ପ୍ରାଧାନ୍ୟ ଅମୃତଭଣ୍ଡା ଗୋଟିଏ ସ୍ୱଳ୍ପଦିନିଆ ଉପାଦେୟ ଫଳ । ଏହା ଯେପରି ସୁସ୍ଵାଦୁ ସେହିପରି ଶରୀର ପାଇଁ ହିତକାରୀ । ଏହା ପେଟ ବେମାର ରୋଗରେ ଔଷଧ ଭଳି କାର୍ଯ୍ୟ କରେ । ଖାଦ୍ୟ ହଜମ ବିଶେଷତଃ ପୁଷ୍ଟିସାର ଖାଦ୍ୟ ହଜମରେ ସାହାଯ୍ୟ କରେ । କୋଷ୍ଠକାଠିନ୍ୟ ଦୂର କରେ । ପାଚିଲା ଫଳରେ ପ୍ରଚୁର ପରିମାଣର ଖାଦ୍ୟ ପ୍ରାଣ ‘କ’ ରହିଛି । ଜଳବାୟୁ ଓ ମୃର୍ତ୍ତିକା ଅମୃତଭଣ୍ଡା ଏକ ନାତିଶୀତୋଷ୍ଣ ମଣ୍ଡଳୀୟ ଫଳ । ସମୁଦ୍ର ପତ୍ତନ ଠାରୁ ୩ ହଜାର ଫୁଟ ମଧ୍ୟରେ ଏହାର ଚାଷ କରାଯାଇପାରେ । ଉଷ୍ମ ଏବଂ ଆର୍ଦ୍ର ଜଳବାୟୁରେ ଏହା ଭଲ ଅମଳ ଦେଇଥାଏ । ଅମୃତଭଣ୍ଡା ଫସଲ ସବୁପ୍ରକାର ନିଗିଡା ମାଟିରେ ଚାଷ କରାଯାଇପାରେ । ମାଟିରେ ଅଧିକ ସମୟ ଜଳ ଜମି ରହିଲେ ଛେରା ସଢିଯାଏ । ପତ୍ର ହଳଦିଆ ପଡି ଗଛ ଝାଉଂଳି ମରିଯାଏ । ପାର୍ବତ୍ୟ ଅଞ୍ଚଳରେ ଜଳ ନିଷ୍କାସନ ଭଲ ହୋଇ ପାରୁଥିବା ହେତୁ ସେଠାରେ ଅମୃତଭଣ୍ଡା ଭଲ ଫଳେ । ଉନ୍ନତ କିସମ ଉନ୍ନତ କିସମଗୁଡିକ ହେଲା ହନିଡିଉ, ୱାସିଙ୍ଗଟନ, କୋଏମ୍ବାଟୁର୧, ୨, ୩, ୪, ୫; କୁର୍ଗ ହନିଡିଉ, ପୁସା ଡେଲିସିୟମ, ପୁସା ମାଜେଷ୍ଟିକ, ପୁସା ଜିଆଣ୍ଟ ଇତ୍ୟାଦି । ଅମୃତଭଣ୍ଡାରେ ଲିଙ୍ଗୀୟ ବ୍ୟବସ୍ଥା ଅମୃତଭଣ୍ଡାରେ ବିଭିନ୍ନ ପ୍ରକାର ଲିଙ୍ଗୀୟ ବର୍ଗ ଦେଖାଯାଏ । ସେଗୁଡିକ ହେଲା ଅଣ୍ଡିରା, ମାଈ ଓ ଉଭୟଲିଙ୍ଗୀ ଇତ୍ୟାଦି । ଛଡ଼ା ଅବସ୍ଥାରେ ବିଭିନ୍ନ ବର୍ଗର ଗଛକୁ ଚିହ୍ନିବା ସହଜ ନୁହେଁ । ଏଣୁ ଚାରା ଲଗାଯିବା ବେଳେ ଦୁଇରୁ ତିନୋଟି ଚାରା ପ୍ରତି ଗାତରେ ଲଗାଯାଏ । ଫୁଲ ଆସିବା ପରେ ଗୋଟିଏ ମାଈ କିମ୍ବା ଗୋଟିଏ ଅଣ୍ଡିରା ଗଛ ରଖି ଅନ୍ୟ ଗଛଗୁଡିକୁ ଉପାଡି ଦିଆଯାଏ । ପରାଗସଂଗମ ପାଇଁ ଜମିରେ ନଅଟି ମାଈ ଗଛ ସହିତ ଗୋଟିଏ ଅଣ୍ଡିରା ଗଛ ରଖାଯାଏ । କୁର୍ଗ ହନିଡିଉ ଏକ ଉନ୍ନତ କିସମ, ଯେଉଁଥିରେ ଅଧିକ ମାଈ ବା ଉଭୟଲିଙ୍ଗୀ ଗଛ ଦେଖାଯାଏ ତେଣୁ, ସବୁ ଗଛରେ ଫଳ ହୁଏ । ଜମି ପ୍ରସ୍ତୁତି ଅମୃତଭଣ୍ଡା ଚାଷ ପାଇଁ ଜମିକୁ ତିନିରୁ ଚାରି ଓଡ ଚାଷ କରାଯାଏ । ଗେଡା ଗଛ ପାଇଁ ୬ ଫୁଟ ବ୍ୟବଧାନରେ ଏବଂ ଡେଙ୍ଗା ଗଛ ପାଇଁ ୮ ଫୁଟ ଦୂରତାରେ ଗାତ ଖୋଳାଯାଇ ଚାରା ଲଗାଯାଏ । ଗାତର ଆକାର ଦେଢ ଫୁଟ (ଲମ୍ବା, ଓସାର, ଗଭୀରତା) କରାଯାଏ । ଗାତରେ ଏକ ଝୁଡି ସଢା ଗୋବରଖତ ସହିତ ୨୫୦ ଗ୍ରାମ୍ ସୁପରଫସଫେଟ୍, ୨୫୦ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ମିଶାଇ ପୂରଣ କରାଯାଏ । ଚାରା ପ୍ରସ୍ତୁତି ପାଚିଲା ଫଳରୁ ବିହନ ସଂଗ୍ରହ କରାଯାଇ ଛାଇରେ ଶୁଖାଇ ସଙ୍ଗେ ସଙ୍ଗେ ଲଗାଇଲେ ଭଲ ଚାରା ହୁଏ । ମଞ୍ଜି ୬ ମାସ ଭିତରେ ନଷ୍ଟ ହୋଇଯାଏ । ପଲିଥିନ ମୁଣିରେ ଗୁଣ୍ଡା ଖତ ଓ ମାଟିର ମିଶ୍ରଣ ପୂର୍ଣ୍ଣ କରି ସେଥିରେ ବିହନ ଲଗାଇ ଚାରା କରାଯାଏ କିମ୍ବା ତାଳି ଘରାରେ ତାଳି ପକାଇ ମାସିକିଆ ସାହି ଚାରାକୁ ପଲିଥିନ ମୁଣିରେ ଲଗାଇ ସାତ ଆଠ ପତ୍ର ହେବା ପରେ ଜମିରେ ଲଗାଯାଏ । ପ୍ରତି ଗାତରେ ୨ରୁ ୩ଟି ଚାରା ଲଗାଯାଏ । ପରବର୍ତ୍ତୀ ଅବସ୍ଥାରେ ଅଦରକାରୀ ଅଣ୍ଡିରା ଗଛକୁ କାଟି ଗୋଟିଏ ରଖାଯାଏ । ଏକ ଏକର ଚାଷ ପାଇଁ ୨୦୦ ଗ୍ରାମ୍ ବିହନ ଆବଶ୍ୟକ ପଡିଥାଏ । ଚାରା ରୋପଣର ସମୟ ଓ ପ୍ରଣାଳୀ ଅମୃତଭଣ୍ଡା ଖରାଦିନ ଛାଡି ସବୁ ସମୟରେ ଲଗାଯାଇପାରେ । ସାଧାରଣତଃ ଜୁଲାଇରୁ ଅକ୍ଟୋବର ଏବଂ ଫେବୃୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ଚାରା ଲଗାଯାଏ । ଚାରା ଲଗାଯିବା ପରେ ଆବଶ୍ୟକ ପଡିଲେ ଚାରାକୁ ସିଧା ରଖିବା ପାଇଁ ଖଣ୍ଡିଏ କାଠି ପୋତି ବାନ୍ଧି ଦିଆଯାଏ । ଚାରା ଲଗାଇବା ବେଳେ କେତୋଟି ପୁରୁଣା ପତ୍ର ଛିଣ୍ଡାଇ ଦିଆଯାଏ । ଅନ୍ତଃଫସଲ କୋଡାଖୁସା କରି ଘାସ ସଫା କରାଯାଏ ଏବଂ ମୂଳକୁ ମାଟି ଟେକି ଦିଆଯାଏ । ଫୁଲ ଆସିବା ପରେ ପ୍ରତି ଗାତରେ ଗୋଟିଏ ଗଛ ରଖାଯାଏ, ଯେପରି ପ୍ରତି ୯ଟି ମାଈଗଛ ପିଛା ଗୋଟିଏ ଅଣ୍ଡିରା ଗଛ ରହିପାରିବ । ଜଳସେଚନ ଅମୃତଭଣ୍ଡା ଥରେ ଲଗାଇଲେ ୩ ବର୍ଷ ଯାଏଁ ଫଳ ଅମଳ କରାଯାଏ । ଖରା ଓ ଶୀତ ଦିନରେ ମାଟିର ଆର୍ଦ୍ରତାକୁ ଅନୁଧ୍ୟାନ କରି ଜଳସେଚନ କରାଯିବା ଆବଶ୍ୟକ । ଗଛ ମୂଳରେ ଯେପରି ପାଣି ନ’ ଜମେ ସେଥିପାଇଁ ଦୃଷ୍ଟି ଦେବା ଆବଶ୍ୟକ । ଗଛମୂଳରେ ପାଣି ଜମିଲେ ଗଛ ପଚି ମରିଯାଏ । ଖତ ଓ ସାର ଗାଁ ଗହଳିରେ କେବଳ ଖତ ପ୍ରୟୋଗ କରି ଅମୃତଭଣ୍ଡା ଚାଷ କରାଯାଇପାରିବ । ଏଥିପାଇଁ ଗଛ ପିଛା ଦୁଇ ଚାରି ଝୁଡି ସଢା ଗୋବରଖତ ପ୍ରୟୋଗ କରାଯାଏ । ଦରକାର ପଡିଲେ ଜୈବିକ ଖତସାର ପ୍ରୟୋଗ କରାଯାଇପାରେ । ଅନୁର୍ବର ମାଟିରେ ପ୍ରତି ତିନି ମାସ ବ୍ୟବଧାନରେ ଗଛ ପ୍ରତି ୯୦ ଗ୍ରାମ୍ ୟୁରିଆ, ୨୫୦ ଗ୍ରାମ୍ ସିଙ୍ଗଲ ସୁପରଫସଫେଟ୍ ଏବଂ ୧୪୦ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ପ୍ରୟୋଗ କରିବା ଦରକାର । ରୋଗ ଓ ପୋକ କୋଲାର ରଟ୍, ଆନ୍ଥ୍ରାକନୋଜ ପ୍ରଭୃତି କେତେକ ରୋଗ ଅମୃତଭଣ୍ଡା ଗଛରେ ଦେଖାଯାଏ । ଏହାକୁ ଦମନ କରିବାକୁ ହେଲେ ନିମ୍ନଲିଖିତ ପଦକ୍ଷେପଗୁଡିକୁ ଗ୍ରହଣ କରିବାକୁ ପଡେ । ଗଛରେ୧% ବୋର୍ଡର ମିଶ୍ରଣ ସିଞ୍ଚନ କରନ୍ତୁ କିମ୍ବା ଏକର ପିଛା ଏକ କିଲୋ ଟ୍ରାଇକୋଡର୍ମା କଲଚର ପ୍ରୟୋଗ କରନ୍ତୁ । ଏଣ୍ଡୋଫିଲ ଏମ୍ – ୪୫ ଗୁଣ୍ଡ ୮୦୦ ଗ୍ରାମ୍ କୁ ୨୦୦ ଲିଟର ପାଣିରେ ମିଶାଇ ଗୋଟିଏ ଏକରରେ ସିଞ୍ଚନ କରନ୍ତୁ । ବାଭିଷ୍ଟିନ ୨୦୦ ଗ୍ରାମ୍ ସିଞ୍ଚନ କଲେ ଭଲ ଫଳ ମିଳିଥାଏ । ଅମୃତଭଣ୍ଡାରେ ମୋଜାଇକ ଭୂତାଣୁ ରୋଗ ଲାଗିଲେ ପତ୍ରଗୁଡିକ ଫିକା ହଳଦିଆ ପଡି ମୋଚା ହୋଇଯାଏ । ବିଶେଷ କ୍ଷେତ୍ରରେ ଗଛର ଅଗ୍ରଭାଗ ଆଉ ବଢେ ନାହିଁ । ଫୁଲଫଳ ଧରେ ନାହିଁ । ଏହି ରୋଗ ଦେଖା ଦେଲେ ଗଛକୁ ଉପାଡି ଦୂରକୁ ଫିଙ୍ଗା ଦିଆଯାଏ କିମ୍ବା ମାଟିରେ ପୋତି ଦିଆଯାଏ । କୀଟମାନଙ୍କ ଦ୍ଵାରା ଏହି ରୋଗ ସଂକ୍ରମିତ ହେଉଥିବାରୁ ଆଗରୁ ବର୍ଣ୍ଣିତ ପ୍ରଣାଳୀରେ କୀଟ ଦମନ କରାଯାଏ । ଅମଳ ଗଛ ଲଗାଇବାର ନଅ ଦଶ ମାସ ପରେ ଅମଳ ଆରମ୍ଭ ହୁଏ । ଠିକ୍ ଭାବରେ ପରିଚାଳନା କଲେ ଗଛଗୁଡିକ ତିନିବର୍ଷ ପର୍ଯ୍ୟନ୍ତ ଅମଳ ଦେଇଥାଆନ୍ତି । ସଙ୍କର ଜାତୀୟ ଗେଡାଗଛଗୁଡିକ ଗୋଟିଏ ବର୍ଷ ପରେ ଭଲ ଅମଳ ଦିଅନ୍ତି ନାହିଁ । ପାର୍ବତ୍ୟ ଅଞ୍ଚଳରେ ଡେଙ୍ଗା ଗଛଗୁଡିକ ପାଞ୍ଚ ଦଶ ବର୍ଷ ପର୍ଯ୍ୟନ୍ତ ଅମଳ ଦିଅନ୍ତି । ବର୍ଷକୁ ଗୋଟିଏ ଗଛ ସାଧାରଣ ଭାବେ ୫୦ରୁ ୭୫ କେଜି ଫଳ ଅମଳ ଦେଇଥାଏ । ପ୍ୟାକିଙ୍ଗ ତରକାରୀ ପାଇଁ ଟୋଲାଯାଇଥିବା ଅମୃତଭଣ୍ଡାକୁ ଯତ୍ନର ସହିତ ଅଖାରେ ଭର୍ତ୍ତି କରି ବଜାରକୁ ପଠାଯାଏ । ବଜାରକୁ ପଠାଇବା ସମୟରେ ଫଳଗୁଡିକ ଯେପରି ଘଷି ହୋଇ କଳା ପଡିନ’ ଯାଏ ସେଥିପ୍ରତି ଧ୍ୟାନ ଦେବାକୁ ପଡେ । ପନିପରିବା ପାଇଁ ଅମୃତଭଣ୍ଡା ଚାଷ କଲେ ବଜାର ଠାରୁ ଅଳ୍ପ ଦୂରରେ ଅମୃତଭଣ୍ଡା ଚାଷ କରିବା ଦରକାର । ପାଚିଲା ଫଳ ପାଇଁ ଫଳର ରଙ୍ଗ ବଦଳିବା ଆରମ୍ଭ ହେଲେ ଗଛରୁ ତୋଳାଜାଏ । ଫଳଗୁଡିକୁ ଯତ୍ନର ସହିତ କାଗଜରେ ଗୁଡାଇ ଝୁଡିରେ ଭର୍ତ୍ତି କରି ଦୂରଦୂରାନ୍ତକୁ ପଠାଯାଏ । ପାପିନ ସଂଗ୍ରହ ପାପିନ ସଂଗ୍ରହ ପାଇଁ ଫଳଗୁଡିକୁ ତିନିଭାଗ ପାକଳ ହୋଇଗଲେ ସଂଗ୍ରହ କରାଯାଏ । ଫଳର ଉପରୁ ତଳକୁ ଷ୍ଟେନଲେସ୍ ଷ୍ଟିଲ ଛୁରୀରେ ଦୁଇ ତିନୋଟି ସ୍ଥାନରେ ଅଳ୍ପ କାଟି ଦିଆଯାଏ । କଟା ଯାଇଥିବା ସ୍ଥାନରୁ କ୍ଷୀରସବୁ ବାହାରିଥାଏ । ଏବଂ ତଳେ ଲଗାଯାଇଥିବା ଟ୍ରେରେ ସଂଗୃହୀତ ହୁଏ । ଏହି କ୍ଷୀରରେ ପବନ ବାଜିଲେ କଠିନ ହୁଏ । ତାହାକୁ ଘର ଭିତରେ ଛାଇରେ ଶୁଖାଇ ସୁକ୍ରୋଜ ଏବଂ ପଟାସିୟମ ମେଟୋବାଇସଲଫାଇଡ ମିଶାଇ ପ୍ୟାକିଂ କରାଯାଏ । ଏହି ପାପିନ ଔଷଧ ତିଆରି କମ୍ପାନୀମାନଙ୍କୁ ହଜମି ଔଷଧ ତିଆରି କରିବା ପାଇଁ ବିକ୍ରୀ କରାଯାଏ । ଆଧାର – ଓଡିଶା ଜଳବିଭାଜିକା ଉନ୍ନୟନ ମିଶନ