ବିହନ କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ବିହନ ହେଉଛି ଏକ ମୁଖ୍ୟ କୃଷି ସାମଗ୍ରୀ । ଅନ୍ୟାନ୍ୟ କୃଷି ସାମଗ୍ରୀକୁ ସ୍ଥିର ରଖି କେବଳ ଗୁଣାତ୍ମକ ବିହନ ବ୍ୟବହାର ଦ୍ୱାରା ପ୍ରାୟ ୨୦ ପ୍ରତିଶତ ଅଧିକ ଉତ୍ପାଦନ କରାଯାଇ ପାରିବ । ଅଧିକାଂଶ କୃଷି ବୈଜ୍ଞାନିକଙ୍କ ମତରେ ସ୍ୱଳ୍ପ ବିହନ ପ୍ରତିବଦଳ ହାର ଓଡ଼ିଶାରେ ବିଭିନ୍ନ ଖାଦ୍ୟ ଫସଲର କମ୍ ଉତ୍ପାଦକତାର କାରଣ ଅଟେ । ଏକ ନିର୍ଦ୍ଧିଷ୍ଟ ଫସଲ ଋତୁରେ ଉନ୍ନତ ପ୍ରାମାଣିକ ବିହନ ବ୍ୟବହୃତ ହୋଇଥିବା ଫସଲ କ୍ଷେତ୍ର ଆୟତନର ପ୍ରତିଶତକୁ ବିହନ ପ୍ରତିବଦଳ ହାର ବୋଲି କୁହାଯାଏ। ଭାରତ ସରକାରଙ୍କର ଚୁକ୍ତିସର୍ତ୍ତ ଅନୁସାରେ ବିହନ ପ୍ରତିବଦଳ ହାର ନିମ୍ନରେ ପ୍ରଦତ୍ତ ହୋଇଛି : ସ୍ୱପରାଗଣ ଫସଲ ପାଇଁ - ୩୩% ପରପରାଗଣ ଫସଲ ପାଇଁ - ୫୦% ସଙ୍କର ଜାତୀୟ ବିହନ ପାଇଁ - ୧୦୦% ବିହନ ପ୍ରତିବଦଳ ହାର ହାସଲ କରିବା ପାଇଁ ନିମ୍ନ ପଦକ୍ଷେପ ବର୍ତ୍ତମାନ ରାଜ୍ୟର ମୁଖ୍ୟ ଫସଲ ଧାନର ବିହନ ପ୍ରତିବଦଳ ହାର ହେଉଛି ପ୍ରାୟ ୨୨ ପ୍ରତିଶତ । ଚୁକ୍ତିସର୍ତ୍ତ ହାରରେ ବିହନ ପ୍ରତିବଦଳ ହାର ହାସଲ କରିବା ପାଇଁ ନିମ୍ନ ପଦକ୍ଷେପ ଗୁଡ଼ିକ ନିଆଯିବ । ରାଜ୍ୟରେ ୧୨ ଲକ୍ଷ କ୍ୱିଣ୍ଟାଲ ପ୍ରାମାଣିକ ବିହନ ଉତ୍ପାଦନ ପାଇଁ ପଦକ୍ଷେପ ନିଆଯିବ, ବିହନ ଗ୍ରାମ ଯୋଜନା ଉପରେ ଗୁରୁତ୍ୱ ଦିଆଯିବ । ଆଶାନୁରୂ ବିହନ ଉତ୍ପାଦନ ବୃଦ୍ଧି ପାଇଁ ଘରୋଇ ବିହନ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦିଆଯିବ । ଘରୋଇ ଉଦ୍ୟୋଗୀମାନଙ୍କୁ ଉପଯୁକ୍ତ ସଙ୍କର ବିହନ ସମେତ ବିହନ ଉତ୍ପାଦନ ପାଇଁ ମଧ୍ୟ ଦାୟିତ୍ୱ ଦିଆଯିବ । ଏକ ମୁଖ୍ୟ ଭୂମିକା ଗ୍ରହଣ ପାଇଁ ରାଜ୍ୟ ବିହନ ନିଗମକୁ ଉପଯୁକ୍ତ ଦୃଢ଼ୀକରଣ / ପୁନର୍ବିନ୍ୟାସ କରାଯିବ । ପ୍ରତି ଜିଲ୍ଲାରେ ଗୋଦାମ ଘର ସମେତ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ କରାଯିବ । ବର୍ତ୍ତମାନ ଥିବା ୫ଟି ପ୍ରକ୍ରିୟାକରଣ କେନ୍ଦ୍ରରେ ଚିନାବାଦାମ ବିହନ ସାଇତି ରଖିବା ପାଇଁ ଆର୍ଦ୍ରତା ବିହନ କୋଠରୀ ନିର୍ମାଣ କରାଯିବ । ରାଜ୍ୟ ବିହନ ଓ ଜୈବିକ ସାମଗ୍ରୀ ପ୍ରମାଣିକରଣ ସଂସ୍ଥା କୁ ଲୋକଶକ୍ତି ଓ ଭିତ୍ତିଭୂମି ଯୋଗାଇ ଦୃଢ଼ୀକରଣ କରାଯିବ । ଜିଲ୍ଲାସ୍ତରରେ ଅଧିକ ସଂଖ୍ୟକ କାର୍ଯ୍ୟାଳୟ ସ୍ଥାପନ କରାଯିବ । ଫଳରେ ପ୍ରତ୍ୟେକ ଜିଲ୍ଲାରେ ଅନ୍ତତଃପକ୍ଷେ ଗୋଟିଏ ଲେଖାଏଁ କାର୍ଯ୍ୟାଳୟ ରହିବ । ରାଜ୍ୟରେ ଥିବା ତିନୋଟି ବିହନ ପରୀକ୍ଷାଗାର ବ୍ୟତୀତ, ଓସ୍ କାର ନୂଆ ଜିଲ୍ଲା କାର୍ଯ୍ୟାଳୟ ଗୁଡ଼ିକରେ ବିହନ ପରୀକ୍ଷାଗାରମାନ ସ୍ଥାପନ କରାଯିବ । ଘରୋଇ ଉଦ୍ୟୋଗୀ କିମ୍ବା ବିହନ କମ୍ପାନୀ ସାହାଯ୍ୟରେ ସଂକର ଜାତୀୟ ବିହନ ଉତ୍ପାଦନ କରୁଥିବା ଚାଷୀମାନଙ୍କୁ ଉତ୍ସାହିତ କରାଯିବ । ଉପଯୁକ୍ତ କୃଷି ପରିବେଶ ପରିସ୍ଥିତିରେ ଘରୋଇ ବିହନ କମ୍ପାନୀ ଓ ରାଜ୍ୟ ଦ୍ୱାରା ବିଭିନ୍ନ ଫସଲର ସଙ୍କର ଜାତୀୟ ବିହନକୁ ପ୍ରୋତ୍ସାହିତ କରାଯିବ । ଚାଷୀମାନଙ୍କ ପାଖରେ ବିହନ ଉପଲବ୍ଧତାକୁ ସହଜ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଘରୋଇ ବିକ୍ରେତାଙ୍କ ମାଧ୍ୟମରେ ବିହନ ବିକ୍ରୟ କେନ୍ଦ୍ର ଖୋଲାଯିବ । ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସପ) ଏବଂ ବୃହତ୍ ଅଞ୍ଚଳ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପ୍ସି) ଗୁଡ଼ିକ ଅନ୍ୟ କୃଷି ସାମଗ୍ରୀ ସହିତ ବିହନ ବଣ୍ଟନରେ ଭାଗ ନେବେ । ବିଭାଗୀୟ ବିହନ ବିକ୍ରୟ କେନ୍ଦ୍ର ମାଧ୍ୟମରେ ବିହନ ବିକ୍ରିକୁ ବନ୍ଦ କରାଯିବ । ରାଜ୍ୟରେ ଘରୋଇ ବିହନ ଉତ୍ପାଦନକାରୀଙ୍କୁ ପ୍ରାମାଣିକ ବିହନ ଉତ୍ପାଦନ ଓ ବିକ୍ରୟ ପାଇଁ ଉତ୍ସାହିତ କରାଯିବ । ରାଜ୍ୟ ବିହନ ନିଗମ ଓ ଘରୋଇ ବିହନ ଉତ୍ପାଦନକାରୀଙ୍କୁ ବିହନ ବଣ୍ଟନର ସୁଯୋଗ ଦେଇ ଚାଷୀମାନଙ୍କୁ ସିଧାସଳଖ ବିହନ ରିହାତି ହସ୍ତାନ୍ତର କରାଯିବ । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କୁ ଓଡ଼ିଶା ଭିତରେ ବିହନ ଉତ୍ପାଦନ ଓ ବଣ୍ଟନ ପରିମାଣ ଅନୁସାରେ ରିହାତି ପ୍ରଦାନ କରାଯିବ । ରାଜ୍ୟରେ ୨୦୦୦ରୁ ଅଧିକ ସ୍ଥାନୀୟ ବିହନ / ଜାତିର ଧାନ ରହିଛି । ଭୁବନେଶ୍ୱରସ୍ଥ ରାଜ୍ୟ ବିହନ ପରୀକ୍ଷା ପ୍ରୟୋଗଶାଳାରେ ଏହି କିସମଗୁଡ଼ିକର ସୁରକ୍ଷା ପାଇଁ ଏକ ଜିନ୍ ବ୍ୟାଙ୍କ ସ୍ଥାପନ କରାଯାଉଛି । ଉଦ୍ଭିଦ କିସମ ଓ କୃଷକ ଅଧିକାର ଆଇନ ୨୦୦୧ ଅଧିନରେ ଏହି କିସମଗୁଡ଼ିକର ପଞ୍ଜିକରଣ ନିମନ୍ତେ କୃଷକମାନଙ୍କୁ ସହାୟତା ଯୋଗାଇ ଦିଆଯିବ । ଏହି ସ୍ଥାନୀୟ କିସମର ଜର୍ମ୍ଲାଜମ୍ ସାଇତି ରଖିବା ପାଇଁ ନିଷ୍ଠାର ସହ ଉଦ୍ୟମ କରାଯିବ । ଏହି କିସମଗୁଡ଼ିକର ବିଶେଷତଃ କେତେକ ସ୍ଥାନୀୟ ବାସନା କିସମ ଧାନକୁ ଚିହ୍ନ ପ୍ରଦାନ ପାଇଁ କିସମଗୁଡ଼ିକର ଉନ୍ନତିକରଣ ନିମନ୍ତେ ଭୌଗୋଳିକ ସୂଚକ ସ୍ଥାପନ କରାଯିବ । ନୂତନ ଭାବେ ଉତ୍ତମ କିସମ ଚାଷ କରିବା ପାଇଁ କୃଷି ବିଭାଗ ସହିତ ପ୍ରଜଜକ ବିହନ ଉତ୍ପାଦନ କରୁଥିବା ଗବେଷଣା ପ୍ରତିଷ୍ଠାନ ଗୁଡ଼ିକୁ ସଂଯୋଗ କରାଯିବ । ବୈଜ୍ଞାନିକ ପ୍ରଣାଳୀରେ ପ୍ରଜଜନ କରାଯାଉଥିବା, ମରୁଡ଼ି / ଜଳମଗ୍ନତା / ଲୁଣି ସହଣୀ ଓ ପୋକ ପ୍ରତିରୋଧୀ ଓ ପରିବେଶ ପାଇଁ ଅନୁକୂଳ କିସମ ଚାଷ ପାଇଁ ପ୍ରୋତ୍ସାହିତ କରାଯିବ । ବର୍ତ୍ତମାନର ନିୟମ ଓ ପଦ୍ଧତି ଅନୁଯାୟୀ ଆନୁବଂଶୀୟ ରୂପାନ୍ତରିତ ଫସଲରେ ସମ୍ବନ୍ଧିତ ଥିବା ବିହନ ଓ ସୁବିଧା ଆକଳନ କରାଯାଇ ନୂତନ ଭାବେ ଏହି ଫସଲ ଚାଷ କରାଯିବ । ଆଧାର - କୃଷି ବିଭାଗ , ଓଡିଶା ସରକାର