ଉପକ୍ରମ ବିଶ୍ଵରେ ତିନିଭାଗ ଜଳ ଥିବା ସତ୍ତ୍ୱେ ଜଳାଭାବ ଏକ ଉତ୍କଟ ସମସ୍ୟା । ବିନା ପାଣିରେ ଚାଷ କରିବା କଥା ମାନେ ପଥରରେ ମୁଣ୍ଡ ପିଟିବା ସହ ସମାନ । କିନ୍ତୁ ଖରାଦିନେ ଆମ ଚାଷୀଭାଇମାନେ ଠିକ୍ ଏହି କଷ୍ଟ ସାହୁଛନ୍ତି । ତେଣୁ ଅଳ୍ପଦିନରେ ଚାଷୀଭାଇମାନେ କିପରି ଅଧିକ ଅମଳ ପାଇପାରିବେ ସେଥିଲାଗି ଏକ ପ୍ରୟାସ । ଶସ୍ୟ ଚୟନ ଯେଉଁ ଶସ୍ୟଗୁଡିକ ସ୍ୱଳ୍ପ ଜଳରେ ଅମଳ ହୋଇପାରିବ ଅଥବା ତାହାର ଚେର ଗଭୀର ମାଟି ଭିତରକୁ ଯାଇପାରିବ ସେମାନଙ୍କୁ ଚୟନ କରିବା ଆବଶ୍ୟକ । ଏତଦ୍ ବ୍ୟତୀତ ବଜାରରେ ମିଳୁଥିବା ଉଚ୍ଚ ତାପମାତ୍ରା ସହ୍ୟ କିସମ ବ୍ୟବହାର କରିପାରିବେ । ଯଥା : ବାଇଗଣ, ଲଙ୍କା, ଭେଣ୍ଡି, ଗୁଆଁର, କାକୁଡି, ତରଭୁଜ, ଝୁଡଙ୍ଗ, ହରଡ, ଯଅ, ବାଜରା ଇତ୍ୟାଦି । ଶୂନ୍ୟ କର୍ଷଣ ଧାନ ଫସଲ ଅମଳ କରି ସାରିବା ପରେ ପରେ ଜମିରେ ଥିବା ଅବଶେଷ ଜଳକୁ ବ୍ୟବହାର କରି ତାହା ଉପରେ ବିହନ ବୁଣା ଯନ୍ତ୍ର ବ୍ୟବହାର କରି ଶସ୍ୟ ଉତ୍ପାଦନ କରିହେବ । ଗଜାମରୁଡି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହା ଏକ ଉତ୍ତମ ପ୍ରୟାସ । ରୋପଣ ସମୟରେ ପରିବର୍ତ୍ତନ ଶସ୍ୟକୁ ଅଧିକ ଖରାରୁ ବଞ୍ଚାଇବା ପାଇଁ ଟିକିଏ ସଅଳ ରୋପଣ କରିବା ଉଚିତ୍ । ଯେମିତି ଇ ଟାଣୁଆ ଖରା ହେବା ପୂର୍ବରୁ ଫୁଲ ଧରିବା ଅବସ୍ଥା, ଦାନା ପୂରଣ ସମୟ ବା ଫଳ ଧରିବା ଅବସ୍ଥା ଅତିକ୍ରମ କରିଯାଇଥିବ, ତଦ୍ଦ୍ଵାରା ଫସଲରେ ବିଶେଷ ହାନି ହେବ ନାହିଁ । ଜଳ ଅମଳୀକରଣ ଚାଷ ଜମିରେ ଛୋଟ ଛୋଟ ଗଡିଆ କରି ପଲିଥିନ ମାଧ୍ୟମରେ ତାହାକୁ ଆବଦ୍ଧ କରି ବର୍ଷାଦିନିଆ ଜଳକୁ ସଂରକ୍ଷିତ କରି ତାକୁ ଖରାଦିନେ ବ୍ୟବହାର କରିପାରିବା । ଏଥିପାଇଁ ସରକାରଙ୍କ ତରଫରୁ ରିହାତି ମିଳୁଛି । ଗୋଟିଏ ପୋଖରୀ ବା ଗଡିଆର ଆୟତନ ୨୦ମି X ୨୦ମି X ୩ମି ରହିବା ଆବଶ୍ୟକ । ଆଚ୍ଛାଦୀକରଣ ମୃତ୍ତିକାରେ ଥିବା ଅନ୍ତର୍ନିହିତ ଜଳକୁ ସଂରକ୍ଷଣ କରିବାର ଏହା ଏକ ଗୁଣାତ୍ମକ ମାଧ୍ୟମ । ଗଛମୂଳରେ ଆଚ୍ଛାଦନ ରୂପରେ ପାଳ, କୁଟା, ନଡିଆକତା ଆଦି ବ୍ୟବହାର କରିପାରିବା । ଯାହାଦ୍ଵାରା ମାଟିରୁ କମ୍ ପରିମାଣର ଜଳ ବାଷ୍ପୀଭୂତ ହେବ ଏବଂ ଗଛ ଅଧିକ ଜଳ ଗ୍ରହଣ କରିପାରିବ । ଏହାବ୍ୟତୀତ ପଲିଥିନ ଆଚ୍ଛାଦନ ମଧ୍ୟ ବ୍ୟବହାର କରିପାରିବା । ଏହାପାଇନ ସରକାର ରିହାତି ଦେଉଛନ୍ତି । ଏହାର ବ୍ୟବହାର ଫଳରେ ଅନାବନା ଘାସ ଅଙ୍କୁରୋଦଗମ୍ କମିଯିବ, ଫସଲ ଅଧିକ ଖତସାର ପାଇବ, ମୃତ୍ତିକାର ମାନ ବଢିବ, ରୋଗପୋକ ଆକ୍ରମଣ କମିବ, ମୃତ୍ତିକାର ତାପମାତ୍ରା ନିୟନ୍ତ୍ରଣରେ ରହିବ ଇତ୍ୟାଦି । ବୁନ୍ଦା ଜଳ ସେଚନ ଅଳ୍ପ ଜଳରେ ଅଧିକ ଅମଳ କରିବା ଲାଗି ଏହା ଏକ ଅମୋଘ ଅସ୍ତ୍ର । ବୁନ୍ଦା ଜଳ ସେଚନ ଯନ୍ତ୍ର ଲଗାଇବା ପାଇଁ ସରକାରଙ୍କ ତରଫରୁ ରିହାତି ମିଳୁଛି । ଆନୁମାନିକ ରୂପରେ ଏକ ହେକ୍ଟର ଜମିକୁ ୧ ଲକ୍ଷ ଟଙ୍କା ବୁନ୍ଦାଜଳସେଚନ ଯନ୍ତ୍ର ପିଛା ଖର୍ଚ୍ଚ ହୁଏ । ଥରେ ଲଗାଇବା ପରେ ଏହାକୁ ବାରମ୍ବାର ବ୍ୟବହାର କରିପାରିବେ । ଶସ୍ୟ ଚୟନକୁ ନେଇ ଯନ୍ତ୍ରର ପ୍ରକାରଭେଦ ରହିଛି । ପ୍ରତ୍ୟକ ଶସ୍ୟ ମୂଳରେ ବୁନ୍ଦା ବୁନ୍ଦା ହୋଇ ଜଳ ପଡେ । ଯାହାଦ୍ଵାରା ଶସ୍ୟ ପ୍ରତ୍ୟକ ଜଳବିନ୍ଦାକୁ ଉପଯୋଗ କରି ଉତ୍ପାଦନ ବୃଦ୍ଧି କରେ । ଉପାଦେୟତା ଶସ୍ୟର ଜଳଧାରଣା କ୍ଷମତା ୯୦% ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ଅଳ୍ପ ଜଳରେ ଅଧିକ ଅମଳ କରିହେବ । ଜଳ କ୍ଷୟ କମିବ । ଏହାଦ୍ୱାରା ଜଳୀୟ ମାଧ୍ୟମରେ ଖତସାର ମଧ୍ୟ ଦେଇହେବ । ବହୁ ପରିମାଣରେ ଶ୍ରମିକ ମୂଲ୍ୟ କମିବ । ଅନାବନା ଘାସରୁ ମୁକ୍ତି । ଲୁଣିପାଣିକୁ ମଧ୍ୟ ଏହାଦ୍ୱାରା ବ୍ୟବହାର କରିହେବ । ଢାଲୁଆ ଜମି, ପାହାଡିଆ ଜମି, ଖାଲ ଢିପ ଜମିରେ ମଧ୍ୟ ଏହା ଉତ୍ତମ ରୂପେ ଜଳସେଚନ କରିପାରିବେ । ସବୁ ଜିନିଷ ଯନ୍ତ୍ରଚାଳିତ, ତେଣୁ ସୁଇଚ୍ ଚିପିଲେ ଗଛ ପାଣି, ଖାଦ୍ୟ, ସାର ପାଇବ ଏବଂ ଖରାରେ ଚାଷ ଜମିକୁ ଯିବାକୁ ପଡିବ ନାହିଁ । ସଂଗୃହୀତ – ଦେବାଶିଷ ହୋତା