ପିଆଜ ଏକ ଅର୍ଥକାରୀ ଫସଲ । ଏହି ଫସଲକୁ ବର୍ଷସାରା ଚାଷ କରାଯାଉଥିଲେ ମଧ୍ୟ ଅଧିକାଂଶ ଅଞ୍ଚଳରେ ଚାଷୀମାନେ ଏହାକୁ କେବଳ ଶୀତଦିନରେ ହିଁ ଚାଷ କରିଥାନ୍ତି ଏବଂ ଏହାର ଅମଳ ମାର୍ଚ୍ଚ - ଏପ୍ରିଲ ମାସରେ ହୋଇଥାଏ । ଏ ସମୟରେ ବହୁ ପରିମାଣରେ ପିଆଜ, ଉତ୍ପାଦନ ହେଉଥିବାରୁ ଅଧିକ ଅମଳ ଆଶାରେ ମାସେ ଦୁଇମାସ ମଧ୍ୟରେ ଚାଷୀମାନେ ପିଆଜକୁ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି । କାରଣ ବେଶିଦିନ ରଖିଲେ ପିଆଜ ପଚିଯିବା ଭୟ ଥାଏ ଏବଂ ପିଆଜକୁ ଉତ୍ତମଭାବେ କିପରି ବେଶିଦିନ ରଖାଯାଇପାରିବ ତା’ର ପଦ୍ଧତି ଅନେକଙ୍କୁ ଜଣା ନ ଥାଏ । ଏହିସବୁ ସୁବିଧା ତଥା ଚାଷୀମାନଙ୍କ ଲାଭକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଖର୍ଚ୍ଚରେ ଏବଂ ବୈଜ୍ଞାନିକ ପଦ୍ଧତିରେ ପିଆଜ ସାଇତା ଗୃହ ତିଆରି କରିବା ପାଇଁ ଗୁରୁତ୍ଵ ଦିଆଯାଉଛି । ଏହି ପ୍ରକ୍ରିୟାରେ କୌଣସି ଅତ୍ୟଧିକ ଦାମର ଜିନିଷ ଯନ୍ତ୍ରପାତି ବା ଉପକରଣ ବ୍ୟବହାର ନ କରି ନିଜ ଆଖପାଖରେ ମିଳୁଥିବା ଜିନିଷକୁ ବ୍ୟବହାର କରି ଭଲଭାବେ ବାୟୁ ଚଳାଚଳ କରୁଥିବା ଗୃହରେ ପିଆଜକୁ ରଖିଲେ ଏହାକୁ ପ୍ରାୟ ୬-୮ ମାସ ପର୍ଯ୍ୟନ୍ତ ସାଇତି ରଖିହେବ । ପିଆଜକୁ ସାଇତା ରଖିବା ପୂର୍ବରୁ କେତୋଟି ବିଷୟପ୍ରତି ଧ୍ୟାନ ଦେବା ଆବଶ୍ୟକ ପିଆଜ ତଳି ରୋଇବାର ୭୫ ଦିନ ପରେ ୧ ଲିଟର ପାଣିରେ ୨-୨.୫ ମିଲି ମାଲିକ ହାଇଡ୍ରାଜାଇଡ (ଗଐ) ପକାଇ ଫସଲ ଉପରେ ଛିଞ୍ଚିବା ଆବଶ୍ୟକ । ପିଆଜ ଅମଳ କରିବାର ୧୫ ଦିନ ପୂର୍ବରୁ ପାଣିଦେବା ବନ୍ଦ କରିଦେବା ଦରକାର । ୫୦% ରୁ ଉର୍ଦ୍ଧ୍ଵର୍ ଗଛ ବେକ ଭାଙ୍ଗିପଡିବାର ୭ଦିନ ପରେ ପିଆଜ ଖୋଳାଯିବା ଉଚିତ । ପିଆଜ ଖୋଳିସାରିବା ପରେ ବା ଅମଳ କରିସାରିବା ପରେ ବିଲରେ ଅଥବା । ଅଗଣାରେ ଖରା ଏବଂ କାକର ଖାଇବା ଉଦ୍ଦେଶ୍ୟରେ ପିଆଜକୁ ୩ ଦିନ ପାଇଁ ପକାଇ ରଖାଯାଏ । ଏହାପରେ ପିଆଜକୁ ଛାଇ ଜାଗାରେ ୭ଦିନ ପାଇଁ ଖୋଲାରେ ଥିବା ପ୍ରୟୋଜନ । ପିଆଜ ଗଛପୂରା ଶୁଖିଗଲା ପରେ ୧ ଇଞ୍ଚ ନାଡ ରଖି ବାକିତକ କାଟିଦିଆଯିବା ଉଚିତ ଏବଂ ସେଥିରେ ଲାଗିଥିବା ଚେର ଓ ମାଟିକୁ ସଫା କରିଦେବା ଆବଶ୍ୟକ । ଖଣ୍ଡିଆ ହୋଇଯାଇଥିବା କିମ୍ବା ପଚି ଯାଇଥିବା ପିଆଜକୁ ବାଛି ଅଲଗା କରିଦେବା ଆବଶ୍ୟକ । ସାନ, ମଝିଆ ଏବଂ ବଡ ଆକାରର ପିଆଜକୁ ବାଛି ଅଲଗା ଅଲଗା କରିଦେବା ଉଚିତ । ଏସବୁ କରିସାରିବା ପରେ ପିଆଜକୁ ସାଇତା ଗୃହରେ ରଖାଯାଇଥାଏ । ସାଇତା ଗୃହ ପ୍ରସ୍ତୁତି ସାଇତା ଗୃହ ଭିତର ଦେଇ ଭଲଭାବେ ପବନ ଚଳାଚଳ କରୁଥିବା ଆବଶ୍ୟକ । ତେଣୁ ଗୃହକୁ ଉଚ୍ଚା ଭାଡି ବା ପ୍ଲାଟଫର୍ମ ଉପରେ ତିଆରି କରାଯାଏ । ଘରଟିକୁ ବାଉଁଶରେ ତିଆରି କରାଯାଇପାରେ । ଛାତ ବା ଛପର ପାଇଁ ଟିଣ ବଦଳରେ ନଡା ବା ସିମେଣ୍ଟ ଆଜବେଷ୍ଟସ ବ୍ୟବହାର କରିବା ଆବଶ୍ୟକ । ଘର ଭିତରକୁ ସିଧାସଳଖ ସୂର୍ଯ୍ୟକିରଣ ଏବଂ ବର୍ଷାପାଣି ଯେପରି ନ ପଶେ । ସେଥିପାଇଁ ଧ୍ୟାନ ଦେବା ଦରକାର । ସାଇତା ଗୃହର ଥାକଗୁଡିକର ଉଚ୍ଚତା ୪ ଫୁଟ ଏବଂ ଓସାର ୩-୪ ପୁଟ ହେଲେ ଭଲ। ସାଇତା ଗୃହ ଏବଂ ତା’ର ଚାରିପଟ ଯେପରି ସ୍ୱଚ୍ଛ ରହେ । ସେଥିପତି ଧ୍ୟାନ ଦେବା ଆବଶ୍ୟକ । ସାଇତି ଗୃହ ପ୍ରସ୍ତୁତି ସମୟରେ ବିଶେଷ ଦୃଷ୍ଟି ସାଇତା ଗୃହର ଉଚ୍ଚତା ତଳୁ ଅତିକମରେ ୨ ଫୁଟ ହେବା ଉଚିତ । ଗୃହ ଭିତରର ତାପମାତ୍ରା ୨୫-୩୦ ଡିଗ୍ରୀ ସେଲସିୟସ ଏବଂ ଆପେକ୍ଷିକ ଆର୍ଦ୍ରତା ୬୦-୭୦% ଭିତରେ ରହିବା ଉଚିତ । ଏହାଦ୍ଵାରା ପିଆଜ, ଗଜା ହୁଏ ନାହିଁ । ପିଆଜ ସାଇତା ଗୃହ ମଧ୍ୟଦେଇ ମୁକ୍ତ ବାୟୁ ଭଲଭାବେ ଚଳପ୍ରଚଳ କରିପାରୁଥିବା ଆବଶ୍ୟକ । ସାଇତା ଗୃହ ପାର୍ଶ୍ଵରେ ଉଚ୍ଚା ଜିନିଷ ରହିବା ଉଚିତ ନୁହେଁ ପବନ ଚଳାଚଳରେ ବାଧା ସୃଷ୍ଟି କରିବ । ସିଧାସଳଖ ସୂର୍ଯ୍ୟକିରଣ ଏବଂ ବର୍ଷା ଛିଟାରୁ ରକ୍ଷା ପାଇଁ ଛପର/ଛତାକୁ ଟିକେ ଗଡାଣିଆ କରିବା ଉଚିତ । ଏହିପରି ଏକ ପିଆଜ ସାଇତା ଗୃହ ପାଇଁ ୧୫୦୦୦-୧୬୦୦୦ ଟଙ୍କା ଖର୍ଚ୍ଚ ହେବ, ଯେଉଁଥିରେ ୨୦ କ୍ଲିଣ୍ଟାଲ ପିଆଜକୁ ସାଇତି ରଖି ହେବ । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ପିଆଜ ସାଇତା ଗୃହ ତିଆରି କରିବା ପାଇଁ ରିହାତି ଯୋଗାଇ ଦିଆଯାଉଛି । ଏଥିସହିତ ଚାଷୀଙ୍କୁ ପିଆଜ ଅମଳ କରିସାରିବା ପରେ ଶୁଖାଇବା, ବଛା ବଛି କରିବା ଏବଂ ସାଇତି ରଖିବା ଉପରେ ପ୍ରଶିକ୍ଷଣ ଦିଆଯାଉଛି । ଏହି ପ୍ରକଳ୍ପ ମାଧ୍ୟମରେ କ୍ଷୁଦ୍ର ଚାଷୀମାନଙ୍କ ପାଇଁ ୨୦ କ୍ଲିଣ୍ଟାଲ ପର୍ଯ୍ୟନ୍ତ ପିଆଜ। ସାଇତି ରଖିପାରିବା ଭଳି ବ୍ୟବସ୍ଥା ରହିଛି । ଫଳରେ ଚାଷୀମାନେ ପିଆଜକୁ ଅମଳ ସମୟଠାରୁ ୬-୮ ମାସ ପର୍ଯ୍ୟନ୍ତ ସାଇତି ରଖି ପରେ ଅଧିକା ଦାମରେ ବିକ୍ରି ଲାଭବାନ ହୋଇପାରିବେ । ସଂଗୃହିତ - ଚକ୍ରଧର ପାତ୍ର, ଲକ୍ଷ୍ମୀପ୍ରିୟା ସାହୁ, ଓୟୁଏଟି