ଉପକ୍ରମ ମକା ପୃଥିବୀର ତୃତୀୟ ଶସ୍ୟପ୍ରଦ ଫସଲ । ଏହି ଫସଲର ଅତ୍ୟଧିକ ଅମଳ କ୍ଷମା ରହିଥିବାରୁ ଏହା “ଶସ୍ୟପ୍ରଦ - ଫସଲରାଣୀ” ନାମରେ ପରିଚିତ । ମକା ଭାରତର ପ୍ରତ୍ୟକ ପ୍ରଦେଶରେ ଚାଷ କରାଯାଏ । ଭାରତରେ ଉତ୍ପାଦିତ ହେଉଥିବା ମକାର ୮୫% ଖାଦ୍ୟସାମଗ୍ରୀ ରୂପେ ବ୍ୟବହାର ହୋଇଥାଏ । ମକାକୁ ପୋଡି ଖଇ ଇତ୍ୟାଦି ବିଭିନ୍ନ ପ୍ରକାର ଖାଦ୍ୟସାମଗ୍ରୀ ତିଆରି କରାଯାଏ । ମକାଭଜା ପିଲାମାନେ ଖାଇବାକୁ ଭଲ ପାଆନ୍ତି । ଏହା ଛଡା ମକା ଗୋ – ଖାଦ୍ୟ, କୁକୁଡା ଖାଦ୍ୟ ଓ ଘୁଷୁରି ଖାଦ୍ୟ ରୂପେ ବ୍ୟବହାର ହୋଇଥାଏ । ମକାରେ ୧୦% ପୁଷ୍ଟିସାର, ୪% ସ୍ନେହସାର, ୭୦% ଶ୍ଵେତସାର, ୨-୩ % କ୍ରୁଡ ଫାଇବର, ୧୦.୪% ଆଲାବୁମିନୋ ଏସିଡି ଓ ୧.୪% ଖଣିଜ ପଦାର୍ଥ ରହିଛି । ଉଦ୍ଭବ କେନ୍ଦ୍ର – ମଧ୍ୟ ଆମେରିକା ଏବଂ ମେକ୍ସିକୋ ମକାର ଉଦ୍ଭବ କେନ୍ଦ୍ର ବୋଲି ସ୍ଥିର ହୋଇଥିଲେ ମଧ୍ୟ ଅଧିକାଂଶ ବୈଜ୍ଞାନିକଙ୍କ ମତରେ ମେକ୍ସିକୋ ମକାର ଘର ବୋଲି ସ୍ଵୀକାର କରାଯାଇଛି । ବିସ୍ତୃତ – ୟୁ.ଏସ୍.ଏ. ବ୍ରାଜିଲ, ଚୀନ, ମେକ୍ସିକୋ ଓ ଭାରତରେ ବହୁଳଭାବରେ ଏହା ଚାଷ କରାଯାଏ । ଉଦ୍ଭିଦବର୍ଣ୍ଣନା ମକା ପୋଏସି ବଂଶଜ । ଏହା ୧-୩ ମିଟର ପର୍ଯ୍ୟନ୍ତ ଉଚ୍ଚ ହେଉଥିବା ଏକ ଲମ୍ବା ଏକ ବର୍ଷୀ ଉଦ୍ଭିଦ । ଏହାର ମୁଖ୍ୟ ଅଂଶଗୁଡିକ ସଂକ୍ଷେପରେ ବର୍ଣ୍ଣନା କରାଗଲା । ମୂଳମନ୍ତ୍ର ଏହା (କ) ରେତ ଚେର (ଖ) ଶୀର୍ଷମୂଳ ଏବଂ (ଗ) ବାୟବୀୟ ଚେର କୁ ନେଇ ଗଠିତ । ରେତଚେର ଭ୍ରୁଣକାଣ୍ଡ ଉପରକୁ ଉଠୁଥିବା ବେଳେ ଭ୍ରୁଣମୂଳ ତଳକୁ ଯାଏ । ପ୍ରଥମେ ଗୋଟିଏ ଚେର ବାହାରେ ଏବଂ ପରେ ପରେ ସାଧାରଣତଃ ପାର୍ଶ୍ଵଚେର ୩ – ୫ ଟି ବାହାରେ । ଏଗୁଡିକ ଭୂମି ତଳେ ଥିବା ପ୍ରଥମ ଗଣ୍ଠିରୁ ବାହାରେ । ଶୀର୍ଷମୂଳ ମୂଳ ସନ୍ନିକଟ ତୃତୀୟ ଗଣ୍ଠିରୁ ପେଶୀ ଚେର ବାହାରେ । ବୀଜପତ୍ରର ଅଗ୍ରଭାର ଭୂ-ପୃଷ୍ଠ ଉପରେ ପହଞ୍ଚିବା ପରେ ପରଶାଖା ଚେର ବାହାରେ । ବାସ୍ତବରେ ଶୀର୍ଷମୂଳହିଁ ବୃତ୍ତିକ ମୂଳ ଏହା ଗଜା ହେବାଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟ କରେ । ବାୟବୀୟ ଚେର ଏହା ମୃତ୍ତିକାର ଉପରେ ଥିବା ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ଗଣ୍ଠିରୁ ବାହାରେ । ଏହିସବୁ ଗଣ୍ଠିରୁ ବାହାରିବା ସମସ୍ତ ଚେର ମୃତ୍ତିକା ଭିତରେ ପ୍ରବେଶ କରିପାରେ ବା ନ କରିପାରେ । କିନ୍ତୁ ଏହାର ମୁଖ୍ୟ କାର୍ଯ୍ୟ ହେଲା ଗଛକୁ ଜମିରେ ଭିଡି ରଖିବା । କାଣ୍ଡ କାଣ୍ଡରେ ୧୨ – ୧୮ ଗଣ୍ଠି ଥାଏ । ପବ ମକା ଦ୍ଵାରା ପରିପୂର୍ଣ୍ଣ ହୋଇଥାଏ । ପ୍ରତ୍ୟକ ଗଣ୍ଠିରୁ ଗୋଟିଏ ପତ୍ର ବାହାରେ । ଅଧିକାଂଶ ପତ୍ର ଗଣ୍ଠି ମଝିରୁ ଗୋଟିଏ କଳିକାମୁକୁଳ ବାହାରେ । ପ୍ରତ୍ୟକ ଗଛରେ ୧୨-୨୦ଟି ପତ୍ରଥାଏ ପତ୍ରର ଦୁଇପାଖରେ ଥାଏ । ସ୍ତବକ ମକା ଗୋଟିଏ ଉଭୟଲିଙ୍ଗୀ ଗଛ । ଏହାର ଦୁଇପ୍ରକାର ମଞ୍ଜରୀ ବା ସ୍ତବକ ଥାଏ । ସ୍ତ୍ରୀ ମଞ୍ଜରୀଟିକୁ ମାକ କୁହାଯାଏ । ଏହା ଗଛର ମଝି ଗଣ୍ଠିର ଆଖିରୁ ବାହାରେ । ଯେଉଁଥିରେ ପୁଂ କେଶର ରହିଛି ତାହା ଗଛର ଅଗ୍ରଭାଗରେ ଥାଏ । ଏହାକୁ ଚଅଂର କୁହାଯାଏ । ସ୍ତ୍ରୀ ଫୁଲଗୁଡିକର ଭୁଣ୍ଡିରେ ବାହାରେ । ଏହିପରି ଉଦ୍ଭିଦର ଦୁଇ ଭିନ୍ନ ଭିନ୍ନ ସ୍ଥାନରେ ପୁରୁଷ ଓ ସ୍ତ୍ରୀ ଫୁଲ (ଚଅଂର ଓ ଝୋଟ ବା ସିଲ୍ କ ) ଦେଖାଯାଏ । ଚଅଂରରେ ଥିବା ପରାଗ ପେଟିକା ଫାଟି ପରାଗରେଣୁ ବହୁସଂଖ୍ୟାରେ ବା ସ୍ତ୍ରୀ ଫୁଲ ଉପରେ ଗଡେ । silk ବା ଝୋଟ ଅଠାଳିଆ ହୋଇଥିବାରୁ ପୁଂ କେଶର ପଡିବା ମାତ୍ରେ ଲାଗିଯାଏ ଏବଂ ପରାଗସଙ୍ଗମ ହୁଏ । ଜଳବାୟୁ ମକା ଗୋଟିଏ ଉଷ୍ଣ ପରିବେଶର ଫସଲ । ବର୍ଷା ଓ ତାପମାତ୍ରା ମକା ଫସଲକୁ ପ୍ରଭାବିତ କରିଥାଏ । ମକା ସମୁଦ୍ର ପତ୍ତନରୁ ୩୦୦୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଚାଷ କରାଯାଇ ପାରିବ । ବର୍ଷସାରା ଆମ ଦେଶରେ ବିଭିନ୍ନ ପ୍ରଦେଶରେ ମକା ଚାଷ ହୁଏ । ଉତ୍ତର ଭାରତରେ ଖରିଫ ଋତୁରେ ମକା ଚାଷ ହୁଏ । ଦକ୍ଷିଣ ଭାରତରେ ଯେ କୌଣସି ସମୟରେ ମକାଚାଷ ହୋଇଥାଏ । ମକା ତା’ ଜୀବନକାଳ ମଧ୍ୟରେ ଆର୍ଦ୍ର ଓ ଉଷ୍ଣ ଜଳବାୟୁ ଆବଶ୍ୟକ କରେ । ଗଜା ହେବା ପାଇଁ C, ବୃଦ୍ଧି ପାଇଁ ସେଲସିୟସ ଉତ୍ତାପ ଆବଶ୍ୟକ । ଫୁଲ ଉଡାଇବା ସମୟରେ ଅତ୍ୟଧିକ ଉତ୍ତାପ ଏବଂ କମ୍ ଆର୍ଦ୍ରତା କ୍ଷତିକାରକ ହୋଇଥାଏ । ମକା ପାଇଁ ୫୦ – ୭୫ ସେ.ମି. ସୁଷମ ବଣ୍ଟନ ବର୍ଷା ଆବଶ୍ୟକ । ପାଣି ଜମି ରହିଲେ ମକା ଫସଲର ଯଥେଷ୍ଟ କ୍ଷତି ହୋଇଥାଏ । ବିଶେଷ କରି ଏହାର ବୃଦ୍ଧି ସମୟରେ ଜଳ ନ ରହିବା ଉଚିତ୍ । ବର୍ଷାଦିନିଆ ମକା ପାଇଁ ଜଳସେଚନର ଆବଶ୍ୟକତା ନ ହୋଇପାରେ । ଶୀତଦିନିଆ ମକା ଚାଷ ପାଇଁ ଜଳସେଚନର ଆବଶ୍ୟକତା ରହିଛି । ଶୀତ ପରିବେଶର ଜଳ ଚାହିଦା ଗ୍ରୀଷ୍ମପରିବେଶ ଠାରୁ କମ୍ ବର୍ଷାଦିନିଆ ମକାର ବର୍ଷାପାଗ ଓ ବର୍ଷା ବଣ୍ଟନ ଉପରେ ଉତ୍ପାଦନ ସମ୍ପୂର୍ଣ୍ଣ ନିର୍ଭରଶୀଳ । ମେଘୁଆ ପାଗ ଯୋଗୂନ ସୂର୍ଯ୍ୟଶକ୍ତିର ପୂର୍ଣ୍ଣ ବିନିଯୋଗ ମକା ଫସଲ କରିପାରେ ନାହିଁ । ଏଣୁ ଖରିଫ ଋତୁରେ ମକା ଉତ୍ପାଦନ ଅନୁକୂଳ ତାପମାନ ଓ ଉଜ୍ଵଳ ସୂର୍ଯ୍ୟକିରଣରେ ବଢେ । ଏଣୁ ମକା ଉତ୍ପାଦନ ଅଧିକ ହୁଏ । ମୃତ୍ତିକା ମକା ପାଇଁ ଉଚ୍ଚ ନିଗିଡା – ଦୋରସା ଓ ମଟାଳ – ଦୋରସା ଉତ୍କୃଷ୍ଟ । ମକା ଜଳାନୁ ବୋଧତା ସହିପାରେ ନାହିଁ । ବରଂ ସାମାନ୍ୟ ଅମ୍ଳ ଓ କ୍ଷାର ସହିପାରେ । ମୃତ୍ତିକାର ପିଏଚ - ୫.୫ରୁ ୭.୫ ରହିବା ସବୁଠାରୁ ଉତ୍ତମ । ବିହନ କିସମ ପୃଥିବୀର ଉତ୍ତର ଆମେରିକା ମୁଖ୍ୟ ଉପହାର – ହାଇବ୍ରିଡ ମକା ବା ଶଙ୍କର ମକା ବିହନ । ହାଇବ୍ରିଡ ବା ଶଙ୍କର ମକା ବିହନର ମୁଖ୍ୟ ଗୁଣଗୁଡିକ ହେଲା – ଏହାର ଉତ୍ପାଦନ କ୍ଷମତା ଅଧିକ ଗଛ ଟାଣ ଥିବା ଯୋଗୁଁ ଶୋଇପଡେ ନାହିଁ । ପୋକ ଓ ରୋଗ ପ୍ରତିରୋଧ ଶକ୍ତି ଦେଶୀ ବିହନଠାରୁ ଯଥେଷ୍ଟ ଭଲ । ସଅଳ ଅମଳ ହୁଏ । ଯବକ୍ଷାରଜାନ ସାର ବିନିଯୋଗ କରିବା କ୍ଷମତା ଅଧିକା ତାପ ଓ ମରୁଡି ସହିପାରେ । ଶଙ୍କର ମକା ଚାଷର କେତେକ ପ୍ରତିବନ୍ଧକ : ବିହନ ପ୍ରତି ବର୍ଷ କିଣିବାକୁ ହୁଏ କାରଣ ମକା ବିହନ ଉତ୍ପାଦନ ଏକ ଜଟିଳ ପ୍ରକ୍ରିୟା ଚାଷୀମାନଙ୍କ ପକ୍ଷେ ବିହନ ଉତ୍ପାଦନ କରିବା ସହଜ ନୁହେଁ । ଏଣୁ ଚାଷୀ କରିବା ମକା ଫସଲ କେବଳ ବିକ୍ରି କରିବା ଓ ଖାଇବା ପାଇଁ ଉପଯୁକ୍ତ । ବିହନ ପାଇଁ ନୁହେଁ । ଭିନ୍ନ ଭିନ୍ନ ପରିବେଶ ପାଇଁ ଭିନ୍ନ ଭିନ୍ନ ମକା ବିହନ ଉତ୍ପାଦନ ଆବଶ୍ୟକ । ଭାରତରେ ଶଙ୍କର ଓ କମ୍ପୋଜିଟ ମକା ଚାଷର ପ୍ରଗତି ଓ ସଂପ୍ରସାରଣ : ମକା ଉତ୍ପାଦନ ବୃଦ୍ଧି କରିବା ପାଇଁ ୧୯୫୭ ମସିହାରୁ ଭାରତବର୍ଷରେ ରକଫେଲର ଫାଉଣ୍ଡେସନ ସହାୟତାରେ ଗୋଟିଏ ସୁଚିନ୍ତିତ ଯୋଜନା ପ୍ରସ୍ତୁତି କରାଯାଇଥିଲା । ଫଳରେ ଏକ ଅନୁଷ୍ଠାନ ୧୯୬୧ ମସିହାରେ ଶଙ୍କର ମକା ଗଙ୍ଗା – ୧, ଗଙ୍ଗା – ୧୦୧, ରଣଜିତ ଏବଂ ଡୋକାନ ଏପରି ଚାରିଗୋଟି ବିହନ ମୁକ୍ତି ଲାଭ କଲା । ତାପରେ ୧୯୬୩ ମସିହା ଓ ୧୯୭୧ ମସିହାରେ ଆଉ ୪ ଗୋଟି ଶଙ୍କର ବିହନ ମୁଖ୍ୟ ଲାଭ କଲା । ସେଗୁଡିକ ମଧ୍ୟରୁ ଗଙ୍ଗା – ୫ ଓଡିଶାରେ ଚାଷ କରାଯାଏ । ୧୯୭୭ ମସିହାରେ କମ୍ପୋଜିଟ ମକା ବିହନ ମିକତି ଲାଭ କଲା । ନିମ୍ନରେ ଓଡିଶାର ଜଳବାୟୁକୁ ସୁହାଉଥିବା କେତେକ ଶଙ୍କର କମ୍ପୋଜିଟ ମକାର ନାମ ଓ ଗୁଣ ପ୍ରଦତ୍ତ କରାଗଲା । ଶଙ୍କର ମକା : ଗଙ୍ଗା – ୧ – ୧୯୬୧ ମସିହାରେ ଏହା ମୁକ୍ତ ହେଲା । ଏହାର ପତ୍ର ଗାଢ ସବୁଜ, ଚଉଡା, ଗଛଗୁଡିକ ପବନରେ ଶୋଇ ପଡେ ନାହିଁ । ସୂର୍ଯ୍ୟଶକ୍ତି ବିନିଯୋଗ ଦକ୍ଷତା ଅଧିକ । ୮୫ – ୯୦ ଦିନରେ ପାଚେ । ପତ୍ରଢଳି ପାଉଁସିଆ ରୋଗ, ପତ୍ର ଅଙ୍ଗମାରୀ ଓ ଗେରୁଆ ପ୍ରତିରୋଧ ଶକ୍ତି ଅଛି । ହେକ୍ତଟର ପ୍ରତି ଅମଳ ୪୦ – ୫୦ କ୍ଵିଣ୍ଟାଲ, ମହାରାଷ୍ଟ୍ର କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ଓଡିଶା ଓ ଗୁଜୁରାଟ ପାଇଁ ଉପଯୁକ୍ତ । ଗଙ୍ଗା – ହାଇବ୍ରିଡ – ୫ ପତ୍ର ଚଉଡା ଓ ଫିକା ଶାଗୁଆ । ମକା ଲମ୍ବା ଦାନା ଓ ସଫା ହଳଦିଆ । ୧୧୦ ଦିନରେ ପାଚେ । ଉତ୍ପାଦନ – ହେକ୍ଟର ପ୍ରତି ୫୫ – ୬୦ କ୍ଵିଣ୍ଟାଲ ଗଙ୍ଗା ହାଇବ୍ରିଡ ସଫେଦ – ୨ – ଏହା ୧୯୬୩ ରେ ମୁକ୍ତ କରାଗଲା ଗଛ ସରୁଆଡେଙ୍ଗା । ପତ୍ର ସରୁଆ ଲମ୍ବ ଓ ଫିକା ଶାଗୁଆ । ୯୫ – ୧୦୦ ଦିନରେ ଅମଳ ହୁଏ ମକା – ଲମ୍ବା ଓ ରୋଲର ପରି, ଦାନ ଛୋଟ, ଧଳା ଓ ଫ୍ଲିଣ୍ଟ । ଆଂଶିକ ରୋଗ ପ୍ରତିରୋଧ ଶକ୍ତି ରହିଛି । ହେକ୍ଟର ପ୍ରତି ୪୫ – ୫୩ କ୍ଵିଣ୍ଟାଲ ଅମଳ ମିଳେ । ଗଙ୍ଗା – ୯ ଏହା ୧୦୫ – ୧୨୦ ଦିନରେ ଅମଳ ହୁଏ । ଡେକାନ ୧୦୩ ଏହା ୧୦୫ – ୧୨୦ ଦିନରେ ଅମଳ ହୁଏ । ରୋଗ ପ୍ରତିରୋଧକ ଶକ୍ତି ରହିଛି । ଅଧିକ ଅମଳକ୍ଷମ ଆଂଶିକ ଫ୍ଲିଣ୍ଟ ଗଙ୍ଗା – ୨ ଏହା ମକା ନାରଙ୍ଗୀ ହଳଦିଆ ରବି ଓ ଖରିଫ ଋତୁରେ ଚାଷ କରାଯାଏ । ସରତାଜ ମଞ୍ଜି ହଳଦିଆ । କେବଳ ଖରିଫ ଋତୁରେ ଚାଷ କରାଯାଏ । କମ୍ପୋଜିଟ ମକା ବିଜୟା ୧୦୦ – ୧୧୦ ଦିନରେ ଅମଳ ହୁଏ । ମକା ଛୋଟ ଓ ଗୋଜିଆ ଦାନା । ସ୍ଵଚ୍ଛ ଓ ନାରଙ୍ଗୀ, ବର୍ଣ୍ଣ ଟାଣ । ପ୍ରତି ଗଛରେ ଦୁଇଟି କରି ମକା ହୁଏ । ମକା ଲମ୍ବା ଓ ଅଗ ଆଡକୁ ସରୁ । ଗଛ ଗାଢ ସବୁଜ ବର୍ଣ୍ଣ । ହେକ୍ଟର ପିଛା ୫୦-୬୦ କ୍ଵିଣ୍ଟାଲ ଅମଳ ହୁଏ । ଜବାହର ଗଛ ଡେଙ୍ଗା, ଗାଢ ସବୁଜ । ଡାଉନ ମିଲଡିଉ, ପତ୍ରପୋଡା ଓ କଳଙ୍କି ରୋଗ ସହଣୀ ଶକ୍ତି ଅଛି । ମକା ଲମ୍ବା ଓ ସିଲଣ୍ଡର ଆକୃତି ବିଶିଷ୍ଟ, ଚୋପା ଜାବୁଡି ରହିଥାଏ । ଗଛ ଗୋତାକେ ମକା ଗୋଟିଏ । ଦାନା ନାରଙ୍ଗୀ - ହରିତ୍ । ୯୫ – ୧୦୦ ଦିନରେ ପାକଲା ହୁଏ । ହେକ୍ଟର ପ୍ରତି ୩୫ – ୫୫ କ୍ଵିଣ୍ଟାଲ ଅମଳ ଦିଏ । ନବଜ୍ୟୋତ – ୮୫ – ୯୫ ଦିନରେ ଅମଳ ହୁଏ । ନାରଙ୍ଗୀ ହଳଦିଆ, ଆଂଶିକ ଫ୍ଲିଣ୍ଟ । ଅରୁଣ ୮୦ – ୮୫ ଦିନରେ ଅମଳ ହୁଏ । ମଞ୍ଜି ନାରଙ୍ଗୀ ହଳଦିଆ ଆଂଶିକ ଫ୍ଲିଣ୍ଟ । ଦେଶୀ ମକା ବିହନ : କାଳିପଙ୍ଗ – ମକାଦାନା ହଳଦିଆ, ବଡମକା ୧୦୦ ଦିନରେ ଅମଳ ହୁଏ । ଜଉନପୁର – ମଧୁରମକା, ସିଝାଇ ଓ ପୋଡି ଖିଆଯାଏ । ୯୦ – ୧୦୦ ଦିନରେ ଅମଳ ହୁଏ । ଖଇମକା – ଛୋଟ ମକା ଖଇ ଭଲ ହୁଏ । ଦେଶୀ ମକାଠାରୁ ଶଙ୍କର ମକା ବା କମ୍ପୋଜିଟ ମକା ୨-୫ ଗୁଣ ଅଧିକ ଅମଳ ଦିଏ । ବିହନ ପରିମାଣ : ହେକ୍ଟର ପ୍ରତି ୧୫ କି.ଗ୍ରା. ବିହନ ଆବଶ୍ୟକ ହୋଇଥାଏ । ବିହନ ବିଶୋଧନ ପ୍ରତି କି.ଗ୍ରା. ବିହନ ସହିତ ୩ ଗ୍ରାମ୍ ହିସାବରେ ମନୋସାନ ବା ଥିରାମ ଗୁଣ୍ଡ ଗୋଳାଇ ବିଶୋଧନ କରାଯାଏ । ବିହନ ବୁଣିବା ସମୟ ଫସଲ ଋତୁ ବୁଣିବା ସମୟ ବର୍ଷାଋତୁ ଜୁନ୍ ଶୀତ ସେପ୍ଟେମ୍ବର – ନଭେମ୍ବର ଗ୍ରୀଷ୍ମ ଜାନୁୟାରୀ ଦ୍ଵିତୀୟାର୍ଦ୍ଧ ସଅଳ ବୁଣା : ବର୍ଷା ଆରମ୍ଭ ହେବାର ୧୦-୧୫ ଦିନ ପୂର୍ବରୁ ବୁଣିଲେ ଅମଳ ୧୫% ଅଧିକ ହୋଇଥାଏ । ସେହିପରି ଖରାଦିନେ ମକା ବିହନ – ପେବୃୟାରୀ ୧୫ ପୂର୍ବରୁ ବୁଣିଲେ ଅମଳଭଲ ହୁଏ । ପେବୃୟାରୀ ୧୫ ପରେ ବୁଣିଲେ ଦାନା ଭଲ ହୁଏ ନାହିଁ । ହେକ୍ଟର ପିଛା ଗଛ ସଂଖ୍ୟା : ହେକ୍ଟର ପିଛା ଗଛ ସଂଖ୍ୟା ଠିକ୍ ରଖିଲେ ଅମଳ ଭଲ ମିଳେ । ଗଛ ସଂଖ୍ୟା ଅଧିକ ହେଲେ ଅମଳ କମିଯାଏ । କେବଳ ଧାଡିରେ ମକା ବିହନ ବୁଣିଲେ କୋଡା ଖୁସା ଓ ହିଡଟେକିବା ସୁବିଧା ହୋଇଥାଏ । ଧାଡିକୁ ଧାଡି ୫୦ ସେ.ମି. ଓ ଗଛକୁ ଗଛ ୨୫ ସେ.ମି. ରହିବା ଉଚିତ୍ । ତେବେ ହେକ୍ଟର ପିଛା ୫୫୦୦୦ ରୁ ୬୦୦୦୦ ଗଛ ରହିବ । ଗୋଟିଏ ସ୍ଥାନରେ ଗୋଟିଏ ଗଛ ରଖି ଅଧିକ ଗଛ ଉପାଡି ଦିଆଯାଏ । ଗଛରେ ୩ ପତ୍ର ହେଲେ ଗଛ ଉପାଡି ପତଳା କରି ଦେବା ଦରକାର । ଜମି ପ୍ରସ୍ତୁତି : ମକା, ଗୁଣ୍ଡ ଚାଷ ଦରକାର କରେ । ଲୁହା ଲଙ୍ଗଳ ସାହାଯ୍ୟରେ ଚାଷକରି ମାଟିକୁ ଗୁଣ୍ଡ କରି ଶେଷ ଓଦା ଚାଷ ସମୟରେ ଜମିରେ ହେକ୍ଟର ପିଛା ୫ ଟନ ସଢା ଗୋବର ଖତ ପକାଇ କାଠ ଲଙ୍ଗଳରେ ଚାଷ କରି ମଇ ଦେଇ ସମତୁଲ କରିବା ଆବଶ୍ୟକ । ଊଇ ଲାଗିବା ଆଶଙ୍କା ଥିଲେ ହେକ୍ଟର ପିଛା ୩୭ କି.ଗ୍ରା. କୁଇନାଲଫସ୍ ଗୁଣ୍ଡ ଜମିରେ ବିଞ୍ଚି ଦିଆଯାଏ । ବିହନ ବୁଣିବା ପୂର୍ବରୁ ମାଟିରେ ବତର ଥିବା ଦରକାର । ପାଣି ନ ଥିଲେ ପାଣି ମଡାଇ ପାଗିବା ଅବସ୍ଥାରେ ଚାଷ କରି ବିହନ ବୁଣିବା ଦରକାର । ବିହନ ବୁଣା : ଗୋଜି ଲଙ୍ଗଳରେ ୫୦ ସେ.ମି. ବ୍ୟବଧାନରେ ସିଆର କାଟି ଆବଶ୍ୟକ ସାର ପ୍ରୟୋଗ କରି ଅଳ୍ପ ମାଟି ଘୋଡାଇ ତା ଉପରେ ମକା ମଞ୍ଜି ବୁଣି ମାଟି ଘୋଡାଇ ଦିଅନ୍ତୁ । ମକା ମଞ୍ଜିକୁ ୪-୫ ସେ.ମି. ଗଭୀରରେ ଓ ଦୁଇଟି କରି ବୁଣିବା ଉଚିତ୍ । ଅନ୍ତଃଚାଷ ମକାଗଛ ଉଠିବାର ୨-୩ ସପ୍ତାହ ମଧ୍ୟରେ କୋଡା ଖୁସା କରି ଘାସ ବାଛି ସାର ପ୍ରୟୋଗ ପରେ ହିଡ ଟେକିଦେବା ଉଚିତ୍ । ଏହି ସମୟରେ ଘାସ ସହ ଗଛ ବହଳ ଥିଲେ ପତଳା କରିଦେବା ଉଚିତ୍ । ଘାସ ମାଟିରୁ ପୁଷ୍ଟିତତ୍ଵ ଟାଣିନିଏ । ଘାସ ଶୀଘ୍ର ବଢିଯାଇ ମକା ଗଛକୁ ଘୋଡାଇ ପକାଏ । ଖାଦ୍ୟ ଜଳ ଓ ସୂର୍ଯ୍ୟାଲୋକ ପାଇବାରେ ଅନ୍ତରାୟ ହୁଏ ହିଡ ଟେକି ଦେଲେ ଗଛ ପବନରେ ଶୋଇଯାଏ ନାହିଁ । ତାପରେ ୫-୭ ସପ୍ତାହ ମଧ୍ୟରେ ଆଉଥରେ ଘାସ ବାଛି – କୋଡା ଖୁସା କରି ସାର ଦେଇ ହିଡ ଟେକି ଦେବା ଆବଶ୍ୟକ । ଏହା ଦ୍ଵାରା ଅନାବନା ଘାସ ଫସଲରେ କ୍ଷତି କରିପାରିବ ନାହିଁ । ଶ୍ରମିକ ନ ମିଳିଲେ ମକା କ୍ଷେତରେ ଘାସମରା ଔଷଧ ସିଞ୍ଚନ କରି ସେଗୁଡିକୁ ଦମନ କରିବା ଉଚିତ୍ । ରାସାୟନିକ ଉପାୟରେ ତୃଣକ ଦମନ : ଖରିଫ ଋତୁରେ ବର୍ଷା ଅଧିକ ହେଲେ ଅନାବନା ଘାସ ମଧ୍ୟ ବେଶି ହୁଏ । ମକା ବିହନ ଗଜା ହେବା ସଙ୍ଗେ ସଙ୍ଗେ ଘାସ ମଧ୍ୟ ଉଠିଯାଏ । ଫଳରେ ଅନାବନା ଘାସ ମକା ଫସଲକୁ ଘୋଡାଇ ପକାଏ । ଘାସ ବାଛି ନ ପାରିଲେ ରାସାୟନିକ ଉପାୟ ଅବଲମ୍ବନ କରି ଘାସ ଦମନ କରାଯାଇ ପାରିବ । ୭ଦିନ ମଧ୍ୟରେ ମକା ଗଛ ଉଠେ । ମକା ମଞ୍ଜି ବୁଣିବା ପୂର୍ବରୁ ଏବଂ ମକା ଗଛ ଉଠିବା ପରେ ତୃଣକମାରୀ ପ୍ରୟୋଗ କରି ଘାସ ମାରିଦିଆଯାଏ । ଗୁଗୁଚିଆ, ମାଣ୍ଡିଆ ଘାସ, ଜନସନ ଘାସ, ଦୁବ, ହରିଆଳି, ସୁଆଁ, ସୁଧା, ଅଗରା, କଣ୍ଟା କୁସୁମ, ଅଗିଆ, କଣ୍ଟାନେଉଟିଆ, କନଶିରୀ, ଚାକୁଣ୍ଡା, ବିଶଲ୍ୟକରଣୀ, ଲାଜକୁଳି ପ୍ରଭୃତି ତୃଣକ ମକା ଫସଲରେ ଦେଖାଯାଏ । ନିମ୍ନଲିଖିତ ପ୍ରକାରେ ତୃଣକମାରୀ ମକାଜମିରେ ପ୍ରୟୋଗ କରାଯାଏ । ପ୍ରୟୋଗ ସମୟ ତୃଣକମାରୀ ନାମ ମାତ୍ରା (କି.ଗ୍ରା / ହେକ୍ଟର) କେତେପାଣିରେ ମିଶାଇବେ ପ୍ରୟୋଗ ପ୍ରଣାଳୀ ଓ କାର୍ଯ୍ୟ ମଞ୍ଜି ଗଜା ହେବା ପୂର୍ବରୁ ସାମାଜିନ୍ ହାଲକାମାଟିରେ 1.125 କି.ଗ୍ରା. 1000 ମକା ମଞ୍ଜି ବୁଣିବା ଆରେ ପରେ ସ୍ପ୍ରେ କରାଯାଏ । ମଟାଳ ମାଟିରେ 1.25 – 1.50 କି.ଗ୍ରା. 1000 ଆଟ୍ରାଜିନ୍ ହାଲକାମାଟି 1 – 1. କି.ଗ୍ରା. 1000 ଏହାର ପ୍ରଭାବ 6-8 ସପ୍ତାହ ରହେ, ସବୁ ପ୍ରକାର ଘାସ ନଷ୍ଟ କରେ । ମଟାଳ ମାଟି 1.25 – 1.50 କି.ଗ୍ରା. ଆଲକ୍ଲୋର 5 ଲିଟର 1000 ଏହା ଘାସ ଓ ଦ୍ଵିବୀଜପତ୍ରୀ ଉଦ୍ଭିଦ ମାରୀ ଦିଏ । ଗଛ ଉଠିବା ପରେ -2-4-D 1-1.5 କି.ଗ୍ରା. 1000 ମକାଗଛ 20 ସେ.ମି. ହେଲେ ମାଟିକୁ ସ୍ପ୍ରେ କରିବାକୁ ହେବ । ଡାଲାପନ୍ 1-2 କି.ଗ୍ରା. 1000 ଏହା ଘାସ ଓ ଦ୍ଵିବୀଜପତ୍ରୀ ତୃଣକମାରେ ସାରା ପ୍ରୟୋଗ ସର୍ବଦା ମୃତ୍ତିକା ପରୀକ୍ଷା କରି ସାର ପ୍ରୟୋଗ କରିବା ଉଚିତ୍ । ମୃତ୍ତିକା ପରୀକ୍ଷା ନ ହୋଇଥିଲେ ଶଙ୍କର ଓ କମ୍ପୋଜିଟ୍ ମକା ଫସଲ ପାଇଁ ନିମ୍ନଲିଖିତ ସାର ପ୍ରୟୋଗ କରନ୍ତୁ । ସାର ନାମ ପରିମାଣ (ହେକ୍ଟର ପିଛା) କି.ଗ୍ରା. ଯବକ୍ଷାରଜାନ (N) 80 ସୁପର ( 05) 40 ପୋଟାସ୍ O 40 ପ୍ରୟୋଗ ବିଧି ମକାଗଛ ଅବସ୍ଥାରେ ଅଳ୍ପ ଯବକ୍ଷାରଜାନ ଦରକାର କରେ । ଚଅଂର ବାହାରିବାର ୨ ସପ୍ତାହ ପୂର୍ବରୁ ଓ ତିନିସପ୍ତାହ ପରେ ଏପରି ୫ ସପ୍ତାହ ଯବକ୍ଷାରଜାନ ଆବଶ୍ୟକତା ସର୍ବାଧିକ । ଗଛ ବଢିବା ସଙ୍ଗେ ସଙ୍ଗେ ଯବକ୍ଷାରଜାନ ସାରର ଅଭାବ ହେଲେ ରୁଗୁଡିଆ ପଡିଯାଏ । ଚଅଂର ବାହାରିବା ୧୦ ଦିନ ବିଳମ୍ବ ହୋଇଯାଏ, ୨୦ -୨୫ ସେ.ମି ଉଚ୍ଚବେଳକୁ ଯବକ୍ଷାରଜାନ ପାର୍ଶ୍ଵ ପ୍ରୟୋଗ କଲେ ଗଛ ବଢେ ଓ ମକା ଆକାର ଭଲ ହୁଏ । ଏଣୁ ମୂଳସାର ରୂପେ – ୨୫% ଭାଗ ଯବକ୍ଷାରଜାନ ସହ ସମସ୍ତ ସୁପର ଓ ପଟାସ୍ ଅର୍ଥାତ୍ ୨୦ କି.ଗ୍ରା. ଯବକ୍ଷାରଜାନ ୪୦ କି.ଗ୍ରା. ସୁପର ଓ ୪୦ କି.ଗ୍ରା. ପଟାସ୍ ଜମିରେ ପ୍ରୟୋଗ କରାଯାଏ । ତାପରେ ୫୦% ଯବକ୍ଷାରଜାନ ଅର୍ଥାତ୍ ୪୦ କେ.ଜି. ଯବକ୍ଷାରଜାନ ୨-୩ ସପ୍ତାହ ଭିତରେ ଅନ୍ତଃଚାଷ କରିବା ସମୟରେ ପ୍ରୟୋଗ କରି ହିଡ ଟେକି ଦେବା ଉଚିତ୍ । ତୃତୀୟଥର ୬-୭ ସପ୍ତାହ ମଧ୍ୟରେ ୨୫% N ସାର ଅର୍ଥାତ୍ ୨୦ କି.ଗ୍ରା. ପ୍ରୟୋଗ କରି ବଛା ବଛି କରି କୋଡା ଖୁସାପରେ ହିଡଟେକି ଦିଆଯାଏ ମାତ୍ର ଅଣ ଜଳସେଚିତ ଓ କମ୍ ବର୍ଷା ପାଉଥିବା ଜମିରେ କେବଳ ବୁଣିବା ସମୟରେ ଥରେ ସାର ପ୍ରୟୋଗ କରାଯାଏ । ଗଛ ଦୁଇ ପାଖରେ ସାର ପକାଇ କୋଡା – ଖୁସା କରି ହିଡ ଟେକି ଦେବା ଉଚିତ୍ । ମୂଳସାର ଯେପରି ବିହନକୁ ନଲାଗେ, ସେହି ବ୍ୟବସ୍ଥା କରିବା ଉଚିତ୍ । ସିଲ୍କି ବାହାରିବା ସମୟରେ ଯଦି ୧୦ କେଜି ଯବକ୍ଷାରଜାନ ହେକ୍ଟର ପିଛା ଦିଆଯାଏ ତେବେ ଅମଳ ୧୦-୧୨% ବୃଦ୍ଧି ପାଇବା ପରୀକ୍ଷା କରି ଦେଖାଯାଇଛି । ଜଳସେଚନ : ଶୀତଦିନେ ଓ ଖରାଦିନେ ମକା ଫସଲ ପାଇଁ ୬-୮ ଥର ୧୦-୧୨ ଦିନ ବ୍ୟବଧାନରେ ପାଣି ମଡାଯାଏ । ଫୁଲ ଧରିବାର ୧୫ ଦିନ ପୂର୍ବରୁ ଓ ଦାନା ଧରିବା ଅବସ୍ଥାରେ ବିଲରୁ ପାଣି ଛାଡିବା ଉଚିତ୍ ନୁହେଁ । ଅର୍ଥାତ୍ ମକା ଚଅଂର ବାହାରିବା ଦିନରୁ ମକା ଭୁଣ୍ଡି ବା ଝୋଟ ବା ସଲକ ମଉଳିବା ପର୍ଯ୍ୟନ୍ତ ୨୦ – ୨୫ ଦିନ ମକା ଜୀବନର ସଙ୍କଟକାଳ । ଏହି ସମୟରେ ପାଣି ଅଭାବ ହେଲେ ପରାଗ ସଙ୍ଗମ ଘଟେ ନାହିଁ । ମକା କ୍ଷୀର ଢୋକିପାରେ ନାହିଁ । ମକା ଦରପାକଳ ଅବସ୍ଥା ପରେ ବର୍ଷା ନ ହେଲେ ବା ଜଳସେଚନ ନହୋଇପାରିଲେ ମକା ଉତ୍ପାଦନରେ ଆଞ୍ଚ ଆସେ ନାହିଁ । କିନ୍ତୁ ଚଅଂରରୁ ସିଲ୍କି ସମୟ ମଧ୍ୟରେ ଦିନକ ଲାଗି ଗଛ ଝାଉଁଳିଲେ ଉତ୍ପାଦନ ୨୨% କମିଯାଏ । ୬-୭ ଦିନ ଝାଉଂଳିଲେ ୫୦% କମିଯାଏ । ଏହାପରେ ଜଳସେଚନ କଲେ ମଧ୍ୟ ଗଛ ପୂର୍ବ ଅବସ୍ଥାକୁ ଫେରିପାରେ ନାହିଁ । ମକା ଅମଳ : ମକା ମଞ୍ଜି ହଳଦିଆ ଓ ଟାଣ ହୋଇଗଲେ ୩୦% ଜଳୀୟ ଅଂଶ ଥିବା ସମୟରେ ଅମଳ କରାଯାଏ । ଗଛ ମରିଯିବା ବା ଶୁଖିଯିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଅନାବଶ୍ୟକ । ମକାରୁ ମକା ଭୁଣ୍ଡି ବାହାରକରି ମକାଗୁଡିକ 11 AM – 3 AM ଖରାରେ ୭-୮ ଦିନ ଶୁଖାଇ ମକା ମଞ୍ଜି ଛଡା ଯନ୍ତ୍ର ହେଉ ବା ବିଟ ସାହାଯ୍ୟରେ ମକା ମଞ୍ଜି ଅମଳ କରାଯାଏ । ପୋଡି ଖାଇବା ପାଇଁ ମକା ସବୁଜ ଥିବା ଅବସ୍ଥାରେ ଓ ଦାନା କଅଁଳ ଥିବାବେଳେ ମକା ଭାଙ୍ଗି ନିଆଯାଏ । ହେକ୍ଟର ପିଛା ଉତ୍ପାଦନ : ଜଳସେଚିତ ମକା ୫୦ – ୬୦ କୁଇଣ୍ଟାଲ ଜଳସେଚିତ ମକା କମ୍ପୋଜିଟ ମକା ୩୫ – ୪୦ କୁଇଣ୍ଟାଲ ବର୍ଷା ଧାର ଶଙ୍କର ମକା – ୨୦-୨୫ କୁଇଣ୍ଟାଲ କମ୍ପୋଜିଟ୍ ମକା ୧୫ – ୨୦ କୁଇଣ୍ଟାଲ ମକାର ଉତ୍ପାଦନ ଶକ୍ତି : ମକା ଗଛ ସୂର୍ଯ୍ୟଠାରୁ ଶକ୍ତି ସଂଗ୍ରହ କରିବାରେ ସର୍ବଶ୍ରେଷ୍ଠ । ୦.୩ – ୦.୪ ଗ୍ରାମ୍ ଓଜନର ଗୋଟିଏ ମାତ୍ର ବୀଜ ୯ ସପ୍ତାହରେ ୨- ୩ ମିଟର ଉଚ୍ଚ ହୋଇ ଆଉ ୮ ସପ୍ତାହ ପରେ ୬୦୯ ରୁ ୧୦୦୦ ବୀଜ ଉତ୍ପାଦନ କରିପାରିଥାଏ । ଯାହାର ଓଜନ ୧୮୦ – ୩୦୦ ଗ୍ରାମ୍ । ଏଣୁ ଏହି ଫସଲକୁ ଶସ୍ୟପ୍ରଦ ରାଣୀ କୁହାଯାଏ । ଆଧାର- ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ