ଅଧିକ ଫସଲ ଉତ୍ପାଦନ ଲାଗି ପ୍ରୟାସ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆମର କୃଷକମାନେ ଅହରହ ଅକ୍ଲାନ୍ତ ପରିଶ୍ରମ କରି ସୀମିତ ଚାଷ ଜମିରୁ ଅଧିକ ଫସଲ ଉତ୍ପାଦନ ଲାଗି ପ୍ରୟାସ କରୁଛନ୍ତି । କିନ୍ତୁ ଅମଳ କରୁଥିବା ଖାଦ୍ୟଶସ୍ୟର ଉପଯୁକ୍ତ ସଂରକ୍ଷଣ ଅଭାବରୁ ପ୍ରାୟ ଶତକଡା ୯.୩୩ ଭାଗ ଖାଦ୍ୟଶସ୍ୟ ନଷ୍ଟ ହୋଇଯାଇଥାଏ କିମ୍ବା ଖାଦ୍ୟ ସକାଶେ ଅନୁପଯୁକ୍ତ ହୋଇଥାଏ । ତେବେ ଚାଷୀମାନେ ବିଭିନ୍ନ ପାରମ୍ପରିକ ପଦ୍ଧତିରେ ଉପଯୁକ୍ତ ସାଇତା ପ୍ରଣାଳୀ ଅବଲମ୍ବନ କଲେ ସାଇତା ଖାଦ୍ୟଶସ୍ୟର ସମ୍ଭାବ୍ୟ କ୍ଷୟକ୍ଷତିକୁ ସୁବିଧାରେ, ନିରାପଦରେ ଏବଂ କମ୍ ଖର୍ଚ୍ଚରେ ରୋକାଯାଇପାରିବ । ପାରମ୍ପରିକ ପଦ୍ଧତିରେ ଅମଳ ଶସ୍ୟର ସାଇତା ଆମ ରାଜ୍ୟର ଚାଷୀମାନଙ୍କ ଅବଗତି ନିମନ୍ତେ ପାରମ୍ପରିକ ପଦ୍ଧତିରେ ଅମଳ ଶସ୍ୟର ସାଇତା ନିମ୍ନରେ ପ୍ରଦାନ କରାଯାଇଛି – ନିମ୍ବ ମଞ୍ଜି : ୫୦୦ ଗ୍ରାମ ନିମ୍ବ ମଞ୍ଜି ଗୁଣ୍ଡକୁ ଏକ ଲିଟର ପାଣିରେ ମିଶାଇ ଭଲ ଭାବରେ ଘାଣ୍ଟନ୍ତୁ । ସେହି ଦ୍ରବଣକୁ ପ୍ରାୟ ୧୨ ଘଣ୍ଟା ଛାଡି ଦିଅନ୍ତୁ । ପରେ ଏହି ଦ୍ରବଣକୁ ପ୍ରତି ଏକ କେ.ଜି. ବିହନ ପିଛା ୫ ମି.ଲି. ହିସାବରେ ଗୋଳାଇ ଛାଇ ଜାଗାରେ ଭଲ ଭାବରେ ଶୁଖାଇ ଦିଅନ୍ତୁ । ଧାନର ଭମା ପୋକ, ମୁଗ, ବିରି, ହରଡ ପ୍ରଭୃତି ଡାଲି ଶସ୍ୟର ଭୃଙ୍ଗପୋକ ଇତ୍ୟାଦିକୁ ଏହାଦ୍ଵାରା ସାଇତା ସମୟରେ ଠିକ ଭାବରେ ନିୟନ୍ତ୍ରଣ କରାଯାଇପାରିବ । ନିମ୍ବ ମଞ୍ଜି ଗୁଣ୍ଡକୁ ମଧ୍ୟ ସିଧାସଳଖ ଶସ୍ୟ ସହିତ ଶତକଡା ୧ ଭାଗ ଅନୁପାତରେ ମିଶାଇ ସାଇତି ରଖିଲେ କୀଟ ନିୟନ୍ତ୍ରଣ ହୋଇଥାଏ । ନିମ୍ବ ପତ୍ର : ଏହାକୁ ଶୁଖାଇ ଗୁଣ୍ଡକରି ପ୍ରତି ଏକ କେ.ଜି. ବିହନରେ ୫୦ ଗ୍ରାମ ହିସାବରେ ମିଶାଇ ରଖିଲେ ମୁଗ, ବିରି ଇତ୍ୟାଦି ଡାଲି ଜାତୀୟ ବିହନରେ ପ୍ରାୟ ପୋକ ଲାଗନ୍ତି ନାହିଁ । ଏହି ବିହନଗୁଡିକୁ ପରବର୍ତ୍ତୀ ଅବସ୍ଥାରେ ପୁଣିଥରେ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଇପାରିବ । ନିମ୍ବ ତେଲ : ଡାଲି ଦାନାରେ ୦.୫ ପ୍ରତିଶତ ନିମ୍ବ ତେଲ ମିଶାଇଲେ କୀଟ ନିୟନ୍ତ୍ରଣ ହୋଇଥାଏ । ଲଙ୍କା ମରିଚ : ଶୁଖିଲା ଗୋଟା ଲଙ୍କାକୁ ଶସ୍ୟ ସହିତ ସାଇତି ରଖିଲେ ସାଇତା ଶସ୍ୟରେ ଲାଗୁଥିବା ପୋକ ବିଶେଷକରି ଚାଉଳ ଘୁଣି ପୋକ ଇତ୍ୟାଦି ଦମନ କରିହୁଏ । ଲଙ୍କା ଗୁଣ୍ଡକୁ ଶତକଡା ଏକ ଭାଗ ଅନୁପାତରେ ମିଶାଇ ସାଇତି ରଖିଲେ କୀଟ ପ୍ରାୟ ଲାଗନ୍ତି ନାହିଁ । କରଞ୍ଜ ପତ୍ର : କରଞ୍ଜ ପତ୍ରକୁ ଭଲ ଭାବରେ ଶୁଖାଇ ଗୁଣ୍ଡକରି ଶସ୍ୟ ସହିତ ଶତକଡା ଏକ ଭାଗ ଅନୁପାତରେ ମିଶାଇ ସାଇତି ରଖିଲେ କୀଟ ପ୍ରାୟ ଲାଗନ୍ତି ନାହିଁ । ବେଲ ଓ କରଡାପତ୍ର : ବେଲ କିମ୍ବା କରଡା ପତ୍ରକୁ ଭଲ ଭାବରେ ଶୁଖାଇ ଗୁଣ୍ଡକରି ଶତକଡା ୧ ଭାଗ ଅନୁପାତରେ ଶସ୍ୟ ସହିତ ଭଲ ଭାବରେ ମିଶାଇ ସାଇତି ରଖିଲେ ପୋକ ଆକ୍ରମଣରୁ ରକ୍ଷା ମିଳିଥାଏ । ବେଗୁନିଆ, ପୋକଶୁଙ୍ଘା ଓ ଦୁଦୁରାପତ୍ର : ୧ କେ.ଜି. ମୁଗ, ବିରି କିମ୍ବା ହରଡ ବିହନରେ ୫୦ ଗ୍ରାମ ବେଗୁନିଆ, ପୋକଶୁଙ୍ଘା କିମ୍ବା ଦୁଦୁରାପତ୍ରର ଗୁଣ୍ଡକୁ ମିଶାଇ ସାଇତି ରଖିଲେ କୌଣସି କୀଟ ଲାଗନ୍ତି ନାହିଁ । କନିଅର, କୋଚିଲା ଓ ଦୁଦୁରା ମଞ୍ଜି କନିଅର, କୋଚିଲା ଓ ଦୁଦୁରା ମଞ୍ଜିକୁ ଭଲ ଭାବରେ ଖରାରେ ଶୁଖାଇ ଗୁଣ୍ଡ କରନ୍ତୁ । ସେଥିରୁ ୫୦ ଗ୍ରାମ ନେଇ ଏକ ଲିଟର ପାଣି ମିଶାନ୍ତୁ । ପ୍ରତି ୧ କେ.ଜି. ବିହନ ପିଛା ଉପରୋକ୍ତ ମିଶ୍ରଣକୁ ୩ ମି.ଲି.ହିସାବରେ ଗୋଳାଇ ଛାଇରେ ଶୁଖାଇ ରଖିଲେ ସେଥିରେ ପ୍ରାୟ ଛଅ ମାସ ପର୍ଯ୍ୟନ୍ତ କୌଣସି ପୋକ ଲାଗନ୍ତି ନାହିଁ । ଲଙ୍କା ମରିଚ ଶୁଖିଲା ଗୋଟା ଲଙ୍କାକୁ ଶସ୍ୟ ସହିତ ସାଇତି ରଖିଲେ ସାଇତା ଶସ୍ୟରେ ଲାଗୁଥିବା ପୋକ ବିଶେଷକରି ଚାଉଳ ଘୁଣି ପୋକ ଇତ୍ୟାଦି ଦମନ କରିହୁଏ । ଲଙ୍କା ଗୁଣ୍ଡକୁ ଶତକଡା ଏକ ଭାଗ ଅନୁପାତରେ ମିଶାଇ ସାଇତି ରଖିଲେ କୀଟ ପ୍ରାୟ ଲାଗନ୍ତି ନାହିଁ । ରସୁଣ ରସୁଣ ଅର୍କକୁ ଶସ୍ୟ ଜାତୀୟ ମଞ୍ଜି, ଚାଉଳ ଇତ୍ୟାଦିରେ ମିଶାଇ ରଖିଲେ ବିଶେଷତଃ ଖପରା ପୋକ ପ୍ରାୟ ନିୟନ୍ତ୍ରଣ ହୋଇଥାଏ ହଳଦୀ ଚାଉଳ ସହିତ ଶତକଡା ୧ ଭାଗ ଅନୁପାତରେ ହଳଦୀଗୁଣ୍ଡ ମିଶାଇ ରଖିଲେ ଚାଉଳରେ ଶୁଣ୍ଢାପୋକ ଲାଗନ୍ତି ନାହିଁ । ଖାଇବା ତେଲ ନଡିଆ, ରାଶି, ସୋରିଷ, ଜଡା, ସୂର୍ଯ୍ୟମୁଖୀ, ଚିନାବାଦାମ, ପେଷୁ, ଟୋଲ, ଅଳସୀ, ବନସ୍ପତି, ପାମ ତେଲ, ରିଫାଇନ ତେଲ ଇତ୍ୟାଦି ଖାଇବା ତେଲ ଡାଲିଦାନାରେ ୦.୩ ପ୍ରତିଶତ ଗୋଳାଇ ରଖିଲେ କୀଟ ନିୟନ୍ତ୍ରଣ ହୋଇଥାଏ । ଆତ ବା ସୀତାଫଳ ପତ୍ର ଏହି ଗଛର ପତ୍ରକୁ ଭଲ ଭାବରେ ଶୁଖାଇ ଗୁଣ୍ଡକରି ଶସ୍ୟ ସହିତ ଶତକଡା ଏକ ଭାଗ ଅନୁପାତରେ ମିଶାଇ ସାଇତି ରଖିଲେ କୀଟ ପ୍ରାୟ ଲାଗନ୍ତି ନାହିଁ । ଆତ ତେଲ, ପୋଲାଙ୍ଗ ତେଲ, କରଞ୍ଜ ତେଲ, କପା ତେଲ ଏସବୁ ତେଲ ଇତ୍ୟାଦି ଡାଲି ଦାନାରେ ୦.୫ ପ୍ରତିଶତ ମିଶାଇଲେ କୀଟ ନିୟନ୍ତ୍ରଣ ହୋଇଥାଏ । ଗୋଲମରିଚ ଚାଉଳରେ ଶତକଡା ୧ ଭାଗ ଅନୁପାତରେ ଗୋଲମରିଚ ଗୁଣ୍ଡ ମିଶାଇ ରଖିଲେ ଶୁଣ୍ଢାପୋକର ଆକ୍ରମଣ ପ୍ରାୟ ହୋଇ ନ ଥାଏ । ବଚ ଏକ କେ.ଜି.ମଞ୍ଜି ପ୍ରତି ୧୦ ଗ୍ରାମ ବଚ ଗୁଣ୍ଡ ମିଶାଇ ରଖିଲେ ଖାଦ୍ୟଶସ୍ୟକୁ ଅନେକ ଦିନ ପର୍ଯ୍ୟନ୍ତ ପୋକ ଆକ୍ରମଣରୁ ରକ୍ଷା କରାଯାଇପାରିବ । ପୋଲାଙ୍ଗ ପତ୍ର ପୋଲାଙ୍ଗ ପତ୍ରକୁ ଭଲ ଭାବରେ ଶୁଖାଇ ଗୁଣ୍ଡକରି ଶସ୍ୟ ସହିତ ଶତକଡା ୧ ଭାଗ ଅନୁପାତରେ ମିଶାଇ ସାଇତି ରଖିଲେ କୀଟ ପ୍ରାୟ ଲାଗନ୍ତି ନାହିଁ । ଲିଗ୍ ନାଇଟ କୋଇଲା ପାଉଁଶ ଏହି ପାଉଁଶକୁ ଧାନ ଏବଂ ଡାଲି ଜାତୀୟ ଶସ୍ୟରେ ଲାଗୁଥିବା ଭମା ପୋକ, ନାଲିପୋକ, ଖପରା ପୋକ ଇତ୍ୟାଦିର ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇପାରିବ । ନିମ୍ବ ବା କରଞ୍ଜ ଛେଲି ନିମ୍ବ କିମ୍ବା କରଞ୍ଜ ଛେଲିକୁ ବା ବକଳାକୁ ଗୁଣ୍ଡକରି ମୁଗ, ବିରି ଇତ୍ୟାଦି ଡାଲି ଜାତୀୟ ବିହନରେ ଗୋଳାଇ ରଖିଲେ ସେଥିରେ ପ୍ରାୟ କୌଣସି କୀଟ ଲାଗନ୍ତି ନାହିଁ । ଏକ କୁଇଣ୍ଟାଲ ଧାନ ବସ୍ତା ଭିତରେ ୨୫ କେଜିର ମୁଗ ବସ୍ତାଟିଏ ରଖିଲେ ବହୁଦିନ ପର୍ଯ୍ୟନ୍ତ ମୁଗରେ ପୋକ ଲାଗନ୍ତି ନାହିଁ । କାରଣ ମୁଗରେ ଲାଗୁଥିବା ପୋକ ଧାନକୁ ଭେଦକରି ମୁଗପାଖରେ ପହଞ୍ଚି ପାରେ ନାହିଁ । ଏହି ଉପାୟରେ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ମୁଗକୁ ସାଇତି ରଖାଯାଇପାରିବ । ଶସ୍ୟକୁ ଖରାରେ ଭଲ ଭାବରେ ଶୁଖାଇ ଜଳୀୟ ଅଂଶକୁ ୧୦ ପ୍ରତିଶତରୁ କମାଇଲେ ନିରାପଦ ଭାବରେ ଏହାକୁ ସାଇତି ରଖିହୁଏ । ପକ୍କା କୋଠି ବା ଧାତବ କୋଠରି ଶସ୍ୟ ଦାନାକୁ ନିରାପଦରେ ସାଇତି ରଖାଯାଇପାରେ । ଶସ୍ୟ ଦାନା ଓ ଡାଲି ଜାତୀୟ ଦାନାରେ ପାଉଁଶ, ନାଲି କିମ୍ବା ଖଳି ମାଟି ମିଶାଇଲେ ଦାନାକୁ ସୁରକ୍ଷା ଯୋଗାଇଥାଏ । କାରଣ ଏହି ଜଡ ବସ୍ତୁ କୀଟଙ୍କର ଉପଚର୍ମକୁ ବିଦାରିବା ଯୋଗୁ କୀଟ ଶରୀର ଶୁଷ୍କ ହୋଇ ମୃତ୍ୟୁବରଣ କରେ । ଏ ପ୍ରକାର ସାଇତା ଶସ୍ୟକୁ ଖାଇବା ପୂର୍ବରୁ ଭଲ ଭାବରେ ସଫା କରିବା ଆବଶ୍ୟକ । ସବିଶେଷ ବିବରଣୀ ଲାଗି ନିକଟସ୍ଥ କୃଷି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ । ସଂଗୃହିତ – ଲକ୍ଷ୍ମୀନାରାୟଣ ଦାଶ