କୌଣସି ଜମିରେ ବିଭିନ୍ନ ଫସଲର ଅଥବା ଫସଲ ଓ ପଡିଆର ପୌନଃ ପୌନିକ କ୍ରମାନ୍ଵୟ ଚାଷକୁ ଫସଲ ପର୍ଯ୍ୟାୟ କୁହାଯାଏ । ଫସଲ ପର୍ଯ୍ୟାୟ ପାଇଁ ଆବଶ୍ୟକତା ପର୍ଯ୍ୟାୟ କ୍ରମେ ଫସଲ ଚାଷ ପାଇଁ କେତେକ ଆବଶ୍ୟକତା ପୂରଣ କରିବା ଦରକାର । ଯେତେ ବର୍ଷିଆ ଫସଲ ପର୍ଯ୍ୟାୟ ଅବଲମ୍ବନ କରାଯିବା ବ୍ଲକ ବା କିଆରୀ ସଂଖ୍ୟା ସେତିକି ବା ତାର ଗୁଣିତକ ହେବା ଆବଶ୍ୟକ ଏବଂ କିଆରୀଗୁଡିକର କ୍ଷେତ୍ରଫଳ ସମାନ ହେବା ଆବଶ୍ୟକ । ପ୍ରତ୍ୟକ ବ୍ଲକ ବା କିଆରୀ ଅପେକ୍ଷାକୃତ ସମତଳ ହେବା ଉଚିତ ଏବଂ ଗୋଟିଏ ବ୍ଲକରେ ଥିବା ପ୍ରତ୍ୟକ କିଆରିସ୍ଥ ମୃତ୍ତିକାର ଭୌତିକ , ରାସାୟନିକ ଓ ଜୈବିକ ଧର୍ମ ଏବଂ ଉତ୍ପାଦନ କ୍ଷମତା ସମାନ ହେବା ଆବଶ୍ୟକ । ସବୁ କିଆରୀ ପାଇଁ ଜଳସେଚନ ଓ ନିଷ୍କାସନ ସୁବିଧା ସମାନ ରହିବା ଆବଶ୍ୟକ । ଫସଲ ପର୍ଯ୍ୟାୟରେ ପ୍ରତ୍ୟକ ଫସଲର କ୍ଷେତ୍ରଫଳ ସମାନ ରହେ । ଯଦି କୌଣସି ଗୌଣ ଫସଲକୁ ଅପେକ୍ଷାକୃତ କମ୍ ଜମିରେ ଚାଷ କରିବା ଦରକାର । ସେଥିପାଇଁ ଏପରି କିଆରୀ ବାଛିବାକୁ ହେବ ଯେପରି ମୁଖ୍ୟ ଫସଲ ପର୍ଯ୍ୟାୟ ପାଇଁ ଚାଷ ଏବଂ ଅନ୍ୟାନ୍ୟ କୃଷିକାର୍ଯ୍ୟ କରିବା ପାଇଁ କୌଣସି ଅସୁବିଧା ହେବନାହିଁ । ଆବଶ୍ୟକ ସ୍ଥଳେ ଫସଲ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ଫସଲ ବଦଳରେ ଅନ୍ୟ ଫସଲ ଚାଷ କରାଯାଇପାରୁଥିବ । ଏହି ସୁବିଧା ଥିଲେ କୌଣସି କାରଣରୁ ଗୋଟିଏ ଫସଲ ନଷ୍ଟ ହୋଇଗଲେ ତା ବଦଳରେ ଅନ୍ୟ ଏକ ଫସଲ ଚାଷ କରାଯାଇପାରିବ ଏବଂ କୌଣସି ଫସଲ ଅଧିକ ଲାଭଜନକ ହେଲେ ତାହାକୁ ଫସଲ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିହେବ । ଫସଲ ପର୍ଯ୍ୟାୟ ବିଧି ପର୍ଯ୍ୟାୟକ୍ରମେ ଚାଷ ପାଇଁ ଫସଲ ବାଛିବାବେଳେ ମୃତ୍ତିକା ପ୍ରକାର ଓ ଉର୍ବରତା, ସ୍ଥାନୀୟ ପାଣିପାଗ, ପାଖ ଜମିରେ ଚାଷ କରାଯାଉଥିବା ଫସଲ, କୃଷି ଉପକରଣର ସୁଲଭତା ଓ ଦର, ଫସଲକୁ ବିକ୍ରି କରିବା ପାଇଁ ସୁବିଧା ଅମଳ ପରବର୍ତ୍ତୀ ଯତ୍ନପାଇଁ ସୁବିଧା, କୃଷକର ଜ୍ଞାନ କୌଶଳ , ପ୍ରଚଳିତ ଚାଷ ପଦ୍ଧତି , ସାମାଜିକ ବିଧି ବ୍ୟବସ୍ଥା ଓ ଚଳଣି ଆଦି ଗୁରୁତ୍ଵପୂର୍ଣ୍ଣ ବିଷୟଗୁଡିକୁ ନେବାକୁ ହେବ । ସମ୍ବଳର ଉପଯୁକ୍ତ ବିନିଯୋଗ କରାଇ ହେକ୍ଟର ପିଛା ଦିନକୁ ଉତ୍ପାଦନ ବୃଦ୍ଧି କରିବାକୁ ହେବ । ଏଥି ସହିତ ଆଉ କେତେକ ବିଧିକୁ ଭିତ୍ତିକରି ଫସଲ ପର୍ଯ୍ୟାୟ ପାଇଁ ଫସଲ ଯୋଜନା କରିବାକୁ ହେବ । ଛୁଇଁ ଓ ଅଣଛୁଇଁ ଜାତୀୟ ଫସଲକୁ ପର୍ଯ୍ୟାୟକ୍ରମେ ଚାଷ କରିବା ଉଚିତ । ଛୁଇଁ ଜାତୀୟ ଫସଲ ବାୟୁର ଯବକ୍ଷାରଜାନକୁ ବିବନ୍ଧନ କରି ଏବଂ ଜୈବ ପଦାର୍ଥ ଯୋଗକରି ମୃତ୍ତିକାର ଉର୍ବରତା ବୃଦ୍ଧିକରେ । ଅଣଛୁଇଁ ଜାତୀୟ ଫସଲ ସେହିପରି କରିପାରେ ନାହିଁ । ଏହାଛଡା ଛୁଇଁ ଓ ଅଣଛୁଇଁ ଜାତୀୟ ଫସଲ ପୋଷକ ଉପାଦାନ ଚାହିଦା ପୃଥକ୍ ଅଟେ । ଛୁଇଁ ଜାତୀୟ ଫସଲ ଅଧିକ ଫସଫରସ୍ ଓ କମ୍ ଯବକ୍ଷାରଜାନ ଆବଶ୍ୟକ କରେ ଅଥଚ ଅଣଛୁଇଁ ଜାତୀୟ ଫସଲ ଅଧିକ ଯବକ୍ଷାରଜାନ ଓ ଅପେକ୍ଷାକୃତ କମ୍ ଫସଫରସ୍ ଆବଶ୍ୟକ କରେ । ଉଭୟ ପ୍ରକାର ଫସଲକୁ ଚାଷ କରିବା ଦ୍ଵାରା ସାର ଓ ଖର୍ଚ୍ଚ କମ୍ ହୁଏ । ଉର୍ବରତାହାରୀ ଓ ଉର୍ବରତା ପୂରକ ଫସଲକୁ ପର୍ଯ୍ୟାୟ କ୍ରମେ ଚାଷ କରିବା ଉଚିତ । ଯଥା – ଆଖୁ / ରାଶି / ପେଶୀ / ମୁଗ / ବିରି / ବରଗୁଡି । ଗଭୀର ମୂଳୀ ଓ ଅଭଗୀର ମୂଳୀ ଫସଲକୁ ପର୍ଯ୍ୟାୟକ୍ରମେ ଚାଷ କରିବା ଉଚିତ । ଏହା ଫଳରେ ପୋଷକ ଉପାଦାନ ମୃତ୍ତିକାର ବିଭିନ୍ନ ସ୍ତରରୁ ସମାନ ପରିମାଣରେ ଅପସାରିତ ହୁଏ । ଯଥା – କପା / ଜଡା / ହରଡ – ଆଳୁ / ଗହମ । ସବୁଜ – ଖତ ଫସଲ ପରେ ଶସ୍ୟ ଜାତୀୟ ଫସଲ ଫସଲ ଚାଷ କରିବା ଉଚିତ । ଯଥା – ଧଣିଚା, ଧାନ , ବରଗୁଡି – ଗହମ / ମକା । ଏକ ପରିବାର ଫସଲକୁ କ୍ରମାନ୍ଵୟରେ ଚାଷ କରିବା ଅନୁଚିତ । କାରଣ ସେମାନେ ଅନିଷ୍ଟକାରୀ କୀଟ ଏବଂ ରୋଗ ଜୀବାଣୁ ପାଇଁ ବିକଳ୍ପ ପୋଷକ ପାଦକ ରୂପେ କାର୍ଯ୍ୟ କରନ୍ତି । ଫଳରେ ଅନିଷ୍ଟକାରୀ କୀଟ ଏବଂ ରୋଗ ନିୟନ୍ତ୍ରଣ ଅକ୍ଷୟ ସମସ୍ୟା ହୋଇ ରହେ । ମୃତ୍ତିକା ଜନିତ ଅନିଷ୍ଟକାରୀ କୀଟ ଏବଂ ରୋଗଜୀବାଣୁ ଦ୍ଵାରା ଆକ୍ରାନ୍ତ ହେଉଥିବା ଫସଲ ପରେ ସହିଷ୍ଣୁ / ରୋଧକ / ଯନ୍ତା ଫସଲ ଚାଷ କରିବା ଉଚିତ । ଉଦାହରଣ ସ୍ୱରୂପ ସୂତ୍ରଜୀବକୁ ନିୟନ୍ତ୍ରଣ କରିବା ପାଇଁ ଆଖୁ ପରେ ଗେଣ୍ଡୁଫୁଲ ଚାଷ କରିବା ଉଚିତ । ଫସଲର କୌଣସି କୌଣସି ଅବସ୍ଥାରେ ଚିହ୍ନି ହେଉନଥିବା ତୃଣକକୁ ନିୟନ୍ତ୍ରଣ କରିବାପାଇଁ ସଫାକାରୀ ଫସଲ / ବହୁକୀଟ ଫସଲ / ବାହ୍ୟ ଗଠନରେ ସାମଞ୍ଜସ୍ୟ ନଥିବା ଅନ୍ୟ କୌଣସି ଫସଲକୁ ପର୍ଯ୍ୟାୟ କ୍ରମେ ଚାଷ କରିବା ଉଚିତ । ଜଙ୍ଗଲୀ ନଳିତାକୁ ନିୟନ୍ତ୍ରଣ କରିବା ପାଇଁ ନଳିତା ଓ ବହୁକୀଟ ଗୋଖାଦ୍ୟ ଫସଲ / ପନିପରିବା / ଜାତୀୟ ଫସଲକୁ ପର୍ଯ୍ୟାୟକ୍ରମେ ଚାଷ କରିବା ଉଚିତ । ସେହିପରି ପରଜୀବୀ ତୃଣକ ଶଣ୍ଢା କୁ ନିୟନ୍ତ୍ରଣ କରିବା ପାଇଁ ବାଇଗଣ / ବିଲାତି ବାଇଗଣ / ଆଳୁ / ଧୂଆଁପତ୍ର ପରେ ଧାନ କିମ୍ବା ଡାଲି ଜାତୀୟ ଫସଲ ଚାଷ କରିବା ଉଚିତ । ଜୁଆର ଓ ଜଡାକୁ ପର୍ଯ୍ୟାୟକ୍ରମେ ଚାଷକରି ପରଜୀବୀ ତୃଣକ ଷ୍ଟ୍ରାଇଗାକୁ ନିୟନ୍ତ୍ରଣ କରିହେବ । ଅଧିକ ଖତସାର ଓ କମ୍ ଖତସାର ଆବଶ୍ୟକ କରୁଥିବା ଫସଲକୁ ପର୍ଯ୍ୟାୟକ୍ରମେ ଚାଷ କରିବା ଉଚିତ । ଯଥା – ମକା – ମୁଗ / ବିରି । ଦୂଷିତକାରୀ ଫସଲ ପରେ ସଫାକାରୀ ଫସଲ ଚାଷ କରିବା ଉଚିତ । ଯଥା – ମକା– ଆଳୁ /ଚିନାବାଦାମ । ଟାଣ ଖୁଣ୍ଟା ରହୁଥିବା ଫସଲି ପରେ ଅଳ୍ପ ଅନ୍ତଃଚାଷ ଆବଶ୍ୟକ କରୁଥିବା ଫସଲ ଚାଷ କରିବା ଉଚିତ, ଯଥା – ଆଖୁ / ଜୁଆର / କପା ଗୋ – ଖାଦ୍ୟ ଫସଲ । ଆର୍ଦ୍ର ମୃତ୍ତିକା ଆବଶ୍ୟକ କରୁଥିବା ଫସଲ ପରେ ଶୁଷ୍କ ମୃତ୍ତିକା ଆବଶ୍ୟକ କରୁଥିବା ଫସଲ ଚାଷ କରିବା ଉଚିତ ; ଯଥା – ଧାନ – ତୈଳବୀଜ / ଡାଲି ଜାତୀୟ ଫସଲ । ଫସଲ ନିର୍ବାଚନ ଆବଶ୍ୟକତା ଭିତ୍ତିରେ ହେବା ଉଚିତ । ଏପରି ଫସଲ ବାଛିବାକୁ ହେବ ଯେପରିକି ପରିବାରର ଆବଶ୍ୟକତା ପୂରଣ ହେଉଥିବ ଏବଂ କିଣିବା ପାଇଁ ସ୍ଥାନୀୟ ଲୋକଙ୍କର ଚାହିଦା ଥିବ । ଫସଲ ନିର୍ବାଚନ ମଧ୍ୟ ସମସ୍ୟାଭିତ୍ତିକ ହେବା ଉଚିତ । ଅଣଜଳସେଚିତ ଜମି ପାଇଁ ମରୁଡି ସାଜୁଥିବା ଫସଲ । ଖାଲୁଆ ଜମିପାଇଁ ଠିଆପାଣି ସାହୁଥିବା ଫସଲ । ଢାଲୁ ଓ ମୃତ୍ତିକା କ୍ଷୟ ପ୍ରବଣ ଜମି ପାଇଁ ମୃତ୍ତିକା କ୍ଷୟରୋଧି ଫସଲ । ବହୁବର୍ଷୀ ତୃଣକକୁ ନିୟନ୍ତ୍ରଣ କରିବା ପାଇଁ ମୂଳ ଜାତୀୟ ଫସଲ ଚାଷ କରିବା ଉଚିତ । ଫସଲ ପର୍ଯ୍ୟାୟର ଉପକାର ଫସଲ ପର୍ଯ୍ୟାୟ ଯୋଗୁ ଅଧିକ ଖର୍ଚ୍ଚ ଲାଗେ ନାହିଁ କିନ୍ତୁ ଅପେକ୍ଷାକୃତ ଅଧିକ ଆଦାୟ ମିଳେ । ବାୟୁମଣ୍ଡଳର ଯବକ୍ଷାରଜାନ ବିବନ୍ଧନ କରି, ମୃତ୍ତିକାରେ ଜୈବ ପଦାର୍ଥ ଯୋଗକରି , ମୃତ୍ତିକାକୁ ଅଣୁଜୀବଗୁଡିକର କାର୍ଯ୍ୟଦକ୍ଷତା ବୃଦ୍ଧି କରି ମୃତ୍ତିକାରେ ଗର ପଦାର୍ଥ ଜମିବାକୁ ନଦେଇ ଏବଂ ମୃତ୍ତିକାର ଭୌତିକ ଓ ରାସାୟନିକ ଧର୍ମ ସୁରକ୍ଷିତ ରଖି ଫସଲ ପର୍ଯ୍ୟାୟ ମୃତ୍ତିକାର ଉର୍ବରତା ସୁରକ୍ଷିତ ରଖେ । ଫସଲ ପର୍ଯ୍ୟାୟ ଯୋଗୁ ମୃତ୍ତିକାକ୍ଷୟ ନିରୋଧ ହୁଏ ଏବଂ ମୃତ୍ତିକାର ଅମ୍ଳତା ଓ ଲବଣତା ବୃଦ୍ଧିପାଏ ନାହିଁ । ଗୋଟିଏ ଆଦର୍ଶ ଫସଲ ପର୍ଯ୍ୟାୟ ପୋକ, ରୋଗ ଓ ତୃଣକ ନିୟନ୍ତ୍ରଣରେ ସହାୟକ ହୁଏ । ଉଦାହରଣସ୍ୱରୂପ ସବୁ ବର୍ଷ ବରସିମ ଚାଷ କଲେ କଷନି ତୃଣକ ସମସ୍ୟା ଏବଂ ସବୁବର୍ଷ ଗହମ ଚାଷକଲେ ଜଙ୍ଗଲ ଓଟ ସମସ୍ୟା ବୃଦ୍ଧିପାଏ । ଗହମ ଓ ବରସିମକୁ ପର୍ଯ୍ୟାୟକ୍ରମେ ଚାଷକଲେ ଉଭୟ ତୃଣକକୁ ନିୟନ୍ତ୍ରଣ କରିହୁଏ । ବରସିମ କାଟିବାବେଳେ ଜଙ୍ଗଲୀ ଓଟ କାଟି ହୋଇଯାଏ ଏବଂ ଗହମ କ୍ଷେତ୍ରରେ ୨.୪ – ଡି ପ୍ରୟୋଗ କରି କଷନିକୁ ନିୟନ୍ତ୍ରଣ କରିହୁଏ । ବିଭିନ୍ନ କୃଷିକାର୍ଯ୍ୟ ଏକ ସମୟରେ କରିହୁଏ, କାରଣ ବିଭିନ୍ନ ଫସଲ ଚାଷକରିବା ଦ୍ଵାରା କାର୍ଯ୍ୟ ବାଣ୍ଟି ହୋଇ ରହେ । ଫସଲ ପର୍ଯ୍ୟାୟ ଯୋଗୁ ସମ୍ବଳ ଏବଂ ବିଭିନ୍ନ କୃଷି ଉପକରଣର ଉପଯୁକ୍ତ ବିନିଯୋଗ କରିହୁଏ । ଶ୍ରମିକ, ହଲ, କୃଷି ଯନ୍ତ୍ରପାତି ଅଧିକ ବିନିଯୋଗ କରିହୁଏ । ଅଧିକ ଜୈବ ପଦାର୍ଥ ଯୋଗ କରି ମୃତ୍ତିକାର ଭୌତିକ, ରାସାୟନିକ ଓ ଜୈବିକ ଧର୍ମ ବୃଦ୍ଧି କରିବା ପାଇଁ ଅଧିକ ସୁଯୋଗ ମିଳେ । ବିଭିନ୍ନ ଫସଲ ଚାଷ କରିବା ଦ୍ଵାରା ପ୍ରାକୃତିକ ବିପତ୍ତିଯୋଗୁଁ ସବୁ ଫସଲ ନଷ୍ଟ ହେବାରୁ ରକ୍ଷା ମିଳେ । ଏଣୁ ଫସଲ ପର୍ଯ୍ୟାୟ ଫସଲ ସୀମା ରୂପେ କାର୍ଯ୍ୟ କରେ । ଏକ ପ୍ରକାର ଉତ୍ପନ୍ନ ଦ୍ରବ୍ୟ ବହୁ ପରିମାଣରେ ବଜାରକୁ ଆଣି କମ୍ ବଜାର ଦର ଯୋଗୁ କ୍ଷତି ସହିବାରୁ ରକ୍ଷା ମିଳେ । ମୃତ୍ତିକାର ଉର୍ବରତା ଏବଂ ପ୍ରୟୋଗ କରାଯାଇଥିବା ଖତସାରର ଅଧିକ ବିନିଯୋଗ ହୁଏ । ଫସଲ ଚାଷ ବାବଦରେ ଖର୍ଚ୍ଚ କମ୍ ହୁଏ ଏବଂ ବର୍ଷସାରା ଆୟ ବାଣ୍ଟି ହୋଇ ମିଳେ । ଫସଲ ପର୍ଯ୍ୟାୟରେ ଅଧିକ ଗଭୀରମୂଳୀ ଫସଲ ଅନ୍ତର୍ଭୁକ୍ତ କରିବା ଦ୍ଵାରା ଚାଷ କରାଯାଉଥିବା ସ୍ତରର ତଳ ମୃତ୍ତିକାକୁ ମଧ୍ୟ ଫସଲ ପାଇଁ କାର୍ଯ୍ୟକ୍ଷମ କରିହୁଏ । ଫସଲ ପର୍ଯ୍ୟାୟର ଅବଲମ୍ବନରେ ଅସୁବିଧା ବିଭିନ୍ନ ଫସଲକୁ ପର୍ଯ୍ୟାୟକ୍ରମେ ଚାଷ କରିବାକୁ ହେଲେ ବିଭିନ୍ନ ପ୍ରକାର ବିହନ ଓ କୃଷି ଯନ୍ତ୍ରପାତିକୁ ସାଇତି ରଖିବା ବା ସଂଗ୍ରହ କରିବା ଦରକାର । ସ୍ଥାନୀୟ ବଜାରରେ ଏସବୁ ମିଳି ନପାରେ । କୁଶଳୀ ଶ୍ରମିକ ଅଭାବରୁ କୌଣସି ଫସଲ ପାଇଁ ଆବଶ୍ୟକ ହେଉଥିବା ସ୍ଵତନ୍ତ୍ର ଯତ୍ନ ବା ପରିଚାଳନା ସୂଚାରୁ ରୂପେ କରି ହୁଏନାହିଁ । ଫସଲକୁ ଅମଳ ପରେ ବିକ୍ରି କରିବାରେ ମଧ୍ୟ ଅସୁବିଧା ଦେଖା ଦେଇପାରେ । ସ୍ଥାନୀୟ ଚାହିଦା ଭିତ୍ତିରେ ଫସଲ ପରିବର୍ତ୍ତନ କରିବା କଷ୍ଟକର ହୋଇପାରେ । କୌଣସି ଫସଲ ପର୍ଯ୍ୟାୟକୁ ବହୁବର୍ଷ ଚାଷ କରିବା ଦ୍ଵାରା ଅନିଷ୍ଟକାରୀ କୀଟ, ରୋଗ ଓ ତୃଣକ ସମସ୍ୟା ଦେଖାଦେଇପାରେ ଯାହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡେ । ଫଳରେ ବହୁବର୍ଷ ପରେ ଫସଲ ପର୍ଯ୍ୟାୟରୁ ଯେଉଁ ଉପକାର ଆଶା କରାଯାଏ ତାହା ମିଳେ ନାହିଁ । ଫସଲ ପର୍ଯ୍ୟାୟ ସଘନତା ଗୋଟିଏ ଜମିରେ ଫସଲ ପର୍ଯ୍ୟାୟର ଫସଲ ବର୍ଷ ସଂଖ୍ୟା ଦ୍ଵାରା ହରି ଏବଂ ହରଣଫଳକୁ ୧୦୦ ଦ୍ଵାରା ଗୁଣି ଫସଲ ପର୍ଯ୍ୟାୟର ସଘନତା ହିସାବ କରାଯାଏ । ଉଦାହରଣ ସ୍ୱରୂପ ଗୋଟିଏ ତିନି ଫସଲି ଦୁଇ ବର୍ଷିଆ ଫସଲ ପର୍ଯ୍ୟାୟ କଥା ବିଚାର କରାଯାଉ । ମକା – ଆଳୁ – ରାଶି - ପ୍ରଥମ ବର୍ଷ ମକା-ସୋରିଷ-ମୁଗ - ଦ୍ଵିତୀୟ ବର୍ଷ ଫସଲ ପର୍ଯ୍ୟାୟ ସଘନତା = X 100 = X 100 = 300% ଫସଲ ପର୍ଯ୍ୟାୟ ଉଦାହରଣ ଫସଲ ପର୍ଯ୍ୟାୟ ଏକ, ଦୁଇ, ତିନି କିମ୍ବା ଚାରିବର୍ଷିଆ ହୋଇପାରେ ଏବଂ ଏକ, ଦୁଇ, ତିନି କିମ୍ବା ବହୁ ଫସଲି ହୋଇପାରେ । ଅର୍ଥାତ୍ ବର୍ଷକ ମଧ୍ୟରେ ଏକ ବା ତହିଁରୁ ଅଧିକ ଫସଲ ଚାଷ କରାଯାଇପାରେ ଏବଂ ଗୋଟିଏ ଚକ୍ର ଏକରୁ ଚାରି ବର୍ଷରେ ସମ୍ପୂର୍ଣ୍ଣ ହୋଇପାରେ । ଏକ ଫସଲି ତିନି ବର୍ଷିଆ ପର୍ଯ୍ୟାୟ ୧ମ ବର୍ଷ ୨ୟ ବର୍ଷ ୩ୟ ବର୍ଷ ୪ର୍ଥ ବର୍ଷ ଧାନ ହରଡ ରାଶି ଧାନ ଦୁଇ ଫସଲି ତଳି ବର୍ଷିଆ ପର୍ଯ୍ୟାୟ ୧ମ ବର୍ଷ ୨ୟ ବର୍ଷ ୩ୟ ବର୍ଷ ୪ର୍ଥ ବର୍ଷ ଧାନ – ମୁଗ ମକା – କୋଳଥ ନଳିତା – ସୋରିଷ ଧାନ – ମୁଗ ତିନି ଫସଲି ତିନି ବର୍ଷିଆ ପର୍ଯ୍ୟାୟ ୧ମ ବର୍ଷ ୨ୟ ବର୍ଷ ୩ୟ ବର୍ଷ ୪ର୍ଥ ବର୍ଷ ଧାନ – ଆଳୁ – ରାଶି ମକା – ଗହମ – ମୁଗ ନଳିତା – ମକା – ଚିନାବାଦାମ ଧାନ – ଆଳୁ – ରାଶି ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ