ଗୋରୁଙ୍କର ପ୍ରଧାନ ଖାଦ୍ୟ ଘାସ ତୃଣଜାତୀୟ ଖାଦ୍ୟ ବା ଘାସ ଗୋରୁଙ୍କର ପ୍ରଧାନ ଖାଦ୍ୟ । ଉନ୍ନତ କିସମର ଘାସ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଗୋପାଳନ ବ୍ୟବସାୟକୁ ଅଧିକ ଲାଭଜନକ କରିଥାଏ । କାରଣ ସବୁଜ ଘାସରେ ଯଥେଷ୍ଟ ମାତ୍ରାରେ ଶ୍ଵେତସାର, ପୁଷ୍ଟିସାର, ଭିଟାମିନ, ଧାତବ ଲବଣ ଭରପୁର ଥିବାରୁ ଦୁଗ୍ଧ ଉତ୍ପାଦନରେ ସହାୟକ ହେବା ସଙ୍ଗେ ସଙ୍ଗେ ଗାଈଙ୍କର ସ୍ଵାସ୍ଥ୍ୟ ବିକାଶ, ପ୍ରଜନନ ଦକ୍ଷତା ତଥା ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ । ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ହେତୁ ଚାରଣ ଭୂମିଗୁଡ଼ିକ ବିଭିନ୍ନ ଉପାୟରେ ନିୟୋଜିତ ହୋଇଯାଇଛି । ତେଣୁ ଗୋରୁଙ୍କର ଘାସର ଆବଶ୍ୟକତା ପୂରଣ କରିବା ଲାଗି ଘାସ ଚାଷ ହିଁ ଏକମାତ୍ର ବିକଳ୍ପ ପନ୍ଥା । ସମୟ ଅନୁସାରେ ଉତ୍ପାଦିତ ଘାସକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଯଥା-୧- ଋତୁକାଳୀନ ଘାସ ଓ ୨-ବହୁବର୍ଷୀୟ ଘାସ । ସେହିପରି ଘାସରେ ରହିଥିବା ଖାଦ୍ୟସାର ଅନୁସାରେ ଘାସକୁ ୨ଭାଗରେ ବିଭକ୍ତି କରାଯାଇଛି ଯଥା – ଶସ୍ୟ ଜାତୀୟ ଘାସ - ଅଧିକ ଶ୍ଵେତସାର ଯୁକ୍ତ । ଛୁଇଁ ଜାତୀୟ ଘାସ - ଅଧିକ ପୁଷ୍ଟିସାର ଯୁକ୍ତ । ଗାଈଙ୍କୁ ଉପରୋକ୍ତ ୨ କିସମ ଘାସ ଯଥା ଶସ୍ୟ ଜାତୀୟ ଘାସ ୨ ଭାଗ ଓ ଛୁଇଁ ଜାତୀୟ ଘାସ ୧ ଭାଗ ହିସାବରେ ଖୁଆଇଲେ ଅଧିକ ଲାଭ ମିଳିଥାଏ । ଚାଷ ପ୍ରଣାଳୀ ଅନ୍ୟାନ୍ୟ ଖାଦ୍ୟ ଫସଲ ତୁଳନାରେ ଘାସ ଫସଲ ସକାଶେ ଅପେକ୍ଷାକୃତ କମ୍ ଜଳର ଆବଶ୍ୟକତା ରହିଥାଏ । ଏହି ଫସଲ ପାଇଁ ଉଚ୍ଚ । ନିଗିଡ଼ା ଜମି ଚୟନ କରିବା ଆବଶ୍ୟକ । ଜମି ଚୟନ ପରେ ଏହାକୁ ହଳ କରି ମାଟିଗୁଣ୍ଡ କରିବା ଓ ଏକର ପ୍ରତି ୧୦୦ କିଗ୍ରା ସୁପର ଫସଫେଟ୍ ସାର କିମ୍ବା ୫୦ କି.ଗ୍ରା. ଡିଏପି ସାର, ୧୫ କି.ଗ୍ରା ପଟାସ ସାର ୨-୩ ଟ୍ରାକ୍ଟର ଟ୍ରଲି ଶକ୍ତ ଗୋବର ଖତ ପ୍ରୟୋଗ କରି ମଞ୍ଜି ବୁଣାଯାଏ । ମାତ୍ର ଶୀତଦିନିଆ ବରସିମ୍, ଲୁସର୍ଣ୍ଣ ଘାସ ମଞ୍ଜିକୁ ମାଟିଗୁଣ୍ଡ କରି ଛୋଟପଟାଳି ପ୍ରସ୍ତୁତ କରି ଠିଆ ପାଣିରେ ବୁଣିଲେ ଅଧ୍ୟକ ଅମଳ ମିଳିଥାଏ । ସମସ୍ତ ଫସଲ ବୁଣିବାର ୨-୩ ସପ୍ତାହ ଅନ୍ତରରେ ଏକର ପ୍ରତି ୧୫-୨୦ କିଗ୍ରା ୟୁରିଆ ସାର ପ୍ରୟୋଗ କରାଯାଏ ଓ ସୋରଗମ୍ ଜାତୀୟ ଘାସ ଯାହାକି ଏକରରୁ ଅଧିକ ଥର ଅମଳ ଦେଇଥାଏ। ସେହି କ୍ଷେତ୍ରରେ ପ୍ରତ୍ୟେକ ଅମଳ ପରେ ୟୁରିଆ ସାର ପ୍ରୟୋଗ କରିବା ଆବଶ୍ୟକ । ସୋରଗମ୍ ଓ ବାଜରା ଇତ୍ୟାଦି ଘାସ ଫୁଲ ଉଡ଼େଇବା ସମୟରେ, ମକାମଞ୍ଜି କ୍ଷୀର ଢୋକିବା ସମୟରେ, ବରଗୁଡ଼ି ଓ ଗୁଆଁର ଫସଲ ଛୁଇଁ ଧରିବା ଅବସ୍ଥାରେ ଅମଳ କରାଯାଇଥାଏ । ବରସିମ୍ ଲୁସର୍ଣ୍ଣ ଇତ୍ୟାଦି ଫସଲ ବୁଣିବାର ୪୫ ରୁ ୬୦ ଦିନ ମଧ୍ୟରେ ପ୍ରଥମ ଅମଳ ମିଳିଥାଏ ଓ ପରବର୍ତ୍ତୀ ୩୦ - ୩୫ ଦିନ ଅନ୍ତରରେ ୩-୪ ଥର ଘାସ ଅମଳ କରାଯାଇଥାଏ । ଋତୁକାଳୀନ ଘାସ ଚାଷ ଲାଗି ଆବଶ୍ୟକ ବିହନ ପରିମାଣ ଓ ଘାସ ଉତ୍ପାଦନ ତାଲିକା – ଘାସରନାମ ଏକରପ୍ରତି ଆବଶ୍ୟକ ବିହନ ପରିମାଣ ଏକର ପ୍ରତି ଅମଳ ପରିମାଣ ମକା ୨୦ କି.ଗ୍ରା ୧୨୦ କୁଇଣ୍ଟାଲ ସୋରଗମ୍ ୨୦ କି.ଗ୍ରା ୧୫୦ କୁଇଣ୍ଟାଲ ବାଜରା ୪ କି.ଗ୍ରା ୧୦୦ କୁଇଣ୍ଟାଲ ଯବଧାନ ୪୦ କି.ଗ୍ରା ୧୨୦ କୁଇଣ୍ଟାଲ ବରଗୁଡ଼ି ୧୫ କି.ଗ୍ରା ୮୦ କୁଇଣ୍ଟାଲ ଗୁଆଁର ୧୦ କି.ଗ୍ରା ୮୦ କୁଇଣ୍ଟାଲ ବରସିମ ୧୦ କି.ଗ୍ରା ୧୫୦ କୁଇଣ୍ଟାଲ ଲୁସର୍ଣ୍ଣ ୧୦ କି.ଗ୍ରା ୧୫୦ କୁଇଣ୍ଟାଲ ଚାଇନିଜ କ୍ୟାବେଜ୍ ୪ କି.ଗ୍ରା ୮୦ କୁଇଣ୍ଟାଲ ସବୁଦିନିଆ ଘାସଚାଷ ଯେଉଁ ଘାସ ଫସଲ ଜମିରେ ଥରେ ରୋପଣ କଲେ ତାହା କ୍ରମାଗତ ଭାବେ ୪-୫ ବର୍ଷ ପର୍ଯ୍ୟନ୍ତ ଅମଳ ଦେଇଥାଏ, ତାହାକୁ ବହୁବର୍ଷୀୟ ଘାସ କୁହାଯାଏ । କେତେକ ପ୍ରଧାନ ବହୁବର୍ଷୀୟ ଘାସ ଫସଲ ଗୁଡ଼ିକ ହେଲା – ସଙ୍କର ହାତିଆ, ଗିନି, ପାରା, କଙ୍ଗେଙ୍ଗା ସିଗନାଲ, ଷ୍ଟାଇଲେ,ହ୍ୟୁମିଡିକୋଲା ଇତ୍ୟାଦି । ଅନ୍ୟାନ୍ୟ ଫସଲ ପରି ଜମି ପ୍ରସ୍ତୁତ ସମୟରେ ଏକର ପ୍ରତି । ୨-୩ ଟ୍ରାକ୍ଟର ଟ୍ରଲି ଶଢ଼ା ଗୋବର ଖତ, ୧୦୦ କି.ଗ୍ରା. ସିଙ୍ଗଲ ସୁପର ଫସପେଟ, ୧୫ କି.ଗ୍ରା. ପଟାସ ସାର ପ୍ରୟୋଗ କରାଯାଏ । ସଙ୍କର ହାତିଆ, ଗିନି, ଇତ୍ୟାଦି ଉଚ୍ଚ ନିଗିଡ଼ା ଜମିରେ ଓ ପାରା ସନ୍ତସନ୍ତିଆ ଖାଲୁଆ ଜମିରେ ଭଲ ବଢିଥାଏ । ମୂଳ ବା କାଣ୍ଡ ରୋପଣରେ ୨-୩ ସପ୍ତାହ ପରେ ଓ ପ୍ରତ୍ୟେକ ଅମଳ ପରେ ଏକର ପିଛା ୧୦-୨୦ କି.ଗ୍ରା. ୟୁରିଆ ସାର ପ୍ରୟୋଗ କଲେ ଅଧିକ ଅମଳ ମିଳିଥାଏ। ପ୍ରାୟ ୨ ମାସରେ ପ୍ରଥମ ଅମଳ ଓ ପ୍ରତି ୪୫-୫୦ ଦିନ ଅନ୍ତରରେ ପ୍ରାୟ ୩-୪ ବର୍ଷ ପର୍ଯ୍ୟନ୍ତ ଘାସ ଚାଷ ଅମଳ ମିଳିଥାଏ । ଷ୍ଟାଇଲେ ସିରାଟ୍ରୋ, ଲୁସର୍ଣ୍ଣ ଇତ୍ୟାଦି ଘାସ ମଞ୍ଜି ବୁଣାଯାଇଥାଏ ଓ ଏଥିରୁ ବର୍ଷକୁ ୩-୪ ଥର ଘାସ ଉତ୍ପାଦନ ମିଳିଥାଏ । ସଙ୍କର ହାତିଆ ଘାସରେ ଜଳସେଚନର ଆବଶ୍ୟକତା ଥିଲାବେଳେ ଅନ୍ୟ ବହୁବର୍ଷୀୟ ଘାସ କିସମ ଗୁଡ଼ିକ ମରୁଡ଼ି ସହଣିଯୁକ୍ତ ଅଟନ୍ତି । ଋତୁକାଳୀନ ଘାସଚାଷ ବର୍ଷର ବିଭିନ୍ନ ଋତୁରେ ଅର୍ଥାତ ଗ୍ରୀଷ୍ମ, ବର୍ଷା ଓ ଶୀତ ଋତୁରେ ଚାଷ କରାଯାଇଥିବା ଘାସକୁ ଋତୁକାଳୀନ ଘାସ କୁହାଯାଏ । ବର୍ଷାଦିନେ ଶସ୍ୟ ଜାତୀୟ ଘାସ ଯଥା-ମକା, ସୋର ଗମ୍, ବାଜରା ଓ ଛୁଇଁ ଜାତୀୟ ଘାସ ଯଥା- ଗୁଆଁର, ବରଗୁଡ଼ି, ରାଇସ୍ ବିନ୍ ଇତ୍ୟାଦି ଚାଷ କରାଯାଇଥାଏ । ଜଳସେଚନର ବ୍ୟବସ୍ଥା ଥିଲେ ଉପରୋକ୍ତ ଘାସ କିସମ ଗୁଡ଼ିକ ଗ୍ରୀଷ୍ମ ଋତୁରେ ମଧ୍ୟ ଚାଷ କରାଯାଇପାରେ । ସେହିପରି ଶୀତ ଋତୁରେ ଜଳସେଚିତ ଅଞ୍ଚଳରେ ଶସ୍ୟ ଜାତୀୟ ଘାସ ଯଥା- ଯବଧାନ ଓ ଛୁଇଁ ଜାତୀୟ ଘାସ ବରସିମ, ଲୁସର୍ଣ୍ଣ, ଚାଇନିଜ, କେବେଜ୍ ଇତ୍ୟାଦି ଚାଷ ହୋଇଥାଏ । ସଂଗୃହିତ - କେଶବ କୁମାର ମହାପାତ୍ର, ସହକାରୀ ତୃଣ ଉନ୍ନୟନ ଅଧିକାରୀ, ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ, ମଙ୍ଗଳାବାଗ, କଟକ,