ନିରୁତା ଫସଲ ଚାଷ ଏକ ସମୟରେ ଜମିର ଯେକୌଣସି ଗୋଟିଏ ଫସଲକୁ ଅନୁକୂଳତମ ବ୍ୟବଧାନରେ ଲଗାଯାଏ । ମିଶ୍ରିତ ଫସଲ ଚାଷ ଦୁଇ ବା ତହିଁରୁ ଅଧିକ ଫସଲକୁ ଗୋଟିଏ ଜମିରେ ଏକ ସମୟରେ ମିଶାମିଶି ଚାଷ କରିବାକୁ ମିଶ୍ରିତ ଫସଲ ଚାଷ କୁହାଯାଏ । ଏହି ପଦ୍ଧତିରେ ଫସଲଗୁଡିକୁ ବିକଳ୍ପ ଧାଡିରେ ଲଗାଯାଏ ନାହିଁ କିମ୍ବା ଜମିର କୌଣସି ଅଂଶରେ ଫସଲ ଗୁଡିକର ଏକତ୍ଵ ରକ୍ଷା କରାଯାଏ ନାହିଁ । ବୁଣିବା ପୂର୍ବରୁ ଫସଲର ମଞ୍ଜିକୁ ମିଶାଇ ଛଟା ବୁଣା କରାଯାଇପାରେ ବା ଧାଡିରେ ବୁଣାଯାଇପାରେ ଅଥବା ଗୋଟିଏ ଫସଲକୁ ବୁଣି ସାରିବା ପରେ ଆଉ ଗୋଟିଏ ଫସଲକୁ ବୁଣାଯାଇପାରେ । ଫସଲଗୁଡିକର ବୁଣିବା ସମୟ ପ୍ରାୟ ସମାନ ହୋଇଥାଏ କିନ୍ତୁ ଅମଳ ସମୟ ସମାନ କିମ୍ବା ପୃଥକ୍ ହୁଏ । ଗହମ + ବୁଟ ମିଶ୍ରିତ ଫସଲ ଚାଷରେ ଉଭୟ ଫସଲର ଅମଳ ସମୟ ସମାନ ଅଟେ । କିନ୍ତୁ ହରଡ + ଧାନ ମିଶ୍ରିତ ଫସଲ ଚାଷରେ ଉଭୟ ଫସଲର ଅମଳ ସମୟ ପୃଥକ୍ ଅଟେ । ବନ୍ୟା, ମରୁଡି, ତୁଷାରପାତ ଆଦି ପ୍ରାକୃତିକ ବିପତ୍ତି ପଡୁଥିବା ଅଞ୍ଚଳରେ ଏବଂ ଜୀବନଧାରଣ କୃଷିରେ ପରିବାରର ଶସ୍ୟ , ଡାଲି, ପନିପରିବା ଆବଶ୍ୟକତା ପୂରଣ କରିବା ପାଇଁ ସାଧାରଣତଃ ମିଶ୍ରିତ ଫସଲ ଚାଷ ଅନୁସୃତ ହୁଏ । ମିଶ୍ରିତ ଫସଲ ଚାଷ ବିଧି ଛୁଇଁ ଜାତୀୟ ଫସଲ ସହିତ ଅଣଛୁଇଁ ଜାତୀୟ ଫସଲ ମିଶାଇ ଚାଷ କରିବା ଉଚିତ୍ , ଯଥା : ହରଡ + ଧାନ, କପା +ମୁଗ, ଗହମ + ବୁଟ । ଡେଙ୍ଗା ଫସଲ ସହିତ ଗେଡା ଫସଲ ମିଶାଇ ଚାଷ କରିବା ଉଚିତ, ଯଥା : ହରଡ + ଧାନ, ମକା + ବରଗୁଡି । ପ୍ରଧାନ ମୂଳ ଫସଲ ସହିତ ଗୁଚ୍ଛ – ମୂଳ ଫସଲ ମିଶାଇ ଚାଷ କରିବା ଉଚିତ , ଯଥା : ହରଡ + ଧାନ , ମକା+ ବରଗୁଡି । ଠିଆରେ ବଢୁଥିବା ଫସଲ ସହିତ ଝଙ୍କାଳିଆ ଫସଲକୁ ମିଶାଇ ଚାଷ କରିବା ଉଚିତ୍ । କୋଳଥ, ସୋରିଷ । ସମାନ ପ୍ରକାର ଅନିଷ୍ଟକାରୀ କୀଟ ଓ ରୋଗ ସୃଷ୍ଟିକାରୀ ଜୀବ ଦ୍ଵାରା ଆକ୍ରାନ୍ତ ହେଉଥିବା ଫସଲକୁ ଏକତ୍ର ଚାଷ କରିବା ଅନୁଚିତ । ଅଧିକ ବ୍ୟବଧାନ ଓ କାମ ବ୍ୟବଧାନ ଆବଶ୍ୟକ କରୁଥିବା ଫସଲକୁ ଏକତ୍ର ଚାଷ କରିବା ଉଚିତ । ଛାୟା ପ୍ରଦାନ କରୁଥିବା ଓ ଛାୟା ଆବଶ୍ୟକ କରୁଥିବା ଫସଲକୁ ଏକତ୍ର ଚାଷ କରିବା ଉଚିତ । ଅଧିକ ଦିନରେ ଏବଂ କମ ଦିନରେ ଅମଳ ହେଉଥିବା ଫସଲକୁ ମିଶାଇ ଚାଷ କରିବା ଉଚିତ । ମିଶ୍ରିତ ଚାଷ ଫସଲର ଚାଷର ଉପକାର ପ୍ରତିକୂଳ ପାଖରେ ସବୁ ଫସଲ ଏକାଭଳି କ୍ଷତିଗ୍ରସ୍ତ ହୁଏ ନାହିଁ । ତୁଷାରପାତ ହେଲେ ଛୁରୀ ଜାତୀୟ ଫସଲ, ବନ୍ୟା ହେଲେ ଦ୍ଵିବୀଜ ପତ୍ରୀ ଫସଲ ଏବଂ ମରୁଡି ପଡିଲେ ଏକବୀଜ ପତ୍ରୀ ଫସଲ ଅଧିକ ନଷ୍ଟ ହୁଏ । ଏଣୁ ମିଶ୍ରିତ ଫସଲ ଚାପ ଦ୍ଵାରା ସମ୍ପୂର୍ଣ୍ଣ କ୍ଷତିରୁ ରକ୍ଷା ମିଳେ । କୌଣସି ଅନିଷ୍ଟକାରୀ କୀଟ କିମ୍ବା ରୋଗ ବ୍ୟାପିଗଲେ ସବୁ ପ୍ରକାର ଫସଲ ଏକ ସମୟରେ ନଷ୍ଟ ହୁଏ ନାହିଁ । ବିଭିନ୍ନ ଫସଲ ମିଶାଇ ଚାଷ କରିବା ଦ୍ଵାରା ପରିବାରର ଶସ୍ୟ , ଡାଲି ଓ ତୈଳ ଆବଶ୍ୟକତା ପୂରଣ କରିହୁଏ । ମିଶ୍ରିତ ଫସଲ ଚାଷ ଦ୍ଵାରା ମୃତ୍ତିକାକ୍ଷୟ ଏବଂ ତୃଣକ ବୃଦ୍ଧି କମ୍ ହୁଏ । ମୃତ୍ତିକା ଉତ୍ପାଦକତା ବୃଦ୍ଧିପାଏ କିମ୍ବା ସୁରକ୍ଷିତ ରହେ । ବର୍ଷସାରା ପରିବାରକୁ ଏବଂ ଗୃହପାଳିତ ପଶୁଙ୍କୁ କାମ ମିଳେ । ଜମି, ଶ୍ରମ, ଖତସାର, ଜଳ ଆଦି ଚାଷ ଉପକରଣ ସର୍ବାଧିକ ବିନିଯୋଗ ହୁଏ । ମିଶ୍ରିତ ଫସଲ ଗୁଡିକରୁ ସାଧାରଣତଃ ନିରୁତା ଫସଲ ଅପେକ୍ଷା ଅଧିକ ଆଦାୟ ମିଳେ । ମିଶ୍ରିତ ଫସଲ ଚାଷର ଅପକାର କମ୍ ସମୟ ଆବଶ୍ୟକ କରୁଥିବା କୃଷି ଯନ୍ତ୍ରପାତି ବ୍ୟବହାର କରିହୁଏ ନାହିଁ । କେତେକ ଫସଲର ଅନିଷ୍ଟକାରୀ କୀଟକୁ ନିୟନ୍ତ୍ରଣ କରିବା ପାଇଁ ମୃତ୍ତିକାକୁ ଖୁସାଇବା ଏବଂ ସଫା ରଖିବା ଆବଶ୍ୟକ ହୁଏ । କିନ୍ତୁ ମିଶ୍ରିତ ଚାଷରେ ଏହା ସମ୍ଭବ ହୁଏ ନାହିଁ । ଜଳସେଚନ ସୁବିଧା ନଥିବା ଜମିରେ ଫସଲ ଅମଳ ପରେ ପରେ ଜମିକୁ ଚାଷ କରିଦେବା ଉଚିତ । କିନ୍ତୁ ମିଶ୍ରିତ ଫସଲ ଚାଷ କରିବା ଦ୍ଵାରା ଏ ପଦକ୍ଷେପ ନେବା ସମ୍ଭବ ହୁଏ ନାହିଁ । ଆଗେ ପାଚୁଥିବା ଫସଲ କାଟିବାବେଳେ ବା ଉପାଡିବାବେଳେ ପଛେ ପାଚୁଥିବା ଫସଲ କେତେକାଂଶରେ କ୍ଷତିଗ୍ରସ୍ତ ହୁଏ । ମିଶ୍ରିତ ଫସଲ ଏକ ପୁରୁଣାକାଳିଆ ଚାଷ ପଦ୍ଧତି । ଏବେ ତା ବଦଳରେ ଅନ୍ତଃ ଫସଲ ଚାଷ କରିବା ଉପରେ ଗୁରୁତ୍ଵ ଦିଆଯାଉଛି । ଅନ୍ତଃ ଫସଲ ଚାଷରୁ ମିଶ୍ରିତ ଫସଲ ଚାଷର ଉପକାର ମିଳେ, ନିରୁତା ଫସଲଠାରୁ ଅଧିକ ଆଦାୟ ମିଳେ ଏବଂ ଅନ୍ତଃ ଫସଲ ଦ୍ଵାରା ମିଶ୍ରିତ ଫସଲ ଚାଷର ଅପକାରକୁ ଦୂର କରି ହୁଏ । ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ