କାର୍ଣ୍ଣାସନ୍ ଏହା ଏକ ଫୁଲର ନାଁ ଶୁଣିବାକୁ ନୂଆ ଲାଗୁଥାଇପାରେ । ହେଲେ ଫୁଲଟି ଦେଖିବାକୁ ଯେତିକି ସୁନ୍ଦର। ଏହାର ଚାହିଦା ମଧ୍ୟ ସେତିକି ଅଧିକ । ଓଡିଶାର ଚାଷୀମାନେ ଏହାକୁ ଗ୍ରୀନ୍ ହାଉସ୍ ରେ ବ୍ୟବସାୟିକ ଭିତ୍ତିରେ ଚାଷ କରି ବେଶ୍ ଲାଭବାନ୍ ହୋଇପାରିବେ। ଓଡିଶାରେ ବ୍ୟବହୃତ କାର୍ଣ୍ଣାସନ୍ ସାଧାରଣତଃ ବାଙ୍ଗାଲୋର ଓ ପୁନା ଆଦି ସ୍ଥାନରୁ ଆସୁଛି । କାର୍ଣ୍ଣାସନ୍ ଫୁଲ ଚାଷ ସମ୍ପର୍କରେ ଏଥିରର ସ୍ୱତନ୍ତ୍ର ଆଲେଖ୍ୟ। ଆକାର ଅନୁସାରେ କାର୍ଣ୍ଣାସନ୍ କୁ ୨ ପ୍ରକାରରେ ବିଭକ୍ତ କରାଯାଇଛି । ଷ୍ଟାଣ୍ଡାର୍ଡ କାର୍ଣ୍ଣାସନ୍ ଏହାର ଫୁଲ ସଲଗ୍ନ କାଣ୍ଡ, ଲମ୍ବ ଉପଜୋର ଗୋଟିଏ ବଡ ଫୁଲ ରହେ । ସ୍ପ୍ରେ କାର୍ଣ୍ଣାସନ୍ ଫୁଲ ସଲଗ୍ନ କାଣ୍ଡ ଅପେକ୍ଷାକୃତ ସାନ ମାତ୍ର ତା' ଉପରେ ଗୋଛା ଗୋଛା ଫୁଲ ରହେ । ଫୁଲ ସାଜସଜା ପାଇଁ ଷ୍ଟାଣ୍ଡାର୍ଡ କାର୍ଣ୍ଣାସନ୍ ପ୍ରଜାତିକୁ ବଜାରରେ ବେଶୀ ଆଦର କରିଥାନ୍ତି । ଓଡିଶାରେ ଅନେକ ଚାଷୀ ଗ୍ରୀନ୍ ହାଉସ୍ ବା ସବୁଜ ଘରେ ଚାଷ କରି ବେଶ୍ ସଫଳତା ପାଇଲେଣି । ପରୀକ୍ଷାମୂଳକ ଭାବେ ଓଡିଶାରେ ଏହା ଚାଷ କରି ଚାଷୀମାନେ ସଫଳ ହୋଇଛନ୍ତି । ଜଳବାୟୁ କାର୍ଣ୍ଣାସନ୍ ର ଅନେକ ପ୍ରଜାତି ଆଲୋକ ସଂବେଦୀ । ଏହାକୁ ଖରାଦିନେ ଚାଷ କଲେ ଭଲ ଗୁଣବତ୍ତାର ଫୁଲ ଦିଅନ୍ତି ନାହିଁ । ସାଧାରଣ ପ୍ରଜାତି ପାଇଁ କାର୍ଣ୍ଣାସନ୍ ୧୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ୨୩ ଡିଗ୍ରୀ ସେଣ୍ଟିଗ୍ରେଡ ତାପମାତ୍ରା ଆବଶ୍ୟକ କରେ ଏବଂ ୧୨ ଘଣ୍ଟା ଆଲୋକ ଦରକାର କରେ । ଏହି ସବୁ ପ୍ରଜାତି ଓଡିଶାରେ ଶୀତଦିନେ ଲାଭଜନକ ଭାବେ ଚାଷ ହୋଇପାରିବ । ମୃତ୍ତିକା କାର୍ଣ୍ଣାସନ୍ ପାଇଁ ନିଗିଡା, ଦୋରସା,ମୃତ୍ତିକା ଭଲ । ଲଗାଇବା ପଦ୍ଧତି ଲମ୍ବା ଉଚ୍ଚା ସମାନ୍ତର ପଟାଳିମାନଙ୍କରେ କାର୍ଣ୍ଣାସନ୍ ଲଗାଯାଏ । ଏହାର ଉପର ଓସାର ୯୦ ସେ.ମି ରହିବା ବେଳେ ତଳ ୧୦୦ସେ.ମି ଓ ଉଚ୍ଚତା ୪୫ ସେ.ମି ରହିବା ଆବଶ୍ୟକ । ଦୁଇଟି ପଟାଳି ମଧ୍ୟରେ ୫୦ ସେମି ଅନ୍ତର ରୁହେ । ଯେଉଁଥିରେ ଯିବା ଆସିବା ଏବଂ ପରିଚାଳନଗତ କାମ କରିବାକୁ ସୁବିଧା ହୋଇଥାଏ । ଏହି ପଟାଳିରେ ଗଛକୁ ଗଛ ୧୫ ସେ.ମି ଓ ଧାଡିକୁ ଧାଡି ୧୫ ସେ.ମି ୬ ଧାଡି କାର୍ଣ୍ଣସନ୍ ଲଗାଯାଏ । ପ୍ରସାରଣ ସାଧାରଣତଃ ଭଲ ପ୍ରଜାତି ଟିସୁ କଲଚର ମାଧ୍ୟମରେ ପ୍ରସାରିତ ହୁଏ । ମାତ୍ର ପରେ ପରେ ଚାଷୀ ନିଜେ ଚେଷ୍ଟମ କଟିଙ୍ଗ ପଦ୍ଧତିରେ ୧୦ରୁ୧୫ ସେ.ମି. ଅଗ୍ରଭାଗ (ତିନି ଚାରୋଟି ଗଣ୍ଠି ଥିବା) ଚେର କାରକ ଓ ବୃଦ୍ଧି ନିୟନ୍ତ୍ରକ ବ୍ୟବହାର କରି ଗଛ ସୃଷ୍ଟି କରିପାରିବ। ପ୍ରଜାତି ରେଡକିଙ୍ଗ, ସିଚେଲେ, ମାଲାଗା, ଜିଓଲେ, ଲିଉରାସି ଆଦି ପ୍ରଧାନ । ଖତସାର ଉପର ୩୦ ସେମି ମାଟିରେ ୩୦% ଭାଗ ଖତ ମିଶାଇ ଦିଆଯାଏ । ବୁନ୍ଦା ଜଳସେଚନ ମାଧ୍ୟମରେ ସାର ଦିଆଯାଏ । ସାରର ମାତ୍ରା ୧.୨ ଗ୍ରା (୧୯-୧୯-୧୯) ଦିନ ପ୍ରତି ବର୍ଗମିଟର ପ୍ରତି । ଗୋଟିଏ ସାଧାରଣ ଫସଲ ୨୫୦ ଦିନ ଫିର୍ଟିଗେସନ୍ ଦ୍ଵାରା କରାଯାଇଥାଏ । ଗଛର ଯତ୍ନ ଗଛକୁ ସିଧା ଧରି ରଖୁବା ପାଇଁ ପ୍ଲାଷ୍ଟିକ୍ ସୂତାରେ ଉପରୁ ଝୁଲାଇ ବାନ୍ଧି ଦିଆଯାଏ । ନଚେତ ଏହାର କାଣ୍ଡ ବଙ୍କା ହୋଇଯାଏ । ଅନାବଶ୍ୟକ ବାହାରି ଆସୁଥିବା ଡାଳକୁ ନଖରେ ଛିଣ୍ଡାଇବା ଦ୍ଵାରା ଏହା ବାହାରେ ନାହିଁ ଓ ମୁଖ୍ୟ ଫୁଲ ବାହାରେ । ବେଳେ ବେଳେ ମୁଖ୍ୟ ଫୁଲ ତଳୁ ଶାଖା ବାହାରି କଚ୍ଚ ସୃଷ୍ଟି ହୁଏ । ଏହାକୁ ମଧ୍ୟ କାଟି ଦେବା ଦ୍ଵାରା ମୁଖ୍ୟ ଫୁଲ ବଡ ହୁଏ । ସଠିକ୍ ଭାବେ ବାଳୁଙ୍ଗା ନିୟନ୍ତ୍ରଣ ଓ ଜଳସେଚନ କରିବା ଦ୍ଵାରା ଫସଲ ଭଲ ହୁଏ । ଅମଳ ବର୍ଷକୁ ସାଧାରଣ କାର୍ଣ୍ଣାସନ୍ ଫସଲରୁ ବର୍ଗ ମିଟର ପ୍ରତି । ୨୦୦ ଫୁଲ ମିଳିପାରିବ । ଏହାକୁ ଲମ୍ବା କାଣ୍ଡ ସହିତ କାଟି କାର୍ତ୍ତନରେ ପ୍ୟାକ୍ କରି ଆମେ ଫୁଲ ଦୋକାନକୁ ପଠାଇପାରିବା । ସଠିକ୍ ଭାବରେ ଚାଷ କଲେ ଗ୍ରୀନ୍ ହାଉସ୍ ଚାଷୀ ଏହି ଫସଲରୁ ଏକ ଏକରରୁ ୧୦-୧୨ ଲକ୍ଷ ପର୍ଯ୍ୟନ୍ତ ଲାଭ ପାଇପାରିବ । ଆଧାର - ଭଗବାନ ଦାଶ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ଗଞ୍ଜାମ