ଧାନର କେତୋଟି ମୁଖ୍ୟ ପୋକଙ୍କ ମଧ୍ୟରୁ ଲେଢାପେକ ଅନ୍ୟତମ । ବର୍ତ୍ତମାନ ସମୟରେ ଏହା ଧାନ ଫସଲରେ ପ୍ରମୁଖ କ୍ଷତି ଘଟାଉଛି । ଚାଷୀ ଭାଇଙ୍କର ଅତ୍ୟଧିକ କୀଟନାଶକର ବ୍ୟବହାର, ଜଳବାୟୁର ପରିବର୍ତ୍ତନ ମୁଖ୍ୟତଃ ଏହି ପୋକର ପ୍ରାଦୁର୍ଭାବ ପାଇଁ ଦାୟୀ । ଏହି ପୋକ ଧାନ ତଳି ଘରାଠାରୁ ଆରମ୍ଭ କରି ମୂଳ ଜମିରେ ପିଲ ମାରିବା ଅବସ୍ଥା। (ପ୍ରାୟତଃ ୬୦ ଦିନ ପର୍ଯ୍ୟନ୍ତ)ରେ ଦେଖାଯାଏ । ଜୀବନ କାଳ ଏହି ପୋକଟି ୩୦ରୁ ୪୦ଦିନରେ ଏହାର ଜୀବନକାଳ ସମାପ୍ତ କରିଥାଏ । ପ୍ରାପ୍ତ ବୟସ୍କ କୀଟ ଗୋଟିଏ ସବଳ ଓ ମଧ୍ୟମ ଆକୃତି ବିଶିଷ୍ଟ ଏବଂ ଧୁସର ମିଶା ମାଟିଆ ରଙ୍ଗର ଶଲଭ । ଏହା ଆଗ ଡେଣା ଉପରେ କଳା ଚିହ୍ନ ଥାଏ । କୀଟଟି ରାତ୍ରିଚର ହୋଇଥାଏ । ଦିନ ସମୟରେ ଏମାନେ ଲୁଚି ରୁହନ୍ତି । ପ୍ରୀ କୀଟଟି ପତ୍ର ଉପରେ ଅଗ୍ର ଭାଗରେ ଅଣ୍ଡାପୁଞ୍ଜ ଦେଇ କେଶ ଦ୍ଵାରା ଆଚ୍ଛାଦିତ କରି ରଖୁଥାଏ । ପ୍ରତି ପୁଞ୍ଜରେ ୧୫୦ରୁ ୨୦୦ ଅଣ୍ଡା ଥାଏ । ସପ୍ତାହ ମଧ୍ୟରେ ଅଣ୍ଡା ଫୁଟି ସେଥିରୁ ଶୂକ ବାହାରିଥାଏ । ସଦ୍ୟଜାତ ଶୂକ ପତ୍ରର ସବୁଜ ଅଂଶକୁ ଖାଇଥାନ୍ତି । ଶୂକଗୁଡିକ ଟିକେ ବଢିଗଲା ପରେ, ଦଳବଦ୍ଧ ହୋଇ ପତ୍ର ଓ କଅଁଳିଆ ଉଦ୍ଭିଦକୁ ରାତିରେ ଖାଇଥାନ୍ତି ଏବଂ ଦିନବେଳା ପତ୍ର ଗହଳିରେ କିମ୍ବା ଘାସବୁଦା ମୂଳେ ଲୁଚି ରହିଥାନ୍ତି । ପ୍ରାୟତଃ ୧୫ରୁ ୩୩ ଦିନ ମଧ୍ୟରେ ଏମାନେ ଶୂକ ଅବସ୍ଥାରୁ କୋଷାରେ ପରିଣତ ହୋଇଥାନ୍ତି । କୋଷା ଅବସ୍ଥା ମାଟି ତଳେ ହୋଇଥାଏ ଏବଂ ୭ରୁ ୧୦ ଦିନ ମଧ୍ୟରେ କୋଷା ଅବସ୍ଥାରୁ ପୂର୍ଣ୍ଣାଙ୍ଗ ଶ୍ରୀଲଭ ବାହାରିଥାଏ । କ୍ଷୟକ୍ଷତି ଏହି ପୋକଟି ମୁଖ୍ୟତଃ ଖରିଫ ଧାନରେ ବିଶେଷ କ୍ଷତି କରିଥାଏ । ଶୁକ୍ଳ ଧାନ ପତ୍ର ଓ କଅଁଳିଆ କାଣ୍ଡକୁ ସମ୍ପୁର୍ଣ୍ଣ ରୂପେ ଖାଇ ନଷ୍ଟ କରେ । ୨୦ ରୁ ୨୫ ଦିନର ଶୂକଗୁଡିକ ସାଧାରଣତଃ ଫସଲରେ ବିଶେଷ କ୍ଷତି କରିଥାନ୍ତି । ବେଳେ ବେଳେ ସମ୍ପୁର୍ଣ୍ଣ ଧାନ କିଆରି ଏହି ପୋକ ଆକ୍ରମଣ ଯୋଗୁ ନଷ୍ଟ ହୋଇଯାଏ । ଶୂକଗୁଡିକ ରାତି ସମୟରେ ଦଳବଦ୍ଧ ହୋଇ ଫସଲକୁ କାଟି ନଷ୍ଟ କରିଦିଅନ୍ତି । ବର୍ଷାକାଳୀନ ଜୋର ପବନ ଦ୍ଵାରା ଏହି କୀଟ ବହୁତ ଦୂର ଯାଏଁ ବ୍ୟାପିଯାଏ । ଏହି ପୋକ ମଧ୍ୟ ଆକ୍ରାନ୍ତ ଜମିରୁ ପାଣି ଦ୍ଵାରା ଅନ୍ୟ ଜମିକୁ ସ୍ଥାନାନ୍ତରିତ ହୋଇଥାଏ । ପରିଚାଳନା ଧାନ ଫସଲରେ ଲେଡା ପୋକର ପ୍ରାଦୁର୍ଭାବକୁ ନିୟନ୍ତ୍ରଣ କରିବା ଲାଗି ନିମ୍ନଲିଖିତ ପଦକ୍ଷେପମାନ ବ୍ୟବହାର କରିପାରିବେ.. ନିୟମିତ ବ୍ୟବଧାନରେ ଫସଲକୁ ସର୍ବେକ୍ଷଣ କରନ୍ତୁ । ହେକ୍ଟର ପ୍ରତି ୧ଟି ଜୋଲଖାଏ। ଆଲୋକ ଯନ୍ତା ବସାଇ ଚୋପାକର ଗତିବିଧି ଜାଣିବା ସହ ପୋକକୁ ନିୟନ୍ତ୍ରଣ କରାଯାଇପାରିବ । ଖରୁଡି ବୁଣା ସଅଳ କିସମର ଧାନ ଓ ଶୁଖିଲା ଜମିରେ ଏହି ପୋକର ଆକ୍ରମଣ ବିଶେଷ ଭାବରେ ଦେଖାଯାଏ । ତଳିଘରାରେ ଯଦି ଆକ୍ରମଣ ଦେଖାଯାଏ, ତେବେ ଠିଆ ପାଣି ରଖିବାର ବ୍ୟବସ୍ଥା କରନ୍ତୁ । ସନ୍ଧ୍ୟା ସମୟ ପୋକର ଗତିବିଧି ଜାଣିବା ପାଇଁ ପ୍ରକୃଷ୍ଟ ସମୟ । ଧାନ କ୍ଷେତର ହୁଡାକୁ ସଫା । ସୁତୁରା ରଖିବା ସହ ଘାସ ନିୟନ୍ତ୍ରଣ କରିବା ଉଚିତ । କାରଣ ଏହି ପୋକ ଘାସ ଓ ଅନ୍ୟାନ୍ୟ ଅନାବାଦୀ ବାଳୁଙ୍ଗା ଉପରେ ବଂଶ ବିସ୍ତାର କରିଥାଏ । ଯନ୍ତା ଜାତୀୟ ଫସଲ ଯଥା ଜଡା ଓ ସୂର୍ଯ୍ୟମୁଖୀ ଗଛ ଧାନ ଫସଲ ଚାରିପଟେ ଲଗାନ୍ତୁ । ଯଦ୍ଵାରା ଏହି ପୋକ ଯନ୍ତା ଜାତୀୟ ଫସଲ ଆଡକୁ ଆକର୍ଷିତ ହୋଇ ଆସିବ ଏବଂ ସେହି ଗଛରେ ଅଣ୍ଡା ଦେବ । ତା ପରେ ଅଣ୍ଡା ଓ ପୋକକୁ କୀଟନାଶକ ପକାଇ ନଷ୍ଟ କରିଦିଅନ୍ତୁ । ଯଦି ଉପରୋକ୍ତ ପଦ୍ଧତି ଦ୍ଵାରା ପୋକର ସଂଖ୍ୟା ନିୟନ୍ତ୍ରଣ କରିହେଉନାହିଁ, ତେବେ ବିଭିନ୍ନ ପ୍ରକାର କୀଟନାଶକ ମଧ୍ୟ ପ୍ରୟୋଗ କରିପାରିବେ । ସେଗୁଡିକ ହେଲା ଡାଇକ୍ଲୋରଭସ ହେକ୍ଟର ପ୍ରତି ୬୦୦ ମି.ଲି. କିମ୍ବା ଟ୍ରାୟାଜୋଫସ ହେକ୍ଟର ପ୍ରତି ୧ ଲିଟର । ଏଥିଲାଗି ମିଶ୍ରିତ କୀଟନାଶକ ଗୁଡିକ ମଧ୍ୟ ବ୍ୟବହାର କରିପାରିବେ, ସେଗୁଡିକ ହେଲା- କୋରୋପାଇରିଫସ ଯୁକ୍ତ ସାଇପରମେଥ୍ରିନ ହେକ୍ଟର ପ୍ରତି ୧ ଲିଟର କିମ୍ବା ଟ୍ରାୟାଜୋଫସ ଯୁକ୍ତ ଡେଲଟାମେଥିନ ହେକ୍ଟର ପ୍ରତି ୧ ଲିଟର । ସୂର୍ଯ୍ୟାସ୍ତ ପରେ ଉପରୋକ୍ତ କୀଟନାଶକକୁ ହେକ୍ଟର ପ୍ରତି ୫୦୦ ଲିଟର ପାଣି ସହ ମିଶାଇ ପ୍ରୟୋଗ କରନ୍ତୁ । ଗୋଟିଏ ପ୍ରକାର କୀଟନାଶକକୁ ବାରମ୍ବାର ବ୍ୟବହାର ନ କରି ବିଭିନ୍ନ ପ୍ରକାର କୀଟନାଶକକୁ ଅଦଳବଦଳ କରି ବ୍ୟବହାର କରନ୍ତୁ, ଯାହାଦ୍ଵାରା ପୋକର କୀଟନାଶକ ସହନଶୀଳତା ବୃଦ୍ଧି ପାଏ ନାହିଁ। ଆକ୍ରାନ୍ତ ଜମିର ଚାରିପଟ ହିତରେ ଗୁଣ୍ଡଜାତୀୟ ଔଷଧ ଯଥା ମିଥାଇଲ ପାରାଥିଅନ ୨% କିମ୍ବା କ୍ଲୋର ପାଇରିଫସ ୧.୫%କୁ ପକାଯାଇ ଏକ ବିଷ ବଳୟ ସୃଷ୍ଟି କରନ୍ତୁ । ଯାହାଦ୍ଵାରା ପୋକଗୁଡିକ ଆକ୍ରାନ୍ତ ବିଲରୁ ଅନ୍ୟ ବିଲକୁ ଗଲାବେଳେ ଗୁଣ୍ଡ ଔଷଧ ସଂସ୍ପର୍ଶରେ ଆସି ମରିଯାଆନ୍ତି । ମାଟିଆ ଗୁଣ୍ଡି ପୋକ ଦେଖାଯାଉଥିବା ଅଞ୍ଚଳଗୁଡିକରେ ସିନଥେଟିକ ପାଇରେଥ୍ରୋଏଡ ବିଷ ପ୍ରୟୋଗ କରନ୍ତୁ ନାହିଁ କାରଣ ଏହି ବିଷ ପ୍ରୟୋଗ ଦ୍ଵାରା ମାଟିଆ ଗୁଣ୍ଡି ପୋକର ସଂଖ୍ୟା ତୀବ୍ରଗତିରେ ବୃଦ୍ଧିପାଏ । ସଂଗୃହିତ - ଶୁଭଶ୍ରୀ ଦାଶ,ପି.ଏଚ.ଡି. ଛାତ୍ରୀ, କୀଟତତ୍ତ୍ଵ ବିଭାଗ, ଓୟୁଏଟି, ଭୁବନେଶ୍ଵର