ଶରୀର ବୃଦ୍ଧି ଓ ବିକାଶ ପାଇଁ ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଖଣିଜ ଲବଣ ଓ ଜୀବସାର ଜାତୀୟ ଖାଦ୍ୟ ଏକାନ୍ତ ଆବଶ୍ୟକ । ଏହି ପାଞ୍ଚ ପ୍ରକାର ଖାଦ୍ୟ ଯଥାକ୍ରମେ ଶସ୍ୟ ଜାତୀୟ, ଡାଲି ଜାତୀୟ ଓ ତୈଳବୀଜ ଜାତୀୟ ଫସଲରୁ ମିଳିଥାଏ । ଶସ୍ୟଜାତୀୟ ଫସଲ ଶସ୍ୟ ଜାତୀୟ ଫସଲରୁ ଶକ୍ତି ପ୍ରଦାୟୀ ଖାଦ୍ୟ ପଦାର୍ଥ ମିଳେ । ଏହି ଫସଲଗୁଡିକରୁ ଉତ୍ପନ୍ନ ହେଉଥିବା ଖାଦ୍ୟପଦାର୍ଥଗୁଡିକ ଶ୍ଵେତସାର ଜାତୀୟ ଏହା ଧାନ, ଗହମ, ମାଣ୍ଡିଆ, ଜହ୍ନା ଓ ବାଜରା ଇତ୍ୟାଦି ଶସ୍ୟ ଜାତୀୟ ଫସଲରୁ ମିଳେ । ଏହିସବୁ ଫସଲରୁ ପ୍ରସ୍ତୁତ ଖାଦ୍ୟରେ ମଣ୍ଡଦ ନାମକ ଶ୍ଵେତସାର ବହୁପରିମାଣରେ ଥାଏ । ଧାନରୁ ଚାଉଳ, ଭାତ, ଚୁଡା, ମୁଢି, ହୁଡୁମ୍ବ, ଖଇ, ଗହମରୁ – ଅଟା, ମଇଦା ଓ ସୁଜି, ମାଣ୍ଡିଆରୁ ଜାଉ, ବିଭିନ୍ନ ପ୍ରକାର ପିଠା, ମାଲଟ, ଅଟା, ମକା ଓ ଜୁଆରରୁ ବିଭିନ୍ନ ପ୍ରକାର ସହଜ ପାଚ୍ୟ ଶ୍ଵେତସାର ଜାତୀୟ ଖାଦ୍ୟ ପଦାର୍ଥ ପ୍ରଚୁର ପରିମାଣରେ ତିଆରି କରାଯାଇଥାଏ । ଶ୍ଵେତସାର ଜାତୀୟ ଖାଦ୍ୟ କଠିନ ପରିଶ୍ରମ କରୁଥିବା କୃଷି, ଖଣି ଓ କଳ କାରଖାନାରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଅତି ଆବଶ୍ୟକ । ଡାଲି ଜାତୀୟ ଫସଲ ଡାଲି ଜାତୀୟ ଫସଲଗୁଡିକ ମଧ୍ୟରୁ ମୁଗ, ବିରି, କୋଳଥ, ହରଡ, ବୁଟ, ମଟର, ମଶୁର, ବରଗୁଡି, ଇତ୍ୟାଦି ଆମ ରାଜ୍ୟରେ ଚାଷ କରାଯାଏ । ଭାରତ ପୃଥିବୀର ଗୋଟିଏ ମୁଖ୍ୟ ଡାଲି ଜାତୀୟ ଫସଲ ଉତ୍ପାଦନକାରୀ ଦେଶ । ବିଶ୍ଵରେ ଡାଲିଜାତୀୟ ଫସଲ ଚାଷ କରାଯାଉଥିବା ଜମିର ପ୍ରାୟ ଏକ ତୃତୀୟାଂସ କେବଳ ଭାରତରେ ରହିଛି; କିନ୍ତୁ ଉତ୍ପାଦନ ମାତ୍ର ଏକ ଚତୁର୍ଥାଂଶ ହେଉଛି । ଡାଲି ଜାତୀୟ ଫସଲକୁ ଛୁଇଁ ଜାତୀୟ ଫସଲ ମଧ୍ୟ କୁହାଯାଏ । ଆବାହମାନ କାଳରୁ ଭାରତରେ ଏହି ଫସଲକୁ ତିଆରି ଖାଦ୍ୟ ପଦାର୍ଥ ଉଭୟ ମାନବ ଓ ଗୋ ଖାଦ୍ୟ ରୂପେ ବ୍ୟବହାର ହୋଇଆସୁଛି । ଡାଲି ଫସଲରେ କେତେକ ମୌଳିକ ଗୁଣ ରହିଥିବାରୁ ଏହି ଫସଲଗୁଡିକୁ ବଦଳାଇ ଅନ୍ୟାନ୍ୟ ଫସଲ ଚାଷ କରିବା ସମ୍ଭବ ହୋଇପାରୁନି । ପ୍ରଥମତଃ ଏହି ଗଛର ଚେରରେ ଯେଉଁ ଭାତୁଡି ରହିଛି ତାହା ଜମିର ଉର୍ବରତା ବୃଦ୍ଧି କରେ । ଭାତୁଡିଗୁଡିକରେ ରାଇଜୋବିୟମ ନାମକ ଏକ ଅଣୁଜୀବ ରହନ୍ତି । ସେମାନେ ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରି ଜମିରେ ମିଶାଇବା ଦ୍ଵାରା ଜମିର ଉର୍ବରତା ବୃଦ୍ଧି ହୁଏ । ଏହି ଦୃଷ୍ଟିରୁ ଛୁଇଁ ଜାତୀୟ ଫସଲଗୁଡିକ ଗୋଟିଏ ଯବକ୍ଷାରଜାନସାର ଉତ୍ପାଦନକାରୀ ଉଦ୍ୟୋଗ । ଯଦି ଭଲ ରାଇଜୋବିୟମ କଲଚର ବ୍ୟବହାର କରାଯାଏ ତେବେ ଯବକ୍ଷାରଜାନ ଜମିରେ ବହୁପରିମାଣର ସ୍ଥିତିକାରଣ ହୋଇପାରିବ । ଏତଦ୍ ବ୍ୟତୀତ ଡାଲିଜାତୀୟ ଫସଲର ଚେର ମାଟିର ଗଭୀରତମ ସ୍ତରକୁ ଯାଇପାରେ । ଉପମାଟିର ଜଳୀୟ ଅଂଶକୁ ଏହା ବ୍ୟବହାର କରିବାରେ ସକ୍ଷମ ଯାହାକି ଶସ୍ୟପ୍ରଦ ଫସଲଗୁଡିକର ଚେର କରିପାରନ୍ତି ନାହିଁ ।ଏହି ଫସଲ ଚାଷ ଦ୍ଵାରା ମାଟି ଭିତର ଅଂଶ ହାଲୁକା ରହେ । ଏହି ଛୁଇଁଜାତୀୟ ଫସଲରୁ ଉତ୍ପନ୍ନ ଖାଦ୍ୟ ପଦାର୍ଥରେ ଶତକଡା ପ୍ରାୟ ୨୦ ଭାଗ ପୁଷ୍ଟିସାର ରହିଛି । ଅତଏବ ଶସ୍ୟଜାତୀୟ ଖାଦ୍ୟପଦାର୍ଥ ସହ ଛୁଇଁ ଜାତୀୟ ଖାଦ୍ୟ ପଦାର୍ଥ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ନିମିତ୍ତ ଅତି ସହାୟକ ହୋଇଥାଏ । ଡାଲି ଜାତୀୟ ଖାଦ୍ୟ ପଦାର୍ଥରେ ଲାଇସିନ୍ ପ୍ରଚୁର ଏବଂ ଗନ୍ଧକଯୁକ୍ତ ଆମିନୋ ଅମ୍ଳ କମ୍ ଥାଏ । ଶସ୍ୟପ୍ରଦ ଖାଦ୍ୟ ପଦାର୍ଥରୁ ମିଳୁଥିବା ପୁଷ୍ଟିସାରରେ ଗନ୍ଧକଯୁକ୍ତ ଆମିନୋ ଅମ୍ଳ ବେଶିଥାଏ । ଏଣୁ ଉଭୟ ଶସ୍ୟ ଓ ଡାଲି ଜାତୀୟ ଖାଦ୍ୟ ପଦାର୍ଥ ମିଶାଇ ସେବନ କଲେ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ନିମିତ୍ତ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆମେ ଦେଶର ଲୋକମାନେ ଡାଲି ଓ ଭାତ ଖାଇବାକୁ ଭଲ ପାଆନ୍ତି । ଶ୍ରୀ ଜଗନ୍ନାଥ ମନ୍ଦିରରେ ଓ ବିଭିନ୍ନ ଦେବାଦେବୀଙ୍କୁ ଡାଲି ଓ ଭାତ ଭୋଗ ଲଗାଯାଏ । ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ଚାଉଳ ଓ ଡାଲି ଜାତୀୟ ଖାଦ୍ୟ ପଦାର୍ଥରୁ ବିଭିନ୍ନ ପ୍ରକାର ସୁସ୍ଵାଦୁ ପିଠା ତିଆରି କରାଯାଇଥାଏ । ଡାଲି ଓ ଭାତରୁ ଆବଶ୍ୟକ ଆବଶ୍ୟକ ଶକ୍ତି ପ୍ରଦାୟୀ ଓ ଶରୀର ଗଠନକାରୀ ପଦାର୍ଥ ମିଳିଥାଏ । ଏହାସହ ପନିପରିବା, ସ୍ନେହସାରଯୁକ୍ତ ଖାଦ୍ୟ ଓ ପକ୍ଵ ଫଳରୁ ସୁରକ୍ଷା ପ୍ରଦାନକାରୀ ଖାଦ୍ୟ ମିଳିଥାଏ । ନିମ୍ନରେ ଶସ୍ୟ ଓ ଡାଲିଜାତୀୟ ଫସଲରୁ ମିଳୁଥିବା ଖାଦ୍ୟପଦାର୍ଥର ମିଶ୍ରଣ ଦ୍ଵାରା ଉପଲବ୍ଧ ଉପାଦେୟତାର ଏକ ସମୀକ୍ଷା ପ୍ରଦତ୍ତ କରାଗଲା । ଡାଲିଜାତୀୟ ଖାଦ୍ୟ ପଦାର୍ଥ, ଶସ୍ୟ ଜାତୀୟ ଖାଦ୍ୟ ପଦାର୍ଥ ଏବଂ ଶସ୍ୟ ଓ ଡାଲି ଡାଲି ଜାତୀୟ ଖାଦ୍ୟ ପଦାର୍ଥ ମିଶ୍ରଣ ରାସାୟନିକ ମୂଲ୍ୟ ନିରୂପଣ – ଶସ୍ୟଜାତୀୟ ଖାଦ୍ୟ ପଦାର୍ଥର ନାମ ରାସାୟନିକ ମୂଲ୍ୟ ଡାଲି ଜାତୀୟ ଖାଦ୍ୟ ପଦାର୍ଥର ନାମ ରାସାୟନିକ ମୂଲ୍ୟ ଶସ୍ୟ ଓ ଡାଲିଜାତୀୟ ଖାଦ୍ୟ ପଦାର୍ଥଅନୁପାତ ରାସାୟନିକ ମୂଲ୍ୟ ଗହମ 60 ହରଡ 54 9:1 71 ମୁଗ 47 9:1 71 ବୁଟ 36 9:1 70 ଚାଉଳ 57 ମୁଗ 47 8:3 70 ହରଡ 54 8:2 73 ବୁଟ 36 8:2 68 ଉପରୋକ୍ତ ସାରଣୀରୁ ଏହା ଅନୁମେୟ ଯେ ଡାଲି ସହ ଭାତ, ରୁଟି ସେବନ କଲେ ଶରୀରପ୍ରତି ଲାଭପ୍ରଦ ଓ ରୁଚି ହୋଇଥାଏ । ଭିନାବାଦାମ, ସୋରିଷ, ରାଶି, ପେଶୁ, ସୂର୍ଯ୍ୟମୂଖୀ, ସୋୟାବିନ୍ ଇତ୍ୟାଦି ତୈଳବୀଜ ଜାତୀୟ ଫସଲରୁ ପ୍ରଚୁର ପରିମାଣର ସ୍ନେହସାର ଖାଦ୍ୟସାମଗ୍ରୀ ମିଳିଥାଏ । ଆମ ଶରୀର ଜୀବକୋଷ ଓ ସ୍ନାୟୁଗୁଡିକର ଉତ୍ତମ ଗଠନ ପାଇଁ ସ୍ନେହସାରଯୁକ୍ତ ସୁଷମ ଖାଦ୍ୟ ଆବଶ୍ୟକ । ସ୍ନେହସାର ଖାଦ୍ୟ ପଦାର୍ଥକୁ ସ୍ଵାଦଯୁକ୍ତ କରେ । ସ୍ନେହସାର ଜାତୀୟ ଖାଦ୍ୟ ପଦାର୍ଥରୁ ଭିଟାମିନ ‘A’, ‘D’, ‘E’ ଏବଂ ‘K’ ମିଳିଥାଏ । ସ୍ନେହସାର ଖାଦ୍ୟ ଶରୀରକୁ ଶକ୍ତି ଯୋଗାଇଥାଏ । ଜଣେ ବୟସ୍କ ବ୍ୟକ୍ତି ପାଇଁ ଦୈନିକ ୮୦-୯୦ ଗ୍ରାମ୍ ପର୍ଯ୍ୟନ୍ତ ସ୍ନେହସାର ଖାଦ୍ୟ ଆବଶ୍ୟକ । ପ୍ରାଣୀଜ ସ୍ନେହସାର ଖାଦ୍ୟ ପଦାର୍ଥରେ କୋଲେଷ୍ଟିଲର ନାମକ ଏକପ୍ରକାର ସ୍ନେହସାର ଥାଏ । ଏହା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ । କିନ୍ତୁ ସୂର୍ଯ୍ୟମୂଖୀ ତେଲ, ବାଦାମ, ସୋୟାବିନ୍, ରାଶି ଓ ପେଶୀ ତେଲରେ ଅସପ୍ଲୁକ୍ତ ସ୍ନେହସାରର ପରିମାଣ ବେଶିଥିବାରୁ ଏହା ରକ୍ତର କୋଲେଷ୍ଟିରଲ ପରିମାଣକୁ କମାଇ ଦେଇଥାଏ, ଫଳରେ ବ୍ୟକ୍ତି ହୃଦରୋଗରୁ ରକ୍ଷାପାଏ । ଜୀବସାର ‘E’ ସୂର୍ଯ୍ୟମୂଖୀ, ପେଶୁ ତେଲ ଓ ରାଶିତେଲ ଇତ୍ୟାଦିରେ ଥାଏ । ଶସ୍ୟ, ଡାଲି, ତୈଳ ଓ ଶର୍କରା ଜାତୀୟ ଖାଦ୍ୟପଦାର୍ଥ ସହ ଫଳ, ପନିପରିବା ଓ ଶାଗ ଇତ୍ୟାଦି ଭୋଜନ କଲେ ମାଂସ ଆହାର କରିବା ଅନାବଶ୍ୟକ । ସୋୟାବିନ ଡାଲି ଓ ମଟର ଜାତୀୟ ପଦାର୍ଥରେ ପ୍ରଚୁର ପୁଷ୍ଟିସାର ରହିଛି । ମନୁଷ୍ୟ ଶରୀରରେ ଯେଉଁ ପୁଷ୍ଟିସାର ତିଆରି ହୁଏ ସେଥିରେ ଶତକଡା ଅଙ୍ଗାର ୫୩.୫ ଅମ୍ଳଜାନ ୨୨.୯୫, ଉଦଜାନ ୬.୩୫, ଯବକ୍ଷାରଜାନ ୧୫:୮୮ ଓ ଗନ୍ଧକ ୨.୨୫ ଭାଗ ଅନୁପାତରେ ଥାଏ ; ଯାହାକି ଶସ୍ୟ, ଡାଲି ଓ ତୈଳବୀଜ ଜାତୀୟ ଫସଲରୁ ମିଳିଥାଏ । ନିମ୍ନରେ ଶସ୍ୟ ଡାଲି ଓ ତୈଳବୀଜ ଜାତୀୟ ଖାଦ୍ୟପଦାର୍ଥରେ ଥିବା C, H, N, S ଓ O ର ଅନୁପାତ ଦିଆଗଲା । ଫସଲର ନାମ C ଶତକଡା H ଅନୁପାତ N S O ଗହମ 52.72 6.86 17.66 1.027 20.73 ମଟର 52.65 6.95 17.25 0.426 22.76 ଚିନାବାଦାମ 51.72 6.95 18.05 0.385 22.90 ସୋୟାବିନ 52.12 6.93 17.53 0.710 22.71 ଗାଈଦୁଧ 52.98 7.18 16.77 0.730 23.13 ମାଂସ 52.19 7.18 16.80 0.420 20.51 ଉପରୋକ୍ତ ପରିସଂଖ୍ୟାନରୁ ସ୍ପଷ୍ଟ ହୃଦବୋଧ ହେଉଅଛି ଯେ ଗହମ, ଡାଲି ଓ ମାଂସର ପୁଷ୍ଟିସାର ତତ୍ତ୍ଵରେ କୌଣସି ବିଶେଷ ପାର୍ଥକ୍ୟ ନାହିଁ, ବରଂ ତୈଳବୀଜ ଜାତୀୟ ପଦାର୍ଥରେ ଯବକ୍ଷାରଜାନ ବେଶି ଅଛି । ଭାରତ ଗୋଟିଏ କୃଷିପ୍ରଧାନ ଗରିବ ଦେଶ । ଏହି ଦେଶର ଶତକଡା ୭୦ ଭାଗରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ଅର୍ଜନ କରନ୍ତି । ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାର ଅଧିବାସୀମାନଙ୍କର କୃଷି ହେଉଛି ମୁଖ୍ୟ ଜୀବିକା । ଏଠାରେ ପ୍ରାୟ ଶତକଡା ୭୯ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି । ଆମ ରାଜ୍ୟର କୃଶକମାନଙ୍କର ଆର୍ଥିକ ଅବସ୍ଥା ଅନ୍ୟରାଜ୍ୟର ଚାଷୀମାନଙ୍କର ପରି ସ୍ଵଚ୍ଛଳ ନୁହେଁ । ଅଧିକାଂଶ ନାମମାତ୍ର ଓ କୃଷି ଶ୍ରମିକ । ଅଧିକାଂଶ କୃଶକମାନଙ୍କର ଆର୍ଥିକ ମାନଦଣ୍ଡ ମଜବୁତ ନଥିବାରୁ ପ୍ରାଣୀଜ ପୁଷ୍ଟିସାର ଓ ସ୍ନେହସାର ଖାଦ୍ୟ କ୍ରୟ କରି ଦୈନନ୍ଦିନ ଖାଦ୍ୟରେ ଗ୍ରହଣ କରିବା ସମ୍ଭବ ନୁହେଁ । ଏଣୁ ସାଧାରଣ ଜନତା ଡାଲି ଭାତ- ପନିପରିବା ଓ ତୈଳ ଜାତୀୟ ପଦାର୍ଥ ଉପରେ ନିର୍ଭର କରନ୍ତି ଏବଂ ଏହି ଖାଦ୍ୟ ପଦାର୍ଥ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ନିମିତ୍ତ ସହାୟକ । ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ