ଅଧିବେଶନ ୧.୪ ଜୈବିକ ଖତର ପ୍ରୟୋଗ I ଉଦ୍ଦେଶ୍ୟ ଚାଷୀମାନଙ୍କୁ ଜୈବିକ ଖତର ଉପାଦେୟତା ବିଷୟରେ ସଚେତନ କରିବା ଏବଂ ଏହା କିପରି ଭାବେ ମୃତ୍ତିକାର ଉର୍ବରତାକୁ ବଜାୟ ରଖି ଅଧିକ ଅମଳ ଦେଇଥାଏ ସେମାନଙ୍କୁ ବୁଝାଇବା I ପଦ୍ଧତି ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଜୈବିକ ଖତର ଉପାଦେୟତା ବିଷୟରେ ସଚେତନ କରିବେ I ଏହାପରେ ଚାଷୀମାନଙ୍କୁ ଚାଷୀର ଜମିକୁ ପରିଦର୍ଶନରେ ନିଆଯିବ ଯେଉଁଠି ସେମାନେ ଜୈବିକ ଖତ ପ୍ରୟୋଗର ପ୍ରକୃତ ପ୍ରକ୍ରିୟା ଦେଖିପାରିବେ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I ଦରକାରୀ ସାମଗ୍ରୀ ପୋଷ୍ଟର, ଜୈବିକ ଖତ, ମଇ I ସମୟସୀମା In- ଶ୍ରେଣୀ କକ୍ଷ ଅଧିବେଶନ- ୧୫ମିନିଟ୍ | କ୍ଷେତ୍ର ପରିଦର୍ଶନ – ୩୦ ମିନିଟ୍ | ପୃଷ୍ଠଭୁମୀ ମୃତ୍ତିକାର ଉତ୍ତମ ସ୍ୱାସ୍ଥ୍ୟପାଇଁ ଆବଶ୍ୟକ ସବୁ ପ୍ରକାର ଖାଦ୍ୟସାର ଜୈବିକ ଖତରେ ରହିଥାଏ I ଅଧିକ ଅମଳ ବୃଦ୍ଧି ପାଇଁ ଏବଂ ମୃତ୍ତିକାର ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଚାଷୀମାନେ ଜୈବିକ ଖତର ବ୍ୟବହାର ଶିଖିବା ସହ ଏହାକୁ ପ୍ରସ୍ତୁତ କରିବାର ଉପାୟ ଜାଣିବା ଉଚିତ I ସୋପାନ - ପର - ସୋପାନ କାର୍ଯ୍ୟକ୍ରମ ସୋପାନ ୧: ପ୍ରାରମ୍ଭିକ ଅଭ୍ୟାସ : ଜୈବିକ ଖତର ସଚେତନତା ବିଷୟରେ ଚାଷୀମାନଙ୍କୁ ପଚାରନ୍ତୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତୁ ଯେ କେଉଁ ସବୁ ଖତ ସେମାନେ ସ୍ଥାନୀୟ ଅଞ୍ଚଳରୁ ସଂଗ୍ରହ କରିଥାଆନ୍ତି I ଯେଉଁ ଚାଷୀମାନେ ଏହାକୁ ବ୍ୟବହାର କରୁଅଛନ୍ତି ସେମାନଙ୍କୁ ଜୈବିକ ଖତ ବ୍ୟବହାରର ଲାଭ ବିଷୟରେ ନିଜର ଅଭିଜ୍ଞତା ବର୍ଣନ କରିବାକୁ କୁହନ୍ତୁ ଇ ଏହାସହ ସେମାନଙ୍କୁ ପଚାରନ୍ତୁ ଯେ ଜୈବିକ ଖତ ପ୍ରସ୍ତୁତ କରିବା ପାଇଁ ସେମାନେ କେଉଁ ସବୁ ଦ୍ରବ୍ୟ ବ୍ୟବହାର କରନ୍ତି I ସୋପାନ ୨ : ଜୈବିକ ଖତ କ'ଣ : ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ଜୈବିକ ଖତ ପ୍ରାକୃତିକ ଭାବେ ମିଳୁଥିବା ଜୈବିକ ପଦାର୍ଥରୁ ମିଳେ ଯେଉଁଥିରେ ଜୀବନ୍ତ ଜୀବମାନଙ୍କ ଦ୍ୱାରା ପ୍ରସ୍ତୁତ ଅଙ୍ଗାର ଉପାଦାନ ରହିଥାଏ I ନିଜ ଅଞ୍ଚଳରେ ମିଳୁଥିବା କଞ୍ଚାମାଲ ଯଥା ଉଦ୍ୟାନ ଆବର୍ଜନା, ପତ୍ର, କାଣ୍ଡ, ଡାଳ, ଶୈବାଳ, ଗୋବର, କୁକୁଡା ଖତ, ଛେଳି ନେଣ୍ଡି, ପାଇଖାନା ଆବର୍ଜନା, କରତଗୁଣ୍ଡ, ପୋକଜୋକ, ଜିଆ ଏବଂ ଅଣୁଜୀବ ଇତ୍ୟାଦି ବ୍ୟବହାର କରି ଜୈବିକ ଖତ ପ୍ରସ୍ତୁତ କରାଯାଇପାରିବ I ଏହିସବୁ ପଦାର୍ଥରେ ଏକ ପ୍ରକାର ଅମ୍ଳ ରହିଥାଏ ଯାହା ଗଛର ଚେରକୁ ଅଧିକ ପ୍ରସରଣଶୀଳ କରିଥାଏ I ଏହି ଅମ୍ଳ ଚେରକୁ ଖାଦ୍ୟସାର ଓ ପାଣି ଶୋଷଣ କରିବାକୁ ସାହାଯ୍ୟ କରିବା ସହ ଏହା ମାଟି ଭିତରେ ଥିବା ଖଣିଜ ଲବଣକୁ ଦ୍ରବୀଭୂତ କରି ଗଛର ଚେରକୁ ଶୋଷଣ କରିବାପାଇଁ ଉପଲବ୍ଧ କରାଇଥାଏ I ଏହା ବାଲୁକାମୟ ମାଟିରୁ ଆରମ୍ଭ କରି କାଦୁଆ ମାଟି ପର୍ଯ୍ୟନ୍ତ ସବୁ ପ୍ରକାର ମୃତ୍ତିକାର ବିନ୍ୟାସରେ ଉନ୍ନତି କରିବା ସହ ମାଟିର ଗଠନରେ ଉନ୍ନତି ଆଣିଥାଏ I ସୋପାନ - ୩ : ଜୈବିକ ଖତର ସିଧାସଳଖ ପ୍ରୟୋଗ କରିବା ଠାରୁ କମ୍ପୋଷ୍ଟ କିପରିଭାବେ ପୃଥକ : କମ୍ପୋଷ୍ଟ ବ୍ୟବହାର କରିବାର ସବୁଠାରୁ ବଡ ସୁବିଧା ହେଉଛି ଯେ ଏଥିରେ ଥିବା ପଦାର୍ଥ ଆଂଶିକ ଭାବେ ସଢିଥାଏ ଏବଂ ଏହା ବହୁତ କମ ଜାଗା ଅକ୍ତିଆର କରିଥାଏ I ଏହାସହ, ସୂକ୍ଷ୍ମଜୀବାଣୁମାନଙ୍କର କାର୍ଯ୍ୟ କମ୍ପୋଷ୍ଟରେ ଫସଲରେ ପ୍ରୟୋଗ କରିବା ପୂର୍ବରୁ ଆରମ୍ଭ ହୋଇଯାଇଥାଏ, ଯାହା ଫଳରେ ଏଥିରେ ବହୁତ ଅଧିକ ପରିମାଣରେ ସୂକ୍ଷ୍ମଜୀବ ରହିଥାଆନ୍ତି I ଏହିସବୁ କାରଣରୁ କମ୍ପୋଷ୍ଟ ଏକ ଘନ ଏବଂ ଜୈବିକ ପଦାର୍ଥର ସହଜ ଶୋଷଣଯୋଗ୍ୟ ଉତ୍ସ ହୋଇଥାଏ ଯାହା ଫସଲକୁ ବଢିବାରେ ସାହାଯ୍ୟ କରିବା ସହ ଅପଚୟକୁ କମ କରିଥାଏ I ସୋପାନ - ୪ : ଜୈବିକ ଖତରେ ମିଳୁଥିବା ସାମାନ୍ୟ ପୋଷକ : ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁଯେ କମ୍ପୋଷ୍ଟ, ଜିଆ ଖତ, ନାଦେପ କମ୍ପୋଷ୍ଟ ଏବଂ ବିଲାତି ଦଳ ହେଉଛି କିଛି ମହତ୍ୱପୂର୍ଣ୍ଣ ଜୈବିକ ଖତ I ଗୁହାଳରୁ ଗୋମୁତ୍ର ଏବଂ ଅପଚୟ ପଦାର୍ଥକୁ ବ୍ୟବ୍ୟହାର କରି କମ୍ପୋଷ୍ଟ ପ୍ରସ୍ତୁତ କରାଯାଇପାରିବ I ଫସଲର ବୃଦ୍ଧିପାଇଁ ନିମ୍ବ ପିଡିଆରେ ଯବାକ୍ଷାରଯାନ, ଫସଫରସ ଏବଂ ପଟାସ ଜୈବିକ ଆକାରରେ ରହିଅଛି I ନିମ୍ନ ପ୍ରଦତ୍ତ ଚାର୍ଟକୁ ପ୍ରଦର୍ଶିତ କରି କିଛି ବିଶେଷ ଜୈବିକ ଖତରେ ରହିଥିବା ଯବାକ୍ଷାରଯାନ, ଫସଫରସ ଓ ପଟାସର ମାତ୍ରାକୁ ଚାଷୀମାନଙ୍କୁ ଜଣାନ୍ତୁI କ୍ର.ନଂ ଜୈବିକ ଖତ ଯବାକ୍ଷାରଯାନ (%) ଫସଫରସ (%) ପଟାସ (%) ୧ ତଟକା ଗୋବର ଖତ ୦.୩ – ୦.୪ ୦.୧ – ୦.୨ ୦.୧ – ୦.୩ ୨ କ୍ଷେତପାଇଁ ପ୍ରସ୍ତୁତ ଖତ ୦.୫ – ୧.୫ ୦.୪ – ୦.୮ ୦.୫ – ୧.୯ ୩ କୁକୁଡା ଖତ (ସତେଜ) ୧.୦ – ୧.୮ ୧.୪ – ୧.୮ ୦.୮ – ୦.୯ ୪ କମ୍ପୋଷ୍ଟ (ଗ୍ରାମ୍ୟ) ୦.୪ – ୦.୮ ୦.୩ – ୦.୬ ୦.୭ – ୧.୦ ୫ କମ୍ପୋଷ୍ଟ (ସହରୀ) ୧.୨ – ୨.୦ ୧.୦ ୧.୫ ୬ ବିଲାତି ଦଳ ଖତ ୨.୦ – ୩.୦ ୧.୦ – ୨.୦ ୩.୦ – ୪.୦ ୭ ନିମ୍ବ ପିଡିଆ ୫.୨ – ୫.୩ ୧.୦ – ୧.୧ ୧.୪ – ୧.୫ ସୋପାନ - ୫ : କମ୍ପୋଷ୍ଟ କିପରି ପ୍ରସ୍ତୁତ କରିବେ : ଚାଷୀମାନଙ୍କୁ ବୁଝାନ୍ତୁ ଯେ ଜୈବିକ ଖତ ଅତି ସହଜରେ ନିଜ ନିଜର ବାଡିରେ ପ୍ରସ୍ତୁତ କରିହେବ I ଏଥିପାଇଁ ଦରକାର ହେଉଥିବା ଉପକରଣ ମଧ୍ୟରେ ବେଲଚା, କଣ୍ଟାଯୁକ୍ତ ହୋ, କମ୍ପୋଷ୍ଟ ପ୍ରସ୍ତୁତ କରିବା ପାଇଁ କଞ୍ଚାମାଲ, ଜମି ଏବଂ ପାକଶାଳାରୁ ନିର୍ଗତ ହେଉଥିବା ଅବଶିଷ୍ଟାଂସ, ପାଣି ଏବଂ ଉଦ୍ୟାନ ମୃତ୍ତିକା ଆବଶ୍ୟକ ହୋଇଥାଏ I ଏକ କପୋଷ୍ଟ ପିଟ ପ୍ରସ୍ତୁତ କରିବାର ବିଭିନ୍ନ ଚରଣ ନିମ୍ନରେ ଦର୍ଶା ଯାଇଅଛି: ଘର ଅଗଣାରେ କିମ୍ବା କ୍ଷେତପାଖରେ ଥିବା ଏକ ସ୍ଥାନକୁ କମ୍ପୋଷ୍ଟ ପିଟ ପାଇଁ ସଫା କରନ୍ତୁ I ଏହା ପାଖରେ ପାଣିର ଉତ୍ସ ଥିବା ଉଚିତ ଏବଂ ସହଜରେ ଏହା ପାଖରେ ପହଞ୍ଚିହେଉଥିବା ଦରକାର (ଘରୁ ନିର୍ଗତ ହେଉଥିବା ଅବଶିଷ୍ଟାଂସକୁ ଏଥିରେ ପକାଇବା ପାଇଁ), କିନ୍ତୁ ମୁଖ୍ୟ ରାସ୍ତାରୁ ଦୂରେଇ ରହିବା ଉଚିତ I କମ୍ପୋଷ୍ଟ ପିଟଉପରେ ସିଧାସଳଖ ସୂର୍ଯ୍ୟାଲୋକ ପଡିବା ଉଚିତ ନୁହେଁ ଏବଂ ଏହା ଘର ପାଖରୁ ମଧ୍ୟ ଦୂରରେ ରହିଥିବା ଉଚିତ I ଏକ ମିଟର ଦୈର୍ଘ୍ୟ,ଏକ ମିଟର ପ୍ରସ୍ଥ ଏବଂ ଏକ ମିଟର ଗଭୀର ବିଶିଷ୍ଟ ଗୋଟିଏ ପିଟ୍ ପ୍ରସ୍ତୁତ କରନ୍ତୁ I ଅଗଣାରେ ଉପଲବ୍ଧ ସ୍ଥାନ ଓ ଆବଶ୍ୟକତା ଅନୁସାରେ ପିଟ୍ ର ଦୈର୍ଘ୍ୟ କୁ ବୃଦ୍ଧି କରିହେବ I ବାଦାମୀ ରଙ୍ଗର ଜୈବିକ ପଦାର୍ଥ ଯଥା ଝାଡିଯାଇଥିବା ପତ୍ର, ଗଛର ବକ୍କଳ, ଛୋଟ ଡାଳ, କରତ ଗୁଣ୍ଡ, ଛୋଟ କାଠ ଖଣ୍ଡ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ଯେଉଁଥିରେ ଅଙ୍ଗାର ରହିଥାଏ ଯଥା ଗୁଣ୍ଡ କାର୍ଡ ବୋର୍ଡ଼ ଏବଂ କାଗଜ ଏଥିରେ ପକାନ୍ତୁ I ଘାସର ଅଗ, ଉଦ୍ୟାନର ସବୁଜ ଅବଶିଷ୍ଟାଂସ, ପରିବା ଅବଶିଷ୍ଟାଂସ , କଫି ଚୋପା, ଅଣ୍ଡା ଖୋଳପା, ଫଳ ଓ ପାକଶାଳାର ଅବଶିଷ୍ଟାଂସ ଇତ୍ୟାଦି ପକାନ୍ତୁ I ଏହି ସବୁ ପଦାର୍ଥ ସଢିଲା ସମୟରେ ଯବାକ୍ଷାରଯାନ ନିର୍ଗମ କରିଥାଆନ୍ତି I ବାଦାମୀ ଏବଂ ସବୁଜ ରଙ୍ଗର ଜୈବିକ ପଦାର୍ଥସବୁକୁ ଏକତ୍ର ମିଶ୍ରଣ କରନ୍ତୁ ଏବଂ ଏହି ପିଟ୍ ରେ ଉପଲବ୍ଧତା ଅନୁଯାୟୀ କ୍ଷେତ କିମ୍ବା ପାକଶାଳାରୁ ନିର୍ଗତ ହେଉଥିବା ଅବଶିଷ୍ଟାଂସକୁ ଏକାଠି କରି ପକାନ୍ତୁ I (ସାବଧାନ: ଏଥିରେ ମାଂସ, ଦୁଗ୍ଧ ଜନିତ ପଦାର୍ଥ, ମାଛ କଣ୍ଟା, ତେଲ କିମ୍ବା ଗ୍ରିଜ୍ ଏବଂ ମାଂସାହାରୀ ପଶୁଙ୍କ ମଳ ପକାନ୍ତୁ ନାହିଁ I ଘାସ କିମ୍ବା ବୃକ୍ଷ ଅବସେଶରେ କୀଟନାଶକ ରହିଥିବା ଏବଂ ରୋଗାକ୍ରାନ୍ତ ଉଦ୍ୟାନ ଗଛ କିମ୍ବା ଦଳ ଇତ୍ୟାଦି ପକାଇବାରୁ ନିବୃତ୍ତ ହୁଅନ୍ତୁ I) ଯଦି ନିରାପଦ ପଶୁ ଖତ ଉପଲବ୍ଧ ହୁଏ, ତାହାକୁ କମ୍ପୋଷ୍ଟ ପିଟରେ ପକାନ୍ତୁ I ଘାସ, ଦାନ ଏବଂ ନଡା ଖାଉଥିବା ଜୀବ ଯେପରିକି ଗୋରୁ, ଠେକୁଆ ଏବଂ କୁକୁଡା ଖତକୁ ବ୍ୟବହାର କରନ୍ତୁ I ଜୈବିକ ପଦାର୍ଥକୁ ଏଥିରେ ପକାଇବା ସମୟରେ ଏହି କମ୍ପୋଷ୍ଟ ପିଟରେ ମଝିରେ ମଝିରେ ପାଣି ଢାଳି ଓଦା କରନ୍ତୁ I ଏଥିରେ ଜୀବନ୍ତ ସୂକ୍ଷ୍ମ ଜୀବାଣୁ ଉପଲବ୍ଧ କରିବା ପାଇଁ ଅଳ୍ପ କିଛି ପ୍ରସ୍ତୁତ ହୋଇଥିବା କମ୍ପୋଷ୍ଟ (ପୂର୍ବ ଋତୁରୁ ବଳିଥିବା) କିମ୍ବା ସୁସ୍ଥ ଉଦ୍ୟାନ ମାଟି ଏହି କମ୍ପୋଷ୍ଟ ପଦାର୍ଥ ଉପରେ ପକାନ୍ତୁ ଯାହା ଏହିସବୁ ଆବର୍ଜନାକୁ ସଢ଼ିବାରେ ସାହାଯ୍ୟ କରିବ I ଏଥିରୁ ନିର୍ଗମ ହେଉଥିବା ତାପମାତ୍ରା ସାହାଯ୍ୟରେ ପ୍ରାକୃତିକ ବିଘଟନ ଆରମ୍ଭ ହୁଏ ଯାହା କିଛି ସପ୍ତାହରେ ୧୨୦ ରୁ ୧୪୦ ଡିଗ୍ରୀ ଫାରେନହାଇଟ ପର୍ଯ୍ୟନ୍ତ ହୋଇଥାଏ I ଏହି ବିଘଟନ ପ୍ରକ୍ରିୟାକୁ ତ୍ୱରାନ୍ନିତ କରିବା ପାଇଁ ଏହି କମ୍ପୋଷ୍ଟ ଗଦାକୁ ଏକ ଫାଉଡା କିମ୍ବା କଣ୍ଟାଯୁକ୍ତ କୋଦାଳରେ ପ୍ରତି ଏକ କିମ୍ବା ଦୁଇ ସପ୍ତାହରେ ଥରେ ଘାଣ୍ଟନ୍ତୁ I ଏହି ପ୍ରକ୍ରିୟାରେ ବାହାରେ ଥିବା ପଦାର୍ଥ ମଝିକୁ ଚାଲିଯିବ ଏବଂ ମଝିରେ ଥିବା ପଦାର୍ଥ ବାହାରକୁ ଆସିଯିବ I ଏହାଦ୍ୱାରା ସବୁ ପଦାର୍ଥ ସମାନ ଭାବେ ବିଘଟିତ ହୋଇ ପାରିବ I ଆଠରୁ ବାର ସପ୍ତାହ ମଧ୍ୟରେ ଏହି ପଦାର୍ଥ ସବୁ ଭୁରୁଭୁରୁ ସୁଗନ୍ଧିତ ଏକ ଗୁଣ୍ଡଯୁକ୍ତ ମାଟି-ପରି ଦେଖାଯାଉଥିବା ପଦାର୍ଥରେ ପରିବର୍ତ୍ତୀତ ହୋଇ ଏହା ବ୍ୟବହାର ଯୋଗ୍ୟ ହୋଇଥାଏ I ସୋପାନ - ୬ : ଜୈବିକ ଖତ ପ୍ରୟୋଗ କରିବାବେଳେ ମନେରଖିବା ପାଇଁ କିଛି ବିନ୍ଦୁ : ସମ୍ପୂର୍ଣ ରୂପେ ବିଘଟିତ ହୋଇଥିବା କମ୍ପୋଷ୍ଟ ବ୍ୟବହାର କରନ୍ତୁ, ଅନ୍ୟଥା ଏହା ଉଇଦ୍ୱାରା ଆକ୍ରାନ୍ତ ହୋଇପାରେ I କମ୍ପୋଷ୍ଟ ଗଦାରେ ଏହିପରି ପଦାର୍ଥ ଯଥା ପଲିଥିନ ଖଣ୍ଡ, ଭଙ୍ଗା ମାଟି ପାତ୍ର, କାଚ ଖଣ୍ଡ, ପ୍ଲାଷ୍ଟିକ ଜିନିଷ ଇତ୍ୟାଦି ପକାନ୍ତୁ ନାହିଁ କାରଣ ଏହା ଖତପାଇଁ କ୍ଷତିକାରକ I ଏହି ଖତକୁ ଜମିରେ ଗୋଟିଏ ସ୍ଥାନରେ ଗଦା କରିବା ପରେ ପ୍ରୟୋଗ କରନ୍ତୁ, କାରଣ ସିଧାସଳଖ ପ୍ରୟୋଗ କଲେ ସୁର୍ଯ୍ୟକିରଣ ଏବଂ ପବନ ପ୍ରବାହ ଯୋଗୁଁ କ୍ଷତି ହୋଇପାରେ I କୁକୁଡା ଖତକୁ ସିଧାସଳଖ ଫସଲରେ ବ୍ୟବହାର କରନ୍ତୁ ନାହିଁ I ଏହାକୁ ଗୋଟିଏ ଜାଗାରେ ଗଦାକରି କିଛି ସମୟ ଶୁଖାଇଲା ପରେ ପ୍ରୟୋଗ କରନ୍ତୁ I ସୋପାନ - ୭ : ଜୈବିକ ଖତକୁ କିପରି ଭାବେ ପ୍ରୟୋଗ କରାଯାଏ : ବର୍ତ୍ତମାନ ଚାଷୀମାନଙ୍କୁ କ୍ଷେତକୁ ନେଇ ଜୈବିକ ଖତ କିପରି ପ୍ରୟୋଗ କରାଯାଏ ପ୍ରଦର୍ଶନ କରନ୍ତୁ: ଜମିରେ ଆଦ୍ରତା ବଜାୟ ରଖିବା ପାଇଁ ଭଲ ଭାବରେ ହଳକରି ମାଟି ଟେଳାସବୁକୁ ଭାଙ୍ଗି ଦିଅନ୍ତୁI ହଳକରିବାର ଚୂଡାନ୍ତ ପର୍ଯ୍ୟାୟରେ ବିଭିନ୍ନ ଫସଲ ଆଧାରରେ ହେକ୍ଟର ପିଛା ୨୦ ରୁ ୨୫ କୁଇଣ୍ଟାଲ କମ୍ପୋଷ୍ଟ ଖତ ପ୍ରୟୋଗ କରନ୍ତୁ I ଖତ ପ୍ରୟୋଗ କରିବା ପରେ ମଇ ଦେଇ ଜମିକୁ ସମତଳ କରି ଦିଅନ୍ତୁ I ଉପସଂହାର ଚାଷୀମାନଙ୍କୁ ପଚାରନ୍ତୁ ଯେ ଆଗାମୀ ବର୍ଷ ସେମାନେ କେଉଁ ପ୍ରକାର ଜୈବିକ ଖତ ପ୍ରୟୋଗ କରିବାପାଇଁ ପସନ୍ଦ କରିବେ ଏବଂ ନିର୍ଦ୍ଦିଷ୍ଟ ଫସଲ ପାଇଁ ଉପଯୁକ୍ତ ଜୈବିକ ଖତ ପ୍ରୟୋଗ କରିବା ପାଇଁ ପରାମର୍ଶ ଦିଅନ୍ତୁ ଯାହା ଗୋଟିଏ ନିର୍ଦ୍ଦିଷ୍ଟ ଫସଲ ପାଇଁ ପ୍ରଯୁଜ୍ୟ ଏବଂ ଫସଲ ବୃଦ୍ଧିରେ ସହାୟକ ହୋଇଥାଏ I ଆଧାର – ପୋର୍ଟାଲ ଟିମ