କୃଷି ଗବେଷଣା ଓ ଶିକ୍ଷା କୃଷକ ମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ରାଜ୍ୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ନାମରେ ଏକମାତ୍ର କୃଷି ବିଶ୍ୱବିଦ୍ୟାଳୟ ଅଛି, ଯାହା ଅଧୀନରେ ବିଭିନ୍ନ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ରମାନ ଅଛି । ସାଂପ୍ରତିକ ପରିସ୍ଥିତିରେ “ପ୍ରକଳ୍ପ ଭିତ୍ତିକ ଗବେଷଣା” କରା ନ ଯାଇ ଆବଶ୍ୟକତା ଭିତ୍ତିକ ଗବେଷଣା ଉପରେ ଗୁରୁତ୍ୱାରୋପ କରାଯିବା ଏକାନ୍ତ ଜରୁରୀ । କୃଷକମାନଙ୍କର ଆବଶ୍ୟକତାକୁ ହୃଦୟଙ୍ଗମ କରି ବିଶ୍ୱବିଦ୍ୟାଳୟର ଆଭିମୁଖ୍ୟ ଏପରି ହେବା ଉଚିତ୍, ଯଦ୍ଧ୍ୱାରା ଗବେଷଣାଗତ ଜ୍ଞାନର ମୂଳ ତତ୍ତ୍ୱ ଅପରିବର୍ତ୍ତିତ ରହିବା ସହ ଏହା ସିଧାସଳଖ କୃଷକମାନଙ୍କ କାମରେ ଆସିାରିବ । କୃଷି ବିଶ୍ୱବିଦ୍ୟାଳୟରେ ଗବେଷଣାର ଆଭିମୁଖ୍ୟ ପ୍ରୟୋଗାତ୍ମକ ହେବା ଉଚିତ୍ । ଉକ୍ତ ଲକ୍ଷ୍ୟ ନେଇ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ତଥା କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଚାଷ ପ୍ରତିଷ୍ଠାନ ପରି ଭାରତୀୟ କୃଷି ଗବେଷଣା ପରିଷଦର ଅନ୍ୟ ଗବେଷଣା କେନ୍ଦ୍ରଗୁଡ଼ିକ ରାଜ୍ୟରେ ବିହନ ଉତ୍ପାଦନ, ପ୍ରକ୍ରିୟାକରଣ, ପରୀକ୍ଷା, ପ୍ୟାକିଂ ଓ ସାଇତା ତଥା ଖର୍ଚ୍ଚ କମ୍ କରିବା ପାଇଁ ବୈଷୟିକ ଜ୍ଞାନ କୌଶଳର ଉନ୍ନତିକରଣ ନିମନ୍ତେ କ୍ରିୟାଶୀଳ ହେବା ଉଚିତ୍ । ଅଧିକରୁ ଅଧିକ କ୍ଷୁଦ୍ର ଓ ନାମ ମାତ୍ର ଚାଷୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବୈଷୟିକ ଜ୍ଞାନ କୌଶଳର ବିକାଶ କରାଯିବା ଉପରେ ଧ୍ୟାନ ଦିଆଯିବା ଉଚିତ୍ । ଘରୋଇ ବ୍ୟବସାୟୀମାନଙ୍କ ସହିତ ସଫଳ ପ୍ରତିଦ୍ୱନ୍ଦିତା କରି ନିଜର ବୈଷୟିକ ଜ୍ଞାନ କୌଶଳକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ଗୁଡ଼ିକର ବ୍ୟବହାର କରିବା ଉଚିତ୍ । ଘରୋଇ ଅନୁଷ୍ଠାନଗୁଡ଼ିକୁ କୃଷି ଶିକ୍ଷା କ୍ଷେତ୍ରକୁ ପ୍ରବେଶ ପାଇଁ ରାଜ୍ୟ ପ୍ରୋତ୍ସାହନ ପ୍ରଦାନ କରିବ । କୃଷି ବୈଜ୍ଞାନିକମାନଙ୍କ ଉନ୍ନତ ବୈଷୟିକ କୌଶଳ ଚାଷୀମାନଙ୍କ ପାଖରେ ପହଞ୍ଚିବାକୁ ଅନ୍ତତଃ ପକ୍ଷେ ୩ ବର୍ଷ ସମୟ ନେଉଥିବା ବେଳେ କେତେକ କ୍ଷେତ୍ରରେ ଏହା ୫ ବର୍ଷ ସମୟ ମଧ୍ୟ ଲାଗୁଛି । ଏହି ଅହେତୁକ ବିଳମ୍ବକୁ ଏଡ଼ାଇବା ଏକାନ୍ତ ଆବଶ୍ୟକ । ନୂତନ ଜ୍ଞାନ କୌଶଳର ବାର୍ତ୍ତା ଚାଷୀମାନଙ୍କ ନିକଟରେ ତୁରନ୍ତ ପହଞ୍ଚାଇ ଏହାର ପ୍ରସାର କରାଇବା ପାଇଁ ଏକ ଦକ୍ଷ ସମ୍ପ୍ରସାରଣ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଘରୋଇ କ୍ଷେତ୍ରଗୁଡ଼ିକ ସେମାନଙ୍କ ନିଜସ୍ୱ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ଏହି ବଭେଦକୁ ପୂରଣ କରିବେ । ନୂତନ ଜ୍ଞାନ କୌଶଳ ଆଞ୍ଚଳିକ ଭିତ୍ତିରେ ପରୀକ୍ଷା ନିରୀକ୍ଷା କରାଯାଇ ଚାଷୀମାନଙ୍କ ଦ୍ୱାରା ଏହା ସହଜରେ ଗ୍ରହଣୀୟ ହେବା ପାଇଁ ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରାଯିବା ଦରକାର । କୃଷି ଗବେଷଣା ଓ ସମ୍ପ୍ରସାରଣ ମଧ୍ୟରେ ପୂର୍ବରୁ ଥିବା ସଂଯୋଗକୁ ଅଧିକ ଦୃଢ଼ୀଭୂତ କରାଯିବ । ରାଜ୍ୟର ବିଭିନ୍ନ କୃଷି ଜଳବାୟୁ ମଣ୍ଡଳକୁ ସୁହାଇବା ଭଳି ବିଭିନ୍ନ ଫସଲର ଉନ୍ନତ / ସଂକର ଜାତୀୟ ଚାରା ଉତ୍ପାଦନ ପାଇଁ କୃଷି ବିଶ୍ୱବିଦ୍ୟାଳୟ ଅଧୀନରେ ଏକ ଜୈବ ପ୍ରଯୁକ୍ତି କେନ୍ଦ୍ର ସ୍ଥାପନ କରାଯିବ । ସଫଳ କୃଷି ଯୋଜନା ଓ ନୀତି ପ୍ରସ୍ତୁତିରେ ସହାୟତା କରିବା ପାଇଁ ତଥା କୃଷି ଉତ୍ପାଦନର ଅଟକଳ ଓ ପୂର୍ବାନୁମାନର ବିଶ୍ୱାସଯୋଗ୍ୟତା ଓ ନିର୍ଭରଶୀଳତାକୁ ସୁନିଶ୍ଚିତ କରିବା ପାଇଁ କୃଷି କ୍ଷେତ୍ରରେ କୃଷି ପରିସଂଖ୍ୟାନର ଦୃଢ଼ୀକରଣ କରାଯିବ । ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଓ ଯୁବକମାନଙ୍କୁ କୃଷି କ୍ଷେତ୍ରକୁ ଆକୃଷ୍ଟ କରିବା ପାଇଁ ବୈଷୟିକ ତାଲିମ ପ୍ରତିଷ୍ଠାନଗୁଡ଼ିକୁ ପ୍ରୋତ୍ସାହିତ ଦିଆଯିବ । ଦକ୍ଷତା ବୃଦ୍ଧି ରାଜ୍ୟର କୃଷକ ଓ ଯୁବକମାନଙ୍କୁ ବିଭିନ୍ନ ଚାଷ କୌଶଳ, କୃଷି ଯନ୍ତ୍ରପାତି, ଅମଳ ପରବର୍ତ୍ତୀ ପରିଚାଳନା ଓ ଖାଦ୍ୟ ପ୍ରକ୍ରିୟାକରଣ ଇତ୍ୟାଦି ବିଷୟରେ ଓଡ଼ିଶା ରାଜ୍ୟ ନିଯୁକ୍ତି ମିଶନ୍ ସମିତି ଓ ଜାତୀୟ ଗ୍ରାମୀଣ ଜୀବିବା ନିର୍ବାହ ମିଶନ ସହାୟତାରେ ତାଲିମ ପ୍ରଦାନ କରାଯିବ । ବ୍ଲକ୍ ଓ ଜିଲ୍ଲାସ୍ତରରେ ତାଲିମ କେନ୍ଦ୍ରମାନ ପ୍ରତିଷ୍ଠା କରିବା ପାଇଁ ଘରୋଇ ସଂସ୍ଥାମାନଙ୍କୁ ପ୍ରୋତ୍ସାହିତ କରାଯିବ । କୃଷି ବୈଷୟିକ ପାର୍କ / ସବୁଜ ବୈଷୟିକ ପାର୍କ ନାମରେ ଏହି ତାଲିମ କେନ୍ଦ୍ର ଗୁଡ଼ିକ ପ୍ରତ୍ୟେକ ଜିଲ୍ଲାରେ ପ୍ରତିଷ୍ଠା କରାଯିବ । ଜିଲ୍ଲାସ୍ତରୀୟ ଏହି କେନ୍ଦ୍ରଗୁଡ଼ିକ ୧୦ ଏକର ପରିମିତ ଜମିରେ ପ୍ରତିଷ୍ଠିତ ହେବ, ଯେଉଁଥିରେ ୧୫୦ ଜଣ ରହିବା ପାଇଁ ଆବାସ, ୫ ଗୋଟି ଶ୍ରେଣୀ କକ୍ଷ ଓ ଗୋଟିଏ କିମ୍ବା ଦୁଇଟି ପ୍ରୟୋଗଶାଳା ରହିବ । ଘରୋଇ ସଂସ୍ଥାଗୁଡ଼ିକୁ ଏଥିପାଇଁ ଶତକଡ଼ା ୮୦ ଭାଗ ସର୍ବାଧିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ଲଗାଣ ରିହାତି ମିଳିବ । ସେହିରି ବ୍ଲକସ୍ତରୀୟ ସବୁଜ ବୈଷୟିକ ପାର୍କ ୫ ଏକର ଜମିରେ ପ୍ରତିଷ୍ଠା କରାଯିବ, ଯେଉଁଠି ୫୦ ଜଣଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା ସହ ଦୁଇ ଗୋଟି ଶ୍ରେଣୀ କକ୍ଷ ରହିବ ।ଏହାକୁ ପ୍ରତିଷ୍ଠା କରିଥିବା ଘରୋଇ ସଂସ୍ଥାକୁ ଶତକଡ଼ା ୮୦ ଭାଗ ସର୍ବାଧିକ ୨୫ ଲକ୍ଷ ଟଙ୍କାର ପୁଞ୍ଜି ଲଗାଣ ରିହାତି ମିଳିବ । ଘରୋଇ ସଂସ୍ଥାମାନେ ଏହି ବୈଷୟିକ ପାର୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ତାଲିମଦାତା / ଅନ୍ୟ କର୍ମଚାରୀଙ୍କ ବ୍ୟବସ୍ଥା ରଖିବେ । କୃଷି ଓ ଅନ୍ୟ ଆନୁଷଙ୍ଗିକ ବିଭାଗଗୁଡ଼ିକ ଏହି ତାଲିମ କେନ୍ଦ୍ର ପାଇଁ ରାଜ୍ୟ ନିଯୁକ୍ତି ମିଶନ ଓ ଜାତୀୟ ଗ୍ରାମୀଣ ଜୀବିକା ନିର୍ବାହ ମିଶନର ଅନୁମୋଦିତ ନିୟମ ଅନୁଯାୟୀ ତାଲିମ ଗ୍ରହଣକାରୀ ଯୁବକ ଯୁବତୀଙ୍କୁ ପ୍ରାୟୋଜିତ କରିବେ । ଘରୋଇ ଉଦ୍ୟୋଗ, କୃଷି ବିଜ୍ଞାନ କେନ୍ଦ୍ର ଓ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାଗୁଡ଼ିକ ଏଥିରେ ସହଯୋଗ କରିବେ । ଏହି ତାଲିମ କେନ୍ଦ୍ରଗୁଡ଼ିକ କୃଷି ଯାନ୍ତ୍ରୀକିକରଣ, ଚାଷ ପଦ୍ଧତି, ଫସଲ ସୁରକ୍ଷା, ଅମଳ ପରବର୍ତ୍ତୀ ଜ୍ଞାନକୌଶଳ ଅମଳ ପରବର୍ତ୍ତୀ କାର୍ଯ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷି ବିଣନ ସମ୍ବନ୍ଧରେ ତାଲିମ ପ୍ରଦାନ କରିବେ । ତାଲିମ ପାଠ୍ୟଗୁଡ଼ିକ ସ୍ୱଳ୍ପ ଓ ମଧ୍ୟମ ଅବଧିଯୁକ୍ତ ହେବ । ସରକାରୀ ଓ ଘରୋଇ ନିଯୁକ୍ତି ଉପରେ ଗୁରୁତ୍ୱ ନ ଦେଇ ତାଲିମ ଗ୍ରହଣକାରୀଙ୍କ ମଧ୍ୟରେ ଉଦ୍ୟୋଗ ଓ ଆତ୍ମନିଯୁକ୍ତି ଚିନ୍ତାଧାରା ସୃଷ୍ଟି ପାଇଁ ତାଲିମଗୁଡ଼ିକୁ ବ୍ୟବହାରିକ ଜ୍ଞାନ ସମ୍ବଳିତ କରାଯିବ । ଆଧାର - କୃଷି ବିଭାଗ , ଓଡିଶା ସରକାର