ମୁଗର ଉନ୍ନତ ଚାଷ କୌଶଳ ଜଳବାୟୁ ମୁଗ ଚାଷ ଖରିଫ୍, ରବି ଏବଂ ଗ୍ରୀଷ୍ମ ଋତୁରେ କରାଯାଏ । ଏହା ଉଷ୍ଣ ଜଳବାୟୁ ଆବଶ୍ୟକ କରେ ଏବଂ ଜଳୀୟାଂଶ ଅଭାବକୁ ମଧ୍ୟ ସହ୍ୟ କରିପାରେ । ୫୦ – ୭୦ ସେ.ମି. ବୃଷ୍ଟିପାତ ହେଉଥିବା ସ୍ଥାନ ମୁଗ ଚାଷ ପାଇଁ ସର୍ବୋକୃଷ୍ଟ ବୋଲି ବିବେଚିତ ହୋଇଥାଏ । ସମୁଦ୍ର ପତ୍ତନ ଠାରୁ ହାରାହାରି ୨୦୦୦ ମିଟର ମଧ୍ୟରେ ଏହା ସଫଳ ଭାବରେ ଚାଷ କରାଯାଇପାରିବ । ମୃତ୍ତିକା ମୁଗ ବିଭିନ୍ନ ପ୍ରକାର ମାଟିରେ ଚାଷ କରାଯାଇପାରେ ଯଥା – ନାଲି ଲାଟେରାଇଟ, କୃଷ୍ଣ କାର୍ପାସ ଏବଂ ବାଲିଆ ମାଟି । ଦୋରସା, ବାଲିଆ ଦୋରସା ମାଟି ମୁଗ ଚାଷ ପାଇଁ ସର୍ବୋକୃଷ୍ଟ ବୋଲି ବିବେଚନା କରାଯାଏ । ମାଟିରେ ଉତ୍ତମ ଭାବରେ ଜଳ ନିଷ୍କାସିତ ହେଉଥିବା ଦରକାର । ଏପରିକି ସାମୟିକ ଭାବେ ଜଳ ଜମି ଗଲେ ଫସଲର କ୍ଷତି ଘଟିଥାଏ । ଲୁଣିକ୍ଷାରୀ ଏବଂ ଅମ୍ଳମାଟି ମୁଗ ଚାଷ ପାଇଁ ଅନୁପଯୁକ୍ତ । କିସମ ବିଭିନ୍ନ ଋତୁ ପାଇଁ ବହୁ ଉନ୍ନତ କିସମ ବିହନ ଚାଷ କରାଯାଇ ପାରିବ । ବିଭିନ୍ନ ଅଞ୍ଚଳରେ ଫସଲ ପର୍ଯ୍ୟାୟରେ ସ୍ଥାନୀୟ କିସମଗୁଡିକ ଗୃହିତ ହୋଇଛନ୍ତି । ଫସଲ ପର୍ଯ୍ୟାୟ, ମୃତ୍ତିକାରେ ଜଳଧାରଣ କ୍ଷମତା ଓ ସ୍ଥାନୀୟ ଆଗ୍ରହ ଅନୁଯାୟୀ ଫସଲ ଓ କିସମ ଚୟନ କରାଯିବା ଆବଶ୍ୟକ । ଅନୁମୋଦିତ ଉନ୍ନତ କିସମ ସମ୍ବନ୍ଧୀୟ କିଛି ସୂଚନା ଏଠାରେ ପ୍ରଦାନ କରାଯାଇଛି । ବିଭିନ୍ନ ଋତୁ ପାଇଁ ଚିହ୍ନଟ / ବିକାଶ କରାଯାଉଥିବା କିସମ ଖରିଫ (ଜୁନ୍ – ଜୁଲାଇ) କିସମ ଅବଧି (ଦିନ) ସମ୍ଭାବ୍ୟ ଅମଳ (କ୍ଵି.ହେ.) ହାରାହାରି ଅମଳ (କ୍ଵି.ହେ) ବିଶେଷ ଗୁଣାବଳୀ କାମଦେବ (ଓ.ୟୁ.ଏମ୍.-୧୧–୫) ୫୫ – ୬୦ ୧୧.୦୫ ୭.୪ ସହଳ, ସାହେବୀ ରୋଗ ସହଣୀ ଦୂର୍ଗା (ଓବିଜିଜି - ୫୨) ୬୦ – ୬୫ ୧୩.୦ ୮.୦ ସାହେବୀ ରୋଗ ସହଣୀ ଧଉଳି ୬୦ – ୬୫ ୧୫.୦ ୭.୫ ସାହେବୀ ରୋଗ ପ୍ରତିରୋଧୀ ସୁଜାତା (ଏଚ୍.ୱାଇ.ବି – ୧୨ -୪) ୬୦ – ୬୫ ୧୦.୦ ୭.୫ ସାହେବୀ ରୋଗ ସହଣୀ ସମ୍ରାଟ (ପିଡିଏମ୍ ୮୪-୧୩୯) ୬୦ – ୬୫ ୧୦.୦ ୮.୦ ସାହେବୀ ରୋଗ ପ୍ରତିରୋଧୀ ଏମ୍ ଏଲ – ୧୩୧ ୬୦ – ୬୫ ୧୦.୦ ୭.୦ ସାହେବୀ ରୋଗ ପ୍ରତିରୋଧୀ ହମ୍ – ୧ ୬୦ – ୬୫ ୧୦.୦ ୭.୦ ସାହେବୀ ରୋଗ ପ୍ରତିରୋଧୀ କେ – ୮୫୧ ୬୦ – ୭୦ ୧୦.୦ ୮.୦ ସାହେବୀ ରୋଗ ସହଣୀ ପ୍ରାକ୍ ରବି ଋତୁ (ସେପ୍ଟେମ୍ବର - ଅକ୍ଟୋବର) କିସମ ଅବଧି (ଦିନ) ସମ୍ଭାବ୍ୟ ଅମଳ (କ୍ଵି.ହେ.) ହାରାହାରି ଅମଳ (କ୍ଵି.ହେ) ବିଶେଷ ଗୁଣାବଳୀ ଜ୍ୟୋତି ୬୦ – ୬୫ ୮.୦ ୭.୦ କଳାମଞ୍ଜି, ସାହେବୀ ରୋଗ ସହଣୀ ଟାର୍ମ – ୧ ୬୫ – ୭୦ ୯.୦ ୭.୦ ପାଉଁଶିଆ ରୋଗ ସାହେବୀ ରୋଗ ସହଣୀ ଟାର୍ମ – ୨ ୬୫ – ୭୦ ୯.୦ ୭.୦ ପାଉଁଶିଆ ରୋଗ ଓ ସାହେବୀ ରୋଗ ସହଣୀ ପୁଷା – ୯୦୭୨ ୬୫ – ୭୦ ୧୦.୦ ୯.୦ ସାହେବୀ ରୋଗ ପ୍ରତିରୋଧୀ କାମଦେବ (ଓୟୁଏମ୍ – ୧୧-୫) ୬୦ – ୬୫ ୧୧.୫ ୭.୫ ସାହେବୀ ରୋଗ ସହଣୀ ଧଉଳି ୬୦ – ୬୫ ୧୨.୦ ୮.୦ ସାହେବୀ ରୋଗ ପ୍ରତିରୋଧୀ ରବି ଋତୁ (ଅକ୍ଟୋବର - ନଭେମ୍ବର ) କିସମ ଅବଧି (ଦିନ) ସମ୍ଭାବ୍ୟ ଅମଳ (କ୍ଵି.ହେ.) ହାରାହାରି ଅମଳ (କ୍ଵି.ହେ) ବିଶେଷ ଗୁଣାବଳୀ ଟାର୍ମ – ୧ ୬୫ – ୭୦ ୯.୦ ୭.୦ ପାଉଁଶିଆ ରୋଗ ଓ ସାହେବୀ ରୋଗ ସହଣୀ ଟାର୍ମ – ୨ ୬୫ – ୭୦ ୯.୦ ୭.୦ ପାଉଁଶିଆ ରୋଗ ଓ ସାହେବୀ ରୋଗ ସହଣୀ ପୁଷା – ୯୦୭୨ ୬୫ – ୭୦ ୧୦.୦ ୯.୦ ସାହେବୀ ରୋଗ ପ୍ରତିରୋଧୀ ଏଲ.ଜି.ଜି. – ୪୬୦ ୬୫ – ୭୦ ୧୦.୦୦ ୮.୦ ସାହେବୀ ରୋଗ ପ୍ରତିରୋଧୀ ଏବଂ ଅମୁହାଁ (ପାଇରା) ଫସଲ ପାଇଁ ଉପଯୁକ୍ତ ସିଓ – ୪ ୭୦ – ୭୫ ୧୦.୦୦ ୮.୦ ସାହେବୀ ରୋଗ ଓ ପାଉଁଶିଆ ରୋଗ ସହଣୀ ଏବଂ ଅମୁହାଁ (ପାଇରା) ଫସଲ ପାଇଁ ଉପଯୁକ୍ତ ଧଉଳି ୬୫ – ୭୦ ୧୦.୦ ୮.୦ ସାହେବୀ ରୋଗ ସହଣୀ ଏଲଜିଜି – ୪୧୦ ୬୫ – ୭୦ ୧୦.୦ ୮.୦ ସାହେବୀ ରୋଗ ପ୍ରତିରୋଧୀ ଏବଂ ଅମୁହାଁ (ପାଇରା) ଫସଲ ପାଇଁ ଉପଯୁକ୍ତ ପ୍ରଜ୍ଞା (ଆର.ୟୁ.ଏମ୍ – ୧-୨୦) ୬୫ – ୭୦ ୧୦.୦ ୮.୦ ଅମୁହାଁ (ପାଇରା) ଫସଲ ପାଇଁ ଉପଯୁକ୍ତ ଖରାଦିନିଆ କିସମ ଅବଧି (ଦିନ) ସମ୍ଭାବ୍ୟ ଅମଳ (କ୍ଵି.ହେ.) ହାରାହାରି ଅମଳ (କ୍ଵି.ହେ) ବିଶେଷ ଗୁଣାବଳୀ ପିଡିଏମ୍ ୧୧ ୬୦ – ୬୫ ୯.୦ ୬.୫ ସାହେବୀ ରୋଗ ପ୍ରତିରୋଧୀ ପିଡିଏମ୍ ୫୪ ୬୦ – ୬୫ ୯.୦ ୭.୦ ସାହେବୀ ରୋଗ ପ୍ରତିରୋଧୀ ପିଡିଏମ୍ ୮୪ – ୧୪୩ ୬୦ – ୬୫ ୧୦.୦ ୮.୦ ସାହେବୀ ରୋଗ ପ୍ରତିରୋଧୀ ଏସଏମ୍ ଏଲ ୬୬୮ ୫୫ – ୬୦ ୧୦.୦ ୮.୦ ସାହେବୀ ରୋଗ ଏବଂ ହୃଷ୍ଟପୁଷ୍ଟ ବିହନ ହମ୍ ୧୨ ୬୦ – ୬୫ ୧୦.୦ ୮.୦ ସାହେବୀ ରୋଗ ପ୍ରତିରୋଧୀ ଜମି ପ୍ରସ୍ତୁତି ମୁଗ ଚାଷ ପାଇଁ ଥରେ ଗଭୀର ହଳ କରି ଦୁଇ ତିନି ଥର ହାରୋଇଙ୍ଗ କରି ଓ ମଇ ଦେଇ ଉପଯୁକ୍ତ ଭାବରେ ଜମି ପ୍ରସ୍ତୁତି କରାଯାଏ । ଜମି ଭଲ ଭାବରେ ସମତୁଲ ଏବଂ ଘାସ ମୁକ୍ତ ହେବା ଦରକାର । ହାରୋଇଙ୍ଗ ସମୟରେ ସଢା ଗୋବର ଖତ (ହେକ୍ଟର ପ୍ରତି ୨ ଟନ୍) ପ୍ରୟୋଗ କରାଯିବା ଉଚିତ୍ । ପାଇରା ଫସଲ ପାଇଁ ଆଦୌ ହଳ କରିବା ଆବଶ୍ୟକ ପଡି ନଥାଏ । ଫସଲ ଚକ୍ରୀକରଣ ମୌସୁମୀ ବର୍ଷା ଆରମ୍ଭରେ ବର୍ଷାଦିନିଆ ମୁଗ ବୁଣାଯାଇଥାଏ । ରବି ଫସଲ ଅମଳ ପରେ ଏହା ବୁଣାଯାଇ ପାରେ । ରବି ଫସଲ ଅମଳ ଓ ଖରିଫ ଫସଲ ବୁଣା ହେବ ମଧ୍ୟରେ ଖରା ଦିନିଆ ମୁଗ ଚାଷ କରାଯାଏ । ତେଣୁ ଫସଲ ଚକ୍ରୀକରଣ ଦ୍ଵାରା ମୃତ୍ତିକାର ସ୍ୱାସ୍ଥ୍ୟ ବୃଦ୍ଧି ଘଟେ ଏବଂ ପ୍ରତି ଏକକ ଜମିରେ ଉତ୍ପାଦନ ବୃଦ୍ଧି କରିହୁଏ । ନିମ୍ନରେ କେତେକ ମୁଖ୍ୟ ଫସଲ କ୍ରମ ପ୍ରଦାନ କରାଯାଇଛି । ମୁଗ – ସୋରିଷ – ବିରି ଧାନ – ଗହମ – ମୁଗ ଧାନ – ସୂର୍ଯ୍ୟମୁଖୀ – ମୁଗ ଧାନ – ଚିନାବାଦାମ – ମୁଗ ଧାନ ପନିପରିବା – ମୁଗ ମକା – ସୋରିଷ – ମୁଗ ଧାନ – ମୁଗ –କୋଳଥ ଅନ୍ତଃଫସଲ ମୁଗ ସାଧାରଣତଃ ଖରିଫ ଋତୁରେ ମକା, ହରଡ, ମିଲେଟ୍, ପର୍ଲମିଲେଟ୍, ଯଅ ସହିତ ଏବଂ ରବି ଋତୁରେ ଚିନାବାଦାମ ସହିତ ଅନ୍ତଃଫସଲ ଭାବରେ ଚାଷ କରାଯାଏ । ମୁଗ ଅନ୍ତଃଫସଲ ପଦ୍ଧତି ଅମଳ ବଢାଇବା ସହିତ ଅର୍ଥକାରୀ ମଧ୍ୟ ହୋଇଥାଏ । ଫଳପ୍ରଦ ଅନ୍ତଃଫସଲ ପଦ୍ଧତିଗୁଡିକ ହେଲା – ହରଡ + ମୁଗ ମକା + ମୁଗ ଚିନାବାଦାମ + ମୁଗ ଶସ୍ୟ (ମିଲେଟ୍) + ମୁଗ ବୁଣିବା ସମୟ ଖରିଫ୍ – ଜୁନ୍ ୩୦ରୁ ଜୁଲାଇ – ୧୫ ମଧ୍ୟରେ ବୁଣିଲେ ଅଧିକ ଅମଳ ଦିଏ । ପ୍ରାକ୍ ରବି – ୧୫ ସେପ୍ଟେମ୍ବରରୁ – ୩୦ ସେପ୍ଟେମ୍ବର ରବି – ୧ମ ଅକ୍ଟୋବରରୁ – ୫ ଅକ୍ଟୋବର ଖରାଟିଆ – ଫେବୃୟାରୀ ଶେଷ ସପ୍ତାହରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଉପଯୁକ୍ତ । ଉଭୟ ସହଳ ଓ ବିଳମ୍ବ ବୁଣା ଅମଳ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ବିହନ ହାର – ହେକ୍ଟର ପ୍ରତି ୨୫ – ୩୦ କି.ଗ୍ରା. ବ୍ୟବଧାନ – ଆବଶ୍ୟକୀୟ ଗଛ ସଂଖ୍ୟା ରଖିବା ପାଇଁ ଉପଯୁକ୍ତ ବ୍ୟବଧାନ ଆବଶ୍ୟକ । ଖରିଫ୍ – ୩୦ ସେ.ମି. X ୧୦ ସେ.ମି. (ପ୍ରତି ବର୍ଗ ମିଟରରେ ୩୩ ତି ଗଛ) । ରବି – ୨୫ ସେ.ମି. X ୧୦ ସେ.ମି. (ପ୍ରତି ବର୍ଗ ମିଟରରେ ୩୩ ତି ଗଛ) । ଖରାଟିଆ – ୩୦ ସେ.ମି. X ୧୦ ସେ.ମି. (ପ୍ରତି ବର୍ଗ ମିଟରରେ ୩୩ ତି ଗଛ) । ବିହନ ବିଶୋଧନ ଏବଂ ଜୀବାଣୁସାର ଉପଚାର ବୁଣିବା ପୂର୍ବରୁ ବିହନ ବିଶୋଧନ ସହିତ ରାଜୋବିୟମ କଲଚର (ଜୀବାଣୁ ସାର) ଉପଚାର କଲେ ଗଜାଶକ୍ତି ଏବଂ ଗୁଟିକା (ନୋଡ୍ୟୁଲ) ଅଧିକ ହୁଏ । ଅବଶେଷରେ ଜୈବ ବିବନ୍ଧିତ ଯବକ୍ଷାରଜାନ ଫସଲ ବୃଦ୍ଧିରେ ସାହାଯ୍ୟ କରେ । ସମସ୍ତ ଛୁଇଁ ଜାତୀୟ ଫସଲରେ ଗୁଟିକା ସଂଖ୍ୟା ଭଲଭାବରେ ବୃଦ୍ଧି ପାଏ । ଅଧିକ ସଂଖ୍ୟକ ଗୁଟିକା ଥିଲେ ଅଧିକ ଅମଳ ହୁଏ । ଛୁଇଁ ଜାତୀୟ ଫସଲର ପ୍ରତ୍ୟକ ଥର ବୁଣିବା ସମୟରେ ରାଇଜୋବିୟମ ଉପଚାର କରିବା ଏକାନ୍ତ ଆବଶ୍ୟକ । ୬୦୦ ମି.ଲି. ପାଣିରେ ୨୦୦ ଗ୍ରାମ୍ ରାଇଜୋବିୟମ କଲଚର ଓ ୨୫୦ ଗ୍ରାମ୍ ଫସଫେଟ୍ ଦ୍ରବୀଭୂତ କରୁଥିବା ବ୍ୟାକ୍ଟେରିଆ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତା ପରେ ୧୦ କି.ଗ୍ରା. ମଞ୍ଜି ଉପରେ ବୁନ୍ଦା ବୁନ୍ଦା କରି ମଣ୍ଡ ଢାଳନ୍ତୁ ଓ ଏକ ସମାନୁପାତିକ ଆସ୍ତରଣ ସୃଷ୍ଟି ହେବା ପର୍ଯ୍ୟନ୍ତ ହାତରେ ଗୋଳାଇ ଦିଅନ୍ତୁ । ବିହନ ଉପଚାର କଲାବେଳେ ଅଧିକ ସଂଖ୍ୟକ ଗୁଟିକା ସୃଷ୍ଟି ହେବା ପାଇଁ ପ୍ରତି ୧୦ କି.ଗ୍ରା. ବିହନରେ ୩ ଗ୍ରାମ୍ ହିସାବରେ ଆମୋନିୟମ କିମ୍ବା ସୋଡିୟମ ମଳିବଡେଟ୍ ଆକାରରେ ମଲିବଡିନମ୍ ମିଶାନ୍ତୁ । ଏକ ପରିଷ୍କାର ଲୁଗା, କାଗଜ କିମ୍ବା ପଲିଥିନ୍ ଉପରେ ଉପଚାରିତ ବିହନକୁ ଛାଇରେ ଶୁଖାଇ ଦିଅନ୍ତୁ ଓ ଏହାକୁ ସଙ୍ଗେ ସଙ୍ଗେ ବିଶେଷତଃ ଅପରାହ୍ନରେ ବୁଣି ଦିଅନ୍ତୁ । ଉତ୍ତମ ଅମଳ ପାଇବା ପାଇଁ ଓ ଫସଲକୁ ଚାରା ସଢା ରୋଗ, ଚାରା ପୋଡା ଆଦି ରୋଗରୁ ମୁକ୍ତ ରଖିବା ପାଇଁ ପ୍ରତି କି.ଗ୍ରା. ବିହନରେ ଭିଟାଭାକ୍ସ ପାୱାର ୧.୫ ଗ୍ରାମ୍ କିମ୍ବା (କାର୍ବେଣ୍ଡାଜିମ୍ ୧.୦ ଗ୍ରାମ୍ + ଥିରାମ୍ ୧.୫ ଗ୍ରାମ୍) ମିଶାଇ ବିଶୋଧନ କରାଯିବା ଆବଶ୍ୟକ । ସଘନ ହରଡ ଚାଷ ଅଞ୍ଚଳରେ ଚେରଗଣ୍ଠି ଓ ବୃକକ୍ ସୂତ୍ରଜୀବ ଆକ୍ରମଣରୁ ରକ୍ଷାକରିବା ପାଇଁ ରାଇଜୋବିୟମ କଲଚରରେ ଉପଚାର କରିବାର ୧ ସପ୍ତାହ ପୂର୍ବରୁ କାର୍ବୋସଲଫାନ୍ ୨୫ ଇ.ସି. ୦.୨% ହିସାବରେ ମିଶାଇ ବିଶୋଧନ କରିବା ଆବଶ୍ୟକ । ଖାଦ୍ୟସାର ପରିଚାଳନା ମୁଗଚାଷ ସାଧାରଣତଃ ବିନା ସାରରେ ଚାଷ କରାଯାଏ । ବିଭିନ୍ନ ସ୍ଥାନରେ କରାଯାଇଥିବା ପରୀକ୍ଷାରୁ ଜଣାଯାଇଛି ସାର ପ୍ରୟୋଗ ଦ୍ଵାରା ମୁଗ ଫସଲର ଉତ୍ପାଦନ ବୃଦ୍ଧି କରାଯାଇ ପାରିବ । ମୁଗ ଫସଲ ପାଇଁ ଅନୁମୋଦିତ ସାର ହେକ୍ଟର ପ୍ରତି ୨୦ କି.ଗ୍ରା. ଯବକ୍ଷାରଜାନ ୪୦ କି.ଗ୍ରା. ଫସଫରସ୍ ୨୦ କି.ଗ୍ରା. ପଟାସ୍ ଏବଂ ୨୦ କି.ଗ୍ରା. ସଲଫର । ଏହାର ସର୍ବାଧିକ ବିନିଯୋଗ ପାଇଁ ସମସ୍ତ ଫସଫରସ୍ ଓ ସଲଫର ସହିତ ୫୦% ଯବକ୍ଷାରଜାନ ଓ ପଟାସ୍ ମୂଳସାର ଭାବେ ପ୍ରୟୋଗ କରାଯାଏ । ଅବଶିଷ୍ଟ ୫୦%ଯବକ୍ଷାରଜାନ ଓ ପଟାସ ସାରକୁ ୨-୩ ସପ୍ତାହ ପରେ ଅର୍ଥାତ୍ ଘାସ ବଛା ଓ ହୁଡା ଟେକା ସମୟରେ ପ୍ରୟୋଗ କରାଯାଏ ବୁଣିବା ପୂର୍ବରୁ ଜମି ପ୍ରସ୍ତୁତି ଶେଷ ଅବସ୍ଥାରେ ମୂଳସାରକୁ ମାଟିରେ ଭଲଭାବରେ ମିଶାଇବା ଦରକାର । ନାଳୀରେ ସାର ପ୍ରୟୋଗ କରିବା ଦ୍ଵାରା ଅଧିକ ଲାଭ ମିଳିଥାଏ । ବିହନ ବୁଣା ଜମି ପ୍ରସ୍ତୁତି ପରେ ପରେ ବିହନ ଧାଡିରେ ବୁଣାଯିବା ଦରକାର । ମଇ ଦେଇ ମାଟିକୁ ନିଦା କରିବା ଦ୍ଵାରା ମଞ୍ଜି ମାଟିର ଜଳୀୟାଂଶ ସହିତ ନିବିଡ ସଂସ୍ପର୍ଶରେ ଆସିଥାଏ ଯାହାକି ଗଜା ହେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଅମଳ ସମୟରେ ଯେଉଁ ଜମି ଶୁଖିଯିବାର ଆଶଙ୍କା ଥାଏ ସେଥିରେ ଅମଳ ପୂର୍ବରୁ ବିହନ ବୁଣିବା ଦରକାର । ମାଟିରେ ଜଳୀୟାଂଶ କମ୍ ଥିଲେ ପୂର୍ବ ରାତିରେ ମଞ୍ଜିକୁ ଭିଜାଇ ବୁଣିବା ଦ୍ଵାରା ଗଜା ଶୀଘ୍ର ହୁଏ । ଧାଡିବୁଣା କରିବା ଦ୍ଵାରା କୋଡାଖୁସା ଓ ଘାସ ବଛା ଇତ୍ୟାଦି ଭାଲଭାବରେ କରିହୁଏ । ତୃଣକ ପରିଚାଳନା ବୁଣିବାର ୧୫ ଦିନ ପରେ ୧ମ ଥର ଏବଂ ୩୦ ଦିନ ପରେ ୨ୟ ଥର କୋଡାଖୁସା ଓ ଘାସ ବଛା କରିବା ଯୋଗୁଁ ଘାସଦ୍ଵାରା ମାଟିରୁ ଅପସାରିତ ଖାଦ୍ୟସାରକୁ ପ୍ରତିହତ କରାଯିବା ସଙ୍ଗେ ସଙ୍ଗେ ଏହା ଜଳୀୟାଂଶ ସଂରକ୍ଷଣ ପୂର୍ବକ ଉତ୍ତମ ବୃଦ୍ଧି ଘଟାଇଥାଏ । ତେଣୁ ଧାଡି ବୁଣା କରିବା ଦ୍ଵାରା ଧାଡି ମଝିରେ କୋଡାଖୁସା ଓ ଘାସ ବଛା ସହଜରେ କରିହୁଏ । ପ୍ରାକ୍ ଗଜା ତୃଣନାଶକ ପେଣ୍ଡିମିଥାଲିନ୍ ହେକ୍ଟର ପ୍ରତି ୦.୭୫ କି.ଗ୍ରା. କିମ୍ବା ସଟର୍ଣ୍ଣ ୧ କି.ଗ୍ରା. କ୍ରିୟାଶୀଳ ଉପାଦାନ ସିଞ୍ଚନ କରିବା ସହିତ ବୁଣିବାର ୩୦ ଦିନ ପରେ ଥରେ ହାତରେ ବାଛିଦେଲେ ଘାସ ନିୟନ୍ତ୍ରଣ ହୋଇଥାଏ । ଜଳ ପରିଚାଳନା ଖରିଫ୍ ଋତୁରେ ଅଧିକ ଦିନ ପର୍ଯ୍ୟନ୍ତ ମରୁଡି ଅବସ୍ଥା ଦେଖା ନ ଦେଲେ ମୁଗ ଫସଲରେ ଜଳସେଚନ ଆବଶ୍ୟକ ହୋଇନଥାଏ । ସଫଳ ଚାଷ ନିମନ୍ତେ ମୁଗ ଜମିରୁ ଜଳ ନିଷ୍କାସନ କରିବା ଆବଶ୍ୟକ । ରବି ଋତୁ ଏବଂ ପ୍ରାକ୍ ରବି ଋତୁରେ ମୁଗ ବିଶେଷତଃ ଅବଶିଷ୍ଟ ଜଳୀୟାଂଶରେ ଚାଷ କରାଯାଏ । ବୃଦ୍ଧିର ସଙ୍କଟକାଳୀନ ଅବସ୍ଥାରେ ବେଳେ ବେଳେ ଜଳାଭାବ ଦେଖାଯାଏ ଏହା ଫଳରେ ଅମଳରେ ବାଧା ସୃଷ୍ଟି ହୁଏ । ଫୁଲ ଧରିବା ଓ ଛୁଇଁ ବଢିବା ଜଳ ଆବଶ୍ୟକତାର ସଙ୍କଟକାଳୀନ ଅବସ୍ଥା । ପର୍ଯ୍ୟାପ୍ତ ଜଳସେଚନ ସୁବିଧା ଥିବା ସ୍ଥାନରେ ରବି ଓ ଖରାଦିନରେ ମୁଗଚାଷ କରାଯିବା ଆବଶ୍ୟକ । ଖରାଦିନେ ସାଧାରଣତଃ ମୁଗ ଚାଷ ପାଇଁ ୩-୫ ତି ଜଳସେଚନର ଆବଶ୍ୟକତା ରହିଥାଏ । ଅମଳ ପରିମାଣ ହେକ୍ଟର ପ୍ରତି ପ୍ରାୟ ୮ – ୧୦ କୁଇଣ୍ଟାଲ ମୁଗ ଅମଳ ହୋଇଥାଏ । ଖରିଫ୍ ଋତୁରେ ସାମାନ୍ୟ କମ୍ ଅମଳ ମିଳିଥାଏ । କିନ୍ତୁ ରବି ଓ ଖରାଟିଆ ମୁଗ ଚାଷ ଅଧିକ ଲାଭପ୍ରଦ ହୋଇଥାଏ । ମୁଗଚାଷ ଜମିର ଉର୍ବରତା ବୃଦ୍ଧି କରାଏ । ମୁଗ ଫସଲ ଚାଷ କରିବା ଦ୍ଵାରା ହେକ୍ଟର ପ୍ରତି ମାଟିକୁ ୩୦-୪୦ କି.ଗ୍ରା. ଯବକ୍ଷାରଜାନ ମିଳିଥାଏ । ଏହା ଦ୍ଵାରା ହେକ୍ଟର ପ୍ରତି ୩୦ କି.ଗ୍ରା. ଯବକ୍ଷାରଜାନ ଖର୍ଚ୍ଚ ବଞ୍ଚାଇ ହୁଏ ଏବଂ ଖାଉଟିମାନଙ୍କୁ ପୁଷ୍ଟିସାର ସମୃଦ୍ଧ ଖାଦ୍ୟ ଯୋଗାଇ ହୁଏ । ଅମଳ ଓ ଅମଳ ପରବର୍ତ୍ତୀ ପରିଚାଳନା ଛୁଇଁ ଫାଟି ଝଡି ନଯିବା ପାଇଁ ପାକଳ ଛୁଇଁ ତୋଳି ଆଣନ୍ତୁ । ଅବଶିଷ୍ଟ ଛୁଇଁ ଥିବା ଗଛକୁ ଅମଳ କରାଯାଇ ପାରିବ । ଛୁଇଁଗୁଡିକୁ ଖରାରେ ଶୁଖାଇ ମଞ୍ଜି ଅମଳ କରାଯାଏ । ମଞ୍ଜିଗୁଡିକୁ ପରିଷ୍କାର କରି ଉପଯୁକ୍ତ ଭାବରେ ଖରାରେ ଶୁଖାଇବା ଦରକାର । ମଞ୍ଜିରେ ଜଳୀୟାଂଶ ପରିମାଣ ୧୦ – ୧୨% ରହିବା ଦରକାର । ସାଇତା କୋଠିରେ ମଞ୍ଜି ରହିବା ଦରକାର । ପଲ୍ସ ବିଟିଲ୍ ରୁ ମୁକ୍ତ ରଖିବା ପାଇଁ ଗୋଟାଏ ଇ.ଡିବି ଆମ୍ପୁଲ ରଖାଯାଏ । ବିଶେଷ ବାର୍ତ୍ତା କାମଦେବ (ଓୟୁଏମ୍ ୧୧-୫), ଦୂର୍ଗା (ଓବିଡିଜି - ୫୨) ଧଉଳି, ସୁଜାତା (ଏଚ୍ ୱାଇବ – ୧୨ – ୪) ସମ୍ରାଟ (ପିଡିଏମ୍ - ୧୩୯), ହମ୍ – ୧ ଖରିଫ୍ ଋତୁ ପାଇଁ ଉନ୍ନତ କିସମ, ଟାର୍ମ – ୧, ଟାର୍ମ – ୨, ପୁଷା ୯୦୭୨ – ପ୍ରାକ୍ ରବି ଋତୁ ପାଇଁ ଏବଂ ରବି ଋତୁ ପାଇଁ ପିଡିଏମ୍ – ୧୧, ଏସ୍ ଏମ୍ ଏଲ – ୬୬୮, ହମ୍-୧୨ ଖରାଦିନିଆ ପାଇଁ ଉପଯୁକ୍ତ ଏବଂ ସମସ୍ତ କିସମରେ ସାହେବୀ ରୋଗ ସାହାଣୀ ଶକ୍ତି ରହିଛି । ଖରିଫ୍ ଋତୁ ପାଇଁ – ୩୦ ଜୁନ୍ ର ୧୫ ଜୁଲାଇ, ପ୍ରାକ୍ ରବି ଋତୁ ପାଇଁ – ୧୫ ସେପ୍ଟେମ୍ବରରୁ ୧୫ ଅକ୍ଟୋବର, ରବି ଋତୁ ପାଇଁ ଅକ୍ଟୋବର ଶେଷରୁ ୧୫ ନଭେମ୍ବର ଏବଂ ଗ୍ରୀଷ୍ମ ଋତୁ ପାଇଁ ଫେବୃୟାରୀ ଶେଷ ସପ୍ତାହରୁ – ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ହେଉଛି ଉପଯୁକ୍ତ ବୁଣିବା ସମୟ । ହେକ୍ଟର ପ୍ରତି ୨୫ କି.ଗ୍ରା. ବିଆହନ ଆବଶ୍ୟକ ହୋଇଥାଏ । ଫସଲକୁ ବିହନ ବାହିତ ରୋଗରୁ ମୁକ୍ତ ରଖିବା ପାଇଁ ପ୍ରତି କିଗ୍ରା. ବିହନକୁ ୧.୫ ଗ୍ରାମ୍ ଭିଟାଭାକ୍ସରେ ବିଶୋଧନ କରିବା ଆବଶ୍ୟକ । ପ୍ରତି ହେକ୍ଟର ଜମି ପାଇଁ ୨୦ କି.ଗ୍ରା. ଯବକ୍ଷାରଜାନ, ୪୦ କିଗ୍ରା ଫସଫରସ୍, ପଟାସ୍ ୨୦ କି.ଗ୍ରା. ଆବଶ୍ୟକ ହୋଇଥାଏ । ହେକ୍ଟର ପ୍ରତି ୦.୭୫ କି.ଗ୍ରା. ପ୍ରାକ୍ ଗଜା ତରୁଣନାଶକ ପେଣ୍ଡିମେଥାଲିନ୍ପ୍ରୟୋଗ କରି ବୁଣିବାର ୩୦ ଦିନରେ ଥରେ ହାତରେ ଘାସ ବାଛି ଭଲଭାବେ ଘାସ ନିୟନ୍ତ୍ରଣ ପୂର୍ବକ ତୃଣକ ପରିଚାଳନା କରାଯାଇଥାଏ । ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ