ଲକ୍ଷ୍ୟ ଅଧିବେଶନର ଅନ୍ତିମ ପର୍ଯ୍ୟାୟ ଆଡକୁ ଅଂଶଗ୍ରହଣକାରୀମାନେ ମକାରେ ହେଉଥିବା ଅମଳ-ଜନିତ କ୍ଷତିକୁ କମ କରିବା, ପ୍ରକଳ୍ପ ଗ୍ରାମ ଗୁଡିକରେ ଉତ୍ପାଦର ଏକସମାନ ମାନକୁ ବଜାୟ ରଖିବା ଏବଂ ଉତ୍ତମ ବଜାର କାରବାର ଅନୁସରଣ କରିବା ବିଷୟରେ ପରିଚିତ ହୋଇଥିବା ଦରକାର I ଶିକ୍ଷଣ ଉଦ୍ଦେଶ୍ୟ ମକାରେ ହେଉଥିବା ଅମଳ-ପରବର୍ତ୍ତୀ କ୍ଷତି ବିଷୟରେ ଧାରଣା ଦେବା ସହ ଏହି କ୍ଷତିକୁ କମ କରିବା ପାଇଁ ଚାଷୀମାନଙ୍କୁ ସଚେତନ କରିବା I ମକାର ଏଫ୍.ଏ.କ୍ୟୁ. ମାନ ବିଷୟରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା I କ୍ଷୁଦ୍ରଚାଷୀମାନଙ୍କୁ ସଶକ୍ତିକରଣ କରିବା ସହ ମକା ଓ ଡାଲି-ଜାତୀୟ ଫସଲର ମାନରେ ଉନ୍ନତି ଆଣିବା ଓ ଲାଭକାରୀ ବଜାରରେ ଏହାକୁ ବିକ୍ରୟ କରି ଆୟକୁ ବଢାଇବା I ପ୍ରୟୋଜନ ଅମଳଠାରୁ ଆରମ୍ଭ କରି ଖାଇବା/ବଜାର ସଲଗ୍ନତା ମଧ୍ୟରେ ଚାଷୀମାନେ ସାଧାରଣତଃ ଉଭୟ ପରିମାଣ ଓ ଗୁଣବତ୍ତାରେ କ୍ଷତି ସହିଥାଆନ୍ତି I ଅମଳ, ପରିବହନ, ପ୍ରକ୍ରିୟାକରଣ ଓ ମହଜୁଦ ରଖିବା ସମୟରେ ହେଉଥିବା କ୍ଷତି ଚାଷୀମାନଙ୍କ ଆୟ ତଥା ଖାଦ୍ୟ ଉପଲବ୍ଧତା ଉପରେ ପ୍ରତିକୁଳ ପ୍ରଭାବ ପକାଇଥାଏ I ତେଣୁ ଏହି କ୍ଷତି କମିଗଲେ ଚାଷୀମାନଙ୍କର ଖାଦ୍ୟ ଉପଲବ୍ଧତା ତଥା ଆୟ ବଢିଯିବ I ଚାଷୀମାନଙ୍କୁ ଏହି ସବୁ କ୍ଷତି କମ କରିବାର ବିଭିନ୍ନ କୌଶଳ ବିଷୟରେ ଶିଖିବା ପାଇଁ ଏହି ପ୍ରଶିକ୍ଷଣ ମଡ୍ୟୂଲ୍ ସାହାଯ୍ୟ କରିବ I ଏହାସହ ଉଚିତ ଦାମ ପାଇବା ପାଇଁ ଏହା ମକାର କିଛି ନିର୍ଦ୍ଧିଷ୍ଟ ମାନନିର୍ଦ୍ଧାରକ ଯଥା, ଶସ୍ୟର ପ୍ରକାର, ଗୋଟାଳିଆତା, ରୂପ ଓ ଆକାର, ରଙ୍ଗ, ବାହ୍ୟ ବସ୍ତୁର ଉପସ୍ଥିତି, ନଷ୍ଟ ହୋଇଯାଇଥିବା ଦାନା, ଭଙ୍ଗା ଦାନା, ନିମ୍ନ ମାନର ଶସ୍ୟର ଅପମିଶ୍ରଣ, ଆର୍ଦ୍ରତା, ସଂଦୂଷିତ ପଦାର୍ଥ ଇତ୍ୟାଦିର ସଠିକ ପରିଚାଳନା ବିଷୟରେ ଚାଷୀମାନଙ୍କୁ ସଚେତନ କରାଇବ I ଦଳଗତ ବିପଣନ ପ୍ରକ୍ରିୟା ସମ୍ବଦ୍ଧରେ ବୁଝିବା ପାଇଁ ଏହି ପ୍ରଶିକ୍ଷଣ ଟୁଲଟି ଚାଷୀମାନଙ୍କୁ ସାହାଯ୍ୟ କରିବାସହ ଦଳଗତ ଭାବେ ଉତ୍ପାଦକୁ ବିକ୍ରୟକରି ବୃଦ୍ଧୀୟ ଦର ପାଇବାରେ ଏହା ସେମାନଙ୍କ ପଇଁ ସହାୟକ ହେବ I ମକାରେ ହେଉଥିବା ଅମଳ-ପରବର୍ତ୍ତୀ କ୍ଷତି ଓ ଏହାକୁ କିପରି କମ କରିହେବ ଅଧିବେଶନ ୨.୧ ମକାରେ ହେଉଥିବା ଅମଳ-ପରବର୍ତ୍ତୀ କ୍ଷତି ଓ ଏହାକୁ କିପରି କମ କରିହେବ I ଉଦ୍ଦେଶ୍ୟ ମକାରେ ହେଉଥିବା ଅମଳ-ପରବର୍ତ୍ତୀ କ୍ଷତି ବିଷୟରେ ଚାଷୀମାନଙ୍କୁ ସଚେତନ କରାଇ ତାକୁ କମ କରିବାର ବିଭିନ୍ନ ଉପାୟ I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଅମଳ-ପରବର୍ତ୍ତୀ କ୍ଷତି ଓ ଏହାକୁ କମ କରିବାର ବିଭିନ୍ନ ଉପାୟ ସବୁକୁ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ଏହାପରେ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I ଅଂଶଗ୍ରହଣକାରୀ ମକା ଚାଷ କରୁଥିବା ମହିଳା ଚାଷୀ ଓ ସେମାନଙ୍କ ପରିବାରର ପୁରୁଷମାନେ କିମ୍ବା ଯେଉଁମାନେ ମକା ଚାଷ କରିବାକୁ ଇଛୁକ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନI ଦରକାରୀ ସାମଗ୍ରୀ ପୋଷ୍ଟର ଓ ଫିଲ୍ମ ପ୍ରୋଜେକ୍ଟର I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ– ୫୦ ମିନିଟ୍ | ପୃଷ୍ଠଭୁମୀ ଅମଳଠାରୁ ଆରମ୍ଭ କରି ଖାଇବା/ବଜାର ସଲଗ୍ନତା ମଧ୍ୟରେ ଚାଷୀମାନେ ସାଧାରଣତଃ ଉଭୟ ପରିମାଣ ଓ ଗୁଣବତ୍ତାରେ କ୍ଷତି ସହିଥଆନ୍ତି I ଅମଳ, ପରିବହନ, ପ୍ରକ୍ରିୟାକରଣ ଓ ମହଜୁଦ ରଖିବା ସମୟରେ ହେଉଥିବା କ୍ଷତି ଚାଷୀମାନଙ୍କ ଆୟ ତଥା ଖାଦ୍ୟ ଉପଲବ୍ଧତା ଉପରେ ପ୍ରତିକୁଳ ପ୍ରଭାବ ପକାଇଥାଏ I ତେଣୁ ଏହି କ୍ଷତି କମିଗଲେ ଚାଷୀମାନଙ୍କର ଖାଦ୍ୟ ଉପଲବ୍ଧତା ତଥା ଆୟ ବଢିଯିବ I ଚାଷୀମାନଙ୍କୁ ଏହି ସବୁ କ୍ଷତି କମ କରିବାର ବିଭିନ୍ନ କୌଶଳ ବିଷୟରେ ଶିଖିବା ପାଇଁ ଏହି ପ୍ରଶିକ୍ଷଣ ମଡ୍ୟୂଲ୍ ସାହାଯ୍ୟ କରିବ I ସୋପାନ - ପର - ସୋପାନ କାର୍ଯ୍ୟକ୍ରମ ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ମକାର ଅମଳ, ଅମଳ-ପରବର୍ତ୍ତୀ ପର୍ଯ୍ୟାୟ, ପ୍ରକ୍ରିୟାକରଣ, ମହଜୁଦ ରଖିବା ଓ ପରିବହନ କରିବା ସମୟରେ ହେଉଥିବା ଶସ୍ୟ କ୍ଷତି ସମ୍ପର୍କରେ ସଚେତନ ଅଛନ୍ତି କି I ଏହା ମଧ୍ୟ ପଚାରନ୍ତୁ କି ସାମାନ୍ୟତଃ ଏହି ପ୍ରକାର କ୍ଷତିକୁ କମ କରିବା ପାଇଁ ସେମାନେ କ'ଣ ସବୁ ଉପାୟ କରିଥାଆନ୍ତିI ସୋପାନ -୨: ଅମଳ-ପରବର୍ତ୍ତୀ କ୍ଷତିକୁ କେମିତି କମ କରାଯାଏ : ଅମଳ ଏବଂ ଅମଳ-ପରବର୍ତ୍ତୀ ସମୟରେ ସମୟରେ ଶସ୍ୟ ବିଛୁଡି ହୋଇ ନଷ୍ଟ ହୋଇ ଯାଇଥିବା ଏହି ପୋଷ୍ଟରକୁ ଚାଷୀମାନଙ୍କୁ ଦେଖାନ୍ତୁ ଏବଂ ବୁଝାନ୍ତୁ ଏହାକୁ କିପରି କମ କରିହେବ: ଅମଳ ପୁର୍ବବର୍ତ୍ତୀ ଓ ଅମଳ-ପରବର୍ତ୍ତୀ ଉନ୍ନତ ଅଭ୍ୟାସଗୁଡିକୁ ଆଦୃତ କରି: ମକାର ଅମଳ-ପରବର୍ତ୍ତୀ କ୍ଷତିକୁ କମ କରିବା ପାଇଁ, ଅମଳ ପୁର୍ବରୁ ଠିଆ ହୋଇଥିବା ମକା ଫସଲକୁ ତଳେ ପଡିଯିବାରୁ ରକ୍ଷା କରିବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ I ପାଖରେ ଠିଆ ହୋଇଥିବା ଦୁଇ ତିନୋଟି ମକା ଗଛକୁ ଏକା ସାଙ୍ଗରେ ବାନ୍ଧି ଫସଲକୁ ତଳେ ପଡିଯିବାରୁ ରକ୍ଷାକରାଯାଇ ପାରିବ I ଯଦି ଗଛ ତଳେ ପଡିଯାଏ, ତେବେ ଉଇ ଆକ୍ରମଣ ଓ ଦୂଷିତ ହେବାର ଅଧିକ ଆଶଙ୍କା ଥାଏ I ମକା ଶୁଖିବା ସାଙ୍ଗେ ସାଙ୍ଗେ ଅମଳ କରିବା ଦରକାର I ପାକଳ ହୋଇଥିବା ଫସଲକୁ ଜମିରେ ବେଶୀଦିନ ରଖିବା ଉଚିତ ନୁହେଁ କାରଣ ଅଧିକ ଦିନ ଜମିରେ ରହିଲେ ଏହା ବମାପୋକର ଆକ୍ରମଣର ଶୀକାର ହେବା ସହ ଗଛ ତଳେ ପଡିଯିବାର ଅଧିକ ଆଶଙ୍କା ଥାଏ I ଗଛର କାଣ୍ଡ ଶୁଖିଗଲା ପରେ ଏବଂ ଶସ୍ୟର ଜଳୀୟ ଅଂଶ ମାତ୍ରା ଶତକଡା ୨୨ ରୁ ୨୬ ପ୍ରତିଶତ ମଧ୍ୟରେ ଥିଲେ ଏହା ମକା ଅମଳର ପ୍ରକୃଷ୍ଟ ସମୟ ହୋଇଥାଏ I ଅମଳ ପୁର୍ବରୁ ଶୁଖାଇବା ଜାଗା ଓ ଉପକରଣସବୁ ସୂର୍ଯ୍ୟାଲୋକରେ ଶୁଖାଇ ପରିଷ୍କାର ତଥା ବିସଂକ୍ରମିତ କରନ୍ତୁ I ନୁଆ ଶସ୍ୟକୁ ପୋକଯୋକ ଏବଂ ତାଙ୍କର ଅଣ୍ଡାରୁ ରକ୍ଷା କରିବା ପାଇଁ ଗୋଦାମ/ଖଳାରୁ ପୁରୁଣା ଶସ୍ୟ ଓ ମଇଳା ସବୁକୁ ବାହାର କରିଦିଅନ୍ତୁ I ଅମଳ ସମୟରେ ସଂକ୍ରମଣକୁ କମ କରିବା ପାଇଁ ସଂକ୍ରମିତ ମକା ଭଣ୍ଡାଗୁଡିକୁ ଅନ୍ୟ ମକାଠାରୁ ଅଲଗା କରନ୍ତୁ I ମକା ଭଣ୍ଡା ଓ ଦାନାକୁ ସଠିକ ଶୁଖାଇବା, ସଫାକରିବା ଓ ବର୍ଗୀକରଣ କରିବା ଅମଳ ସମୟରେ ସଂକ୍ରମଣକୁ କମ କରିବା ପାଇଁ ସଂକ୍ରମିତ ମକା ଭଣ୍ଡା ଗୁଡିକୁ ଅନ୍ୟ ମକାଠାରୁ ଅଲଗା କରନ୍ତୁ I ଅମଳ ପରେ ମକା ଭଣ୍ଡା ସବୁକୁ କାଠ, ବାଉଁଶ ଇତ୍ୟାଦି ସ୍ଥାନୀୟ ଦ୍ରବ୍ୟକୁ ବ୍ୟବହାର କରି ଅସ୍ଥାୟୀ ସଂରକ୍ଷଣ ପାତ୍ର ନିର୍ମାଣକରି ସେଥିରେ ଶୁଖାଇବା ସହ ମହଜୁଦ ରଖିବା ଉଚିତ I ମକା ଭଣ୍ଡାଗୁଡିକୁ ମାଟି ଚଟାଣ ଉପରେ ରଖିବା ଉଚିତ ନୁହେଁ I ଦାନାସବୁ ମାଟି ଉପରେ ରହଲେ ଏହା ମାଟିରୁ ଆର୍ଦ୍ରତା ଶୋଷଣ କରିଥାଏ ଏବଂ ଏଥିରେ ମଇଳା ଲାଗିବା ସହ ପୋକଯୋକ ଦ୍ୱାରା ସଂକ୍ରମିତ ହୋଇଥାଏ I ମକା ଭଣ୍ଡାସବୁକୁ ସବୁବେଳେ ପଟି, ପ୍ଲାଷ୍ଟିକ ଚାଦର କିମ୍ବା ଶକ୍ତ ଚଟାଣ ଉପରେ ଶୁଖାଇବା ଉଚିତ I ଦାନାରେ ଜଳୀୟ ଅଂଶ ମାତ୍ରାକୁ କମାଇ ଶତକଡା ୧୮ ରୁ ୧୯ ପ୍ରତିଶତ ପର୍ଯ୍ୟନ୍ତ ଆଣିବା ପାଇଁ ମକା ଭଣ୍ଡାସବୁକୁ ଦୁଇ ରୁ ତିନି ସପ୍ତାହ ପର୍ଯ୍ୟନ୍ତ ଶୁଖାନ୍ତୁ I ଯଦି ଉତ୍ପାଦ ଅଧିକ ଥାଏ, ମକାଦାନା ଛଡାଇବା ଯନ୍ତ୍ର ବ୍ୟବହାର କରିବା ଉଚିତ ଯଦ୍ୱାରା ଶ୍ରମ ଖର୍ଚ୍ଚ କମ ହେବା ସହ ଦାନାର ମାନକୁ ବଜାୟ ରଖିହେବI ଶସ୍ୟକୁ ଯେତେବେଳେ ଶୁଖାଇବା ପାଇଁ ରଖାଯାଏ, ଶସ୍ୟରୁ ଜଳୀୟ ଅଂଶ ବାହାରି ପ୍ଲାଷ୍ଟିକ ଚାଦର ଉପରେ ଜମା ହୋଇଯାଏ I ତେଣୁ ଦୁଇ ଘଣ୍ଟା ଶୁଖିବା ପରେ ଶସ୍ୟସବୁକୁ ପ୍ଲାଷ୍ଟିକ ଚାଦରର ଗୋଟିଏ ପାଖକୁ ଠେଲିଦେବା ଦରକାର I ପ୍ଲାଷ୍ଟିକ ଚଦରର ଖୋଲାଥିବା ଅଂଶକୁ ପାଞ୍ଚ ରୁ ଦଶ ମିନିଟ ପର୍ଯ୍ୟନ୍ତ ଶୁଖିବାକୁ ଛାଡିଦିଅନ୍ତୁ I କିଛି ସମୟ ପରେ ପ୍ଲାଷ୍ଟିକ ଚଦରର ଶୁଖିଯାଇଥିବା ଅଂଶ ଆଡକୁ ପୁଣିଥରେ ଶସ୍ୟକୁ ଠେଲି ଦେଇ ଶୁଖାନ୍ତୁ I ଏହି କାର୍ଯ୍ୟକୁ ପ୍ଲାଷ୍ଟିକ ଚଦରର ଅପର ପାର୍ଶ୍ୱରେ ପୁନରାବୃତ୍ତି କରନ୍ତୁ I ଏହିପରି ଭାବରେ ପ୍ଲାଷ୍ଟିକ ଚଦରଟି ପ୍ରତି ଦୁଇ ଘଣ୍ଟାରେ ଥରେ ପବନରେ ଶୁଖାଯିବା ଉଚିତ I ପଶୁ ପକ୍ଷୀଙ୍କ ମଳରୁ ହେଉଥିବା ଦୂଷଣ ତଥା ବର୍ଷାରୁ ଶସ୍ୟକୁ ରକ୍ଷା କରିବା ପାଇଁ ଶୁଖାଇବା ସମୟରେ ଏହା ଉପରେ ଦୃଷ୍ଟି ରଖିବା ଉଚିତ I ରାତି ସମୟରେ ଏବଂ ବର୍ଷା ହେଉଥିଲେ ଶସ୍ୟକୁ ଆଶ୍ରୟ ତଳେ ରଖିବା ଆବଶ୍ୟକ I ଗୋଟିଏ କ୍ଷେପ/ଗଦାରେ ବିଭିନ୍ନ ରଙ୍ଗର ଓ ବିଭିନ୍ନ ପ୍ରକାରର ମକାକୁ ମିଶ୍ରଣ କରନ୍ତୁ ନାହିଁ I ଯେତେଦୂର ସମ୍ଭବ ଦାନାସବୁକୁ ପରିଷ୍କାର କରି ରଖିବା ଉଚିତ I ମକା ଦାନାକୁ ସଂରକ୍ଷଣ ବା ବିକ୍ରୟ କରିବା ଆଗରୁ ଏହାକୁ ସଫାକରି ଚାଲୁଣୀରେ ଚଳାଇ ସେଥିରୁ ଭଙ୍ଗା ଦାନା, ବାହ୍ୟ ବସ୍ତୁସବୁକୁ ବାହାର କରି ଦିଅନ୍ତୁ କାରଣ ଏହା କୀଟପତଙ୍ଗ ଓ ଆର୍ଦ୍ରତାକୁ ଆମନ୍ତ୍ରଣ କରିବା ସହ ଫିମ୍ପିମାରି ଦାନକୁ ନଷ୍ଟ କରିଦେଇଥାଏ । ବିଛୁରଣ ତଥା ପରିବହନ ସମୟରେ ହେଉଥିବା କ୍ଷତିକୁ କମାଇବା ପାଇଁ ଉପାୟ । ବିଛୁରଣ ମକାଭଣ୍ଡା ଗୁଡିକୁ ଯତ୍ନ ସହକାରେ ସମ୍ଭାଳିବା ଦରକାର କାରଣ ଏହାଦ୍ୱାରା ମକାର ଉଭୟ ପରିମାଣ ଓ ମାନରେ କ୍ଷତି ହୋଇଥାଏI ବିଛୁରଣ ଦ୍ୱାରା ଦାନାର ମାନ ମଧ୍ୟ ଖରାପ ହୋଇଥାଏ କାରଣ ସଂକ୍ରମିତ ମକା ଭଣ୍ଡା ବା ଦାନା ସଫା ଦାନା ସହ ମିଶି ଯାଇଥାଏ I ସଂକ୍ରମଣ ଫଳରେ ଫିମ୍ପି ସୃଷ୍ଟି ହୋଇ ଥାଏ I ଯଦି ବିଛୁରିତ ଦାନା ଆର୍ଦ୍ରତା ସଂସ୍ପର୍ଶରେ ଅସିଥାଏ ତେବେ ଏହା ଅଧିକ ଖରାପ ହୋଇଯିବ I ମକାରୁ ମଞ୍ଜି ଛଡାଇବା ବେଳେ, ପରିବହନ ସମୟରେ, ଅଖାରେ ଭର୍ତ୍ତିକରିବା ସମୟରେ ଦାନା ସବୁ ବିଛୁରିତ ହୋଇଥାଏ I ମକା ଭଣ୍ଡା ସବୁ ପରିବହନ କରିବା ସମୟରେ ସବୁବେଳେ ବାଉଁଶରେ ପ୍ରସ୍ତୁତ ଢାଙ୍କୁଣୀଲଗା ଡବା ବ୍ୟବହାର କରିବା ନିଶ୍ଚିତ କରନ୍ତୁ I ମକାରୁ ମଞ୍ଜି ଛଡାଇବା ସମୟରେ, ବିଛୁରଣ ଓ ଦୂଷଣକୁ କମ କରିବା ପାଇଁ ପଲିଥିନ ପଟି ସାମ୍ନାରେ ରଖନ୍ତୁ I ଏହାସହ ବିଛୁରଣ କମ କରିବା ପାଇଁ ପୁରୁଣା ଏବଂ ଛିଣ୍ଡି ଯାଇଥିବା ଅଖା ବସ୍ତାକୁ ବ୍ୟବହାର କରନ୍ତୁ ନାହିଁ I ମକା ଭଣ୍ଡା ଓ ଦାନାର ସଠିକ ସଂରକ୍ଷଣ ଦାନାର ପରିମାଣ ଏବଂ ମାନକୁ ନଷ୍ଟହେବାରୁ ରକ୍ଷା କରିବା ପାଇଁ ଉପଯୁକ୍ତ ସଂରକ୍ଷଣ ପ୍ରଣାଳୀ ବ୍ୟବହାର କରିବା ଉଚିତ I ଏକ ଉତ୍ତମ ଶସ୍ୟାଧାର କୀଟପତଙ୍ଗ, ପୋକଯୋକ, ମୂଷା, ଫିମ୍ପି, ପକ୍ଷୀ ଓ ମନୁଷ୍ୟମାନଙ୍କ ଠାରୁ ସଂରକ୍ଷଣ ଦେଇଥାଏ I ଦାନାକୁ ଶସ୍ୟଧାରରେ ମହଜୁଦ ରଖିବା ପୁର୍ବରୁ ଏହାକୁ ଅନେକ ଥର ଖରାରେ ଶୁଖାଇ ସଫା କରିବା ଦରକାର I ଧାତୁ ନିର୍ମିତ ଶସ୍ୟାଧାର ମଧ୍ୟ ବ୍ୟବହାର କରିହେବ I ବିକଳ୍ପଭାବେ, ଚାଷୀମାନେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା କଞ୍ଚାମାଲକୁ ବ୍ୟବହାର କରି ସରଳ ଓ ସ୍ଵଳ୍ପମୁଲ୍ୟର ଶସ୍ୟାଧାର ନିର୍ମାଣ କରିପାରିବେ ଯାହାକୁ ସହଜରେ ସଫା ଓ ମରାମତି କରିହେବ I ଶସ୍ୟକୁ ସଂରକ୍ଷଣ କରିବା ଆଗରୁ କାନ୍ଥ ଓ ଚଟାଣରେ ଥିବା ସବୁ ଫାଟ ଓ କଣ ସବୁକୁ ବନ୍ଦ କରିଦିଅନ୍ତୁ I ଏହା ସହ ଅଖା ବସ୍ତା ଓ ଶସ୍ୟରଖିବା ଡବା ସବୁକୁ ସଫାକରି ଖରାରେ ଶୁଖାନ୍ତୁ I ଅସ୍ଥାୟୀ ଭାବେ ସଂରକ୍ଷଣ କରିବା ପାଇଁ ଦାନାକୁ ପ୍ରାକୃତିକ ତନ୍ତୁରୁ ପ୍ରସ୍ତୁତ ବ୍ୟାଗରେ ଭର୍ତ୍ତିକରି ଓଜନ କରନ୍ତୁ I ସଂରକ୍ଷଣ କରିବା ପୁର୍ବରୁ ନିଶ୍ଚିତ କରନ୍ତୁ କି ମକା ଦାନା କିମ୍ବା ମକା ଭଣ୍ଡାର ଜଳୀୟ ଅଂଶ ମାତ୍ରା ଶତକଡା ୧୩ ରୁ ୧୪ ପ୍ରତିଶତ ଭିତରେ ରହିଥିବା ଉଚିତ I ସଂରକ୍ଷଣ କରିବା ପୁର୍ବରୁ ଶସ୍ୟ ବସ୍ତା ଗୁଡିକ ଓଜନ କରନ୍ତୁ I ଶସ୍ୟ ମହଜୁଦ କୋଠାରୀଟି ଶୀତଳ ଓ ଶୁଷ୍କ ହୋଇଥିବା ଉଚିତ I ଥଣ୍ଡା ଅବସ୍ଥାରୁ ମକା ବସ୍ତାଗୁଡିକୁ ଦୁରେଇ ରଖିବା ପାଇଁ ଚଟାଣ ଉପରେ ପଥର ବିଛାଇଦେଇ ବସ୍ତା ଗୁଡିକୁ ତାହା ଉପରେ ରଖିବା ଉଚିତ କାରଣ ଥଣ୍ଡାରେ ଶସ୍ୟ ଫିମ୍ପି ଲାଗିବାର ଅଧିକ ଆଶଙ୍କା ଥାଏ I ଶସ୍ୟକୁ ମୂଷା ଓ କୀଟ ପତଙ୍ଗ ଠାରୁ ରକ୍ଷା କରିବା ପାଇଁ ନିମ୍ବ ପତ୍ର ଓ ଅନ୍ୟାନ୍ୟ ପ୍ରାକୃତିକ ପଦାର୍ଥ ବ୍ୟବହାର କରନ୍ତୁI ସଂରକ୍ଷଣ କରିବା ପୁର୍ବରୁ ଶସ୍ୟକୁ ସଫାକରି ଶୁଖାଇବା ନିଶ୍ଚିତ କରନ୍ତୁ I ସାଧାରଣତଃ ଚାଷୀମାନେ ଅମଳ ପରେ ସାଙ୍ଗେ ସାଙ୍ଗେ ସେମାନଙ୍କର ଉତ୍ପାଦକୁ ବିକ୍ରୀ କରିଦିଅନ୍ତି କାରଣ ସେମାନେ ସଂରକ୍ଷଣ ସମୟରେ ଶସ୍ୟହାନୀର ପୂର୍ବାନୁମାନ କରିଥାଆନ୍ତି I କିନ୍ତୁ, ଅନୁକୂଳ ଦର ମିଳିଲା ପର୍ଯ୍ୟନ୍ତ ଉତ୍ପାଦକୁ ଉପଯୁକ୍ତ ସଂରକ୍ଷଣ ପ୍ରବନ୍ଧନ ସହ ମହଜୁଦ କରି ରଖିବା ସମ୍ଭବ ହୋଇ ପାରିବ I ଉପସଂହାର ଅଧିବେଶନର ଶେଷ ଆଡକୁ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ଏହି ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟକୁ ବର୍ଣ୍ଣନା କରିବାକୁ କୁହନ୍ତୁ ଏବଂ ପଚାରନ୍ତୁ କି ଅମଳ ପୁର୍ବରୁ, ଅମଳ ପରେ, ପ୍ରକ୍ରିୟାକରଣ ସମୟରେ, ପରିବହନ ଓ ସଂରକ୍ଷଣ ସମୟରେ କିପରି ଶସ୍ୟହାନୀ ହୋଇଥାଏ ଏବଂ ଏହି କ୍ଷତିକୁ କମାଇବା ପାଇଁ କ'ଣ ସବୁ ଉପାୟ କରିବା ଆବଶ୍ୟକ I ଏହାସହ ଅଂଶଗ୍ରହଣକାରୀ କୌଣସି ସନ୍ଦେହ ଥିଲେ ତାହାକୁ ଦୂର କରନ୍ତୁ I ଆଧାର – ପୋର୍ଟାଲ ଟିମ