ଅଧିବେଶନ ୧. ୫ କୁକୁଡା ଆହାର I ଉଦ୍ଦେଶ୍ୟ ଶାବକ ଓ କୁକୁଡା ମାନଙ୍କୁ କେଉଁ ପ୍ରକାର ଆହାର ଦିଆଯିବ ସେ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଯନ କରାଯିବ ଏବଂ ସିଆରପିମାନେ କୁକୁଡାକୁ ଦିଆ ଯାଉଥିବା ଆହାର ବିଷୟରେ ବୁଝାଇବେ I ଅଂଶଗ୍ରହଣକାରୀ ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ I ପ୍ରକଳ୍ପ ଗ୍ରାମଗୁଡିକର ଅନ୍ୟାନ୍ୟ ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I ଦରକାରୀ ସାମଗ୍ରୀ କୁକୁଡା ଖାଦ୍ୟର ନମୁନା ପ୍ୟାକେଟ୍ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୩ ୦ ମିନିଟ୍ I ପୃଷ୍ଠଭୂମୀ କୁକୁଡାମାନଙ୍କ ପାଖରେ ଆହାର ଓ ପାଣି ସବୁ ସମୟରେ ମହଜୁଦ୍ ରହିବା ଦରକାର I ଖାଦ୍ୟ ଓ ପାଣିକୁ ଯାଞ୍ଚ କରି ସୁନିଶ୍ଚିତ କରନ୍ତୁ କି ଏହା ପରିଷ୍କାର ରହୁଛି I ଶାବକ ଓ କୁକୁଡା ପାଇଁ କେଉଁ ପ୍ରକାର ଖାଦ୍ୟ ଦିଆଯିବା ଦରକାର ଚାଷୀମାନଙ୍କୁ କହିବା ଉଚିତ୍ I କୁକୁଡା ଚାଷରୁ ଲାଭ ପାଇବା ପାଇଁ ଆହାର ଏକ ମୁଖ୍ୟ ଭୂମିକା ତୁଲାଇଥାଏ I ପକ୍ଷୀମାନଙ୍କୁ ସନ୍ତୁଳିତ ଆହାର ଦେବା ନିତାନ୍ତ ଜରୁରୀ I ଅଣ୍ଡା ଓ ମାଂସ ଉତ୍ପାଦନ ପାଇଁ ଆବଶ୍ୟକ ଆହାର ଦେବା ଦରକାର I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: କୁକୁଡାମାନଙ୍କୁ ଉପଯୁକ୍ତ ଆହାର ଦେବାର ଉପାଦେୟତା ବିଷୟରେ ଚାଷୀମାନଙ୍କୁ କୁହନ୍ତୁ I ଆହାର ସୁବ୍ୟବସ୍ଥିତ ଢଙ୍ଗରେ ଦେଲେ ଏହା ପକ୍ଷୀଙ୍କର ଶରୀର ବୃଦ୍ଧିରେ ସହାୟକ ହୋଇଥାଏ I ସନ୍ତୁଳିତ ଆହାର ଯୋଗୁଁ ଅଧିକ ଅଣ୍ଡା ଉତ୍ପାଦିତ ହୁଏ ଆଉ ବ୍ରୟଲର୍ କୁକୁଡାଙ୍କର ଶରୀର ଓଜନ ବଢିଥାଏ I ସୋପାନ -୨: କୁକୁଡା ଖାଦ୍ୟ ଭାବରେ କ'ଣ ଦେବା ଉଚିତ: ବିଭିନ୍ନ ପ୍ରକାର ସାମଗ୍ରୀକୁ ମିଶ୍ରଣ କରି କୁକୁଡା ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ I ଏହା ସବୁ ହେଉଛି ଶସ୍ୟ କଣିକା, ତେଲ ପିଡିଆ, ପଶୁ ପ୍ରୋଟିନ୍, ଧାନ ଚଷୁ, ଲୁଣ, କ୍ୟାଲସିୟମ୍, ହାଡ ଗୁଣ୍ଡ, ଖଣିଜ ଲବଣ, ଭିଟାମିନ୍ ଇତ୍ୟାଦି I ସାଧାରଣତଃ ମକା ଦାନା କୁକୁଡା ଖାଦ୍ୟ ପାଇଁ ଅତି ଉତ୍ତମ I ସୋୟାବିନ୍, ବାଦାମ, ରାଶି ଓ ସୁର୍ଯ୍ୟମୁଖୀ ପ୍ରଭୁତି ତେଲର ପିଡିଆକୁ ଆହାର ଭାବରେ ବ୍ୟବହାର କରିହେବ I ମାଛ ଓ ମାଂସର ଅବଶେଷକୁ ପଶୁ ପ୍ରୋଟିନ୍ ଭାବରେ ବ୍ୟବହାର କରିହେବ I ଖାଦ୍ୟରେ ପ୍ରୟ ୦.୫ ପ୍ରତିଶତ ଲୁଣ ଥିବା ଉଚିତ I ଗୁଣ୍ଡ କରାଯାଇଥିବା ଶାମୁକା ଖୋଳ ଓ ଚୁନକୁ କ୍ୟାଲସିୟମ୍ ଦେବା ପାଇଁ ବ୍ୟବହାର କରାଯାଏ I କ୍ୟାଲସିୟମ୍ ସ୍ଵଳ୍ପତା ହେଲେ ଅଣ୍ଡାର ଖୋଳପା ନରମ ହୋଇଯାଏ I ସୋପାନ -୩: ଆଦର୍ଶ କୁକୁଡା ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ (ଫର୍ମୁଲା) [ଅଣ୍ଡା ଦିଆ ପକ୍ଷୀଙ୍କ (ଲେୟର) ପାଇଁ)]: ପକ୍ଷୀଙ୍କ ଅଲଗା ଅଲଗା ବୟସ ଅନୁସାରେ ସେମାନଙ୍କର ଆହାରର ଆବଶ୍ୟକତା ମଧ୍ୟ ଅଲଗା ହୋଇଥାଏ I ତଳ ଚାର୍ଟରେ କୁକୁଡା ଖାଦ୍ୟ ମିଶ୍ରଣର ଏକ ଉଦାହରଣ ଦିଆଯାଇଛି : ସଂଘଟକ/ଉପାଦାନ ଶାବକ ବର୍ଦ୍ଧୀୟମାନ ପକ୍ଷୀ ଅଣ୍ଡା ଦିଆ ପକ୍ଷୀ (ଲେୟର) ୦-୮ ସପ୍ତାହ (%) ୯-୨୦ ସପ୍ତାହ (%) ୨୧ ସପ୍ତାହ ରୁ ୧ ୧/୨ ବର୍ଷ (%) ମକା ୫୫ ୫୭ ୫୮ ବାଦାମ ତେଲ ପିଡିଆ ୧୫ ୭ ୧୦ ରାଶି ତେଲ ପିଡିଆ ୧୦ ୭ ୧୦ ମାଚ୍ଛ ଶୁଖୁଆ (ଗୁଣ୍ଡ କରାଯାଇଥିବା) ୧୦ ୬ ୬ ଶୁଖିଲା ଶାମୁକା (oyster) - - ୫ ଖଣିଜ (ଲୁଣ ସହିତ) ୩ ୩ ୩ ଭିଟାମିନ୍ A, B, C, D, K (ଉଚ୍ଚ ମାନର ମିଶ୍ରଣ) ୧୦ ଗ୍ରାମ୍ ୧୦ ଗ୍ରାମ୍ ୧୦ ଗ୍ରାମ୍ ଭିଟାମିନ୍ ୩ (ମିଶ୍ରଣ) ୫୦ ଗ୍ରାମ୍ ୫୦ ଗ୍ରାମ୍ ୫୦ ଗ୍ରାମ୍ ଏହି ଅନୁପାତକୁ ବିଭିନ୍ନ ଉପାଦାନର ଉପଲଦ୍ଧତା ଓ ଦରକୁ ଦେଖି ବଦଳା ଯାଇ ପାରିବ I ତେଣୁ ପୌଷ୍ଟିକତାରେ କୌଣସି ଅଭାବ ହେବ ନାହିଁ I ସୋପାନ -୪: ଶାବକଙ୍କୁ ଆହାର ଦେଲାବେଳେ ସାବଧାନତା ଯଦି ଦ୍ରୋଣୀ ଆହାର ପାତ୍ର ବ୍ୟବହାର କରାଯାଉଥାଏ, ତେବେ ପାତ୍ରକୁ ଅଧାରୁ ଅଧିକ ପୁରଣ କରନ୍ତୁ ନାହିଁ I ଶାବକ ଓ ବ୍ରୟଲର୍ କୁକୁଡାମାନଙ୍କୁ ଦିନକୁ ତିନି ରୁ ଚାରିଥର ଆହାର ଦେବା ଦରକାର I ଅଣ୍ଡା ଦିଆ ପକ୍ଷୀମାନଙ୍କୁ ଆଠରୁ ଦଶ ସପ୍ତାହ ପରେ ଦିନକୁ ଦୁଇ ରୁ ତିନି ଥର ଆହାର ଦେବା ଦରକାର I ଆହାର ପାତ୍ରକୁ ପ୍ରାକୃତିକ ଭାବେ ଅଲୋକିତ ହେଇଥିବା ସ୍ଥାନରେ ରଖନ୍ତୁ I ଖାଦ୍ୟ ଓ ପାଣି ପାତ୍ରକୁ ଏପରି ଜାଗାରେ ରଖନ୍ତୁ କି, ଯେମିତି ଶାବକମାନଙ୍କୁ ଅଧିକ ଦୂର ଚାଲିବାକୁ ପଡିବ ନାହିଁ I ଆହାର ପାତ୍ରରେ ଲିଟର୍ ପଡିବା ଉଚିତ ନୁହେଁ I ପ୍ରତିଦିନ ପକ୍ଷୀମାନଙ୍କୁ ଦୁଇଥର ସଫା ପିଇବା ପାଣି ଦିଅନ୍ତୁ I ଉପସଂହାର ସିଆରପିମାନେ ସ୍ଥାନୀୟ ଅଞ୍ଚଳରେ ଦିଆ ଯାଉଥିବା କୁକୁଡା ଖାଦ୍ୟ ବିଷୟରେ ସୁଚନା ସଂଗ୍ରହ କରି ଚାଷୀମାନଙ୍କୁ ଉପଦେଶ ଦେବେ I ସ୍ଵଳ୍ପ ଆହାର ଯୋଗୁଁ ହେଉଥିବା ସମସ୍ୟାସବୁକୁ ଗୁରୁତ୍ୱ ସହ ଚାଷୀମାନଙ୍କୁ ବୁଝାନ୍ତୁ I ଆଧାର – ପୋର୍ଟାଲ ଟିମ