ମଡ୍ୟୁଲ - ୮ ଖରିଫ ଫସଲର ଅମଳ ଲକ୍ଷ୍ୟ ଚାଷୀମାନଙ୍କୁ ଅମଳ ଏବଂ ଅମଳ-ପରବର୍ତ୍ତୀ ପରିଚାଳନାର ମହତ୍ୱ ବିଷୟରେ ବୁଝାଇବା I ଶିକ୍ଷଣୀୟ ଉଦ୍ଦେଶ୍ୟ ଚାଷୀମାନଙ୍କୁ ଅମଳ ଏବଂ ଅମଳ-ପରବର୍ତ୍ତୀ ଜ୍ଞାନ କୌଶଳ ବିଷୟରେ ଶିକ୍ଷାଦାନ କରିବା I ପ୍ରୟୋଜନ ବେଳେ ବେଳେ ଅସମୟରେ ଅମଳ କରିବା ଫଳରେ ଶସ୍ୟହାନୀ ହୋଇଥାଏ I ଏହା ଅଧିକ ଖର୍ଚ୍ଚ ଏବଂ ଶ୍ରମ ଆବଶ୍ୟକ କରିଥାଏ I ଅନୁପଯୁକ୍ତ ସଂରକ୍ଷଣ ଅଭାବରେ ଶସ୍ୟ ନଷ୍ଟ ହୋଇଯାଇଥାଏ I ସୁରକ୍ଷିତ ସଂରକ୍ଷଣ ବ୍ୟବସ୍ଥା ସହିତ ସଠିକ ସମୟରେ ଅମଳ କଲେ ଅମଳରେ ବୃଦ୍ଧି ହୋଇଥାଏ ଏବଂ ଅମଳ-ପରବର୍ତ୍ତୀ କ୍ଷତି କମ ହୋଇଯାଇଥାଏ I ଏହି ଦିଗବିଷୟରେ ଚାଷୀମାନଙ୍କର ଜ୍ଞାନ ବର୍ଦ୍ଧନ କଲେ ବଜାରରେ ବିକ୍ରୟ କରିବା ପାଇଁ ସେମାନଙ୍କ ପାଖରେ ଅଧିକ ପରିମାଣରେ ବଳକା ଅମଳ ଉପଲବ୍ଧ ହୋଇ ପାରିବ I ଖରିଫ ଫସଲର ପ୍ରଶିକ୍ଷଣ ମଡ୍ୟୂଲ୍ ପାଞ୍ଚଗୋଟି ଅଧିବେଶନକୁ ନେଇ ଗଠିତ ଅଧିବେଶନ ୮.୧: ଅମଳର ଉପଯୁକ୍ତ ସମୟ ଅଧିବେଶନ ୮.୨: ଅମଳ ପଦ୍ଧତ୍ତି ଅଧିବେଶନ ୮.୩: ଅମଳପାଇଁ ବ୍ୟବହୃତ ଉପକରଣ ଅଧିବେଶନ ୮.୪: ଶୁଖାଇବା ଏବଂ ବର୍ଗୀକରଣ କରିବା ଅଧିବେଶନ ୮.୫: ଅମଳ ପରବର୍ତ୍ତୀ ଯତ୍ନ ଅଧିବେଶନ ୮.୧ - ଅମଳ ପାଇଁ ସଠିକ ସମୟ I ଅଧିବେଶନ ୮.୧ ଅମଳ ପାଇଁ ସଠିକ ସମୟ I ଉଦ୍ଦେଶ୍ୟ ଉତ୍ତମ ଅମଳ ପାଇବା ପାଇଁ ସଠିକ ସମୟରେ (ସହଳ କିମ୍ବା ବିଳମ୍ବ ନୁହେଁ) ଅମଳ କରିବା ପାଇଁ ଚାଷୀମାନଙ୍କୁ ଶିକ୍ଷା ଦେବା I ପଦ୍ଧତି ବ୍ୟାଖ୍ୟାନ ଏବଂ ପୋଷ୍ଟର ମାଧ୍ୟମରେ ସିଆରପିମାନେ ଅଧିବେଶନକୁ ସଞ୍ଚାଳନ କରିବେ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଅଧିବେଶନର ବିଷୟବସ୍ତୁ ବିଷୟରେ ବୁଝାଇବେ I ଏହା ପରେ ସେମାନଙ୍କୁ ଚାଷୀର କ୍ଷେତକୁ ନେଇ ଏହାର ପ୍ରଦର୍ଶନ କରାଯିବ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ତଥା ଗ୍ରାମର ଅନ୍ୟାନ୍ୟ ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I ଦରକାରୀ ସାମଗ୍ରୀ ପୋଷ୍ଟର, ଚାର୍ଟ କାଗଜ, କଲମ୍, ପ୍ରଦର୍ଶନ ପାଇଁ ବିଲରେ ଥିବା ଠିଆ ଫସଲ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ପ୍ରଦର୍ଶନ – ୬୦ ମିନିଟ୍ | ପୃଷ୍ଠଭୁମୀ ଫସଲକୁ ଉପଯୁକ୍ତ ସମୟରେ ଅମଳ କରିବାର ଲାଭ ଓ କ୍ଷତିକୁ ଚାଷୀମାନଙ୍କୁ ବୁଝାନ୍ତୁ I ସଠିକ ସମୟରେ ଅମଳ କଲେ ଅମଳ ପରିମାଣ ଅଧିକ ହେବା ସହ ଶସ୍ୟ କିମ୍ବା ଫଳର ମାନ ମଧ୍ୟ ଉତ୍ତମ ହୋଇଥାଏ I ଅମଳ ହୋଇଥିବା ଫଳର ସଂରକ୍ଷଣ ସମୟ ଅଧିକ ହୋଇଥାଏ I ସଠିକ ସମୟରେ ଅମଳ କଲେ ଏହା ପରବର୍ତ୍ତୀ ଫସଲର ପ୍ରାକ-ବୁଣା କାର୍ଯ୍ୟଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚାଷ କାମ କରିବା ମଧ୍ୟ ଉପଯୁକ୍ତ ସମୟରେ ହୋଇଥାଏ I ଏହି ସବୁ ସୁବିଧା ପାଇବା ପାଇଁ ଚାଷୀମାନଙ୍କୁ ଫସଲର ଉପଯୁକ୍ତ ଅମଳ ସମୟକୁ ନିର୍ଧାରଣ କରିବାର ଉପାୟକୁ ଚାଷୀମାନଙ୍କୁ କୁହନ୍ତୁ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ସବୁ ଅଂଶଗ୍ରହଣକାରୀମାନଙ୍କୁ ଗ୍ରାମର ଏକ ସୁବିଧାଜନକ ସ୍ଥାନରେ ଏକତ୍ର କରନ୍ତୁ ଯେଉଁଠାରେ ସେମାନଙ୍କୁ ଚାର୍ଟ ଏବଂ ପୋଷ୍ଟର ମାଧ୍ୟମରେ ଶିକ୍ଷାଦାନ ଦିଆ ଯାଇପାରିବ I ଅଧିବେଶନକୁ ଆରମ୍ଭ କରିବା ପୂର୍ବରୁ ସେମାନଙ୍କୁ ସହଜ କରିବା ପାଇଁ ଉପଯୁକ୍ତ ସମୟରେ ଅମଳ କରିବାର ମହତ୍ୱ ବିଷୟରେ କିଛି ପ୍ରଶ୍ନ ପଚାରନ୍ତୁ ଏବଂ ଖରିଫ ଫସଲ ପାଇଁ ସାଧାରଣ ଭାବେ କେଉଁ ସବୁ ପଦ୍ଧତି ଆଦୃତ କରିଥାଆନ୍ତି ପଚାରି ବୁଝନ୍ତୁ I ଜାଣିବାକୁ ଚେଷ୍ଟା କରନ୍ତୁ ଯେ ସେମାନେ ଅମଳର ସମୟ ଏବଂ ପରିମାଣ ବିଷୟରେ ଆକଳନ କରିପାରୁଅଛନ୍ତି କି I ସୋପାନ -୨: ଅମଳରେ ଡେରି ହେଲେ ହେଉଥିବା କ୍ଷତି: ପ୍ରଥମେ ବିଳମ୍ବ ଅମଳର କୁପ୍ରଭାବ ବିଷୟରେ ଚାଷୀମାନଙ୍କୁ ଜଣାନ୍ତୁ: କିଛି ଫସଲରେ ଅମଳ ବିଳମ୍ବ ହେଲେ ମଞ୍ଜିସବୁ ବିଛୁରିତ ହୋଇଯାଏ I ଉଦାହରଣସ୍ୱରୂପ, ମୁଗ ଏବଂ ବିରି ଛୁଇଁ ଫାଟି ଯାଇ ମଞ୍ଜିସବୁ ବିଛୁଡିତ ହୋଇ ପଡେ I ଚିନା ବାଦାମ ଅମଳରେ ବିଳମ୍ବ ହେଲେ ମଞ୍ଜି ଅଙ୍କୁରଣ ହେବାର ଆଶଙ୍କା ଥାଏ I କପା ଫସଲରେ ତନ୍ତୁ ସବୁ ବାହାରକୁ ବାହାରି ଆସେ I ସାରୁ ଓ ଆଳୁ ମାଟି ଭିତରେ ପଚି ଯାଇଥାଏ I ତଟକା ପନିପରିବା ଯଥା ଭେଣ୍ଡି, କାକୁଡି ଏବଂ ଜହ୍ନିର ବଜାର ଚାହିଦା କମିଯାଇଥାଏ I ବିଲାତି ବାଇଗଣ ଏବଂ ବନ୍ଧାକୋବି କ୍ଷେତ୍ରରେ ଏହାସବୁ ନଷ୍ଟ ହୋଇଯାଇଥାଏ ଏବଂ ବିକ୍ରୟ କରିବା ପାଇଁ ଉତ୍ତମ ହୋଇ ନ ଥାଏ I ବିଳମ୍ବରେ ଅମଳ ହେଲେ ମକା ଭଣ୍ଡାସବୁ ଭାଙ୍ଗି ଯାଇଥାଏ I ସୋପାନ -୩: ସହଳ ଅମଳ କଲେ ହେଉଥିବା କ୍ଷତି: ବିଳମ୍ବ ଅମଳର ଅସୁବିଧା ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଲା ପରେ ଚାଷୀମାନଙ୍କୁ ନିମ୍ନ ଉଲ୍ଲିଖିତ କାରଣ ସବୁ ଦର୍ଶାଇ କୁହନ୍ତୁ ଯେ ସହଳ ଅମଳ ମଧ୍ୟ ଫସଲ ପାଇଁ ଭଲ ନୁହେଁ: ଧାନ ଫସଲରେ ଶସ୍ୟ ପୂରଣ ହୋଇ ନ ଥାଏ କିମ୍ବା ଭଲ ଭାବେ ପାକଳ ହୋଇ ନ ଥାଏ I ତେଣୁ ଅଧିକ ଚଷୁ ହୋଇ ଅମଳ କମି ଯାଇଥାଏ I ପୁନର୍ବାର ଓଦା ନ ହେବା କିମ୍ବା ଶସ୍ୟ ଭାଙ୍ଗି ନ ଯିବା ପାଇଁ ଧାନ କାଟିବା ସଙ୍ଗେ ସଙ୍ଗେ ଧାନକୁ ଅମଳ କରି ଦିଅନ୍ତୁ I ଚିନା ବାଦାମ ଫସଲରେ ଅଧିକ ପରିମାଣରେ ଫମ୍ପା କିମ୍ବା ଅଧା-ଭର୍ତ୍ତୀ ଫଳି ହୋଇଥାଏ I କଖାରୁ ପରି ପରିବାରେ ସଂରକ୍ଷଣ ଅବଧି କମି ଯାଇଥାଏ I ଭାବେ ସାରୁ ଓ ଆଳୁକୁ ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇ ପାରେ ନାହିଁ ଏବଂ ଅମଳ ପରିମାଣ ମଧ୍ୟ କମ ହୋଇ ଯାଇଥାଏ I ସୋପାନ -୪: ଅମଳ କରିବାର ସଠିକ ସମୟ କିପରି ଭାବେ ନିର୍ଦ୍ଧାରଣ କରାଯାଏ: ବର୍ତ୍ତମାନ ଚାଷୀମାନେ ହୃଦୟଙ୍ଗମ କରି ସାରିଥିବେ ଯେ ସେମାନେ ଅମଳକୁ ବହୁତ ଅଧିକ ବିଳମ୍ବ କିମ୍ବା ସହଳ କରିବା ଉଚିତ ନୁହେଁ I ସେମାନଙ୍କ ମନରେ ପରବର୍ତ୍ତୀ ପ୍ରଶ୍ନ ଆସିବା ଯେ ଅମଳର ସଠିକ ସମୟକୁ କିପରି ଭାବେ ଚିହ୍ନଟ କରିବେ I ଏକ ଚାର୍ଟ କାଗଜ ନେଇ ସେହି ଅଞ୍ଚଳରେ ଚାଷ ହେଉଥିବା ସବୁ ଫସଲର ନାମ ଚାଷୀମାନଙ୍କୁ ପଚାରି ଲେଖନ୍ତୁ ଏବଂ କେତେଜଣ ଚାଷୀ ଏହାକୁ ଚାଷ କରନ୍ତି ସେମାନଙ୍କୁ ପଚାରି ଚାର୍ଟ କାଗଜକୁ ପୂରଣ କରନ୍ତୁ I ବର୍ତ୍ତମାନ, ଏକ ନିର୍ଦ୍ଦିଷ୍ଟ ପ୍ରକାର ଫସଲ ଚାଷ କରୁଥିବା ପ୍ରତ୍ୟେକ ଚାଷୀଙ୍କୁ ଜଣ ଜଣ କରି ଅମଳର ସଠିକ ସମୟ ବିଷୟରେ ବୁଝାନ୍ତୁ I ଏହି ଅଧିବେଶନକୁ ସଞ୍ଚାଳନ କରିବା ପାଇଁ ନିମ୍ନ ଲିଖିତ ବକ୍ତବ୍ୟସବୁକୁ ଏକ ପୋଷ୍ଟର ମାଧ୍ୟମରେ ଦର୍ଶାନ୍ତୁ I କ୍ର. ନଂ. ଫସଲର ନାମ ଅମଳର ସଠିକ ସମୟ ୧ ଧାନ ଯେତେବେଳେ ଶତକଡା ୮୫.୦ ପ୍ରତିଶତ ଶସ୍ୟ ପାକଳ ହୋଇଯିବ ଏବଂ ଶସ୍ୟରେ ଶତକଡା ୨୦ ରୁ ୨୫ ପ୍ରତିଶତ ଜଳୀୟ ଅଂଶ ମାତ୍ରା ରହିଥିବ I ଦାନ୍ତ ମଝିରେ ଚାପିଲେ ଦାନାଗୁଡିକ ଶକ୍ତ କିନ୍ତୁ ଭଙ୍ଗୁର ହେଉ ନ ଥିବ I ମଝିଆଳି କିସମ ହେଲେ ଅମଳ ଫୁଲ ଉଡେଇବାର ୨୬ ରୁ ୩୦ ଦିନ ଭିତରେ ଅମଳ ହୋଇଥାଏ ଏବଂ ବିଳମ୍ବ କିସମ ହେଲେ ଏହା ଫୁଲ ଉଡେଇବାର ୩୬ ରୁ ୪୦ ଦିନ ଭିତରେ ଅମଳ କରାଯାଇଥାଏ I ୨ ମକା ଯେତେବେଳେ ମକା ଭଣ୍ଡାର ବାହାର ଆବରଣ ସବୁଜ ରଙ୍ଗରୁ ଧଳା ରଙ୍ଗରେ ପରିବର୍ତ୍ତିତ ହୋଇଥାଏ I ଯେତେବେଳେ ଏହାକୁ ଶୁଖାଇ ଦାନାକୁ ବାହାର କରାଯାଏ, ଭଣ୍ଡାରେ ବାଦାମୀ କିମ୍ବା କଳା ରଙ୍ଗ ଦେଖାଦେଇଥାଏ I ୩ ହରଡ, ବିରି, ମୁଗ ଏବଂ କୋଳଥ ଯେତେବେଳେ ଶତକଡା ୭୫.୦ ରୁ ୮୦.୦ ଭାଗ ଛୁଇଁ ପାକଳ ଏବଂ ଶୁଖି ଯାଇଥାଏ I ୪ ରାଶି ଯେତେବେଳେ ପତ୍ର ସବୁ ହଳଦିଆ ହୋଇଯାଏ ଏବଂ ଖଡ ଖଡ ଶବ୍ଦ ହୁଏ I ୫ ଚିନାବାଦାମ ଛୁଇଁର ଭିତର ପାଖ ବାଦାମୀ ରଙ୍ଗ ହୋଇଯାଏ I ୬ ସୂର୍ଯ୍ୟମୂଖୀ ଯେତେବେଳେ ଫୁଲର ତଳ ଅଂଶ ହଳଦିଆ କିମ୍ବା ବାଦାମୀ ରଙ୍ଗ ହୋଇଯାଏ I ୭ କପା ବକରାସବୁ ପାକଳ ହୋଇ ଗଲେ I ୮ ଝୋଟ କଷି (ଫଳ) ଧରିବା ଆରମ୍ଭ ହେଲେ I ୯ ଆଖୁ ଯେତେବେଳେ ତଳ ଭାଗରେ ପତ୍ର ସବୁ ଶୁଖିଯାଇଥାଏ ଏବଂ ରିଫ୍ରାକ୍ଟମିଟରରେ ୧୮ ରୁ ଅଧିକ ମାନ ଦର୍ଶାଉଥାଏ I ସୋପାନ -୫: ପ୍ରଦର୍ଶନ: ଅଧିବେଶନ ପରେ ଅଂଶଗ୍ରହଣକାରୀମାନଙ୍କୁ ନିକଟବର୍ତ୍ତୀ ବିଲରେ ଚାଷ କରାଯାଇଥିବା ଫସଲସବୁକୁ ଦେଖାନ୍ତୁ I ବର୍ତ୍ତମାନ ପୋଷ୍ଟରରେ ଦର୍ଶାଯାଇଥିବା ଫସଲ ଅନୁଯାୟୀ ଏହି ସବୁ ଫସଲ ଅମଳ ପାଇଁ ସମୟ ସହଳ, କିମ୍ବା ସଠିକ ସମୟ କିମ୍ବା ବିଳମ୍ବ ହୋଇ ଯାଇଅଛି ସେ ବିଷୟରେ ବୁଝାନ୍ତୁ I ଉପସଂହାର ଏହା ଧରିନିଆଯିବ ଯେ ଫସଲର ଉପଯୁକ୍ତ ଅମଳ ସମୟ ବିଷୟରେ ସେମାନେ ସଠିକ ଭାବେ ବୁଝି ପାରିଥିବେ ଏବଂ ପ୍ରତ୍ୟେକ ଫସଲ ପାଇଁ ଏହା କିପରି ନିର୍ଦ୍ଧାରଣ କରାଯିବ I ଅଧିବେଶନକୁ ସମାପ୍ତ କରି ସୁନିଶ୍ଚିତ କରନ୍ତୁ ଯେ ସେମାନେ ଫସଲକୁ ଉପଯୁକ୍ତ ସମୟରେ ଅମଳ କରିବା ପାଇଁ ଠିକ ଭାବେ ବୁଝିଛନ୍ତି I ଆଧାର – ପୋର୍ଟାଲ ଟିମ