ମହିଳାମାନଙ୍କ ମଧ୍ୟରେ ଦେଶୀ ପିଆଜର ଆଦର ଅଧିକ, ତେଣୁ ପୋଷଣ ବଗିଚାରେ କୃଷିଜୀବୀ ମହିଳାମାନେ ଅଳ୍ପ ଖର୍ଚ୍ଚ ଏବଂ ଅନ୍ଧ ପରିଶ୍ରମରେ ଏହି ପିଆଜ, ଉତ୍ପାଦନ କରିପାରିବେ । ପିଆଜ, ଫସଲ ଲଗାଇବା ପାଇଁ ବ୍ୟବହୃତ ବିହନର ପ୍ରାୟ ୫ ରୁ ୮ ଗୁଣ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହାର ଗୋଟିଏ ବୁଦାରେ ପ୍ରାୟ ୧୦ ରୁ ୧୫ଟି ପିଆଜ ଥାଏ । ଏହା ଖାଇବା ପାଇଁ ସ୍ଵାଦିଷ୍ଟ ଏବଂ ବଜାର ଚାହିଦା ମଧ୍ୟ ଅଧିକ । ଦେଶୀ ପିଆଜ ଚାଷର ବିଧି ଦେଶୀ ପିଆଜ ଚାଷ ପାଇଁ ଜମି ପ୍ରସ୍ତୁତି ଭଲ ଭାବେ କରିବା ଦରକାର । ଏଥୁ ପାଇଁ ବହୁତ ଅମ୍ଳୀୟ କିମ୍ବା କ୍ଷାରୀୟ ମାଟି ନ ହୋଇ ସାଧାରଣ ନିଗିଡ଼ା ମାଟି ହେଲେ ଭଲ । ମାଟିରେ ଯଥେଷ୍ଟ ପରିମାଣରେ ଶଢ଼ାଖତ ମିଶାନ୍ତୁ । ଶୀତଦିନ ଏହି ଚାଷ ପାଇଁ ଉପଯୁକ୍ତ ଅଟେ । ସେପ୍ଟେମ୍ବର ମାସ ଶେଷ କିମ୍ବା ଅକ୍ଟୋବର ମାସ ଆରମ୍ଭରେ ବିହନ ଲଗାଇବା ବ୍ୟବସ୍ଥା କରନ୍ତୁ । ଦେଶୀ ପିଆଜର ସହଣି ଶକ୍ତି ଅଧିକ । ତେଣୁ ଘରବାଡ଼ିର ପୋଷଣ ବଗିଚା ପାଇଁ ଏହା ଅଧିକ ଉପଯୁକ୍ତ । ମାଟିରେ ଲଗାଇବା ପାଇଁ ବୁଦାର ସବୁଠାରୁ ବଡ଼ ପିଆଜ ଗୁଡ଼ିକୁ ବ୍ୟବହାର କଲେ ଭଲ । ଏହାଦ୍ଵାରା ବୁଦାରେ ପିଆଜ ସଂଖ୍ୟା ଅଧିକ ହୁଏ । ଛୋଟ ପିଆଜ ବ୍ୟବହାର କଲେ ବୁଦାରେ ଗୋଟିଏ ପିଆଜ ହୁଏ। ବିହନ ଲଗାଇବା ପାଇଁ ପିଆଜର ଚେରପଟ ମାଟିର ତଳକୁ ଏବଂ କାଣ୍ଡପଟ ମାଟିର ଉପରପଟକୁ ରଖି ଲଗାନ୍ତୁ । ଗଛରୁ ଗଛି ମଧ୍ୟରେ ବ୍ୟବଧ୍ୟାନ ୨୦ ସେ.ମି. ଏବଂ ଧାଡ଼ିରୁ ଧାଡ଼ି ମଧ୍ୟରେ ବ୍ୟବଧ୍ୟାନ ୩୦ ସେ.ମି. ରଖନ୍ତୁ । ବିହନ ପ୍ରାୟ ୩ ରୁ ୪ ସେ.ମି. ଗଭୀରରେ ପୋତନ୍ତୁ । ପ୍ରତି ୪ ଧାଡ଼ି ପରେ ପ୍ରାୟ ୫୦ ସେ.ମି. ଜାଗା ଛାଡ଼ନ୍ତୁ । ଅନ୍ତଃ ଚାଷ ପାଇଁ ଏହା ଜରୁରୀ । ପିଆଜ ଗଛ ଭଲଭାବେ ବାହାରି ଗଲାପରେ ଅନ୍ତଃ ଚାଷ କରନ୍ତୁ । ଧ୍ୟାନ ରଖନ୍ତୁ, ଯେପରି ଗଛର ମୂଳଭାଗ ଅଧିକ କ୍ଷତିଗ୍ରସ୍ତ ନ ହୁଏ । ଏହାଦ୍ଵାରା ଅମଳ ଉପରେ ପ୍ରଭାବ ପଡ଼ିବ । ପିଆଜ ଶଣ୍ଢା ବାହାରି ଆସିଲେ ତାକୁ କାଟି ଦିଅନ୍ତୁ । ପିଆଜ ଗଛର ପତ୍ର ମରିବା ଆରମ୍ଭ କଲେ ପାଣି ମଡ଼େଇବା ବନ୍ଦ କରନ୍ତୁ । ପ୍ରାୟ ତିନି ଚତୁର୍ଥଦଂଶ ପତ୍ର ଶୁଖୁଗଲେ ପିଆଜକୁ ଅମଳ କରିବା ବ୍ୟବସ୍ଥା କରିବା ଦରକାର । ଅଧିକ କଞ୍ଚାଥିବା ଗଛକୁ ଆଉ ଏକ ସପ୍ତାହ ସମୟ ଦେଲେ ଭଲ । ଏହି ଗଛରୁ ଅମଳ ହୋଇଥିବା ପିଆଜ ଗୁଡ଼ିକୁ ବିହନ ରୂପେ ବ୍ୟବହାର କରନ୍ତୁ ନାହିଁ । ପିଆଜ ଅମଳ ପରେ ଅତ୍ୟଧୁକ ମାଟି ଝାଡ଼ି ସିଧା ଠିଆକରି ଶୁଖିବାକୁ ଛାଡ଼ି ଦିଅନ୍ତୁ। ପିଆଜର ଶୁଖିଲା ପତ୍ର ଛିଡ଼େଇବାକୁ ଏବଂ ପୂରା ମାଟି ସଫା କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଦେଶୀ ପିଆଜର ବିହନ ପାଇଁ ପ୍ରସ୍ତୁତି ବା କିଓରିଙ୍ଗ ଅମଳ ହୋଇଥିବା ପିଆଜକୁ ବିହନ ରୂପେ ବ୍ୟବହାର କରିବା ପାଇଁ ତାକୁ ଠିକ ଭାବରେ ପ୍ରସ୍ତୁତ କରନ୍ତୁ । ଏହା ଦ୍ଵାରା ତାର ସହଣି ଶକ୍ତି ବୃଦ୍ଧି ପାଇବ ଏବଂ ବିନ୍ଦନ ଆଗାମୀ ଋତୁ ପର୍ଯ୍ୟନ୍ତ ଠିକ ଭାବରେ ସାଇତି ରଖାଯାଇ ପାରିବ । ପିଆଜ କିଓରିଙ୍ଗ କରିବା ପାଇଁ କାଠର ଥାକ, ବାଉଁଶ କାଲି କିମ୍ବା ତାର ଜାଲିରେ ତିଆରି ହୋଇଥିବା ଥାକରେ ପ୍ରାୟ ୧ ରୁ ୨ ମାସ ପର୍ଯ୍ୟନ୍ତ ଖେଳେଇ ରଖନ୍ତୁ । ସାଇତି ରଖିବା ଜାଗାଟି ଶୁଖିଲା ଏବଂ ଉଷୁମ ହେଲେ ଭଲ । ଉତ୍ତମ ବାୟୁ ଚଳାଚଳ ହେଉଥିବା ଜାଗାକୁ ବାଛନ୍ତୁ, ନଚେତ ପିଆଜ ଶଢ଼ିଯିବ । ସେହି ଜାଗାରେ ଖରା ନ ପଡ଼ୁଥିବା ଦରକାର । ଜାଲି ବା ଥାକ ଉପରେ ରଖିଲାବେଳେ ପିଆଜକୁ ପତଳା କରି ଖେଳେଇବେ, ଯେମିତି ତଳପାଖକୁ ଚେର ଏବଂ ପତ୍ର ଉପରକୁ ରହିବ । ମଝିରେ ମଝିରେ ପିଆଜକୁ ନିରୀକ୍ଷଣ କରୁଥିବେ ଏବଂ ପଚା ପିଆଜ ଦେଖାଲେ ତାକୁ କାଢ଼ି ଫୋପାଡ଼ିଦେବେ । ପିଆଜକୁ ବେଶୀ ଘଣ୍ଟାଘଣ୍ଟି ନ କଲେ ଭଲ । ଏହାଦ୍ଵାରା ତାର ଚୋପା ବାହାରି ଆସିବ ଏବଂ ବିହନର କ୍ଷତି କରିବ । ପିଆଜ ଠିକ ଭାବରେ ଶୁଖିଗଲା ପରେ ତାକୁ ବୁଦାରୁ ଅଲଗା କରି ଉପର ପତ୍ରକୁ ପିଆଜଠାରୁ ପ୍ରାୟ ୧ ଇଞ୍ଚ ଛାଡ଼ି କାଟିଦେବେ । ଭଲଭାବେ କିଓରିଙ୍ଗ ହୋଇଥିବା ପିଆଜକୁ ଆମେ ଅନେକ ଦିନ ପର୍ଯ୍ୟନ୍ତ ସାଇତି ରଖିପାରିବା ଏବଂ ଆଗାମୀ ଋତୁରେ ବିହନ ରୂପେ ବ୍ୟବହାର କରିପାରିବା । ବିହନ ପାଇଁ ପ୍ରସ୍ତୁତ ହୋଇଥିବା ପିଆଜକୁ ସାଇତି ରଖିବା ପାଇଁ ବିହନ କିଓରିଙ୍ଗ ବେଳେ ବ୍ୟବହାର କରାଯାଉଥିବା କାଠର ଥାକ କିମ୍ବା ତାର ବା ବାଉଁଶ ଜାଲିର ଥାକ ବ୍ୟବହାର କରାଯାଇପାରିବ । ଏହି ସମୟରେ ନିହାତି ଧ୍ୟାନ ଦେବା ଦରକାର ଯେ ସାଇତି ରଖିବା ଜାଗାଟି ଥଣ୍ଡା, ଶୁଖିଲା ଏବଂ ବାୟୁ ଚଳାଚଳ ଯୁକ୍ତ ହେବା ଦରକାର । ପିଆଜକୁ ପତଳା କରି ଖେଳେଇ ରଖିଲେ ଭଲ । ମଝି ମଝିରେ ନିରୀକ୍ଷଣ କରି ପଚାଶଡ଼ା କିମ୍ବା ଖରାପ ପିଆଜକୁ ଅଲଗା କରି ଫୋପାଡ଼ି ଦେବା ଦରକାର । ଏହିପରି ଭାବରେ ସାଇତି ରଖିଥିବା ପିଆଜ ଆଗାମୀ ଋତୁରେ ବିହନ ରୂପେ ବ୍ୟବହାର କରାଯାଇପାରିବ । ଦେଶୀ ପିଆଜର ବିନ୍ଧନ ସଂରକ୍ଷଣ ଅତ୍ୟନ୍ତ ସହଜ ଏବଂ ଘରବାଡ଼ିରେ ଥିବା ପୋଷଣ ବଗିଚା ପାଇଁ ଏହା ଏକ ଉପାଦେୟ ଫସଲ । ସଂଗୃହିତ - ଲକ୍ଷ୍ମୀପ୍ରିୟା ସାହୁ, ଚକ୍ରଧର ପାତ୍ର କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ଵର