ତୃଣକର ସ୍ଥାୟିତ୍ଵ ଫସଲ ଚାଷ କରିବା ପୂର୍ବରୁ ତୃଣକ ଥିଲା ଏବଂ ଏବେବି ତୃଣକ, ବୋଧହୁଏ ଅଧିକ ସଂଖ୍ୟାରେ ଏବଂ ଅଧିକ ଶକ୍ତି ସମ୍ପନ୍ନ ହୋଇ ରହିଛି । ଏଥିରୁ ସୂଚନା ମିଳେ ଯେ ପ୍ରକୃତିରେ ତୃଣକର ସ୍ଥାୟିତ୍ଵ ଅଧିକ । ଯଦି ତୃଣକ ଓ ଫସଲକୁ ମିଶାମିଶି ହୋଇ ଛାଡି ଦିଆଯିବ, ଅଚିରେ ସବୁଆଡେ ତୃଣକ ଭରିଯିବ ଏବଂ ଫସଲର ନାମଗନ୍ଧ ରହିବ ନାହିଁ । ତୃଣକର ସ୍ଥାୟିତ୍ଵ ଅଧିକ ହେବାର ଅନେକ କାରଣ ରହିଛି । ବିପୁଳ ପରିମାଣ ବୀଜ ଉତ୍ପାଦନ ଅନେକ ତୃଣକ ବିପୁଳ ପରିମାଣ ବୀଜ ଉତ୍ପନ୍ନ କରନ୍ତି । ଉଦାହରଣସ୍ୱରୂପ ଗୋଟିଏ ସ୍ଵର୍ଣ୍ଣଲତା, ବଣୁଆ ଏବଂ ଖଡା ଶାଗ ଗଛ ର ବୀଜ ଉତ୍ପାଦନ କ୍ଷମତା ଯଥାକ୍ରମେ ୧୬,୦୦୦, ୭୨,୦୦୦ ଓ ୧,୯୬,୦୦୦ ଅଟେ । ଏଣୁ ଯେ କୌଣସି ନିୟନ୍ତ୍ରଣ ପଦ୍ଧତି ଅବଲମ୍ବନ କଲେ ବି’ ଜମିରେ ଯଦି କେତୋଟି ତୃଣକ ଗଛ ବଞ୍ଚିଯାଏ ବର୍ଷ ବର୍ଷ ଧରି ବଂଶ ବଞ୍ଚେଇ ରଖିବା ପାଇଁ ସେମାନେ ଯଥେଷ୍ଟ ବୀଜ ଉତ୍ପାଦନ କରନ୍ତି । ତା’ଛଡା ସମ୍ପୂର୍ଣ୍ଣ ପରିପକ୍ଵ ହେବା ପୂର୍ବରୁ କାଟି ନେଲେ ବି ତୃଣକ ଅଙ୍କୁରଣକ୍ଷମ ବୀଜ ଉତ୍ପନ୍ନ କରେ ଏବଂ ପ୍ରତିକୂଳ ପରିସ୍ଥିତିରେ ତୃଣକ ଆଗୁଆ ଫୁଲଧରି ବୀଜ ସୃଷ୍ଟି କରିଥାଏ । ଅର୍ଥାତ୍ ଯେକୌଣସି ପ୍ରାକୃତିକ ବିପତ୍ତି ପଡିଲେ ମରିବା ପୂର୍ବରୁ ତୃଣକ ନିଶ୍ଚୟ କିଛି ବୀଜ ଉତ୍ପନ୍ନ କରିବ । ନିଷ୍କ୍ରିୟତା ଅନେକ ବୀଜ ଓ ଆଖିର ଜୀବନ ଥିଲେ ବି ଅନୁକୂଳ ପରିବେଶରେ ଅଙ୍କୁରିତ ହୁଅନ୍ତି ନାହିଁ । ବୀଜ ଓ ଆଖିର ଏହି ଅବସ୍ଥାକ ନିଷ୍କ୍ରିୟତା କୁହାଯାଏ । ନିଷ୍କ୍ରିୟତା ହେତୁ ମାଟି ଭିତରେ ପୋତି ହୋଇଥିବା ଅନେକ ପ୍ରକାର ତୃଣକର ମଞ୍ଜି ବହୁବର୍ଷ ବଞ୍ଚି ରହନ୍ତି ଏବଂ ଫସଲ କ୍ଷେତରେ ତୃଣକର ଏକ ନିରନ୍ତର ଉତ୍ସ ହୁଅନ୍ତି । ଯଦି ସବୁତକ ତୃଣକ ମଞ୍ଜି ଏକ ସମୟରେ ଅଙ୍କୁରିତ ହୁଅନ୍ତା ତେବେ ତୃଣକକୁ, ସହଜରେ ନିୟନ୍ତ୍ରଣ କରାଯାଇପାରନ୍ତା ଏବଂ ତୃଣକର ବଂଶକୁ ଲୋପ କରି ହୁଅନ୍ତା । କିନ୍ତୁ ନିଷ୍କ୍ରିୟତା ହେତୁ ନିୟୁତ ନିୟୁତ ତୃଣକ ବୀଜ ମାଟିରେ ଗଚ୍ଛିତ ହୋଇ ରହେ ଏବଂ ବର୍ଷ ପରେ ବର୍ଷ ଥର ଥର ହୋଇଉଠେ । ସେଥିପାଇଁ କୁହାଯାଇଥାଏ । “ ଏକ ବର୍ଷର ମଞ୍ଜି ଝଡା, ସାତ ବର୍ଷର, ଘାସ ବଛା” । ଅଙ୍ଗୀୟ ଜନନ ବହୁବର୍ଷ ଜୀବି ତୃଣକର କଳକାଣ୍ଡ ଆଦି ମାଟିର ୧ ମିଟର ତଳେ ବି ରହିଥାଏ । ମାଟି ଉପର ଅଂଶକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଲେ ବି ଏହି କଳକାଣ୍ଡ ବର୍ଷ ବର୍ଷ ଧରି ତୃଣକରି ବଞ୍ଚାଇ ରଖେ । ବିକ୍ଷେପଣ ବିକ୍ଷେପଣ ତୃଣକ ସ୍ଥାୟିତ୍ଵର ଏକ ପ୍ରଧାନ ଉପାୟ । ବିକ୍ଷେପଣ ଦ୍ଵାରା ତୃଣକ ବୀଜ ବିଭିନ୍ନ ପରିବେଶରେ ପଡିଥାଏ ଏବଂ ନିଜପାଇଁ ଅଧିକ ଅନୁକୂଳ ପରିବେଶ ବାଛି ନେଇଥାଏ । ଅନ୍ତର୍ନିହିତ କଠିନତା ପ୍ରକୃତିର ବିଭିନ୍ନତା ଯଥା ଅତ୍ୟଧିକ ଉତ୍ତାପ ବା ଥଣ୍ଡା, ମରୁଡି, ଜୈବଚାପ ଓ ଅସ୍ଵାଭାବିକ ମୃତ୍ତିକା ସତ୍ତ୍ୱେ ବଞ୍ଚି ରହିବା ପାଇଁ ତୃଣକର ଅନ୍ତର୍ନିହିତ ଶକ୍ତି ରହିଛି । ଅତ୍ୟଧିକ ତୁଷାରପାତ ହେଲେ ତୃଣକ ପୋଡିଯାଏ ନାହିଁ କିମ୍ବା ପୋକ ରୋଗ ଯୋଗୁ ଧ୍ଵଂସ ପାଏନାହିଁ । ମୃତ୍ତିକାର ଖଣିଜ ଉପାଦାନ ପରିମାଣ ଅସ୍ଵାଭାବିକ ଥିଲେ ବି ତୃଣକ ଉଦ୍ଭିଦ ପୋଷାକର ଅଭାବ ବା ଆଧିକ୍ୟଜନିତ ଲକ୍ଷଣ ପ୍ରକାଶ କରେ ନାହିଁ । ନିମ୍ନମାନର ଜଳ ଯାହା ଫସଲ ପାଇଁ ଅନୁପଯୁକ୍ତ ତାହା ତୃଣକର କିଛି କ୍ଷତି କରେନାହିଁ । ବାସ୍ତବିକ ମାଟି ଓ ଜଳର ଅସ୍ଵାଭାବିକ ଅବସ୍ଥା ଯୋଗୁଁ ଫସଲ ବଢି ନପାରି ମରିଗଲେ ତୃଣକ ଅଧିକ ତେଜରେ ବଢି ଫାଙ୍କା ଜାଗାକୁ ଦାଖଲ କରିନିଏ । ଧ୍ଵଂସ ଏଡେଇବା ଅନେକ ତୃଣକ କଣ୍ଟାଯୁକ୍ତ , ପିତା, ଅରୁଚିକର ଗନ୍ଧ ବିଶିଷ୍ଟ ହୋଇଥିବାରୁ ଏବଂ ଫସଲ ଗଛ ପରି ଦେଖାଯାଉଥିବାରୁ ପ୍ରାଣୀ ଓ ମନୁଷ୍ୟ ଦ୍ଵାରା ଧ୍ଵଂସ ପାଇବାରୁ ରକ୍ଷା ପାଆନ୍ତି । ସ୍ଵ - ପୁନର୍ଜନନ ତୃଣକ ସ୍ଵ - ବୁଣା ଗଛ ଅଟେ । ଏହାର ଅଙ୍କୁରଣ ପାଇଁ ଭଲଭାବେ ପ୍ରସ୍ତୁତ ହୋଇଥିବା କୃତ୍ରିମ ତଳିଘରାର ଆବଶ୍ୟକତା ନାହିଁ । ମା ଗଛରୁ ବିଚ୍ୟୁତ ତୃଣକ ବୀଜ ଅନୁକୂଳ ପରିବେଶ ପାଇଲେ ଚାଷ ହୋଇନଥିବା ଜମିରେ ବି ଘଞ୍ଚ ହୋଇ ଉଠେ । ତୃଣକ ସଂଖ୍ୟାର ପ୍ରଭାବ ପୃଥିବୀ ପୃଷ୍ଠରେ ୩୦,୦୦୦ ର ଅଧିକ ଜାତିର ତୃଣକ ରହିଛି । ଏହିସବୁ ତୃଣକର ଅନୁକୂଳତମ ମୃତ୍ତିକା ଓ ଜଳବାୟୁ ଆବଶ୍ୟକତାରେ ପାର୍ଥକ୍ୟ ରହିଛି । ଏଣୁ ସ୍ଥଳ ଓ ଜଳଭାଗର ଯେ କୌଣସି ପରିବେଶକୁ ଗୋଟିଏ ବା ଅଧିକ ଜାତିର ତୃଣକ ଦକ୍ଷତାର ସହିତ ବିନିଯୋଗ କରିପାରିବ । କୃଷି – ପାରିସ୍ଥିତିକ ତୃଣକ ପ୍ରକାର ସର୍ବଦା ଏକ ପ୍ରକାର କୃଷି ପଦ୍ଧତି ଅବଲମ୍ବନ କରିବା ଦ୍ଵାରା ପାରିସ୍ଥିତିକ ତୃଣକ ପ୍ରକାର ସୃଷ୍ଟି ହୋଇଛି ଯାହାକୁ ନିୟନ୍ତ୍ରଣ କରିବା କଠିନ ହୋଇପଡୁଛି । ତୃଣକର ଶ୍ରେଣୀ ବିଭାଗ ପୃଥିବୀରେ ୩୦,୦୦୦ ରୁ ଅଧିକ ଜାତିର ତୃଣକ ରହିଛି । ସେଥିମଧ୍ୟରୁ ପ୍ରାୟ ୧୮,୦୦୦ ଜାତିର ତୃଣକ ସାଂଘାତିକ କ୍ଷତି କରନ୍ତି । ବାହ୍ୟଗଠନ, ବିକାଶ ଏବଂ ଶରୀର କ୍ରିୟା ଦୃଷ୍ଟିରୁ ଅନେକ ଜାତି ତୃଣକର କେତେକ ସାମଞ୍ଜସ୍ୟ ରହିଛି । ଏହି ସବୁ ସାମଞ୍ଜସ୍ୟକୁ ବିଚାରକୁ ନେଇ ନିୟନ୍ତ୍ରଣ ସୁବିଧା ଦୃଷ୍ଟିରୁ ବିଭିନ୍ନ ଉପାୟରେ ତୃଣକର ଶ୍ରେଣୀ ବିଭାଗ କରାଯାଇଛି । ଜୀବନ କାଳ ଦୃଷ୍ଟିରୁ ଶ୍ରେଣୀ ବିଭାଗ ଜୀବନ କାଳ ଦୃଷ୍ଟିରୁ ତୃଣକକୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇଛି । ଯଥା (କ) ଏକ ବାର୍ଷିକୀ (ଖ) ଦି ବର୍ଷୀ ଓ (ଗ) ବହୁ ବର୍ଷୀ । ଏକ ବର୍ଷୀ ତୃଣକ ଏହି ଶ୍ରେଣୀର ତୃଣକ ଜନ୍ମି, ବଢି, ଫୁଲ ଓ ଫଳ ଧରି ଗୋଟିଏ ବର୍ଷ ବା ଗୋଟିଏ ଋତୁ ଭିତରେ ମରିଯାନ୍ତି । ବଢିବା ଅନୁସାରେ ଏକ ବାର୍ଷିକୀ ତୃଣକକୁ ବର୍ଷାକାଳୀନ ବା ଖରିଫ ତୃଣକ ଏବଂ ଶୀତକାଳୀନ ବା ରବି ତୃଣକ ଏହିପରି ଦୁଇ ଭାଗରେ ବିଭକ୍ତ କରାଯାଇଛି । ଏହି ଦୁଇ ଉପଶ୍ରେଣୀ ଭୁକ୍ତ ତୃଣକର କେତେକ ଉଦାହରଣ ଟେବୁଲ ୧ ଓ ୨ ରେ ଦିଆଯାଇଛି । କେତେକ ବର୍ଷାକାଳୀନ ତୃଣକ ପ୍ରଚଳିତ ନାମ ବନସ୍ପତି ବିଜ୍ଞାନ ନାମ ବଂଶ କନଶିର Commelina bengalensis Commelinacae ଚାକୁଣ୍ଡା Cassia Occidentalis Fabaceae ପୋକଶୁଙ୍ଗା Agaratum Conizoides Astpraceae ବାଡିଅଁଳା Phyllanthus niruri Enphorbiaceae ଶୋଲ Aeschenompne aspera Fabaceae ଲାଜକୁଳି Mimosa pudica Fabaceae ପୁରୁଣି Trianthema spp Aizoaceae ବଣଖଡା Amaranthus viridis Amarathabaceae ସୁଆଁ Echinochloa crusgalli Poaceae କେତେକ ଶୀତକାଳୀନ ତୃଣକ ପ୍ରଚଳିତ ନାମ ବନସ୍ପତି ବିଜ୍ଞାନ ନାମ ବଂଶ ଭେଜିବାଇଗଣ Solanum xanthocarpum Solanaceae ଅଗରା Argemone mexicana Papaveraceae ଅଗରଜଟା Xanthium strumarium Acteraceae ଅଣଓସାରିଆ Gynadropsis pentaphylla Capparidaceae ବଥୁଆ Chenopodium alhum Chenopodiaceae କୋଳଥିଆ Tephrosia candida Fabaceae Tephrosia purpurea Fabaceae ଗଇଶ Leucas asppra Labiateae ପୁରୁଣି Portulaca olpraceae Portulceae ହାତୀ ସୁଣ୍ଢିଆ Heliotropium indicum Boraginaceae ବଣ ଖଡା ବର୍ଷସାରା ବଢିପାରେ । କିନ୍ତୁ ମୁଖ୍ୟତଃ ଏହା ଏକ ବର୍ଷାକାଳୀନ ତୃଣକ । ଏକବର୍ଷୀ ତୃଣକ ସାଧାରଣତଃ ବୀଜ ଦ୍ଵାରା ବଂଶ ବିସ୍ତାର କରେ ଏବଂ ଜମି ପତ୍ତନରୁ କାଟିଦେଲେ ଆଉ ବଢି ପାରେନାହିଁ । ଦ୍ଵିବର୍ଷୀ ତୃଣକ ଏହି ଶ୍ରେଣୀର ତୃଣକ ସେମାନଙ୍କର ଜୀବନ ଚକ୍ର ଦୁଇ ବର୍ଷରେ ପୂରଣ କରନ୍ତି । ପ୍ରଥମ ବର୍ଷ ଡାଳପତ୍ର ଧରି ବଢନ୍ତି ଏବଂ ଦ୍ଵିତୀୟ ବର୍ଷ ଫୁଲ ଫଳ ଧରନ୍ତି । ଏ ଶ୍ରେଣୀ ତୃଣକର ବିକ୍ଷେପଣ ସାଧାରଣତଃ ଫଓଲ ସହିତ ମିଶି ହୋଇନଥାଏ । ଦ୍ଵିବର୍ଷୀ ତୃଣକର କେତେକ ସାଧାରଣ ଉଦାହରଣ ହେଲା - ଜଙ୍ଗଲୀ ଗାଜର, କାଶଜୀ । ବହୁବର୍ଷୀ ତୃଣକ ଏ ଶ୍ରେଣୀର ତୃଣକ ତିନି ବା ଅଧିକ ବର୍ଷ ବଞ୍ଚନ୍ତି । ସାଧାରଣତଃ ବହୁବର୍ଷୀ ତୃଣକ ଦ୍ଵିତୀୟ ବର୍ଷ ଫୁଲ ଫଳ ଧରନ୍ତି ଏବଂ ତା’ ପରଠାରୁ ପ୍ରତିବର୍ଷ ନିୟମିତ ଫୁଲ ଫଳ ଧରନ୍ତି । ନାଗ ଅଇରୀ , ନାଗ ଫେଣୀ , କିଆକଳମ, ଗୁରୁଡିଆ ବେରୁହାଁ, ବେଣା, ଦୁବ ଆଦି ଏହି ଶ୍ରେଣୀର ତୃଣକ । ବୀଜପତ୍ରର ଲକ୍ଷଣ ଦୃଷ୍ଟିରୁ ଶ୍ରେଣୀ ବିଭାଗ ବିଜପତ୍ରର ଲକ୍ଷଣ ଦୃଷ୍ଟିରୁ ତୃଣକକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଅଛି । ଏକବୀଜପତ୍ରୀ ତୃଣକ ଏହି ଶ୍ରେଣୀର ତୃଣକକୁ ସଂକୀର୍ଣ୍ଣ ପତ୍ରୀ ବା ଘାସ ଜାତୀୟ ତୃଣକ ମଧ୍ୟ କୁହାଯାଏ । ଦୁବଘାସ ସୁଆଁ, କୋଦୁଅ, ମାଣ୍ଡିଆ ଘାସ, ବିଲୁଆ ଲାଞ୍ଜ ଆଦି ଏହି ଶ୍ରେଣୀର ତୃଣକ । ଦ୍ଵିବୀଜ ପତ୍ରୀ ତୃଣକ ଏହି ଶ୍ରେଣୀର ତୃଣକକୁ ବିସ୍ତୀର୍ଣ୍ଣ ପତ୍ରୀ ତୃଣକ ମଧ୍ୟ କୁହାଯାଏ । ପୋକ ଶୁଙ୍ଗୀ, କନସିରି, ବାଡି ଅଁଳା, ବକ୍ର ମୂଳୀ, ଅଗରା, କାଣିଲେଉଟିଆ, ଭେଜି ବାଇଗଣ, ଗଇଶ, ଅଣଓସାରିଆ ଆଦି ଏହି ଶ୍ରେଣୀର ତୃଣକ । ମୁଥା, ବେରୁଆଁ ଆଦି ସଂକୀର୍ଣ୍ଣ ପତ୍ରୀ ହେଲେ ବି ଘାସ ଜାତୀୟ ନୁହନ୍ତି । ଏଗୁଡ଼ିକୁ ମୁଥା ଜାତୀୟ ତୃଣକ କୁହାଯାଏ । ସଞ୍ଜୁକ୍ତତା ଦୃଷ୍ଟିରୁ ଶ୍ରେଣୀ ବିଭାଗ ସଞ୍ଜୁକ୍ତତା ଦୃଷ୍ଟିରୁ ତୃଣକକୁ ତିନିଶ୍ରେଣୀରେ ବିଭକ୍ତ କରାଯାଇଛି । ଋତୁକାଳୀନ ତୃଣକ ଏହି ଶ୍ରେଣୀର ତୃଣକ ଫସଲ ଭେଦରେ ବର୍ଷର ଏକ ନିର୍ଦ୍ଧିଷ୍ଟ ଋତୁରେ ବଢନ୍ତି ଯଥା : ଗ୍ରୀଷ୍ମ ତୃଣକ ଓ ଶୀତଋତୁ ତୃଣକ । ଯେଉଁ ଋତୁରେ ଅଙ୍ଗୀୟ ବୃଦ୍ଧି ମୁଖ୍ୟତଃ ହୋଇଥାଏ ସେହି ଋତୁକୁ ବହୁବର୍ଷୀ ତୃଣକର ବଢିବା ଋତୁ ବୋଲି କୁହାଯାଏ । ପରଜୀବୀ ତୃଣକ ଏହି ଶ୍ରେଣୀର ତୃଣକ ପୋଷାକ ଗଛରୁ ସମ୍ପୂର୍ଣ୍ଣ ବା ଆଂଶିକ ଭାବରେ ଖାଦ୍ୟ ଗ୍ରହଣ କରି ବଞ୍ଚନ୍ତି । ସ୍ଵର୍ଣ୍ଣଲତା , ମଲାଙ୍ଗ, ଶୁଣ୍ଢା ବା ରୋବାଙ୍କି ଏବଂ ଆଗିଆ ବା ଷ୍ଟ୍ରାଇଗା ପରଜୀବୀ ତୃଣକର କେତେକ ସାଧାରଣ ଉଦାହରଣ । ଫସଲ – ସଂଯୁକ୍ତ ତୃଣକ ଫସଲ – ସଂଯୁକ୍ତ ତୃଣକ ମଧ୍ୟ ନିର୍ଦ୍ଧିଷ୍ଟ ଫସଲ କ୍ଷେତରେ ବଢନ୍ତି କିନ୍ତୁ ପରଜୀବୀ ତୃଣକ ପରି ଫସଲରୁ ଖାଦ୍ୟ ଗ୍ରହଣ କରନ୍ତି ନାହିଁ । କେତେକ ନିର୍ଦ୍ଧିଷ୍ଟ କାରଣ ଯୋଗୁଁ ଏ ପ୍ରକାର ତୃଣକ ଫସଲ ସହିତ ସଂଯୁକ୍ତ ହୋଇ ରହନ୍ତି । ଫସଲ ନିହିତ ବାହ୍ୟ ଗଠନରେ ସାମଞ୍ଜସ୍ୟ ଯୋଗୁ ଧାନ କ୍ଷେତରେ ବାଳୁଙ୍ଗା ଏବଂ କ୍ଷୁଦ୍ରଶସ୍ୟ ଜାତୀୟ ଫସଲରେ ଜଙ୍ଗଲୀ ଓଟ ବଞ୍ଚି ରହେ । ଛାଇ, ଥଣ୍ଡା ଓ ଆର୍ଦ୍ର ପରିବେଶରେ କାଶନୀ ଭଲ ବଢେ । ବରସିମ୍ ଓ ଲୁସର୍ଣ୍ଣ କ୍ଷେତରେ ଏପ୍ରକାର ପରିବେଶ ଯଥେଷ୍ଟ ଭାବରେ ମିଳୁଥିବାରୁ କାଶନୀ ସର୍ବଦା ବରସିମ ଓ ଲୁସର୍ଣ୍ଣ ସହିତ ସଂଯୁକ୍ତ ହି ରହେ । ଏହି ମୁଖ୍ୟ ଶ୍ରେଣୀ ବିଭାଗ ଛଡା ତୃଣକକୁ କାଣ୍ଡର ପ୍ରକୃତି ଭିତ୍ତିରେ କାଠୁଆ, ଅର୍ଦ୍ଧ – କାଠୁଆ ଓ ଶାକୀୟ, ଆବାସ ଭିତ୍ତିରେ କୃଷିକ୍ଷେତ୍ର ତୃଣକ , ଚାରଣ ଭୂମି ତୃଣକ, ପଡିଆ ଜମି ତୃଣକ, ଜଙ୍ଗଲ ତୃଣକ, ଜଳାଶୟ ତୃଣକ ଇତ୍ୟାଦି ; ମୃତ୍ତିକା ଆବଶ୍ୟକତା ଭିତ୍ତିରେ ଅମ୍ଳ ମୃତ୍ତିକା ତୃଣକ, କ୍ଷାରୀ ମୃତ୍ତିକା ତୃଣକ ଓ ନିରପେକ୍ଷ ମୃତ୍ତିକା ତୃଣକ ଏବଂ ଉତ୍ପତ୍ତିସ୍ଥଳ ଭିତ୍ତିରେ (ଇଉରୋପୀୟ ତୃଣକ, ଆମେରିକୀୟ ତୃଣକ ଇତ୍ୟାଦି) ମଧ୍ୟ ବର୍ଗୀକୃତ କରାଯାଇଅଛି । ଆହୁରି ମଧ୍ୟ ତୃଣକକୁ ଐଚ୍ଛିକ ସାଧାରଣତଃ ଜଙ୍ଗଲ ପରିବେଶରେ ଦେଖାଯାଏ ବା ଅବିକଳ୍ପି କର୍ଷିଲା ଜମିରେ ଦେଖାଯାଏ ଏବଂ ମାରାତ୍ମକ ଅଦରକାରୀ କ୍ଲେଶଦାୟକ ଓ ନିୟନ୍ତ୍ରଣ କରିବା ଦୁଃସାଧ୍ୟ ବା ଆପତ୍ତିଜନକ (ମାରାତ୍ମକ, ଯାହାର ମଞ୍ଜିକୁ ଫସଲ ମଞ୍ଜିରୁ ପୃଥକ କରିବା କଠିନ) ଏପରି ଭାବରେ ଶ୍ରେଣୀଭୁକ୍ତ କରାଯାଇଥାଏ । ତୃଣକ ନିବାରଣ ଉପାୟ ଅଳ୍ପ ଖର୍ଚ୍ଚରେ ଏବଂ ଦକ୍ଷତାର ସହିତ ତୃଣକକୁ ନିୟନ୍ତ୍ରଣ କରିବା ପାଇଁ ତୃଣକ ନିବାରଣ ଏକ ପରିପୂରକ ପନ୍ଥୀ ଅଟେ । ତୃଣକ ପ୍ରବେଶ ଓ ବିସ୍ତାରକୁ ବାଧା ଦେଉଥିବା ବା ବଳ କରୁଥିବା ସମସ୍ତ ଉପାୟକୁ ତୃଣକ ନିବାରଣ ପନ୍ଥା କୁହାଯାଏ । ତୃଣକ ଉପଦ୍ରବକୁ ରୋକିବା ପାଇଁ ଯଦି ଯଥେଷ୍ଟ ପରିମାଣରେ ନିବାରଣ ଉପାୟ ଗ୍ରହଣ କରାନଯାଏ ତେବେ କୌଣସି ତୃଣକ ନିୟନ୍ତ୍ରଣ ପନ୍ଥା ସଫଳ ହୋଇପାରିବ ନାହିଁ । ତା’ଛଡା ସର୍ବାଧିକ ଆଦାୟ ପାଇବା ପାଇଁ ଠିକ୍ ସମୟରେ ତୃଣକ ନିବାରଣ ପନ୍ଥା ଅବଲମ୍ବନ କରିବା ଆବଶ୍ୟକ । ବିଶେଷକରି ମାରାତ୍ମକ ଉପଦ୍ରବକୁ ନିବାରଣ କରିବା ଏକାନ୍ତ ଆବଶ୍ୟକ । କାରଣ ଏ ପ୍ରକାର ତୃଣକ ଥରେ ଦୃଢ ହୋଇଗଲେ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡେ । କେତେକ ମୁଖ୍ୟ ତୃଣକ ନିବାରଣ ପନ୍ଥା ନିମ୍ନରେ ବର୍ଣ୍ଣନା କରାଯାଇଅଛି । ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ