ପ୍ରାଧାନ୍ୟ କଦଳୀ ଏକ ପୁରାତନ ଫଳ । ଏହା ଆମ ସଂସ୍କୃତି ଓ ପର୍ବପର୍ବାଣୀ ସହ ଜଡିତ । କଦଳୀ ସୁସ୍ଵାଦୁ ଓ ପୁଷ୍ଟିକର । ଏଥିରେ ବହୁତ ପରିମାଣରେ ଶ୍ଵେତସାର ଅଛି । କଦଳୀକୁ ପାଚିଲା ଏବଂ ତରକାରୀ କରି ଖିଆଯାଏ । କଦଳୀରେ ଅନେକ ଲବଣ ଏବଂ ଖାଦ୍ୟପ୍ରାଣ ଅଛି । ସେଗୁଡିକ ମଧ୍ୟରେ ଲୌହ, ପଟାସିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଏବଂ ଖାଦ୍ୟପ୍ରାଣ ‘କ’, ‘ଖ’, ‘ଗ’ ପ୍ରଧାନ । କଦଳୀ ପତ୍ରକୁ ପ୍ଲେଟ୍ ଭଳି ଖାଇବା ପାଇଁ ବ୍ୟବହାର କରାଯାଏ । ଜଳବାୟୁ ଓ ମୃର୍ତ୍ତିକା ଉଷ୍ମ, ଆର୍ଦ୍ର ଜଳବାୟୁ କଦଳୀ ଚାଷ ପାଇଁ ଉପଯୁକ୍ତ । ୧୦ରୁ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ ଉତ୍ତାପ ମଧ୍ୟରେ କଦଳୀ ଚାଷ କରାଯାଇପାରେ । ୧୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ଉତ୍ତାପ କମିଗଲେ, ଗଛ ଭଲ ବଢେ ନାହିଁ ଏବଂ ପତ୍ର ହଳଦିଆ ପଡିଯାଏ । କେତେକ ପାହାଡିଆ କଦଳୀ ଥଣ୍ଡା ସହିପାରେ । କଦଳୀ ଚାଷ ପାଇଁ ନିଗିଡା, ଉର୍ବର, ଦୋରସା, ପଟୁ ମାଟି ଓ ମତାଳ ମାଟି ଉପଯୁକ୍ତ ଅଟେ । ସନ୍ତସନ୍ତିଆ ସ୍ଥାନରେ ଏହା ଭଲ ବଢେ ନାହିଁ । ମାଟିର ଅମ୍ଳତା ୬ରୁ ୭ ଭିତରେ ରହିଲେ କଦଳୀ ଭଲ ଫଳେ । କଦଳୀ ଫସଲ ଅଧିକ ଜଳ ଆବଶ୍ୟକ କରେ । ବାର୍ଷିକ ୧୫୦୦ ମି.ମି. ରୁ ୨୫୦୦ ମି.ମି. ବର୍ଷା ହେଉଥିବା ଅଞ୍ଚଳରେ କଦଳୀ ଚାଷ ଭଲ ହୋଇଥାଏ । କିସମ ବ୍ୟବହାରକୁ ଆଧାର କରି କଦଳୀ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ । ବନ୍ତଳ ବା ତରକାରୀ କଦଳୀ ଏବଂ ଅନ୍ୟଟି ପାଚିଲା କଦଳୀ ବନ୍ତଳ କିସମଗୁଡିକ ହେଲା ପାଉଁଶିଆ ବନ୍ତଳ, ମେଣ୍ଢୀ ବନ୍ତଳ ଇତ୍ୟାଦି । ପାଚିଲା କଦଳୀ କିସମଗୁଡିକ ହେଲା ଫାଟକପୁରା, ଚମ୍ପା, ଚକ୍ରକେଳି, ଲାଲ କଦଳୀ, ଭୁଷାବଲ, ରୋବଷ୍ଟା, କାବୁଲି ଇତ୍ୟାଦି । ଶେଷ ତିନି କିସମର ଗଛ ଗେଡା ବା ବାମନ ହୋଇଥିବା ବେଳେ ବନ୍ତଳ ଓ ଅନ୍ୟ କିଆମର ଗଛଗୁଡିକ ଡେଙ୍ଗା । ବିରୁପାକ୍ଷୀ, ମୁଗୁନି, ବୁକୁଫଟା, ଲାଲ, ପୋଢଶିଙ୍ଗା କିସମଗୁଡିକ ଆମ ରାଜ୍ୟର ପାହାଡିଆ ଅଞ୍ଚଳରେ ଦେଖାଯାଏ । ଜମି ପ୍ରସ୍ତୁତି ଜମିକୁ ଚାରି ପାଞ୍ଚ ଓଡ ଚାଷ କରି ଜଳ ନିଷ୍କାସନର ସୁବିଧା ଦୃଷ୍ଟିରୁ ୧୫ ରୁ ୨୦ ଫୁଟ ଚଉଡାର ପଟାଳି କରାଯାଏ । ପଟାଳି ମଧ୍ୟରେ ଡେଙ୍ଗା ଗଛ ପାଇଁ ୮X୮ ଫୁଟ ବ୍ୟବଧାନରେ ଏବଂ ଗେଡା ବା ବାମନ କଦଳୀ ପାଇଁ ୬X୬ ଫୁଟ ବ୍ୟବଧାନରେ ଗାତ ଖୋଳାଯାଏ । ଗାତଗୁଡିକର ଲମ୍ବ, ଓସାର ଓ ଗଭୀରତା ଦେଢ ଫୁଟ ରଖାଯାଏ । ପ୍ରତି ଗାତରେ ଏକ ଝୁଡି ସଢା ଗୋବରଖତ ଦିଆଯାଏ । ଉଈ ଦମନ ପାଇଁ ୨୦ ଗ୍ରାମ କ୍ଳୋରୋପାଇଫସ୍ କିମ୍ବା ୨୦୦ ଗ୍ରାମ୍ ନିମ ପିଡିଆ ଖତସାର ସହ ମାଟିରେ ମିଶାଯାଏ । କଦଳୀ ପୁଆ ନିରୂପଣ କଦଳୀ ଗଛରେ ଦୁଇ ପ୍ରକାର ପୁଆ ଦେଖାଯାଏ । ଯଥା : ଖଣ୍ଡା ପୁଆ ଓ ପାଣି ପୁଆ । ଖଣ୍ଡା ପୁଆରୁ ଭଲ ଅମଳ ମିଳିଥାଏ । ଏଣୁ ଦୁଇ ତିନିମାସର ତିନି ଚାରି ଫୁଟିଆ ନିରୋଗ ଖଣ୍ଡା ପୁଆ ଲଗାଯାଏ । ଟିସୁ କଲଚର ଗଛ ସଂଗ୍ରହ କରି ଲଗାଇବା ଉତ୍ତମ । ଏହି ଚାରାଗୁଡିକ ନିରୋଗ, ଅଧିକ ଅମଳକ୍ଷମ, ଏକମଚ୍ଛା ଓ ସମ ସମୟ ବୟସର ହୋଇଥାଏ । ଏଣୁ ଫଳ ଏକ ସମୟରେ ଆସେ ଏବଂ ଏକାସଙ୍ଗରେ କାନ୍ଧି କାଟିବା ସମ୍ଭବପର ହୁଏ । ପୁଆଗୁଡିକୁ ଇଣ୍ଡୋଫିଲ – ଏମ୍ ୪୫ ରେ ବିଶୋଧନ କରି ଲଗାଯିବା ଦରକାର । ୪ ଇଣ୍ଡୋଫିଲ – ଏମ୍ ୪୫ କିମ୍ବା ୨ ଗ୍ରାମ୍ ବେଭିଷ୍ଟିନ ୧ ଲିଟର ପାଣିରେ ମିଶାଇ ୨୦ ରୁ ୩୦ ମିନିଟ୍ ବୁଡାଯିବା ଦ୍ଵାରା ମୁଣ୍ଡାଗୁଡିକ ବିଶୋଧିତ ହୁଏ । ପୁଆଗୁଡିକୁ ବର୍ଷର ଅଧିକାଂଶ ସମୟରେ ଲଗାଯାଇପାରିବ । ବର୍ଷା ଦିନର ଠିକ୍ ପୂର୍ବରୁ ପୁଆ ଲଗାଯାଏ । ଜଳସେଚନର ସୁବିଧା ଥିଲେ ଅନ୍ୟ ସମୟରେ ମଧ୍ୟ ଲଗାଯାଇପାରିବ । ଖୁବ୍ ଖରାଦିନରେ କଦଳୀ ପୁଆ ଲଗାଇବା ଅନୁଚିତ୍ । ଅଧିକ ଅମଳ ପାଇଁ ଗଛ ମଧ୍ୟରେ ଦୂରତାକୁ କମ୍ କରି ଅଧିକ ସଂଖ୍ୟକ ଗଛ ଲଗାଯାଇଥାଏ । ଏହା ଦ୍ଵାରା ଅଧିକ କାନ୍ଧି ମିଳିବା ସମ୍ଭବପର । କିନ୍ତୁ କାନ୍ଧିର ଓଜନ, ଆକାର ତଥା ଫଳ ସଂଖ୍ୟା ଅନେକ କମିଯାଏ । ଏକ ଏକର ଜମିରେ ଏହି ପ୍ରଣାଳୀରେ ୩ ଗୁଣ ସଂଖ୍ୟକ ପୁଆ ଲଗାଯାଇଥାଏ । ଅନ୍ତଃ ଫସଲ କଦଳୀ ପୁଆ ଲଗାଯିବାର ତିନି ଚାରି ମାସ ପରେ ଗଣ୍ଡି ବଢେ । ଗଛର ପତ୍ର ଜମିକୁ ଢାଙ୍କି ରଖେ । ଏହି ଫସଲ ମଝିରେ ପ୍ରଥମ ତିନି ଚାରିମାସ ପନିପରିବା ଯଥା : ଭେଣ୍ଡି, କଖାରୁ, ଜହ୍ନି, ଝୁଡଙ୍ଗ ଏବଂ ମୁଗବିରି ଆଦି ଅନ୍ତଃଫସଲ କରାଯାଇ ପାରେ । ଖତସାର ପ୍ରତି ଗଛକୁ ୨୦୦ ଗ୍ରାମ୍ ଯବକ୍ଷାରଜାନ, ୮୦ ଗ୍ରାମ୍ ଫସଫରସ୍ ଓ ୫୦୦ ଗ୍ରାମ୍ ପଟାସ ଦେଲେ ଭଲ ଅମଳ ମିଳେ । ସାରକୁ ପୁଆ ଲଗାଯିବା ବେଳେ, ଦ୍ଵିତୀୟ ଥର ୬୦ ଦିନ ପରେ, ତୃତୀୟ ଥର ୯୦ ଦିନ ପରେ ଏବଂ ଚତୁର୍ଥ ଥର ୧୨୦ ଦିନ ପରେ ପ୍ରୟୋଗ କରାଯାଏ । ଏହି ଉପାଦାନଗୁଡିକୁ ବିଭିନ୍ନ ସାର ଆକାରରେ ନିମ୍ନ ଭାବରେ ମଧ୍ୟ ପ୍ରୟୋଗ କରାଯାଇଥାଏ । ଗଛ ଲଗାଯିବା ବେଳେ – ୨୫୦ ଗ୍ରାମ୍ ଯାବିକ ସାର ଯଥା ଷ୍ଟେରାମିଲ, ହିଣ୍ଡୋମିଲ ୨୫୦ ଗ୍ରାମ୍ ସୁପର ଫସଫେଟ୍ ୬୦ ଦିନ ପରେ - ୧୦୦ ଗ୍ରାମ୍ ସି.ଏ.ଏନ., ୧୦୦ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ୯୦ ଦିନ ପରେ - ୧୫୦ ଗ୍ରାମ୍ ସି.ଏ.ଏନ୍., ୧୦୦ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ୧୨୦ ଦିନ ପରେ - ୧୫୦ ଗ୍ରାମ୍ ସି.ଏ.ଏନ୍., ୧୦୦ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ସି.ଏ.ଏନ୍. ପ୍ରତିବଦଳରେ ଅର୍ଦ୍ଧ ମାତ୍ରାର ୟୁରିଆ ସାର ପ୍ରୟୋଗ କରାଯାଇପାରେ । ସାରକୁ ଗଛ ଠାରୁ ଏକ ଫୁଟ ଦୂରରେ ଓ ଏକ ଫୁଟ ଚଉଡାରେ ଗାତ ଖୋଳି ଦିଆଯାଏ । ଗେଡା କିସମରେ କିଛି ଅଧିକ ସାର ପ୍ରୟୋଗ କରାଯାଇପାରେ । ଜଳସେଚନ କଦଳୀ ଫସଲକୁ ଶୀତମାସରେ ଦୁଇ ତିନି ଥର ଏବଂ ଖରାମାସରେ ଚାରି ପାଞ୍ଚ ଥର ଜଳସେଚନ କରାଯାଏ । ଅନ୍ତଃଚାଷ ନିୟମିତ କୋଡାଖୁସା, ଘାସବଛା କରି ଦୁଇ ତିନିମାସରେ ଥରେ ମାଟିକୁ ହାଣି ସଫା ରଖିଲେ ମାଟି ହାଲୁକା ହୁଏ ଏବଂ ରୋଗପୋକ କମ୍ ଲାଗେ । ମାଟିର ଆର୍ଦ୍ରତା ଅଧିକ ଦିନ ରହେ । କାନ୍ଧି ପଡିବା ଆରମ୍ଭ ହେଲେ କୋଡାଖୁସା କରିବା ଅନୁଚିତ୍ । ପୁଆ ବାହାର କରିବା ପ୍ରତିଗଛରୁ ଅନେକ ପୁଆ ବାହାରେ । ଏଗୁଡିକ ବଢିଲେ କାନ୍ଧି ଛୋଟ ହୋଇଯାଏ । କମିଯାଏ । ପ୍ରଥମ କାନ୍ଧି ଆସିବା ପରେ ଗୋଟିଏ ମାତ୍ର ସୁସ୍ଥ ପୁଆ ଛଡ଼ାଯାଏ । ତହିଁରୁ ଦ୍ଵିତୀୟ ଫସଲ ଅମଳ କରାଯାଏ । ମାଟି ପତ୍ତନରୁ ଅଦରକାରୀ ପୁଆଗୁଡିକୁ କାଟି ବାହାର କରିଦିଆଯାଏ କଟାଯାଇଥିବା ପୁଆର ମୂଳ ଅଂଶରେ ଗୋଟିଏ ଲେଖାଏଁ ଗାତ କରି ତହିଁରେ କିରୋସିନ ଏକ ଚାମଚ ପକାଇଲେ ପୁଆଗୁଡିକ ଆଉ ବଢେ ନାହିଁ । କାନ୍ଧି ଆସିବା ପରେ ଶେଷ ଫେଣାରୁ ୨୦ ସେ.ମି. ଛାଡି କଦଳୀ ଭଣ୍ଡାଟିକୁ କାଟି ଦିଆଯାଏ । କଦଳୀ କାନ୍ଧି ଆସିଲେ ସାଧାରଣତଃ ସେହି ଗଛଟି ଭାରାକ୍ରାନ୍ତ ହୋଇ ନଇଁ ପଡେ କିମ୍ବା ପବନରେ ଭାଙ୍ଗିଯାଏ । ଏହାର ସୁରକ୍ଷା ପାଇଁ କାଠ ବାଉଁଶର ଢିରା ଦେବା ଆବଶ୍ୟକ । କାନ୍ଧି ପଡିବା ପରେ ଗଛର ଶୁଖିଲା ପତ୍ରଗୁଡିକୁ କାଟି ବାହାର କରିଦିଆଯାଏ । କଦଳୀ ଗଛର ପତ୍ର କାଟି ନେଲେ କାନ୍ଧି ଓ କଦଳୀର ଆକାର ଛୋଟ ହୋଇଯାଏ । କାନ୍ଧି ଆସିଲା ପରେ ଅତ୍ୟଧିକ ସୂର୍ଯ୍ୟକିରଣ ଫଳଗୁଡିକର ମାନ ନିକୃଷ୍ଟ କରିଦିଏ । ଏଣୁ ସେହି ଗଛର ପତ୍ର ଦ୍ଵାରା କାନ୍ଧିକୁ ଘୋଡାଇ ରଖିବା ଦରକାର । ଗଛରେ ଦଶଟି ପତ୍ର ରହିବା ଆବଶ୍ୟକ । ରୋଗପୋକ କଦଳୀରେ ବିଶେଷ ରୋଗପୋକ ଦେଖାଯାଉ ନଥିଲେ ମଧ୍ୟ ଦୁଇ ତିନି ମାସ ଅନ୍ତରରେ ମାଲାଥିୟନ ବା ମେଟା ସିଷ୍ଟକ ୨ ମି.ଲି. ଏକ ଲିଟର ପାଣିରେ ମିଶାଇ ଗଛକୁ ସିଞ୍ଚନ କରାଯାଏ । ଏହା ସହିତ ଏକ ଲିଟର ପାଣିରେ ବେଭିଷ୍ଟିନ ଏକ ଗ୍ରାମ୍ କିମ୍ବା ୨ ଗ୍ରାମ୍ ଏଣ୍ଡୋଫିଲ ଏମ୍ – ୪୫ ମିଶ୍ରଣ କରି ସିଞ୍ଚନ କଲେ ରୋଗପୋକ ଦାଉରୁ ରକ୍ଷା ମିଳେ । ଅଣକଦଳିଆ ଅଣକଦଳିଆ ରୋଗ ହେଲେ ପତ୍ରଗୁଡିକ ଛୋଟ ଛୋଟ ହୋଇଯାଏ । ଛାଞ୍ଚୁଣୀ ମୁଣ୍ଡା ପରି ମେଞ୍ଚା ହୋଇ ବାହାରେ ଏହା ଏକ ଭୂତାଣୁ ଜନିତ ରୋଗ । ଏପରି ରୋଗାକ୍ରାନ୍ତ ଗଛ ଦେଖାଗଲେ ତାକୁ ତୁରନ୍ତ କାଟି ପୋତି କିମ୍ବା ପୋଡି ଦେବା ଉଚିତ୍ । ଫଳରେ ଅନ୍ୟ ଗଛଗୁଡିକୁ ଏହି ଭୂତାଣୁ ଆକ୍ରମଣରୁ ଦୂରରେ ରଖାଯାଇପାରିବ । ଜମିରେ ମାଲାଥିଅନ ବା ମେଟାସିଡ ସିଞ୍ଚନ କରାଗଲେ ଏହି ରୋଗବାହୀ ପୋକଗୁଡିକ ମରିଯାଆନ୍ତି । ଝାଉଂଳା ରୋଗ ଏହି ରୋଗ ଲାଗିଲେ ପତ୍ର ଝାଉଂଳି ଯାଏ ହଳଦିଆ ପଡିଯାଏ । ବାହୁଙ୍ଗା ଭାଙ୍ଗି ଗଛରେ ଝୁଲେ । କାନ୍ଧି ପଡିବା ସମୟରେ ଏହି ରୋଗ ଦେଖାଦେଇଥାଏ । କାନ୍ଧି ଛୋଟ ହୋଇଯାଏ । ଏହା ଏକ ଫିମ୍ପିଜନିତ ରୋଗ ପାଟକପୁରା କିସମରେ ଏହା ଅଧିକ ଦେଖାଦିଏ । ଚମ୍ପା ଓ କାବୁଲି କଦଳୀରେ କମ୍ ଦେଖାଦିଏ । ଏହି ରୋଗ ନିରାକରଣ ପାଇଁ ନିରୋଗା ଗଛର ସୁସ୍ଥ ପୁଆ ସଂଗ୍ରହ କରାଯିବା ଉଚିତ୍ । ଏକ ଲିଟର ପାଣିରେ ବେଭିଷ୍ଟିନ ୧ ଗ୍ରାମ୍ ମିଶାଇ ତହିଁରେ ପୁଆକୁ ବିଶୋଧନ କରାଯାଏ । ଏକ ଲିଟର ପାଣିରେ ୧୦ ଗ୍ରାମ୍ ବେଭିଷ୍ଟିନ ମିଶାଇ ସେଥିରୁ ୧୦ ମି.ଲି. କଦଳୀ ମୂଳ କନ୍ଦାରେ ଇଞ୍ଜେକ୍ସନ ଦେଲେ ମଧ୍ୟ ଏ ରୋଗ ଦମନ ହୁଏ । ପତ୍ରଦାଗ ଏହା ଏକ କବକ ଜନିତ ରୋଗ । ପତ୍ରରେ ଗାଢ ବବାଦାମୀ ଦାଗ ଦେଖାଯାଏ । ଅନେକ ଦାଗ ଏକତ୍ରିତ ହୋଇ ପତ୍ରଟି ଶୁଖିଯାଏ । ଏହି ରୋଗର ଦମନ ପାଇଁ ବୋର୍ଡର ମିକ୍ସଚର ୧ ଶତାଂଶ ଗଛକୁ ସିଞ୍ଚନ କରାଯାଏ । ପୋକ କଦଳୀ ଫସଲରେ କାଣ୍ଡବିନ୍ଧା ପୋକ ବେଳେ ବେଳେ ଦେଖାଦିଏ । ଏହି କୀଟ କଦଳୀ ମୁଣ୍ଡାରେ ଓ ପତ୍ର ସନ୍ଧିରେ ରହୁଥିବାରୁ ସାଧାରଣ ସିଞ୍ଚନ ଔଷଧରେ ସହଜରେ ଦମନ ହୁଏ ନାହିଁ । ଏଣୁଗଛ ମୂଳରେ ୨୦ରୁ ୪୦ ଗ୍ରାମ୍ ଫୁରାଡନ ଦାନା ପ୍ରୟୋଗ କରାଯାଏ । ଅମଳ କଦଳୀ ପୁଆ ଲଗାଯିବାର ୮ରୁ ୧୨ ମାସ ମଧ୍ୟରେ କାନ୍ଧି ଆସେ । ତିନି ଚାରି ମାସରେ ତାହା ପାକଲା ହୁଏ । ଦ୍ଵିତୀୟ ଫସଲ ୭ରୁ ୧୦ ମାସ ମଧ୍ୟରେ ଆସେ । କଦଳୀ ଅମଳର ସାତ ଦିନ ପୂର୍ବରୁ ପାଣି ମଡା ବନ୍ଦ କରିବା ଉଚିତ୍ । ବାମନ କଦଳୀଗଛଗୁଡିକରେ ଡେଙ୍ଗା କିସମ ଅପେକ୍ଷା ଦୁଇ ତିନି ମାସ ପୂର୍ବରୁ କାନ୍ଧି ଆସେ । କାନ୍ଧିର ଓଜନ କିସମ ଅନୁଯାୟୀ ୧୨ ରୁ ୨୦ କେଜି ପର୍ଯ୍ୟନ୍ତ ହୋଇଥାଏ । କଦଳୀ ପଚାଇବା ବିଧି କଦଳୀ କାନ୍ଧିଗୁଡିକ ତିନି ଚତୁର୍ଥାଂଶ ପାକଲା ହୋଇଗଲେ ଅମଳ କରାଯାଏ । ପ୍ରତି କାନ୍ଧିକୁ କଦଳୀ ପତ୍ରରେ ଗୁଡାଇ ଦୂରଦୂରାନ୍ତକୁ ଚାଲାଣ କରାଯାଏ । ଏହା ଦ୍ଵାରା କାନ୍ଧିଗୁଡିକ ଆଠ ଦଶ ଦିନ ପର୍ଯ୍ୟନ୍ତ ନପାଚି କଞ୍ଚା ରହିଥାଏ । ଶୀଘ୍ର ପାଚିବା ଆବଶ୍ୟକ ଥିଲେ ଇଥ୍ରେଲ ବ୍ୟବହାର କରାଯାଏ । କଦଳୀ ପାଚିବାକୁ ଇଥିଲିନ ଗ୍ୟାସ ତ୍ୱରାନ୍ୱିତ କରେ । କାନ୍ଧିକୁ କାଲସିୟମ କାର୍ବାଇଡ ପାଣିରେ ଭିଯାଇ ବା ଓଦା ଅଖାରେ ଗୁଡାଇ ରଖିଲେ ସେଥିରୁ ଇଥିଲିନ ଗ୍ୟାସ ନିର୍ଗତ ହୋଇ କଦଳୀକୁ ଶୀଘ୍ର ପାଚିବାରେ ସାହାଯ୍ୟ କରେ । ଆଧାର – ଓଡିଶା ଜଳବିଭାଜିକା ଉନ୍ନୟନ ମିଶନ