ଉପକ୍ରମ ବିଭିନ୍ନ ପ୍ରକାର ଶିଳ୍ପଜାତ ଦ୍ରବ୍ୟ ପ୍ରସ୍ତୁତି ପାଇଁ ଜଡା ତୈଳବୀଜ ଦରକାର ହୋଇଥାଏ । ଜଡା ତେଲ କଳକବାଜାରେ ବ୍ୟବହାର କରାଯାଏ । ଛାପାକାଳି, ମହମ, ଏନାମେଲ ରଙ୍ଗ ପାଇଁ ଶୁଷ୍କକାରୀ ତେଲ, ରଙ୍ଗ ଓ ବାର୍ନିସ, ପ୍ଲାଷ୍ଟିକ, ସାବୁନ, ଲୁବ୍ରିକାଣ୍ଟ ଇତ୍ୟାଦି ତିଆରି ଜଡା ତେଲ ଦରକାର ହୋଇଥାଏ । ରନ୍ଧା ଜଡା ତୈଳ ଔଷଧ ରୂପେ ବ୍ୟବହାର ହୁଏ । ଜଡାତେଲରେ ହାଇଡ୍ରୋଅକ୍ସି ଫ୍ୟାଟି ଏସିଡ୍, ଯାହାର ରିସିନୋଲିକ୍ ଅମ୍ଳ ନାମରେ ସୁପରିଚିତ, ପ୍ରାୟ ୮୫% ରହିଛି । ଏହା ରଙ୍ଗ ଓ ବାର୍ନିସ ପାଇଁ ଅତ୍ୟନ୍ତ ଦରକାର । ଜଡା ତେଲରୁ ସେବାସକ୍ ଅମ୍ଳ ତିଆରି ହୁଏ । ଏହି ଅମ୍ଳ ସନ୍ଥେଟିକ ରେକଜିନ୍ ତନ୍ତୁ ତିଆରି ପାଇଁ ବ୍ୟବହାର ହୁଏ । ଜଡାତେଲ ଲୁବ୍ରିକାଣ୍ଟ ତେଲରୂପେ ବ୍ୟବହାର ହୁଏ । ଏହି ତେଲ ଉଡାଜାହାଜର ଇଞ୍ଜିନରେ ମଧ୍ୟ ଲୁବ୍ରିକାଣ୍ଟ ତେଲ ହିସାବରେ ବ୍ୟବହାର କରାଯାଏ । ଜଡା ମଞ୍ଜିରେ ଓ ପତ୍ରରେ ରିସିନ ନାମକ ଏକ ପତ୍ର ବିଷ ରହିଥିବାରୁ ମଞ୍ଜି ଖାଇଲେ ମରିଯିବା ସମ୍ଭାବନା । ଜଡା ପିଡିଆ – ସାରରୂପେ ବ୍ୟବହାର ହୁଏ । ରିସିନ ନାମକ ବିଷ ଏହି ପିଡିଆରେ ରହୁଥିବାରୁ ଏହା ଗୋଖାଦ୍ୟ ରୂପେ ବ୍ୟବହାର ହୁଏ ନାହିଁ । ପିଡିଆରେ ୫.୫% ଯବକ୍ଷାରଜାନ ୧.୮ – ୧.୯% ଫସଫରସ୍ ଏବଂ ୧.୧% ପଟାସ ରହିଛି । ଜଡା ଗଛରୁ ସେଲୁଲୋଜ, ନିୟୁଜ ପ୍ରିଣ୍ଟ ପାଇଁ ମଣ୍ଡ ଏବଂ କାର୍ଡବୋର୍ଡ ତିଆରି ହୁଏ । ଜଡାଗଛ ଏଣ୍ଡିପୋକର ପ୍ରଧାନ ଖାଦ୍ୟ । ଏଣ୍ଡିପୋକ ଜଡା ପତ୍ର ଖାଇ ବଢନ୍ତି ଏବଂ ଖୋଷା ବାନ୍ଧନ୍ତି । ଉଦ୍ଭବ କେନ୍ଦ୍ର ଆଫ୍ରିକା ଜଡାଗଛର ଉଦ୍ଭବ କେନ୍ଦ୍ର ବୋଲି ଅନୁମାନ କରାଯାଉଛି । ଭାରତ ବର୍ଷରେ ମଧ୍ୟ ବହୁ ପୁରାତନ କାଳରୁ ଏହି ଚାଷ ହୋଇ ଆସୁଛି । କେତେକ ବୈଜ୍ଞାନିକଙ୍କ ମତରେ ଭାରତ ଓ ଆଫ୍ରିକା ଜଡାର ଉଭାବ କେନ୍ଦ୍ର । କ୍ଷେତ୍ରଫଳ ଓ ବଣ୍ଟନ : ପୃଥିବୀର ଜଡା ଉତ୍ପାଦନ କରୁଥିବା ଦେଶ ଗୁଡିକ ହେଲା - ବ୍ରାଜିଲ, ଭାରତ, ଚୀନ ଓ ସୋଭିଏତ ରୁଷ । ଭାରତ, କ୍ଷେତ୍ରଫଳ ଦୃଷ୍ଟିରୁ ପୃଥିବୀରେ ପ୍ରଥମ ଓ ଉତ୍ପାଦନ ଦୃଷ୍ଟିରୁ ଦ୍ଵିତୀୟ ସ୍ଥାନ ଅଧିକାର କରିଅଛି । ଆନ୍ଧ୍ରପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ ଓ ଓଡିଶା ହେଉଛି ଭାରତର ପ୍ରଧାନ ଜଡା ଚାଷ କରୁଥିବା ପ୍ରଦେଶ । ଜଡା ଶ୍ରେଣୀ ବିଭାଗ : ରିସିନସ କମ୍ୟୁନିସ ଜଡାର ୬ଗୋଟି ଉପଜାତି ଅଛି । ସେଗୁଡିକ ହେଲା – ପେରସିକସ (ପ୍ୟାରସ୍ୟ ଦେଶୀୟ – ୮୦ – ୧୦୦ ଦିନରେ ପାଚେ) ଚାଇନେନସିସ (ଚୀନଦେଶୀୟ ୭୫-୯୦ ଦିନରେ ପାଚେ) ଜାଞ୍ଜିବରିନସ ସାଙ୍ଗୁଇନସ ଆଫ୍ରିକାନସ ମେକ୍ସିକାନସ ଉଦ୍ଭିଦ ବର୍ଣ୍ଣନା : ଜଡା – ‘ଉଇଫୋରବିଏସି’ ପରିବାର ଭୁକ୍ତ, ପ୍ରଜାତି – ରିସିନସ୍ ଜାତି କମ୍ୟୁନିସ । କାଣ୍ଡ : ଜଡ ଗଛ ଲମ୍ବା – ମସୃଣ ଏକ ଋତ୍ଵିକ ବା ବହୁବର୍ଷୀୟ କ୍ଷୁପ ଏହାର ଉଚ୍ଚତା ୩-୮ ମିଟର ହୋଇଥାଏ । ଏହି ଗଛର ପ୍ରଧାନମୂଳ ଉନ୍ନତ । କାଣ୍ଡ ସିଧା, ଆଂଶିକ – ପୋଲା, ମସୃଣ, ହରିତନୀଳ ବା ଶ୍ୟାମଳ, ନାଲି ବା ସବୁଜ ବା ଉଭୟ ରଙ୍ଗ ମିଶାମିଶି ଥାଏ । ଗଣ୍ଠିଗୁଡିକ ସ୍ପଷ୍ଟ ଯେଉଁଥିରୁ ଗୋଟିଏ ଗୋଟିଏ ପତ୍ର ବାହାରିଥାଏ । ପତ୍ରଗୁଡିକ ସାଧାରଣତଃ ଚିକ୍କଣ ସବୁଜ ଶିରା ପ୍ରଶିରା – ସ୍ପଷ୍ଟ । ପତ୍ର : ପତ୍ର ଚିକ୍କଣ ତଳ ପଟ ଶିରା ପ୍ରଶିରା – ସୁସ୍ପଷ୍ଟ । ପତ୍ରର ରଙ୍ଗ ଗାଢରୁ ଫିକା ସବୁଜ, ଧୂସର ଏବଂ ନୀଳ ଛାୟା ଯୁକ୍ତ ସବୁଜ, ନାଲି ଏବଂ ପାଟଳ ରଞ୍ଜିତ । କିନ୍ତୁ କଅଁଳ ପତ୍ରଗୁଡିକ ବେଶି ନାଲିରଙ୍ଗ ଦେଖାଯାଏ । ପତ୍ରଗୁଡିକ ସବୃନ୍ତ । ପୂର୍ଣ୍ଣବୃନ୍ତ ମୋଟା ଓ ଲମ୍ବା ଏବଂ କାଣ୍ଡରୁ ଏକାନ୍ତର ଭାବେ ବାହାରିଥାଏ । ପ୍ରତ୍ୟକ ପତ୍ରରେ ୫-୧୧ଟି ପିଣ୍ଡକ ଥାଏ । ପିଣ୍ଡକଗୁଡିକ ଓସାରିଆ ଓ ଧାର ଭାଙ୍ଗ ଭାଙ୍ଗ ହୋଇଥାଏ । ପୁଷ୍ପସ୍ତବକ : ସ୍ତବକ କାଣ୍ଡର ଶାଖା ପ୍ରଶାଖାର ଅଗ୍ରଦେଶରୁ ଜାତ ହୁଏ । ମୁଖ୍ୟ କାଣ୍ଡ ମଧ୍ୟ ଗୋଟିଏ ସ୍ତବକରେ ଶେଷ ହୋଇଥାଏ । ସ୍ତବକ ରେସିମ୍ ବା ଏକ ପାର୍ଶ୍ଵବର୍ଦ୍ଧକ । ସାଧାରଣତଃ କାଲ ଏକବାସୀ ବା ଉଭୟଲିଙ୍ଗୀ ପାଦପ । ପ୍ରାୟ ୫୦.୭୦% ଭାଗ ପୁଂପୁଷ୍ପ ରେସିମ୍ ର ତଳଭାଗରେ ଥାଏ । ଏବଂ ୩୦-୫୦% ଭାଗ ସ୍ତ୍ରୀ ପୁଷ୍ପ ଉପର ପାର୍ଶ୍ଵରେ ଥାଏ । ୯୦ ସେ.ମି. ପର୍ଯ୍ୟନ୍ତ ଲମ୍ବାରେ ବୃଦ୍ଧିପାଏ । କୀଟପତଙ୍ଗ ଦ୍ଵାରା ସାଧାରଣତଃ ପରାଗଣ ହୋଇଥାଏ ଏବଂ ୫.୪୬% ଭାଗ ପ୍ରାକୃତିକ ଉପାୟରେ ପରପରାଗଣ ହୋଇଥାଏ । ଫଳ ସମ୍ପୁଟ, କଣ୍ଟାଦ୍ଵାରା ଆବୃତ, ତିନକୋଷ୍ଠି । ପ୍ରତ୍ୟକ କୋଠରୀରେ ଗୋଟିଏ କରି ବୀଜ ଥାଏ । ବୀଜର ଆବରଣ ଶକ୍ତ ବୀଜାବରଣ ଅନେକ ରଙ୍ଗର ଏବଂ ବିଚିତ୍ର । ଋତୁ ଓ ଜଳବାୟୁ : ଜଡା ସାର ଭାରତରେ ସମୁଦ୍ର ପତ୍ତନରୁ ୨୫୦୦ ମିଟର ଉଚ୍ଚ ମାଳଭୂମିରେ ମଧ୍ୟ ଚାଷ କରାଯାଇପାରୁଛି । ଜଡାପାଇଁ ସାମାନ୍ୟ ଉଚ୍ଚତାପମାନ (C - C) ଓ କମ୍ ଆର୍ଦ୍ରତା ଦରକାର ହୁଏ । ଉଷୁମ ଖରାପାଗରେ ଜଡା ଭଲ ହୁଏ । ଲଗାତାର ମେଘାଚ୍ଛନ୍ନ ପାଗ ଏବଂ ଫୁଲ ଉଡେଇବା ସମୟରେ ଅତ୍ୟଧିକ ଉତ୍ତାପ ପଳ ହେବାରେ କ୍ଷତି ଘଟାଏ । ଫୁଲ ହେବ ସମୟରେ ଯଦି ଉତ୍ତାପ ସେଲସିୟସରୁ ଅଧିକ ହୁଏ ତେବେ ଫଳ ହେବାରେ ବାଧା ସୃଷ୍ଟି କରିଥାଏ । ଯଦିଓ ଜଡା ଗୋଟିଏ ମରୁଡି ସହଣୀ ଫସଲ ତଥାପି ଏହାର ଉପଯୁକ୍ତ ବୃଦ୍ଧି ଓ ବିକାଶ ନିମିତ୍ତ ୮୦-୧୦୦ ମିଲି ମିଟର ବର୍ଷା ଦରକାର । ଫୁଲ ହେବା ସମୟରେ ବେଶି ବର୍ଷା କ୍ଷତିକାରକ । ଏହାଦ୍ଵାରା ଅମଳ କମିଯାଏ । ଜଡା କରକାପାତ ସହିପାରେନି । ବିହନ କିସମ : ବିହନ କିସମ ବର୍ଷାଋତୁ ଶୀତ ଓ ଗ୍ରୀଷ୍ମଋତୁ ଏନ୍ ପି.ଏଚ୍. – ୧(ଅରୁଣା) ୧୧୦ ଦିନ ୧୨୦ ଦିନ ଏସ.ଏ. – ୨ ୧୧୦ଦିନ ୧୩୦ ଦିନ ଏହି ଦୁଇଟି ଉନ୍ନତଧରଣର ଜଡା ମଞ୍ଜିରୁ ୫୦-୫୨% ତେଲ ବାହାରେ ପ୍ରଥମ କିସମର ଗଛରେ ଶାଖାପ୍ରଶାଖା ବହୁତ ହୁଏ । ଦ୍ଵିତୀୟ କିସମଟି ଶୁଷ୍କଚାଷ ପାଇଁ ଭଲ । କାରଣ ଏହାର ମରୁଡି ସହଣୀ ଶକ୍ତି ଅଛି । ୧୪-୨୦ ଦିନ ପର୍ଯ୍ୟନ୍ତ ମରୁଡି ହେଲେ ମଧ୍ୟ ସହ୍ୟ କରିଯାଏ । ଜମି ପ୍ରସ୍ତୁତି : ଭଲରୂପେ ଗଭୀର ଚାଷ କରି ମାଟିକୁ ଗୁଣ୍ଡ କରି ଦିଆଯାଏ । ନିଗିଡା ମୃତ୍ତିକା ଜଡା ଚାଷ ପାଇଁ ଉପଯୁକ୍ତ । ଶେଷ ଓଦା ଚାଷ ସମୟରେ ହେକ୍ଟରପିଛା ୫ ଟନ ଖତ ପ୍ରୟୋଗ କରନ୍ତୁ । ଦୁଇ ପଟି ମଧ୍ୟରେ ଗୋଟିଏ ଜଳ ନିଷ୍କାସନ ନାଳି ରଖନ୍ତୁ । ଯାହା ଫଳରେ ଅଧିକ ପାଣି ନିଗିଡି ଯିବ । ବିହନ ବୁଣା : ମଞ୍ଜିକୁ ୧୨ ଘଣ୍ଟା ଭିଯାଇ ପାଗ ନଥିବା ଜମିରେ ବୁଣାଯାଇପାରେ । ଥରକେ ଦୁଇଟି ମଞ୍ଜି ଲଗାଯାଏ । ଧାଡିକୁ ଧାଡି ୬୦ ସେ.ମି. ବ୍ୟବଧାନରେ ମଞ୍ଜି ବୁଣାଯାଏ । ମଞ୍ଜିକୁ ଧାଡିରେ ଲଙ୍ଗଳ ସିଆରରେ ପକାଯାଏ । ବୁଣିବା ସମୟ : ବର୍ଷାଋତୁ – ଜୁନ୍ – ଜୁଲାଇ ଶୀତଋତୁ – ଅକ୍ଟୋବର – ନଭେମ୍ବର ଗ୍ରୀଷ୍ମ ଋତୁ – ଜାନୁୟାରୀ । ବିହନ ପରିମାଣ ଓ ବିହନ ବିଶୋଧନ : ହେକ୍ଟର ପିଛା ୧୮-୨୦ କି.ଗ୍ରା ବିହନ ଆବଶ୍ୟକ ହେବ । ପ୍ରତି କେଜି ବିହନ ସହିତ ୩ ଗ୍ରାମ ହିସାବରେ ଥିରାମ ବା କ୍ୟାପଟାନ ଗୁଣ୍ଡ ଗୋଳାଇ ବିଶୋଧନ କରିବା ଉଚିତ୍ । ସାର ପ୍ରୟୋଗ : ଜଡା ଫସଲ ପାଇଁ ଫସଫରସ୍ ଓ ପଟାସ୍ ସାର ବେଶି ଦରକାର । ନିମ୍ନରେ ହେକ୍ଟର ପିଛା ସାରର ପରିମାଣ ଦିଆଗଲା । ସାର ବର୍ଷା ନିର୍ଭରଶୀଳ ଫସଲ ସାର ପରିମାଣ (କି.ଗ୍ରା.) ଜଳସେଚିତ ଫସଲ ଯବକ୍ଷାରଜାନ 50 50 ଫସଫରସ୍ 30 75 ପଟାସ 30 50 ୫୦% ଯବକ୍ଷାରଜାନ ଓ ସବୁତକ ସୁପର ଓ ପଟାସ ଶେଷ ଓଡଚାଷ ସମୟରେ ସିଆରରେ ମୂଳସାର ରୂପେ ପ୍ରୟୋଗ କରାଯାଏ । ବଳକା ୫୦% ଯବକ୍ଷାରଜାନ ସାର ୨ୟଥର କୋଡାଖୁସା କରିବା ସମୟରେ ପ୍ରୟୋଗ କରାଯାଏ । ଅର୍ଥାତ୍ ୬ ସପ୍ତାହରେ ସାର ପ୍ରୟୋଗ କରାଯାଏ । ଅନ୍ତଃଚାଷ : ଗଛ ଉଠିବାର ୧୦ ଦିନ ବେଳକୁ ପ୍ରତ୍ୟକ ସ୍ଥାନରେ ଗୋଟିଏ ଗଛ ରଖି ବାକି ଗଛ ଉପାଡି ଦିଆଯାଏ । ୩ ସପ୍ତାହରେ ଥରେ ଓ ୬ ସପ୍ତାହରେ ଆଉଥରେ କୋଡା ଖୁସା କରି ଘାସ ବାଛି ହୁଡା ଟେକାଯାଏ । ମଝି ଡାଳରେ ଶୀଘ୍ର ଫୁଲ ଫଳ ଧରିବା ପାଇଁ ଛୋଟ ଛୋଟ ଶାଖା ପ୍ରଶାଖା ଛିଣ୍ଡାଇ ଦେବା ଉଚିତ । ଏ କ୍ଷେତ୍ରରେ ଗଛକୁ ଗଛ ୩୦ ସେ.ମି. ଓ ଧାଡିକୁ ଧାଡି ୬୦ ସେ.ମି. ବ୍ୟବଧାନରେ ଗଛ ଲଗାଇବା ଉଚିତ୍ । ରାସାୟନିକ ତୃଣକମାରୀ ପ୍ରୟୋଗ ଦ୍ଵାରା ଘାସଦମନ : ବର୍ଷାଦିନେ ବେଶି ଘାସ ହୁଏ । ହେକ୍ଟର ପିଛା ଏପଟିମ୍ ୩-୪ କେଜି ଏ.ଆଇ. ବୁଣିବାର ୩ ସପ୍ତାହ ପୂର୍ବରୁ ମାଟିରେ ମିଶାଇ ଦେଲେ ବହୁତପରିମାଣରେ ଘାସ ଦମନ ହୁଏ । ଜଳସେଚନ : ଫୁଲ ଧରିବା ଫଳ ଧରିବା ଅବସ୍ଥାରେ ମାଟି ଓଦା ରହିବା ଆବଶ୍ୟକ ଏଣୁ ଗଛ ଉଠିବାର ୨୦ ଦିନ, ୪୦ ଦିନ ୭୦ ଦିନ, ଓ ୯୦ଦିନ ବେଳକୁ ୪ ଥର ପାଣି ମଡାଇବା ଦରକାର । ସାଧାରଣତଃ ଜଡା ବର୍ଷାଧାର ଜମିରେ ଚାଷ କରାଯାଏ, କିନ୍ତୁ ଜଳସେଚନ କଲେ ଭଲ ଅମଳ ମିଳିବ । ଅମଳ : ଫଳପେନ୍ଥା ପାଚିଗଲେ ଦୁଇ ଥରରେ ଫଳ ତୋଳି ଖରାରେ ଶୁଖାଇ ଅମଳ କରାଯାଏ । ଜଡାଫଳ ଏକ ସମୟରେ ପାଚେ ନାହିଁ । ତେଣୁ କ୍ଷେତରେ ବୁଲି ଶୁଖିଥିବା ଫଳଗୁଡିକୁ ତୋଳି ଦେବାକୁ ହେବ । ଫଳ ଶୁଖିଗଲେ ଖରାରେ ଫାଟି ମଞ୍ଜି ଚାରିଆଡକୁ ଛିଟିକି ପଡେ । ହେକ୍ଟର ପ୍ରତି ହାରାହାରି ଅମଳ ୪ରୁ ୬ କୁଇଣ୍ଟାଲ ମିଳିଥାଏ । ଜଡା ମଞ୍ଜିରୁ ୪୦-୫୫ ତୈଳ ମିଳେ । ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ