ମେଥି (Trigonella foenum-graecum) ଏକ ତୃଣ ଜାତୀୟ ଉଦ୍ଭିଦ। ଅତି ବେଶୀରେ ଏହା ଏକ ଫୁଟ ପର୍ଯ୍ୟନ୍ତ ବଢିଥାଏ। ଏହାର ପତ୍ରକୁ ଶାଗ କରି ଖାଇଥାନ୍ତି। ଏହା ଖୁବ୍ ରୁଚିକର। ଭାରତୀୟ ଖାଦ୍ୟଦ୍ରବ୍ୟରେ ଏହାକୁ ମସଲା ରୂପେ ବ୍ୟବହାର କରାଯାଇଥାଏ। ବିବିଧ ଭାଷାରେ ନାମ ଭାଷା ନାମ ଓଡ଼ିଆ ମେଥି, ମେଥୀ ସଂସ୍କୃତ ମେଥୀକା, ମେଥିନୀ, ବୋଧନୀ, ବହୁ ପତ୍ରିକା, ଦୀପନୀ, ପୀତବୀଜା, ଗନ୍ଧବୀଜା, ମନ୍ଥା, କୁଞ୍ଚିକା, ବହୁପର୍ଣ୍ଣୀ, କୈରବୀ, ମିଶ୍ରପୁଷ୍ପା, ଚନ୍ଦ୍ରିକା, ଗନ୍ଧଫଳା, ବଲ୍ଲରୀ ହିନ୍ଦୀ ମେଥି କନ୍ନଡ଼ ମେନଫିଆ ଗୁଜରାଟୀ ମେଥି ତାମିଲ ୱେନ୍ଦାୟମ ତେଲୁଗୁ ମେଣ୍ଟିକୋରା, ମେଣ୍ଟେଲୁ ପଞ୍ଜାବୀ ମେଥି ସିନ୍ଧି ମେଥି ଉର୍ଦ୍ଦୁ ମେଥି ବଙ୍ଗଳା ମେଥା ମରାଠି ମେଥି ମାଲୟାଲମ ବେନିଦୟାମ ବର୍ମିଜ ପେନାନଟାଜି ଇଂରାଜୀ Fenugreek ଫ୍ରେଞ୍ଚ Graine Joyeuse ଜର୍ମାନ Bockshom ପର୍ସିୟାନ ଶାମଲିଦ ସିଂହଳି ଉଲୁହାଲ ଶାସ୍ତ୍ରୋକ୍ତ ଗୁଣ କଟୁ ମିଶ୍ରିତ ତିକ୍ତରସ, ପାଚକ, ଉଷ୍ଣବୀର୍ଯ୍ୟ। ମାତ୍ରା ଚାରିଅଣାରୁ ଏକ ଭରି ପର୍ଯ୍ୟନ୍ତ । ଉତ୍ପାଦନ ମୁଖ୍ୟ ମେଥି ଉତ୍ପାଦନକାରୀ ଦେଖ ମାନେ ହେଲେ: ନେପାଳ, ଭାରତ, ପାକିସ୍ଥାନ, ବଙ୍ଗଳାଦେଶ, ଆର୍ଜେଣ୍ଟିନା, ଇଜିପ୍ଟ, ଫ୍ରାନ୍ସ, ସ୍ପେନ, ତୁର୍କୀ, ମୋରୋକୋ ଓ ଚୀନ । ମେଥି ଉତ୍ପାଦନରେ ଭାରତ ହେଉଛି ବିଶ୍ୱରେ ପ୍ରଥମ । ଏହା ଭାରତର ରାଜସ୍ଥାନ, ଗୁଜରାଟ, ଉତ୍ତରାଞ୍ଚଳ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ହରିୟାଣା ଓ ପଞ୍ଜାବ । ଏମାନଙ୍କର ଭିତରେ ରାଜସ୍ଥାନରେ ସବୁଠାରୁ ବେଶି, ପାଖାପାଖି ଦେଶର ମୋଟ ଉତ୍ପାଦନର ଶତକଡ଼ା ୮୦ ଭାଗ ମେଥି ଉତ୍ପାଦିତ ହୋଇଥାଏ । ମେଥିପତ୍ରକୁ ଶୁଖାଇ ପ୍ରସ୍ତୁତ କରା ଯାଉଥିବା କସୁରି ମେଥି ଏହାର କ୍ଷୁଧା ଉଦ୍ଦିପକ ସୁଗନ୍ଧ ପାଇଁ ଲୋକପ୍ରିୟ । ଏହା କସୁର, ପାକିସ୍ଥାନରୁ ଆସିଥାଏ, ଯାହା ଭାରତ ଓ ପାକିସ୍ଥାନ ଅନ୍ତର୍ଗତ ପଞ୍ଜାବ ଅଞ୍ଚଳର ସତଲେଜ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ କରା ଯାଇଥାଏ । (sources: T. Jilani PhD, Arizona, DASD 2007) ବ୍ୟବହାର ରୋଷଘରେ ରୋଷେଇରେ ମେଥିକୁ ମୁଖ୍ୟତଃ ତିନି ପ୍ରକାରରେ ପ୍ରୟୋଗ କରାଯାଏ : ଜଡ଼ିବୁଟି (ଶୁଖିଲା ପତ୍ର ବା ସଜ ପତ୍ର) ଭାବରେ, ମସଲା (ମଞ୍ଜି) ଭାବରେ ଆଉ ପରିବା/ଶାଗ (ସଜ ପତ୍ର, ଗଜା ମେଥି) ଭାବରେ। ଏହା ଏକ ପ୍ରସିଦ୍ଧ ଓ ଲୋକପ୍ରିୟ ଭାରତୀୟ ମସଲା ଯାହା ଆୟତାକାର ଓ ଦେଖିବାକୁ ହଳଦିଆ । ଆଚାର, ତରକାରି, ଭଜା ଇତ୍ୟାଦି ପ୍ରସ୍ତୁତିରେ ଏହାର ବହୁଳ ବ୍ୟବହାର ହୋଇଥାଏ । ପଞ୍ଚୁ ଫୁଟଣ ଓ ସମ୍ବର ମସଲାର ଏହାର ଏକ ଭାଗ ରହିଥାଏ । ଏହାର ପିତା ଅଂଶକୁ କମ୍ କରିବାପାଇଁ ଏହାକୁ ଭାଜି ଦିଆଯାଏ । ଶୁଖିଲା ମେଥିପତ୍ର, ଯାହାକୁ ‘‘କସୁରି ମେଥି’’ କୁହାଯାଏ, ତାହା ଡାଲି ଓ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତିରେ ଉପଯୋଗ ହୋଇଥାଏ । ଏହା ଇଷତ୍ ତିକ୍ତ ହେଲେ ବି ଏହାର ବାସ୍ନା ଖାଦ୍ୟଦ୍ରବ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ଭାରତୀୟ ରୋଷେଇରେ ଗଜାମେଥିର ପ୍ରୟୋଗ ହୋଇଥାଏ। ନଡ଼ିଆ ଓ ଲେମ୍ବୁ ସହିତ ଏହାର ସାଲାଡ଼ ଖୁବ୍ ସ୍ୱାଦିଷ୍ଠ। ମହାରାଷ୍ଟ୍ରରେ ମୁମ୍ବାଇର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ଚାଷ ହେଉଥିବାରୁ ଏହାକୁ ସମୁଦ୍ର ମେଥି ବୋଲି ମଧ୍ୟ କୁହାଯାଏ । ମେଥିକୁ ଇରିଟ୍ରିଆ ଓ ଇଥିଓପିଆରେ ମଧ୍ୟ ବ୍ୟଞ୍ଜନ ରୂପେ ବ୍ୟବହାର କରାଯାଏ । ସେମାନଙ୍କ ଭାଷାରେ ସେମାନେ ଏହାକୁ ଆବେଶ ବା ଆବିଶ କହିଥାନ୍ତି, ଓ ଏହାକୁ ଡାଇବେଟିସ୍ ରୋଗ ନିବାରଣ ପାଇଁ ଏହାର ପ୍ରୟୋଗ କରିଥାନ୍ତି । ୟେମେନର ଜୀଉ ମାନେ ମଧ୍ୟ ମେଥିକୁ ଫେଣଯୁକ୍ତ ସସ୍ ବା ହିଲ୍ବା Hilba ଭାବରେ ବ୍ୟବହାର କରିଥାନ୍ତି । ଏହାକୁ ସେମାନେ ପ୍ରତିଦିନ ଖାଇବା ସହିତ ରୋଶ ହସାନା ବା ଜୀଉ ନବବର୍ଷର ପ୍ରଥମ ଓ ଦ୍ୱିତୀୟ ରାତ୍ରୀର ଭୋଜନରେ ଅବଶ୍ୟ ସେବନ କରିଥାନ୍ତି । ଔଷଧୀୟ ବ୍ୟବହାର ଏହାର ସର୍ବାଙ୍କ ଔଷଧ ରୂପେ ପ୍ରୟୋଗ କରାଯାଏ। ଏହା ଛଡ଼ା ଏହାକୁ ଶାଗ ଓ ମସଲା ରୂପେ ମଧ୍ୟ ବ୍ୟବହାର କରାଯାଏ। ସ୍ତ୍ରୀମାନଙ୍କର ଜରାୟୁ ଦୋଷ, ଯୋନିଦୋଷ, ବାତ ଦୋଷ ଆଦିରେ ଜଳ ସହିତ ମେଥିକୁ ବାଟି ସେବନ କରାଯାଏ। ଜ୍ୱର ପରେ ହେଉଥିବା ତୁଣ୍ଡ ଅରୁଚି ଦୂର କରିବା ପାଇଁ ପୁରୁଣା ତେନ୍ତୁଳି, ମିଶ୍ରି ଓ ଅଳ୍ପ ଲୁଣ ସହିତ ମେଥିକୁ ବାଟି ସେବନ କରାଯାଏ। ଭଜା ମେଥି ଗୁଣ୍ଡା ସହିତ ମିଶ୍ରି ମିଶାଇ ଖାଇଲେ ସ୍ତ୍ରୀମାନଙ୍କ ଶରୀରରୁ ସବୁ ରୋଗ ଦୂର ହୁଏ। କୁମାରୀ ମାନେ ରଜୋବତୀ ହୁଅନ୍ତି। ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ ଓ ବାୟୁ ଆଦିରେ ଜୀରା, ଜୁଆଣି ଓ ମେଥି ଏଇ ତିନି ଦ୍ରବ୍ୟକୁ ଚୁରି ଉଷ୍ଣ ଜଳ ସହିତ ସେବନ କରାଯାଏ। ଅନ୍ତଃବାତରେ ମେଥିକୁ ବଚ ସହିତ ପ୍ରୟୋଗ କରାଯାଏ। ପୁରୁଷ ଓ ସ୍ତ୍ରୀଙ୍କର ପ୍ରଜନନ ଓ ମୈଥୁନ ଶକ୍ତି ବଢାଇବାପାଇଁ ଭଜାମେଥି ଚୂର୍ଣ୍ଣ ସହିତ କଞ୍ଚାଦୁଧ ପେୟ। ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ ଏହା ଉପଯୋଗୀ। ଏହା ସ୍ତନରେ କ୍ଷୀର ବଢାଏ। ପ୍ରତିଦିନ ଗୋଟିଏ କପ୍ ମେଥିପତ୍ରରୁ ପ୍ରସ୍ତୁତ ଚା ପିଇଲେ ବାତ /ଆଣ୍ଠୁଗଣ୍ଠି ବାତ(arthritis)ରେ ଉପକାର ମିଳେ ଜୁନ୍ ୨୦୧୧ରେ ଅଷ୍ଟ୍ରେଲିଆର ଇଣ୍ଟିଗ୍ରେଟିଭ କ୍ଲିନିକାଲ ଓ ମଲିକ୍ୟୁଲାର ମେଡିସିନ କେନ୍ଦ୍ର(Australian Centre for Integrative Clinical and Molecular Medicine)ର ଏକ ଗବେଷଣାରୁ ଜଣା ପଡ଼ିଛି ୨୫ରୁ ୫୨ ବର୍ଷ ବୟସ୍କ ମଣିଷ ଯଦି ଏହାର ଅର୍କକୁ ଦିନରେ ଦୁଇଥର ଛଅ ସପ୍ତାହଯାଏ ସେବନ କରେ ତେବେ ସେମାନଙ୍କର କାମୋତ୍ତେଜନା ୨୫ ଶତକଡା ବୃଦ୍ଧି ପାଇବ। ମେଥି ମଞ୍ଜି ମେଥି ପଲିସାକାରାଇଡ polysaccharide ଓ ଗାଲାକ୍ଟୋମାନନ galactomannanର ପ୍ରମୁଖ ଉତ୍ସ। ଏହାଛଡା ଏଥିରେ ଡାୟୋସଜେନିନ୍ diosgenin, ୟାମୋଜେନିନ yamogenin, ଗିଟୋଜେନିନ (gitogenin), ଟିଟୋଜେନିନ (tigogenin), ଓ ନିଓଟୋଜେନିନ୍ ପରି ଅନେକ ପ୍ରକାରର ସାପୋନିନ୍ saponin ରହିଥାଏ। ଏହାର ଅନ୍ୟ କେତୋଟି ଜୈବିକ ଉପାଦାନ ହେଉଛି ମୁସିଲେଜ mucilage, ଉଦ୍ବାୟୀ (ଯାହା ଉଡ଼ିଯାଏ) ତେଲ volatile oil, ଏବଂ କୋଲାଇନ୍ choline ଓ ଟ୍ରିଗୋନେଲାଇନ trigonelline ନାମକ ଆଲକାଲଏଡ୍ ବା କ୍ଷାର alkaloid। ପୁରାତନ ଚୀନି ଔଷଧରେ ମେଥିକୁ ହୁ ଲୁ ବା Hu Lu Ba ନାମରେ ପ୍ରୟୋଗ କରାଯାଏ, ଯେଉଁଠି ଏହା ବୃକ୍କ ପାଇଁ ହିତକାରକ ବୋଲି କୁହାଯାଏ। ଏହା ବୃକ୍କକୁ ଉଷ୍ଣ କରେ ଓ ବଳଦିଏ। ହାର୍ଣ୍ଣିୟାରେ hernia ମଧ୍ୟ ଏହାକୁ କଞ୍ଚା ବା ଭାଜି ବ୍ୟବହାର କରାଯାଏ। ଭାରତୀୟ ଔଷଧରୂପେ ଆଣ୍ଠୁଗଣ୍ଠି ବାତକୁ ଉପଶମପାଇଁ ୨ ରୁ ୩ ଗ୍ରାମ କଞ୍ଚା ମେଥିକୁ ସକାଳେ ଦାନ୍ତ ଘସିବା ଆଗରୁ, ଚା ବା କଫି ପିଇବା ଆଗରୁ ଉଷୁମ ପାଣି ସହିତ ସେବନ କରାଯାଏ। ଏହାକୁ ସିଧା ଢୋକି ଦେବାକୁ ହୋଇଥାଏ ଓ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ପାରସ୍ୟ ରୋଷେଇରେ ମଧ୍ୟ ଏହାର ପ୍ରୟୋଗ ହୋଇଥାଏ। ଏହାକୁ ସାନବାଲାଇଲ ବୋଲି କୁହାଯାଏ। ଆରବର ପୁରାତନ ଔଷଧି ଶାସ୍ତ୍ରରେ ଏହାକୁ ହେଲ୍ବା ବା ହୁଲବା ବୋଲି କୁହାଯାଏ। ମଧ୍ୟ ପ୍ରାଚ୍ୟରେ ବୃକ୍କ, ହୃତ୍ପିଣ୍ଡ, ତଳିପେଟର ରୋଗ ଓ ମଧୁମେହ (Diabetes)ରେ ଏହାର ପ୍ରୟୋଗ କରାଯାଏ। ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ ମାଆମାନେ ଏହାକୁ ସେବନ କରିଥାନ୍ତି। ଆଧାର : ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ