ଉପକ୍ରମ ରାଶିର ଅନ୍ୟନାମ ହେଉଛି ତିଳ । ଏହା ଆମ ଦେଶର ଗୋଟିଏ ମୁଖ୍ୟ ତୈଳବୀଜ ଫସଲ । ପୃଥିବୀର ଗୋଟିଏ ମୁଖ୍ୟ ରାଶି ଉତ୍ପାଦନକାରୀ ଦେଶ ହେଉଛି ଭାରତ । ରାଶିରେ ୫୦% ତୈଳ ରହିଛି ଏବଂ ପୁଷ୍ଟିସାର ୧୮-୨୦% ଅଛି । ଭାରତରେ ଉତ୍ପାଦନ ହେଉଥିବା ରାଶିର ୭୮% ତୈଳ ଉତ୍ପାଦନ ପାଇଁ ବ୍ୟବହାର ହୋଇଥାଏ । ୨.୫% ବିହନ ରୂପେ ବ୍ୟବହାର ହୁଏ । ବଳକା ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଯଥା ଯଜ୍ଞ, ଶ୍ରାଦ୍ଧ, ଇତ୍ୟାଦିରେ ବ୍ୟବହାର ହୁଏ । ତୈଳ ଉତ୍ପାଦନର ୭୩% ଖାଇବା ପାଇଁ ବ୍ୟବହାର କରାଯାଏ । ୮.୩% ଡାଲଡା ତିଆରି ପାଇଁ ବ୍ୟବହାର କରାଯାଏ ଏବଂ ୪.୨% ବିଭିନ୍ନ ଶିଳ୍ପଜାତ ପଦାର୍ଥ ଉତ୍ପାଦନ ପାଇଁ ବ୍ୟବହାର ହୁଏ । ରାଶି ଲଡୁ କରାଯାଏ ଏବଂ ଗଣେଶ ଚତୁର୍ଥୀ ଦିନ ଗଣେଶଙ୍କୁ ପୂଜା କରାଯାଏ । ୧୦୦ ଗ୍ରାମ୍ ରାଶିରୁ ଆମେ ୫୯୨ କିଲୋ କ୍ୟାଲୋରୀ ଶକ୍ତି ପାଇଥାଉ । ଦକ୍ଷିଣ ଭାରତରେ ରାଶିତେଲ ଖାଇବା ତେଲରୂପେ ବହୁଳଭାବେ ବ୍ୟବହାର ହୁଏ । ଏହି ତେଲ ସାବୁନ ତିଆରି ପାଇଁ ମଧ୍ୟ ବ୍ୟବହାର ହୁଏ । ଏହାଛଡା ରାଶିତେଲ ଆୟୁର୍ବେଦିକ ଔଷଧ ପ୍ରସ୍ତୁତି ପାଇଁ ବ୍ୟବହାର ହୋଇଥାଏ । ରାଶିପିଡିଆ ଗୋଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି । ଗରିବ ଲୋକମାନେ ରାଶିପିଡିଆରେ ଚିନି ପକାଇ ଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି । ଦୁଧିଆଳି ଗାଈମାନଙ୍କୁ ଦୁଧ ଦେବା ପାଇଁ ରାଶି ପିଡିଆ ଦିଆଯାଏ । ଏହା ସାର ରୂପେ ମଧ୍ୟ ବ୍ୟବହାର ହୁଏ । ରାଶିପିଡିଆରେ ୬-୭% ଯବକ୍ଷାରଜାନ, ୨.୦-୨.୨% ଫସଫରସ୍ ଏବଂ ୧.୦-୧.୨% ପଟାସ୍ ରହିଛି । ଉଦ୍ଭବ କେନ୍ଦ୍ର ବହୁ ପ୍ରାଚୀନ କାଳରୁ ରାଶି ଭାରତରେ ଚାଷ ହେଉଥିବା ଅଥର୍ବ ବେଦରେ ପ୍ରମାଣ ଅଛି । ଯେହେତୁ, ଦକ୍ଷିଣ – ପଶ୍ଚିମ ଆଫ୍ରିକାରେ ବହୁ ଜଙ୍ଗଲୀ କିସମ ଏବଂ ଚାଷ ହେଉଥିବା କିସମ ଦେଖିବାକୁ ମିଳେ । ଏଣୁ ଦକ୍ଷିଣ – ପଶ୍ଚିମ ଆଫ୍ରିକା ଏହାର ଉଦ୍ଭବ କେନ୍ଦ୍ର ବୋଲି ଧରାଯାଇଛି । ସେଠାରୁ ରାଶି ମାଳୟ ଏବଂ ଇଣ୍ଡୋନେସିଆ ଦେଇ ଆର୍ଯ୍ୟମାନେ ଭାରତକୁ ଆଣିଥିବା ଅନୁମାନ କରାଯାଉଛି । ବୈଦିକ ଯୁଗରୁ ଆର୍ଯ୍ୟମାନଙ୍କର ପ୍ରତି ଶୁଭକାର୍ଯ୍ୟରେ ତିଳ ବ୍ୟବହାର ପ୍ରଥା ଆଜି ପର୍ଯ୍ୟନ୍ତ ଚାଲି ଆସିଛି । କ୍ଷେତ୍ରଫଳ ଓ ବଣ୍ଟନ ପୃଥିବୀର ମୁଖ୍ୟ ରାଶି ଚାଷ କରୁଥିବା ଦେଶଗୁଡିକ ହେଲା – ଭାରତ, ଚୀନ, ସୁଦାନ, ବର୍ମା ଏବଂ ମେକ୍ସିକୋ । ଭାରତ କ୍ଷେତ୍ରଫଳ ଓ ଉତ୍ପାଦନ ଉଭୟ ଦୃଷ୍ଟିରୁ ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଅଛି । ଭାରତରେ ମୋଟ ତୈଳବୀଜ କ୍ଷେତ୍ରଫଳ ୩୬.୧% ରେ କେବଳ ରାଶି ଚାଷ ହୁଏ ଏବଂ ମୋଟ ତୈଳବୀଜ ଉତ୍ପାଦନ ୨୫.୧% କେବଳ ରାଶିରୁ ମିଳେ । ମୁଖ୍ୟ ରାଶି ଉତ୍ପାଦନକାରୀ ରାଜ୍ୟଗୁଡିକ ହେଲା ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡିଶା ଗୁଜୁରାଟ, ତାମିଲନାଡୁ ଏବଂ କର୍ଣ୍ଣାଟକ । ହେକ୍ଟର ପିଛା ଅଧିକ ଉତ୍ପାଦନ ପଶ୍ଚିମବଙ୍ଗରେ ମିଳେ । କ୍ଷେତ୍ରଫଳ ଓ ଅଧିକ ଉତ୍ପାଦନ ଦୃଷ୍ଟିରୁ ଉତ୍ତରପ୍ରଦେଶ ପ୍ରଧାନ । ରାଶିର ଶ୍ରେଣୀ ବିଭାଗ ରାଶିର ରଙ୍ଗ, ଉତ୍ପାଦନ ଓ ଅବଧିକୁ ନେଇ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା – ପାକଳ ହେବା ସମୟ ସଅଳ କିସମ – ଏଥିରେ ଶାଖା ପ୍ରଶାଖା ଏବଂ ଫୁଲ କମ୍ ଥାଏ । ବିଳମ୍ବ କିସମ – ଶାଖା ପ୍ରଶାଖା ବେଶି ଓ ଫୁଲ ବେଶି । ମଞ୍ଜିର ରଙ୍ଗ ଧଳା ମଞ୍ଜି – ଏହି କିସମର ଗଛରେ ଫୁଲ କମ୍ ହୁଏ ଏବଂ ଶାଖା ପ୍ରଶାଖା କମ୍ ହୁଏ । କଳା ମଞ୍ଜି – ଶାଖା ପ୍ରଶାଖା ବେଶି ଓ ଫୁଲ ବେଶି । ସମ୍ପୁଟ ବା ସ୍ପୋଟକ ଫଳରେ ଫଳିବା ସଂଖ୍ୟା ଦ୍ଵିଫଳିକା – ସମ୍ପୁଟରେ ଦୁଇଟି ଫଳିକା ଥାଏ । ଚତୁସ୍ଫଳିକା – ଗୋଟିଏ ସମ୍ପୁଟରେ ଚାରୋଟି ଫଳିକା ଥାଏ । କ୍ରୋମୋଜମ ନମ୍ବର କ୍ରୋମୋଜମ ନମ୍ବର ଜାତି 2n = 26 ସିସାମମ୍ ଇଣ୍ଡିକମ୍ ସିସାମମ୍ ଆଲାଟମ୍ 2n = 32 ସିସାମମ୍ ପ୍ରୋଷ୍ଟ୍ରାଟମ୍ ସିସାମମ୍ ଲାନସିନିଆଟମ୍ 2n = 64 ସିସାମମ୍ ରାଡିଆଟମ୍ ସିସାମମ୍ ଆକ୍ସିଡେଣ୍ଟାଲେ ଉଦ୍ଭିଦ ବର୍ଣ୍ଣନା ରାଶି ପେଡାଲିଏସି ପରିବାରଭୁକ୍ତ । ଏହି ପରିବାରରେ ୧୫ଟି ପ୍ରଜାତି ଓ ୬୦ଟି ଜାତିର ଉଦ୍ଭିଦ ରହିଛି । ଅଧିକାଂଶ ଉଷ୍ଣ ମଣ୍ଡଳରେ ଦେଖାଯାଆନ୍ତି । ବଂଶ – ପେଡାଲିଏସି ପ୍ରଜାତି – ସିସାମମ୍ ଜାତି – ଇଣ୍ଡିକମ୍ ମୂଳତନ୍ତ୍ର ରାଶିଗଛ ସିଧା ଭାବେ ୦.୫ରୁ ୨.୦୦ ମିଟର ପର୍ଯ୍ୟନ୍ତ ଉଚ୍ଚ ହୁଏ । ରାଶି ଫସଲ ଏକ ଋତ୍ଵିକ ଓ ଶାକୀୟ । ରାଶିରେ ଦୁଇପ୍ରକାର ମୂଳ ଦେଖିବାକୁ ମିଳେ । ସଅଳ ଅମଳ ହେଉଥିବା ରାଶି କିସମର ମୂଳତନ୍ତ୍ର ଦୁର୍ବଳ । ଆଦିମୂଳ ବା ପ୍ରଧାନ ମୂଳରୁ ପାର୍ଶ୍ଵମୂଳ ଓ ତୃତୀୟକ ମୂଳ କମ୍ ବାହାରିଥାଏ । ବିଳମ୍ବରେ ପାଚୁଥିବା କିସମଗୁଡିକର ଆଦିମୂଳ ଓ ମୂଳତନ୍ତ୍ର ଉନ୍ନତ । ଆଦିମୂଳ ବହୁ ଗଭୀରରୁ ଯାଇଥାଏ ଏବଂ ଏଥିରୁ ବହୁ ପାର୍ଶ୍ଵ ମୂଳ ଏବଂ ତୃତୀୟକ ମୂଳ ମୃତ୍ତିକାର ଉପରି ଭାଗରେ ଥାଏ । କାଣ୍ଡ କାଣ୍ଡ ସିଧା, ସାଧାରଣତଃ ବର୍ଗାକାର । କାଣ୍ଡ ରଙ୍ଗ ଫିକା ସବୁଜରୁ ପାଟଳ ବର୍ଣ୍ଣ, କିନ୍ତୁ ଅଧିକାଂଶ ଗଛ ଗାଢ – ସବୁଜ । ଗଛର ଉପରି ଭାଗରେ ଛୋଟ ଛୋଟ ଡାଳ ଥାଏ । କିସମ ଅନୁସାରେ ରାଶିରେ ଶାଖାପ୍ରଶାଖା ହୁଏ । କେତେକ କିସମ ରାଶିରେ ବହୁ ଶାଖା ପ୍ରଶାଖା ହୋଇ ଗଛଟି ବୁଦାପରି ଦେଖାଯାଏ । କେତେକ କିସମରେ ଆଦୌ ଶାଖାପ୍ରଶାଖା ହୁଏନି । ପତ୍ର ପତ୍ରର ଆକାର ସମାନ ନୁହେଁ । ତଳ ପତ୍ରଗୁଡିକ ଉପର ପତ୍ର ଠାରୁ ଚଉଡା । ଉପର ପତ୍ରଗୁଡିକ ସରୁଆ । ଗଛର ପତ୍ର କିସମନୁସାରେ ଭିନ୍ନ ଭିନ୍ନ ହୋଇଥାଏ । ପତ୍ର ମିଶାମିଶି ବା ଏକାନ୍ତର । କାଣ୍ଡର ବିପରୀତ ପାର୍ଶ୍ଵରୁ ବାହାରେ । ତଳ ପତ୍ର ଲମ୍ବ ଚୌଡା ଏବଂ ଉପର ପତ୍ର ସରୁଆ । ପତ୍ର ଆକାର ୩.୦ ରୁ ୧୭.୦ ସେ.ମି. ଲାମ୍ବା ଏବଂ ୧.୦ ରୁ ୭.୦ ସେ.ମି. ଓସାର । ପୁଷ୍ପ ସ୍ତବକ ପୁଷ୍ପ ସ୍ତବକ ରେସିସମ୍ ବା ଏକପାର୍ଶ୍ଵବର୍ଦ୍ଧକ ଏବଂ ପୁଷ୍ପଗୁଡିକ ପତ୍ରପକ୍ଷରୁ ଏବଂ କାଣ୍ଡର ଉପରିଭାଗ ଓ ଶାଖାପ୍ରଶାଖାରୁ ବାହାରେ । ପୁଷ୍ପଗୁଡିକ ରଙ୍ଗ ଓ ଆକାରରେ ଛୋଟ ବଡ ହୋଇଥାଏ । ପୁଷ୍ପଗୁଡିକର ଦଳମଣ୍ଡଳ ପାଟଳ ଓ ଧଳା । ଚାରୋଟି କେଶର ଦୁଇଟି ଗ୍ରୁପ୍ ରେ ଥାଏ । ପ୍ରଥମ ଯୋଡି କେଶର ଦ୍ଵିତୀୟ ଯୋଡି କେଶରଠାରୁ ଛୋଟ । ପୁଷ୍ପ – ଭୋରରୁ ଖୋଲେ ଏବଂ ସନ୍ଧ୍ୟା ବେଳକୁ ଝାଉଂଳି ଝରିପଡେ । ସ୍ଵପରାଗଣ କିନ୍ତୁ ସମୟେ ସମୟେ ପର ପରାଗ କୀଟ ଓ ପତଙ୍ଗ ଦ୍ଵାରା ହୁଏ । ଫଳ ରାଶି – ଫଳ ସମ୍ପୁଟ ଯେଉଁଥିରେ ୨ ବା ୪ଟି ଫଳିକା ଥାଏ । ଗୋଟିଏ ସମ୍ପୁଟରେ ବହୁତ ମଞ୍ଜି ଥାଏ । ମଞ୍ଜିଗୁଡିକ ଛୋଟ ଓ ଅଣ୍ଡାକୃତି । ସାମାନ୍ୟ ଚେପ୍ ଟାଳିଆ ଏବଂ ନାଭି ପାଖରେ ଟିକିଏ ପତଳା, ମଞ୍ଜି କଳା ବା ଧଳା ଘନଲୋହିତ ବା ପିଙ୍ଗଳ ବର୍ଣ୍ଣର ହୋଇପାରେ । ଗଛ ମୂଳ ଆଡ ଫୁଲ ଫୁଟି ଆଗ ଆଡକୁ ଯାଏ । ଋତୁ ଓ ଜଳବାୟୁ : ରାଶି ଉଷ୍ଣମଣ୍ଡଳୀୟ ଫସଲ । ରାଶି ସମୁଦ୍ର ପତ୍ତନଠାରୁ ଆରମ୍ଭ କରି ୧୨୫୦ ମିଟର ଉଚ୍ଚ ମାଳ ଅଞ୍ଚଳରେ ଚାଷ କରାଯାଇ ପାରିବ । ଏହା ଗୋଟିଏ ମରୁଡି ସହଣୀ ଫସଲ । ଜଳାନୁବୋଧତା ସହିପାରେ ନାହିଁ । ରାଶିର ବୃଦ୍ଧି ଅବସ୍ଥା ସମୟରେ ଉଷ୍ଣ ଜଳବାୟୁ ଅଧିକ ଉତ୍ପାଦନ ପାଇଁ ଏକାନ୍ତ ଆବଶ୍ୟକ । - ସେଲସିୟସ ଉତ୍ତାପରେ ଭଲ ଗଜା ହୁଏ, ଗଛର ବୃଦ୍ଧି ଓ ପୁଷ୍ପର ବିକାଶ ଉତ୍ତମ ହୁଏ । ଉତ୍ତାପ କମ୍ ହେଲେ ପୁଷ୍ପ ପରିପକ୍ଵ ନ ହେଉଣୁ ଝଡିପଡେ । କୁହୁଡି ଓ କରକାପାତ ରାଶି ଫସଲରେ ଯଥେଷ୍ଟ କ୍ଷତି କରିଥାଏ । ମୃତ୍ତିକା ନିଗିଡା ବାଲି ଦୋରସା ମାଟିରେ ରାଶି ଭଲ ହୁଏ । ଅତି ବାଲିଆ, ଅତି ମଟାଳିଆ, ଲୁଣି, କ୍ଷାରୀ ଓ ଅମ୍ଳ ମୃତ୍ତିକାରେ ରାଶି ଚାଷ ହୁଏ ନାହିଁ । ରାଶି ୫.୫ – ୮.୦ ପି.ଏଚ ରେ ଭଲ ହୁଏ । ମୃତ୍ତିକାରେ ସବୁବେଳେ ଜଳୀୟ ଅଂଶ ରହିବା ଦରକାର । ବିହନ କିସମ ସାଧାରଣତଃ ଦୁଇପ୍ରକାର କିସମ ରାଶି ଦେଖାଯାଏ । ଯଥା – କଳାରାଶି, ଧଳାରାଶି । ମଞ୍ଜିରେ ତୈଳ ଅଂଶ କଳାରାଶି ଅପେକ୍ଷା ବେଶିଥାଏ । ଓଡିଶାରେ ଭୋଦେଇ ରାଶି ବର୍ଷାଦିନେ, ‘ମାଘୀ’ ରାଶି ରବି ଋତୁରେ ଏବଂ ‘ନିଲଜି’ ରାଶି ଖରାଦିନେ ବୁଣାଯାଏ । ଓଡିଶା ପାଇଁ ଅନୁମୋଦିତ କିସମଗୁଡିକର ନାମ ଏବଂ ଏଗୁଡ଼ିକର ବର୍ଣ୍ଣନା ନିମ୍ନରେ ପ୍ରଦତ୍ତ ହୋଇଛି । କିସମର ନାମ ଅବଧି (ଦିନ) ମଞ୍ଜିର ରଙ୍ଗ ତୈଳ % ବୀଜ ଅମଳ କୁଇଣ୍ଟାଲ / ହେକ୍ଟର ଗଛର ଉଚ୍ଚତା ସେ.ମି. ଅନ୍ୟାନ୍ୟ ଗୁଣ ବିନାୟକ ୮୫-୯୦ ପିଙ୍ଗଳ ୪୯ ୬୦୦ ୧୦୫ ମସୃଣ କଳିକା ୮୦-୮୫ ପିଙ୍ଗଳ ୪୯ ୭୦୦ ୯୦ ମସୃଣ କନକ ୮୦-୮୫ ଧୂସର ୪୭ ୭୦୦ ୯୫ ଛୁଇଁ ମୃଦୁଲୋମଶ କ୍ରିଷ୍ଣା ୮୦-୮୫ ସାମାନ୍ୟ କଳା ୪୮ ୭୦୦ ୧୦୫ ଉମା ୮୦-୮୫ ବିସ୍ କେଟ୍ ୫୨.୪ ୮୦୦ ୯୫ ୧୯୯୨ ମୁକ୍ତି ଜମି ପ୍ରସ୍ତୁତି ରାଶି ମଞ୍ଜି ଅତି ଛୋଟ ହୋଇଥିବାରୁ ଗୁଣ୍ଡ ଚାଷ ଦରକାର କରେ । ମାଟି ବତର ଥାଇ ଚାଷ କଲେ ମାଟି ଗୁଣ୍ଡ ହୋଇଯାଏ । ଭଲ ଗଜା ହେବାପାଇଁ ମାଟି ବତର ରହିବା ଦରକାର । ଜମି ଗୁଣ୍ଡ ଚାଷ କରିବା ସମୟରେ ଜମିପାଗି ଥିବା ଉଚିତ୍ । ରାଶି ମାଟି ଓଦା ରହିବା ବେଳେ ବୁଣାଯାଏ । ଶେଷଓଡ ଚାଷ ସମୟରେ କମ୍ପୋଷ୍ଟ ୫ଟନ୍ ହେକ୍ଟର ପିଛା ପକାଇ ଭଲ ଭାବେ ମିଶାଇ ଦିଆଯାଏ । ବୁଣିବା ସମୟ ବର୍ଷା ଋତୁ – ଜୁନ୍ ମଧ୍ୟ ଭାଗରୁ ଜୁଲାଇ ମଧ୍ୟ ଭାଗ ଶୀତ ଋତୁ – ସେପ୍ଟେମ୍ବର ଠାରୁ ଅକ୍ଟୋବର । ଗ୍ରୀଷ୍ମ ଋତୁ – ଫେବୃୟାରୀ ଠାରୁ ମାର୍ଚ୍ଚ ପ୍ରଥମ ସପ୍ତାହ । ବିହନ ପରିମାଣ ଓ ବିଶୋଧନ : ହେକ୍ଟର ପିଛା ୭ କେଜି ବିହନ ଦରକାର । ପ୍ରତି କେଜି ମଞ୍ଜି ସହ ୩ ଗ୍ରାମ୍ ହିସାବରେ ଥିରାମ ଗୁଣ୍ଡ ଗୋଳାଇ ବିଶୋଧନ କରାଯାଏ । ବିହନ ବୁଣା ମଞ୍ଜି ଛୋଟ ହୋଇଥିବାରୁ ୨ ସେ.ମି. ଗଭୀରରେ ବୁଣାଯାଏ । ଗଭୀର ବୁଣା କଲେ ଗଜା ହେବା ସମ୍ଭାବନା କମ୍ ଥାଏ । ବୁଣିବା ବେଳେ କିଛି ଶୁଖିଲା ମୃତ୍ତିକା ବା ବାଲି ସହ ବୁଣାଯାଏ । ରାଶି ୩୦ X ୭୦ ସେ.ମି. ବ୍ୟବଧାନରେ ବୁଣାଯାଏ । ଧାଡିରେ ବୁଣିଲେ ଘାସ ନିୟନ୍ତ୍ରଣ ଓ ଅନ୍ତଃଚାଷ କରିବା ପାଇଁ ସୁବିଧା ହୁଏ । ଏବଂ ଜମିର ସବୁଆଡେ ସମାନ ଗଛ ରହେ । ସାର ପ୍ରୟୋଗ ହେକ୍ଟର ପିଛା ଯବକ୍ଷାରଜାନ ୩୦ କି.ଗ୍ରା., ସୁପର ୨୦ କି.ଗ୍ରା. ଓ ପଟାସ୍ ୨୦ କି.ଗ୍ରା. ଆବଶ୍ୟକ । ସବୁ ସୁପର ଓ ପଟାସ୍ ସହ ଅଧା ଯବକ୍ଷାରଜାନ ମୂଳସାର ରୂପେ ବ୍ୟବହାର କରନ୍ତୁ । ଏହା ବିହନ ବିନୁବା ପୂର୍ବରୁ ଧାଡିରେ ପ୍ରୟୋଗ କରେ । ବଳକା ଯବକ୍ଷାରଜାନ (୧୫ କେଜି - ଯବକ୍ଷାରଜାନ)ପ୍ରଥବ ଅନ୍ତଃଚାଷ ସମୟରେ ପ୍ରୟୋଗ କରାଯାଏ । ଅନ୍ତଃଚାଷ ଗଜା ହେବାର ୧୫ ଦିନ ପରେ ଗଛ ପତଳା କରିବା, କୋଡା ଖୁସା କରି ଘାସ ବାଛି ସାର ପ୍ରୟୋଗ କରିଦେବା ଉଚିତ୍ । ଗଛକୁ ଗଛ ୧୦ ସେ.ମି. ରଖି ଅଧିକ ଉଠିଥିବା ରାଶି ଗଛ ଉପାଡି ଦିଆଯାଏ । ଜଳସେଚନ ଖରାଦିନେ ଫସଲରେ ଦରକାର ଅନୁଯାୟୀ ୨-୩ ଥର ପାଣି ମଡାଯାଏ । ବର୍ଷାଦିନିଆ ଫସଲରେ ଜଳସେଚନ ଦରକାର ନାହିଁ । ମାଘିରାଶି ଓ ଖରାଦିନିଆ ରାଶି ବା ନିଲଜି ରାଶି ଫସଲ ଜଳସେଚନ ଦରକାର କରେ । ଜମିଚାଷ ଲାଗି ପୂର୍ବ ଫସଲ କାଟିନେବା ପରେ ଜମିରେ ପାଣି ମଡାଯାଏ । ରାଶିରେ ସାର ଦେବାପରେ ପାଣି ମଡାଇବାକୁ ହୁଏ । ରାଶି ଛୁଇଁ ଧରିବା ସମୟରେ ପାଣି ମଡାଯାଏ । ନିଲଜି ରାଶି ବୁଣାଯିବା ବେଳେ ଜମିରେ ବତର ଦରକାର କରେ । ଗଛ ଉଠିଯିବା ପରେ ଆଉ ପାଣି ଦେବାକୁ ପଡି ନ ଥାଏ । ରାଶି ଅମଳ ରାଶି ଛୁଇଁ ପାକଲା ହେଲେ ଗଛ ପତ୍ର ପାଚି ଝଡିପଡେ । କିନ୍ତୁ ଛୁଇଁ ସାମାନ୍ୟ ଶାଗୁଆ ଥାଏ । ଏହି ସମୟରେ ରାଶି ଗଛ କଟାଯାଏ । ଅମଳ ଡେରିକଲେ ଛୁଇଁ ଫାଟି ମଞ୍ଜିଗୁଡିକ ଝଡିପଡେ । ସେଥିପାଇଁ ରାଶିକୁ ଠେଙ୍ଗାରେ ପିଟି ଅମଳ କରାଯାଏ । ମାଘି ଓ ନିଲଜି ରାଶି ଜମିରୁ କାଟି ଆଣି ଖଳାରେ ୭-୮ ଦିନ ଶୁଖାଇ ଠେଙ୍ଗାରେ ପିଟି ଅମଳ କରାଯାଏ । ମଞ୍ଜିକୁ ଉଡାଇ – ସଫା କରି ଖରାରେ ଶୁଖାଇ ୮-୧% ଜଳୀୟ ଅଂଶ ଥିବା ସମୟରେ ସାଇତି ରଖାଯାଏ । ବର୍ଷାଦିନିଆ ରାଶିରୁ ହେକ୍ଟର ପିଛା ୬ କୁଇଣ୍ଟାଲ ଅମଳ ଓ ଶୀତ ଏବଂ ଖରାଦିନିଆ ରାଶିରୁ ଯଥାକ୍ରମେ ୮ ଓ ୧୦ କୁଇଣ୍ଟାଲ ଅମଳ ମିଳିଥାଏ । ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ