ମୃତ୍ତିକାରେ ଉପଯୁକ୍ତ ଜଳଛାୟା ପରିଚାଳନା ମାଟି ଆମର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ । ଭବିଷ୍ୟତର ଆବଶ୍ୟକତାକୁ ଆଖିଆଗରେ ରଖି ଅଧିକ ଅମଳ ପାଇଁ ଏହାର ପରିଚାଳନା ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟା । ଭାରତ ଭଳି ଏକ କୃଷିପ୍ରଧାନ ଦେଶର ମୃତ୍ତିକାର ଉପଯୁକ୍ତ ପରିଚାଳନା ଜରୁରୀ ଆବଶ୍ୟକତା । ଅତୀତରେ ଖାଦ୍ୟ ଶସ୍ୟ ଉତ୍ପାଦନରେ ସ୍ଵାବଲମ୍ବୀ ହେବା ପାଇଁ ଆମର ଯଥେଷ୍ଟ ଅବଦାନ ରହିଛି । କିନ୍ତୁ ଅଧିକ ଖାଦ୍ୟ ଉତ୍ପାଦନ ସହିତ ଆମ ପରିବେଶର ମାନ ସନ୍ତୁଳନ ରଖିବା କଷ୍ଟକର ହେଉଛି । ତେଣୁ ମାଟି ଓ ଜଳ ଭଳି ଜାତୀୟ ସମ୍ପଦକୁ ଏପରି ଭାବେ ପରିଚାଳନା କରିବା ଉଚିତ, ଯାହାଦ୍ଵାରା କୃଷି ଉତ୍ପାଦନ ବୃଦ୍ଧି ସହିତ ଆମର ଭବିଷ୍ୟତ ବଂଶଧରଙ୍କ ପାଇଁ ଏକ ଉତ୍ତମ ପରିବେଶ ଓ ପରମ୍ପରା ସୃଷ୍ଟି ହେବ । ଭାରତୀୟ କୃଷିର ଉନ୍ନତି କଳ୍ପେ ୧୯୨୮ ମସିହାର ସ୍ଥାପିତ ରୟାଲ କମିଶନ ଉତ୍ତମ ଭୂମି ବିନିଯୋଗ ଯୋଜନା ପାଇଁ ମୃତ୍ତିକା ସମ୍ପଦ ମୂଲ୍ୟାଙ୍କନର ଗୁରୁତ୍ଵକୁ ଉପଲ୍ଲବଧି କରିଥିଲେ । ଭାରତୀୟ ମୃତ୍ତିକା ସର୍ବେକ୍ଷଣ ବିଭାଗ ୧୯୫୬ ମସିହା ଠାରୁ ପ୍ରଥମେ କେତେକ ନିର୍ଦ୍ଧିଷ୍ଟ ପ୍ରକଳ୍ପ ପାଇଁ ବିକ୍ଷିପ୍ତ ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଓଡିଶାରେ ମୃତ୍ତିକା ସର୍ବେକ୍ଷଣ କାମ କମ ହୋଇଥିବାରୁ ଏହି ସମ୍ବନ୍ଧୀୟ ତଥ୍ୟମାନ ଅଳ୍ପ ପରିମାଣରେ ରହିଛି । ଜମିର ଉପଯୁକ୍ତ ବିନିଯୋଗ ପାଇଁ ମୃତ୍ତିକା ବିସ୍ତୁତି, ଅବସ୍ଥିତି ଗୁଣବର୍ତ୍ତା ଓ ଉତ୍ପାଦିକା ଶକ୍ତି ଆଦି ବିଷୟରେ ଜାଣିବା ନିହାତି ଆବଶ୍ୟକ । ଏ ପର୍ଯ୍ୟନ୍ତ ଆମେ ଆମର ସୀମିତ ମୃତ୍ତିକା ସମ୍ପଦ ପ୍ରତି କମ ନଜର ଦେଇଛୁ । ସବୁ ରାଜ୍ୟର ମାଟିର କ୍ଷମତା ଓ ସମସ୍ୟା ବିଷୟରେ ଜାଣିବା ପାଇଁ ମୃତ୍ତିକା ସମ୍ପଦର ମାନଚିତ୍ର ୧.୨୫୦,୦୦୦ ଅନୁପାତରେ କରିବା ପାଇଁ ଜାତୀୟ କର୍ମଶାଳାରେ ପ୍ରସ୍ତାବ ଗୃହିତ ହୋଇଛି । ଏଥିପାଇଁ ଜାତୀୟ ମୃତ୍ତିକା ସର୍ବେକ୍ଷଣ ଓ ଭୂମି ବିନିଯୋଗ ପ୍ରତିଷ୍ଠାନ, ରାଜ୍ୟ କୃଷି ବିଭାଗ ସହାୟତାରେ ମୃତ୍ତିକା ସମ୍ପଦର ମାନଚିତ୍ର ପ୍ରସ୍ତୁତି ଭଳି ଏକ ବଡ କାର୍ଯ୍ୟ ହାତକୁ ନେଇଛନ୍ତି । ଏହା ଫଳରେ ମୃତ୍ତିକା ସମ୍ବନ୍ଧରେ ସବିଶେଷ ବିବରଣୀ ଜମିର ଦୀର୍ଘସ୍ଥାୟୀ ସୁପରିଚାଳନା ପାଇଁ ବ୍ୟବହାର ହୋଇପାରିବ । ନିମ୍ନଲିଖିତ ୮ ଗୋଟି ଉଦ୍ଦେଶ୍ୟକୁ ନେଇ ଉକ୍ତ ପ୍ରକଳ୍ପଟି ପ୍ରସ୍ତୁତ କରାଯାଇଛି । ଉଦ୍ଦେଶ୍ୟ ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା : - ମୃତ୍ତିକା ପରିବାରକୁ ଏକକ ହିସାବରେ ନେଇ ମୃତ୍ତିକା ସମ୍ପଦର ୧.୨୫୦,୦୦୦ ଅନୁପାତରେ ମାନଚିତ୍ର ପ୍ରସ୍ତୁତ କରିବା । ବିଭିନ୍ନ ଭୂମି ବ୍ୟବହାରକାରୀ ସଂସ୍ଥାମାନଙ୍କର ଉପଯୋଗୀ ହେଲାଭଳି ଗୁଣାତ୍ମକ ମାନଚିତ୍ର ପ୍ରସ୍ତୁତ କରିବା । ବିଭିନ୍ନ ମାଟିର ପ୍ରକୃତି ଓ ବିସ୍ତୁତି ନିର୍ଣ୍ଣୟ କରିବା । ମୃତ୍ତିକା ଚିହ୍ନଟ ପାଇଁ ସେମାନଙ୍କ ଗୁଣବର୍ତ୍ତା ବିଷୟରେ ଜାଣିବା । ଏକ ନିଦ୍ଧିଷ୍ଟ ମୃତ୍ତିକାର ଫସଲ ଉପଯୋଗୀତା ମଡେଲ ପ୍ରସ୍ତୁତି କରି ସେ ଅଞ୍ଚଳରେ ଚାଷ ହୋଇପାରୁଥିବା ବିକଳ୍ପ ଫସଲର ଉତ୍ପାଦିକା ଶକ୍ତି ନିର୍ଣ୍ଣୟ କରିବା । ପ୍ରତିଷ୍ଠିତ ମୃତ୍ତିକା ଅଞ୍ଚଳରେ କୃଷି ସମ୍ବନ୍ଧୀୟ ଗବେଷଣା କରି ତତଲବ୍ଧ ଜ୍ଞାନ କୌଶଳ ସମଶ୍ରେଣୀୟ ମୃତ୍ତିକା ଅଞ୍ଚଳରେ ପ୍ରୟୋଗ କରିବା । ଭବିଷ୍ୟତରେ ବ୍ୟବହାର ପାଇଁ ମୃତ୍ତିକା ସମ୍ବନ୍ଧୀୟ ତଥ୍ୟାବଳୀକୁ ସଂରକ୍ଷିତ କରି ରଖିବା ଏବଂ ଦରକାର ମୁତାବକ ବ୍ୟାଖ୍ୟାନ କରିବା । ମୃତ୍ତିକା ସ୍ୱାସ୍ଥ୍ୟ ବିଶେଷତ୍ଵ ଅବକ୍ଷୟ ମୃତ୍ତିକା ସ୍ୱାସ୍ଥ୍ୟକୁ ଅନୁଧ୍ୟାନ କରି ବିହିତ ଉପଛାଡ଼ ବ୍ୟବସ୍ଥା କରିବା । ଆଧାର- ଭାରତୀୟ ମୃତ୍ତିକା ସିରିଜ