ବ୍ୟତୀତ ଜାଫନାଟାଇପ, କୋଡିକାଲ ମୁଡିଙ୍ଗାର, କାଟୁମରିଙ୍ଗାର ପ୍ରଭୃତି ଉତ୍ତମ କିସମ ଅଟେ । ସଜନା ଗଛର ଅଗକୁ ଭାଙ୍ଗି ଦେଲେ ଅନେକ ଶାଖା ପ୍ରଶାଖା ବାହାରି ଗଛଟି ଗୁଳ୍ମ ପରି ଝଙ୍କାଳିଆ ହୁଏ । ଏହା ଫଳରେ ଗଛରୁ ଫଳ ତୋଳିବା ସହଜ ହୋଇଥାଏ । ଚାରା ପ୍ରସ୍ତୁତି ସଜନା ମଞ୍ଜି ଏବଂ ଡାଳ ଦ୍ଵାରା ବଂଶ ବିସ୍ତାର କରାଯାଏ । ପଲିଥିନ ମୁଣିରେ ଖତ ମାଟି ଭର୍ତ୍ତି କରି ସେଥିରେ ଗୋଟିଏ ବା ଦୁଇଟି ମଞ୍ଜି ପୋତା ଯାଏ । ମୁଣିରେ ସୁସ୍ଥ ସବଳ ଗଛ ଉତ୍ତରା ଯାଏ । ଏକ ଏକର ସଜନ ଚାଷ ପାଇଁ ୬୦୦ ରୁ ୭୦୦ ଗ୍ରାମ୍ ବିହନ ଦରକାର ହୋଇଥାଏ । ସିଧାସଳଖ ଜମିରେ ଗାତା ପ୍ରସ୍ତୁତ କରି ବିହନ ଲଗାଯାଇପାରେ । ବର୍ଷା ଦିନେ ଡାଳ ଲଗାଇ ଗଛ କରାଗଲେ ଗଛରେ ଶୀଘ୍ର ଫଳ ଆସେ । ସାଧାରଣତଃ ୪୦ଦିନର ଚାରା ଲଗାଯାଏ । ଚାରାରୋପଣ ଜମିକୁ ଭଲ ଭାବେ ଚାଷ କରି ୮ ଫୁଟ ଦୂରତାରେ ଏବଂ ଦେଢ ଫୁଟ ଲମ୍ବା- ଚଉଡା- ଗଭୀରତାରେ ଗାତା ଖୋଳାଯାଏ । ପ୍ରତି ଗାତରେ ଦୁଇ ଝୁଡି ଭଲ ସଢା ଗୋବରଖତ ପ୍ରୟୋଗ କରାଯାଏ । ପ୍ରତି ଗାତରେ ଗୋଟିଏ ଚାରା ଲଗାଯାଏ । ଚାରାକୁ ଜୁଲାଇ ଠାରୁ ଡିସେମ୍ବର ମାସ ମଧ୍ୟରେ ଲଗାଯାଏ । ପ୍ରତି ଗାତରେ ଯେପରି ଗୋଟିଏ ଗଛ ବଞ୍ଚି ରହେ ସେଥିପାଇଁ ଧ୍ୟାନ ଦିଆଯାଏ । ଗଛ ମୂଳରୁ ଅନାବନା ଗଛ ସଫା କରି କୋଡାଖୁସା କରାଯାଏ । ଚାରାଗୁଡିକ ଚାରି ପାଞ୍ଚ ଫୁଟ ବଢିବା ପରେ ଅଗଟିକୁ ଛିଣ୍ଡାଇ ଦିଆଯାଏ । ପ୍ରତି ୧୫ ଦିନ ଅନ୍ତରରେ ଘାସ ସଫା କରାଯାଇ ଗଛମୂଳକୁ କୋଡାଖୁସା କରାଯାଇଥାଏ । ଦ୍ଵିତୀୟ ବାର ପୁଣି ଥରେ ନୂଆ ଡାଳର ଅଗକୁ ଛିଣ୍ଡାଇ ଦେଲେ ଗଛଟି ସିଧା ନ’ବଢି ବହୁତ ଶାଖପ୍ରଶାଖା ମେଲିଥାଏ । ଖତ ଓ ସାର ଫୁଲ ଓ ଫଳ ଆସିବା ପୂର୍ବରୁ ପ୍ରତି ଗାତରେ ଦୁଇ ଝୁଡି ସଢା ଗୋବରଖତ ସହିତ ୧୦୦ ଗ୍ରାମ୍ ୟୁରିଆ, ୨୦୦ ଗ୍ରାମ୍ ସୁପରଫସଫେଟ୍, ୫୦ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ଓ ୧୦୦ ଗ୍ରାମ୍ ନିମ ପିଡିଆ ଦିଆଯାଏ । ଜଳସେଚନ ଜମିର ଆରଦ୍ରତା ଦେଖି ଖରା ମାସରେ ଦୁଇ ତିନି ଥର ଜଳସେଚନ କରାଯାଏ । ବାଡିରେ ଲାଗିଥିବା ସଜନା ଗଛକୁ ଜଳସେଚନ କରାଯାଏ ନାହିଁ । ମୃତ୍ତିକା ଅତ୍ୟଧିକ ଶୁଷ୍କ ହେଲେ ଜଳସେଚନ କରା ନ’ଗଲେ, ଫଳ ଅମଳ କମିଯାଏ । କାଣ୍ଟଛାଣ୍ଟ ପୁରୁଣା ସଜନାଗଛକୁ ବର୍ଷା ଋତୁ ପୂର୍ବରୁ କାଣ୍ଟଛାଣ୍ଟ କରାଯାଏ । ଏହା ଦ୍ଵାରା ଅଧିକ ନୂଆ ଶାଖା ବାହାରି ଅଧିକ ଫୁଲଫଳ ଧରେ ବିଶେଷତଃ ସାଧାରଣ କିସମ ଗଛରେ ଏଭଳି କାଣ୍ଟଛାଣ୍ଟ ପ୍ରତିବର୍ଷ ନିତାନ୍ତ ଆବଶ୍ୟକ । ରୋଗପୋକ ନିୟନ୍ତ୍ରଣ ସଜନାରେ ଫଳବିନ୍ଧା ପୋକ ଓ ସଂବାଳୁଆ ବିଶେଷ କ୍ଷତି କରିଥାଆନ୍ତି । ସଂବାଳୁଆଗୁଡିକ ସକାଳ ବେଳା କାଣ୍ଡରେ ଜମା ହୋଇ ବିଶେଷ କ୍ଷତି କରିଥାଆନ୍ତି । ଏହି ଅବସ୍ଥାରେ ନିଆଁ ହୁଲା ଦେଖାଇ ମାରିବା ଶଜା କିମ୍ବା କୀଟନାଶକ ଯଥା : ରୋଗର, ମନୋକ୍ରୋଟଫସ୍ ବା ମାଲାଥିୟମ ୨ ମି.ଲି. କୁ ଏକ ଲିଟର ପାଣିରେ ମିଶାଇ ସିଂଚନ କରାଯାଏ । ଲୁଗା ସଫା ଡିଟରଜେଣ୍ଟକୁ ପାଣିରେ ଗୋଳାଇ ପୋକ ଗୁଡିକ ଉପରେ ପକାଇଲେ ସେଗୁଡିକ ନଷ୍ଟ ହୋଇଯାଆନ୍ତି । ପତ୍ରପୋଡା ବା ବ୍ଲାଇଟ ରୋଗ ଦ୍ଵାରା ପତ୍ର ଓ ଫଳର ଅଗ୍ରଭାଗ ପୋଡିଯାଏ । ଏହାକୁ ଦମନ କରିବାକୁ ଏଣ୍ଡୋଫିଲ୍ – ଏମ୍ ୪୫ କୁ ୪ ଗ୍ରାମ୍ ହିସାବରେ ଏକ ଲିଟର ପାଣିରେ ମିଶାଇ ସିଞ୍ଚନ କରାଯାଏ । ଅମଳ ସଜନା ଛୁଇଁଗୁଡିକୁ ପାକଳ ହେବା ପୂର୍ବରୁ ତୋଳାଜାଏ । ପିକେଏମ୍ – ୧ କିସମ ଗଛରୁ ୬ ମାସ ପରେ ଅମଳ ମିଳିଥାଏ । ଗୋଟିଏ ଗଛରୁ ପ୍ରାୟ ୨୦୦ ପର୍ଯ୍ୟନ୍ତ ଛୁଇଁ ତୋଳାଯାଇଥାଏ । ଦେଶୀ କିସମଗୁଡିକରୁ ଗଛର ଶାଖାପ୍ରଶାଖା, ଆକୃତି ଓ ବୟସକୁ ନେଇ ୫୦୦ ରୁ ୧୦୦୦ ପର୍ଯ୍ୟନ୍ତ ଛୁଇଁ ମିଳିଥାଏ । ଦେଶୀୟ ସଜନାରେ ବର୍ଷରେ ତିନିଥର ଫୁଲଫଳ ଆସେ । ବର୍ଷର ଅଧିକାଂଶ ସମୟରେ ଫଳ ଅମଳ କରାଯାଇଥାଏ । ଆଧାର – ଓଡିଶା ଜଳବିଭାଜିକା ଉନ୍ନୟନ ମିଶନ