ପ୍ରାଣୀମାନଙ୍କ ପରି ଉଦ୍ଭିଦ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ନୁହେଁ । ଉଦ୍ଭିଦ କେତେକ ମୌଳିକ ଉପାଦାନକୁ ବ୍ୟବହାର କରି ନିଜର ଖାଦ୍ୟ ପ୍ରସ୍ତୁତ କରିପାରେ । ଚେର ଓ ପତ୍ରଛିଦ୍ର ମାଧ୍ୟମରେ ଉଦ୍ଭିଦ ମୃତ୍ତିକା ତଥା ବାୟୁରୁ ଅନେକ ମୌଳିକ ଉପାଦାନ ଗ୍ରହଣ କରେ । କିନ୍ତୁ ସେ ସବୁଗୁଡିକ ଉପାଦାନ ଖାଦ୍ୟ ପ୍ରସ୍ତୁତି ପାଇଁ ଏକାନ୍ତ ଅପରିହାର୍ଯ୍ୟ ବା ଅତ୍ୟାବଶ୍ୟକ ନୁହଁନ୍ତି । ଉଦ୍ଭିଦର ଆବଶ୍ୟକ ଉପାଦାନ ଯେଉଁ ମୌଳିକ ଉପାଦାନଖାଦ୍ୟ ପ୍ରସ୍ତୁତିରେ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ, ଅନ୍ୟ କୌଣସି ମୌଳିକ ଊପାଦାନ ତାହାର ଅପରିହାର୍ଯ୍ୟତା ପୂରଣ କରିପାରେ ନାହିଁ ଏବଂ ଯେଉଁ ମୌଳିକ ଉପାଦାନ ନମିଳିଲେ ଉଦ୍ଭିଦ ତା’ର ଜୀବନ ଚକ୍ର ସମ୍ପୂର୍ଣ୍ଣ କରିବା ସମ୍ଭବ ହୁଏନାହିଁ, ସେହି ମୌଳିକ ଉପାଦାନକୁ ଅତ୍ୟାବଶ୍ୟକ ଉପାଦାନ କୁହାଯାଏ । ଆଜି ପର୍ଯ୍ୟନ୍ତ ଗବେଷଣା ଦ୍ଵାରା ଜଣାଯାଇଛି ଯେ ୧୭ଟି ମୌଳିକ ଉପାଦାନ ଉଦ୍ଭିଦ ଜୀବନଧାରଣ ପାଇଁ ଅତ୍ୟାବଶ୍ୟକ । ସେଥିମଧ୍ୟରୁ ଉଦଜାନ ଅମ୍ଳଜାନ ଏବଂ ଅଙ୍ଗାରକ ଏହି ତିନୋଟି ମୌଳିକ ଉପାଦାନ ଉଦ୍ଭିଦ ଜଳ ଏବଂ ବାୟୁରୁ ଗ୍ରହଣ କରେ । ସେଗୁଡିକୁ ଉଦ୍ଭିଦ ଖାଦ୍ୟସାର କୁହାଯାଏ । ଉଦ୍ଭିଦ ଖାଦ୍ୟସାର ମାନଙ୍କ ମଧ୍ୟରୁ ଯେଉଁ ଗୁଡିକ ଅଧିକ ପରିମାଣରେ ଆବଶ୍ୟକ ହୁଏ ସେଗୁଡିକୁ ସ୍ଥୂଳ ପୋଷକତ୍ତ୍ଵ ବା ଖାଦ୍ୟସାର ଏବଂ ମୁଖ୍ୟ ଉପାଦାନ କୁହାଯାଏ । ସେଗୁଡିକ ହେଲା - ଯବକ୍ଷାରଜାନ, ଫସଫରସ୍, ପୋଟାସିୟମ, କ୍ୟାଲସିୟମ, ମାଗ୍ନେସିଅମ ଏବଂ ଗନ୍ଧକ । ଯେଉଁ ଖାଦ୍ୟ ଉପାଦାନ ଗୁଡିକଅତି ଅଳ୍ପ ପରିମାଣରେ ଆବଶ୍ୟକ ହୁଏ ସେଗୁଡିକୁ ସୂକ୍ଷ୍ମ ପୋଷାକ ତତ୍ତ୍ଵ ବା ସୂକ୍ଷ୍ମ ଖାଦ୍ୟସାର ଏବଂ ଲଘୁ ଉପାଦାନ ବା ସାମାନ୍ୟ ଉପାଦାନ କୁହାଯାଏ । ସେଗୁଡିକ ହେଲା – ଲୌହ, ଅଭ୍ର ବା ମାଙ୍ଗାନିଜ, ଦସ୍ତା, ତମ୍ବା, ଟାଙ୍ଗଣ ବା ବୋରନ, ମଲିବଡେନମ, କ୍ଳୋରିନ ଏବଂ କୋବାଲଟ୍ । ଅଳ୍ପ ପରିମାଣରେ ଆବଶ୍ୟକ ହେଉଥିଲେ ମଧ୍ୟ ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି ଜୀବନଧାରଣ ପାଇଁ ଏଗୁଡିକ ମୁଖ୍ୟ ଉପାଦାନ ଭଳି ଏକାନ୍ତ ଅପରିହାର୍ଯ୍ୟ । ପ୍ରାଥମିକ ଖାଦ୍ୟସାର ଯବକ୍ଷାରଜାନ, ଫସଫରସ୍ ଏବଂ ପୋଟାସିୟମ ଏହି ତିନୋଟି ଖାଦ୍ୟସାର ଫସଲ ବୃଦ୍ଧିପାଇଁ ଅଧିକ ପରିମାଣରେ ମୃତ୍ତିକାରୁ ମିଳିବା ଆବଶ୍ୟକ । କିନ୍ତୁ ଅଧିକାଂଶ ମୃତ୍ତିକାରୁ ଫସଲକୁ ଏହା ଯଥେଷ୍ଟ ପରିମାଣରେ ମିଳେ ନାହିଁ । ତେଣୁ ଖତ ଓ ସାର ଭଲ ଭାବରେ ପ୍ରୟୋଗ କରି ଫସଲ ଉତ୍ପାଦନ ବଢାଇବା ପାଇଁ ପ୍ରାଥମିକ ଗୁରୁତ୍ଵ ଆରୋପ କରାଯାଏ । ଏଗୁଡ଼ିକୁ ଖାଦ୍ୟସାର କୁହାଯାଏ । ଗୌଣ ଖାଦ୍ୟସାର କ୍ୟାଲସିୟମ, ମାଗ୍ନେସିଅମ, ଓ ଗନ୍ଧକ ଏହି ତିନୋଟି ଖାଦ୍ୟସାର ଯଦିଓ ଅଧିକ ପରିମାଣରେ ଆବଶ୍ୟକ ହୁଏ, ତଥାପି ସବୁ କ୍ଷେତ୍ରରେ ସାର ଆକାରରେ ପ୍ରୟୋଗ କରାଯାଏ ନାହିଁ । କାରଣ ଅଧିକାଂଶ ମୃତ୍ତିକାରୁ ଫସଲ ବୃଦ୍ଧି ଯଥେଷ୍ଟ ପରିମାଣରେ ମିଳେ। କେତେକ ନିର୍ଦ୍ଧିଷ୍ଟ ମୃତ୍ତିକା ଶୋଧକ ବା ସାର ଆକାରରେ ପ୍ରୟୋଗ କରିବା ଆବଶ୍ୟକ ପଡେ । ତେଣୁ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ଗୁରୁତ୍ଵ ଦୃଷ୍ଟିରୁ ସେଗୁଡିକୁ ଗୌଣ ଖାଦ୍ୟସାର କୁହାଯାଏ। ଖାଦ୍ୟସାର ଗୁଡିକର ଭୂମିକା ଏବଂ ଅଭାବ ଜନିତ ଲକ୍ଷଣ ପ୍ରତ୍ୟକ ଖାଦ୍ୟସାରର ଉଦ୍ଭିଦ ଶରୀର ପୁଷ୍ଟି ପାଇଁ ନିର୍ଦ୍ଧିଷ୍ଟ ଭୂମିକା ରହିଛି, ତାହା ପ୍ରସ୍ତୁତି ପାଇଁ ହେଉ ବା ଅଙ୍ଗପ୍ରତ୍ୟଙ୍ଗ ଗଠନ ପାଇଁ ହେଉ । ଏଠାରେ ମୁଖ୍ୟ ଭୂମିକା ସଂକ୍ଷେପରେ ବର୍ଣ୍ଣନା କରାଯାଇଛି । ଯବକ୍ଷାରଜାନ ଏହା ହରିତ୍ କଣିକା ଗଠନ ପାଇଁ ଗୋଟିଏ ଉପାଦାନ । ତେଣୁ ଆଲୋକ ସଂଶ୍ଳେଷଣ ପାଇଁ ଆବଶ୍ୟକ । ଆମିନୋ ଏସିଡ୍ ଏବଂ ପୁଷ୍ଟିସାର ଖାଦ୍ୟ ପ୍ରସ୍ତୁତ ପାଇଁ ଆବଶ୍ୟକ । ଶରୀର ବୃଦ୍ଧି ପାଇଁ ନୂଆକୋଷ ସୃଷ୍ଟି ପାଇଁ ପୁଷ୍ଟିସାର ଆବଶ୍ୟକ । ଏଣୁ ଶରୀର ବୃଦ୍ଧିପାଇଁ ଯବକ୍ଷାରଜାନ ଆବଶ୍ୟକ । ଉଦ୍ଭିଦ ଶରୀରରେ ଥିବା ସବୁପ୍ରକାର ପାଚକ ରସ ପ୍ରସ୍ତୁତି ପାଇଁ ପୁଷ୍ଟିସାର ଗୋଟିଏ ଉପାଦାନ। ଉପରୋକ୍ତ ଭୂମିକା ଦୃଷ୍ଟିରୁ ସବୁପ୍ରକାର ଖାଦ୍ୟ ପ୍ରସ୍ତୁତ ଓ ଶରୀର ଅଭିବୃଦ୍ଧି ପାଇଁ ଯବକ୍ଷାର ଉପାଦାନ ଆବଶ୍ୟକ । ଫସଫରସ୍ ଅଙ୍କୁରୋଦଗମ ପରେ ଚେରର ବୃଦ୍ଧି ଓ ସଂପ୍ରସାରଣ ପାଇଁ ଏହି ଉପାଦାନ ଆବଶ୍ୟକ । ଏହା ଫଳରେ ଚାରାଗଛ ପ୍ରଥମରୁ ବଳୁଆ ହୋଇ ଶୀଘ୍ର ବଢେ । ସୂର୍ଯ୍ୟରଶ୍ମିରୁ ହରିତ୍ କଣିକା ଦ୍ଵାରା ତାପଶକ୍ତି ଆହରଣ ଓ ଏହାର ଉପଯୋଗ ପାଇଁ ଯେଉଁ ADP ଏବଂ ATP ମୁଖ୍ୟ ଭୂମିକା ଗ୍ରହଣ କରେ, ଫସଫରସ୍ ତାହାର ଏକ ଉପାଦାନ । ତେଣୁ ପ୍ରତ୍ୟକ କୋଷର ଜୀବନୀ ଶକ୍ତିର ମୂଳଭିତ୍ତି । ଶିମ୍ବ ଜାତୀୟ ଫସଲରେ ଯବକ୍ଷାର ଆତ୍ମିକରଣ ଏବଂ ମଞ୍ଜିଦାନା ହୃଷ୍ଟପୁଷ୍ଟ ହେବା ପାଇଁ ଏହା ପ୍ରୟୋଜନ । ଉଦ୍ଭିଦ ଶରୀରରେ ଜୈବ ଓ ଅଜୈବ ଅମ୍ଳଗୁଡିକର ମାତ୍ରା କମାଇବା ପାଇଁ ଏହା ଆବଶ୍ୟକ। ମାଗ୍ନେସିଅମ ଏହା ପତ୍ରହରିତ କଣିକାର ଗୋଟିଏ ଉପାଦାନ ତେଣୁ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ସହିତ ସଂପୃକ୍ତ । ଚେରରୁ ପତ୍ରକୁ ଫସଫରସ୍ ଉପାଦାନର ସ୍ଥାନାନ୍ତରଣ ଏବଂ ବିଭିନ୍ନ ଫସଫେଟ୍ ଯୁକ୍ତ ପାଚକ ରସ ତିଆରିରେ ଏହା ସଂପୃକ୍ତ । ଉଦ୍ଭିଦ ମଧ୍ୟରେ ଅତ୍ୟାବଶ୍ୟକ ଜୈବ ଅମ୍ଳ ପ୍ରସ୍ତୁତିରେ ଏହା ଆବଶ୍ୟକ ହୁଏ । ଗନ୍ଧକ ଏହା ସିଷ୍ଟିନ, ସିଷ୍ଟେଇନ, ମେଥିଓନିନ ପ୍ରଭୃତି ଅତ୍ୟାବଶ୍ୟକ ଆମିନୋ ଏସିଡ ଏବଂ ପୁଷ୍ଟିସାର ଗଠନ ପାଇଁ ଆବଶ୍ୟକ । ଯବକ୍ଷାର ନିବନ୍ଧନ ପରେ ତାହାକୁ ପୁଷ୍ଟିସାରରେ ପରିଣତ କରିବା ପାଇଁ ଗନ୍ଧକ ପ୍ରୟୋଜନ । ତେଣୁ ଯବକ୍ଷାର ନିବନ୍ଧନ ପ୍ରକ୍ରିୟା ସହିତ ଏହାକୁ ଜଡିତ କରାଯାଇଛି । କେତେକ ଭିଟାମିନ ଯଥା ବାୟୋଟିନ, ଥାୟୋମିନ ପ୍ରଭୃତି ସଂଶ୍ଳେଷଣ ପାଇଁ ଗନ୍ଧକ ଗୋଟିଏ ଉପାଦାନ। ଉଦ୍ଭିଦ କାଣ୍ଡର ମଞ୍ଜଟିସୁ ଗଠନ ସହିତ ଏହା ସଂପୃକ୍ତ । ଲୌହ, ମାଙ୍ଗାନିଜ,ଦସ୍ତା ଓ ତମ୍ବା ଉପରୋକ୍ତ ଧାତବ ଉପାଦାନଗୁଡିକ ଉଦ୍ଭିଦ ଶରୀରରେ କାରଣ – ବିଜାରଣ ପ୍ରକ୍ରିୟା ସହିତ ସଂପୃକ୍ତ ପାଚକ ରସ ଗୁଡିକର ସକ୍ରିୟକ ଭାବରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଲୌହ, ତମ୍ବା ଏବଂ ଦସ୍ତା କେତେକ ଭିଟାମିନ, ବୃଦ୍ଧି ଉଦ୍ଦୀପକ ପ୍ରଭୃତିର ସଂଶ୍ଳେଷଣ ସହିତ ସଂପୃକ୍ତ । ଉଦ୍ଭିଦ ଶରୀରରେ ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର ପ୍ରଭୃତି ଖାଦ୍ୟର ସଂଶ୍ଳେଷଣ ଏବଂ ବିପଚନ ପ୍ରକ୍ରିୟାରେ ସଂପୃକ୍ତ ଥିବା ଅଧିକାଂଶ ପାଚକ ରସର ସକାରକ ଭାବରେ କାର୍ଯ୍ୟ କରନ୍ତି । ଲୌହ ଏବଂ ମାଙ୍ଗାନିଜ ହରିତ୍ କଣିକା ଗଠନ ଓ ଏହାର ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ସହିତ ସଂପୃକ୍ତ । ବୋରନ୍ ଉର୍ଦ୍ଧ୍ଵବାହୀ ଟିସୁ ଅଭିବୃଦ୍ଧି ପାଇଁ ଏହି ଉପାଦାନ ଆବଶ୍ୟକ । ଶ୍ଵେତସାର ଖାଦ୍ୟର ସ୍ଥାନାନ୍ତରୀକଣ ଓ ପରିବହନରେ ଏହାର ଭୂମିକା ଥିବାର ଜଣାଯାଇଛି । ଭିତ୍ତି ଓ କୋଷର ଜଳୀୟ ପଦାର୍ଥ ସଂରକ୍ଷଣରେ ଏହା ସହାୟତା କରେ । ପରାଗରେଣୁର ପରାଗ ସଙ୍ଗମ ଶକ୍ତିର ସୁରକ୍ଷା ପାଇଁ ଏହି ଉପାଦାନ ଆବଶ୍ୟକ । ଉଦ୍ଭିଦ ଶରୀରରେ ଫିନୋଲିନ ଏସିଡ ଜମିଯିବାକୁ ଏହା ପ୍ରତିରୋଧ କରେ । ମଲିବଡେନମ୍ ଉଦ୍ଭିଦ ଶରୀରରେ ନାଇଟ୍ରେଟ ବିଜାରଣକାରୀ ପାଚକରସର ଏହା ଗୋଟିଏ ଉପାଦାନ । ତେଣୁ ଯବକ୍ଷାର ଆତ୍ମିକରଣ ଓ ପରିପାକ ପ୍ରକ୍ରିୟାରେ ଏହାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଅଣୁଜୀବମାନଙ୍କ ଦ୍ଵାରା ଯବକ୍ଷାର ନିବନ୍ଧନ କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ନାଇଟ୍ରୋଜେନ ପାଚକ ରସର ଏହା ଗୋଟିଏ ଉପାଦାନ । ଆଲୋକ ସଂଶ୍ଳେଷଣ ଏବଂ ଶ୍ଵେତସାର ପରିପାକ ପ୍ରକ୍ରିୟାରେ ଏହାର ଭୂମିକା ଥିବାର ଜଣାଯାଇଛି । କୋବାଲଟ୍ ଏହା ଭିଟାମିନ - ର ଏକ ଉପାଦାନ । ଶାକାଣୁ ଗୁଟିକାରେ ଯବକ୍ଷାର ନିବନ୍ଧନ ପାଇଁ ପ୍ରୟୋଜନ ହେଉଥିବା ଲେଗହେମୋଗ୍ଲୋବିନ ତିଆରି ପାଇଁ ଭିଟାମିନ - ଆବଶ୍ୟକ । ତେଣୁ ସହଜୀବି ଯବକ୍ଷାର ନିବନ୍ଧନ ପାଇଁ କୋବାଲଟ୍ ଆବଶ୍ୟକ । କେତେକ ପାଚକ ରସର ସକ୍ରିୟକ ଭାବରେ ଏହା କାର୍ଯ୍ୟ କରେ । କ୍ଲୋରିନ ପ୍ରାଥମିକ ଆଲୋକ ସଂଶ୍ଳେଷଣ ସମୟରେ ଅମ୍ଳଜାନ ନିର୍ଗମନ ପ୍ରକ୍ରିୟାରେ ଏହାର ଭୂମିକା ରହିଛି । ଅଧୋବାହୀ ଟିସୁରେ ତନ୍ତୁ ଗଠନ ପାଇଁ ଏହା ଆବଶ୍ୟକ । ସହାୟତାକାରୀ ଉପାଦାନ ସୋଡିଅମ, ସିଲିକନଏବଂ ଭାନାଡିୟମ ଉପାଦାନ ମଧ୍ୟ କେତେକ ନିର୍ଦ୍ଧିଷ୍ଟ ଉଦ୍ଭିଦର ଏକ ଅଣୁଜୀବମାନଙ୍କର ଅଭିବୃଦ୍ଧି ପାଇଁ ଆବଶ୍ୟକ । ଉଦାହରଣସ୍ୱରୂପ, ସିଲିକନ, ଧାନ, ଆଖୁ, ମକା, ଜଅ ପ୍ରଭୃତି ଗଛର ନଡା ଓ ପତ୍ରକୁ ଶକ୍ତ କରେ । ସୋଡିଅମ, ସୁଗାରବିଟ, କପା ପ୍ରଭୃତି ଗଛରେ ଲବଣ ସାନ୍ଧ୍ରତା ରକ୍ଷା କରେ । ଭାନାଡିୟମ କୋବାଲଟ୍ ଭଳି ଯବକ୍ଷାର ନିବନ୍ଧରେ ସହାୟତା କରେ । ତେଣୁ ଏହି ଉପାଦାନ ଗୁଡିକୁ “ସହାୟତାକାରୀ” ଉପାଦାନ କୁହାଯାଏ । ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ