ଲକ୍ଷ୍ୟ ରବି ଫସଲର ପ୍ରାକ-ବୁଣା ଅବସ୍ଥାର ଉନ୍ନତ୍ତ ଚାଷ ପଦ୍ଧତି ବିଷୟରେ ସିଆରପିମାନଙ୍କର ଜ୍ଞାନ ବର୍ଦ୍ଧନ କରିବାI ଶିକ୍ଷଣୀୟ ଉଦ୍ଦେଶ୍ୟ ରବି ଫସଲର ବୁଣିବା ପୂର୍ବରୁ କରାଯାଉଥିବା ପ୍ରସ୍ତୁତି ବିଷୟରେ ସିଆରପିମାନଙ୍କୁ ଶିକ୍ଷା ଦେବାI ବିହନ ବାଛିବା, ମାଟି ନମୂନା ସଂଗ୍ରହ କରିବା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସିଆରପିମାନଙ୍କୁ ପ୍ରସ୍ତୁତ କରିବା ଯେପରିକି ସେମାନେ ଚାଷୀମାନଙ୍କୁ ପ୍ରଶିକ୍ଷିତ କରିପାରିବେ I ପ୍ରୟୋଜନ ରବିଋତୁରେ ଆମ ରାଜ୍ୟରେ ଅନେକ ପ୍ରକାର ଫସଲ ଚାଷ କରାଯାଏ I ଚାଷୀମାନଙ୍କୁ ଶିକ୍ଷା ଦେବା ଦରକାର ଯେ ଜଳ ସେଚନର ସୁବିଧା ଥିଲେ ପନିପରିବା ଚାଷ କରି ଅଧିକ ଲାଭ ଉପାର୍ଜନ କରି ହେବ I କେବଳ ବର୍ଷା ଉପରେ ନିର୍ଭର କଲେ ଏହିପରି ଫସଲ ଯଥା ସୋରିଷ, କୋଳଥ, ବିରି, ଚଣା, ପେଶୀ ଇତ୍ୟାଦି ଚାଷ କରିହେବ I ଏହା ଦ୍ୱାରା ଚାଷ କରା ଯାଉଥିବା ଜମିର ପରିମାଣ ବୃଦ୍ଧିପାଇଁ କୃଷି ଆୟକୁ ମଧ୍ୟ ବଢାଇବାରେ ସାହାଯ୍ୟ କରିବ I ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଏହିସବୁ ବିଷୟରେ ସଚେତନ କରିବ I ରବି ଋତୁ ପ୍ରାକ୍ -ବୁଣା ଅବସ୍ଥାର ପ୍ରଶିକ୍ଷଣ ମଡ୍ୟୂଲ୍ ଛଅ ଗୋଟି ଅଧିବେଶନକୁ ନେଇ ଗଠିତ ଅଧିବେଶନ ୨.୧: ଜମି ପ୍ରସ୍ତୁତି ଅଧିବେଶନ ୨.୨: ମୃତ୍ତିକା ନମୂନା ସଂଗ୍ରହ ଅଧିବେଶନ ୨.୩: ଫସଲ ଖସଡା ଅଧିବେଶନ ୨.୪: ମୃତ୍ତିକା ସୌରୀକରଣ ଅଧିବେଶନ ୨.୫: ଜୈବିକ ଖତର ବ୍ୟବହାର ଅଧିବେଶନ ୨.୬: କିସମ ବଛିବା ରବି ଫସଲ ପାଇଁ ଜମି ପ୍ରସ୍ତୁତି ଅଧିବେଶନ ୨.୧ ଜମି ପ୍ରସ୍ତୁତି I ଉଦ୍ଦେଶ୍ୟ ରବି ଫସଲ ବୁଣିବା ପୂର୍ବରୁ ଜମି ପ୍ରସ୍ତୁତ କରିବା ଏବଂ ହଳ କରିବାର ଉପଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ଏହାପରେ ଅଂଶଗ୍ରହଣକାରୀମାନଙ୍କୁ ଚାଷୀର ଜମିକୁ ପରିଦର୍ଶନରେ ନିଆଯିବ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର ଜମି I ଦରକାରୀ ସାମଗ୍ରୀ ପୋଷ୍ଟର, ହଳ ବଳଦ, ଟ୍ରାକ୍ଟର୍, ୱିଡର, ଚାଷୀର ଜମି I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | କ୍ଷେତ୍ର ପରିଦର୍ଶନ – ୪୫ମିନିଟ୍ | ପୃଷ୍ଠଭୁମୀ କୃଷିକାର୍ଯ୍ୟର ପ୍ରଥମ ମୌଳିକ କାର୍ଯ୍ୟ ହେଉଛି ଜମି ପ୍ରସ୍ତୁତିକରଣ I ବିହନର ସଠିକ ସ୍ଥାପନା ଏବଂ ଫସଲ ବୃଦ୍ଧିପାଇଁ ଏହା ଅନୂକୁଳ ବାତାବରଣ ସୃଷ୍ଟି କରିଥାଏ I ଏହି କାମ ମୁଖ୍ୟତଃ ଏକ ହଳ ସାହାଯ୍ୟରେ କରାଯାଏ I ଜମି ପ୍ରସ୍ତୁତିକରଣ କିମ୍ବା ହଳକରିବା ଦ୍ୱାରା ଗଛର ଅବଶେଷ ମାଟିରେ ମିଶିଯାଇ ଏହାକୁ ଉର୍ବର କରିଥାଏ I ଏହି ପ୍ରକ୍ରିୟା ଦ୍ୱାରା ପୁର୍ବବର୍ତ୍ତୀ ଫସଲରେ ଥିବା ରୋଗ ପୋକ, କିଟାଣୁ ଏବଂ ରୋଗକାରୀ ଜୀବାଣୁ ନଷ୍ଟ ହୋଇଯିବା ସହ ଚିରସ୍ଥାୟୀ ତୃଣ ସବୁ ମଧ୍ୟ ନଷ୍ଟ ହୋଇଯାଇଥାଏI ସୋପାନ - ପର - ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ରବି ଋତୁର ଆରମ୍ଭ ପୂର୍ବରୁ ସେମାନେ ହଳ କରନ୍ତି କି ଏବଂ ଯଦି 'ହଁ' କେଉଁ ମାସରେ କରନ୍ତି I ଯେଉଁ ଚାଷୀମାନେ ଜମି ପ୍ରସ୍ତୁତ କରନ୍ତି ଆଉ ଯେଉଁ ଚାଷୀମାନେ ଜମି ପ୍ରସ୍ତୁତ କରନ୍ତି ନାହିଁ ସେମାନେ ନିଜ ନିଜର ଅଭିଜ୍ଞତା ବାଣ୍ଟିଲେ ଅନ୍ୟ ଅଂଶଗ୍ରହଣକାରୀମାନଙ୍କୁ ଏହି ଅଭ୍ୟାସ ଆଦୃତ କରିବା ପାଇଁ ଉତ୍ସାହିତ କରିବ I ସୋପାନ -୨: ଜମି ପ୍ରସ୍ତୁତି କ'ଣ: ଏହି ଅଧିବେଶନ ସଞ୍ଚାଳନ କରିବା ପାଇଁ ଚାଷୀମାନଙ୍କୁ ଏକ ସାଧାରଣ ସ୍ଥାନରେ ଏକତ୍ର କରାନ୍ତୁ ଏବଂ ବୁଝାନ୍ତୁ ଯେ ଜମିକୁ ହଳ କରିବା କିମ୍ବା ଜମିକୁ ପ୍ରସ୍ତୁତ କରିବା ଅଧିକାଂଶ କୃଷି ପ୍ରଣାଳୀର ଏକ ନିୟମିତ କାର୍ଯ୍ୟ I ସେମାନଙ୍କୁ କୁହନ୍ତୁ ଯେ ଖରିଫ ଫସଲ ପରି ରବି ଫସଲ ପାଇଁ ଗଭୀର ହଳ କରିବା ଆବଶ୍ୟକ ହୋଇ ନ ଥାଏ I ବୁଣା ଯାଇଥିବା ଫସଲରୁ ଭଲ ଅମଳ ପାଇବା ପାଇଁ ଜମି ପ୍ରସ୍ତୁତି ଏକ ମୁଖ୍ୟ ଭୂମିକା ତୁଲାଇ ଥାଏ I ଏକ ଭଲ ଭାବରେ ହଳ ହୋଇ ସମତୁଲ କରାଯାଇଥିବା ଜମିରେ ଥିବା ସୂକ୍ଷ୍ମ କଣିକା ସବୁ ବିହନ ଓ ମାଟି ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପିତ କରିଥାଏ ଯାହା ବିହନ ମଞ୍ଜିକୂ ସଠିକ ଗଭୀରତାରେ ବୁଣିବାରେ ସାହାଯ୍ୟ କରିଥାଏ I ସୋପାନ -୩: ଜମି ପ୍ରସ୍ତୁତି କାହିଁକି କରାଯିବା ଉଚିତ: ଜମି ପ୍ରସ୍ତୁତିକରଣ ଚେରର ଉତ୍ତମ ବୃଦ୍ଧିରେ ସାହାଯ୍ୟ କରିଥାଏ I ଗୁଣ୍ଡ ମାଟିରେ ଚେରର ଭଲ ବୃଦ୍ଧି ଘଟିଥାଏ I ହଳ କରିବା ଦ୍ୱାରା ପୁର୍ବବର୍ତ୍ତୀ ଫସଲରେ ଥିବା ରୋଗ ପୋକ, କୀଟାଣୁ ଏବଂ ରୋଗକାରୀ ଜୀବାଣୁ ନଷ୍ଟ ହୋଇଯିବା ସହ ଚିରସ୍ଥାୟୀ ଦଳ ସବୁ ମଧ୍ୟ ନଷ୍ଟ ହୋଇଯାଇଥାଏ ଏବଂ ଏହା ନୁଆ ଫସଲର ଚେରକୁ ଉତ୍ତମ ପାଣି ଓ ପୋଷକ ଶୋଷଣ କରିବାରେ ସାହାଯ୍ୟ କରିଥାଏ I ହଳ କରିବାର ଅନ୍ୟାନ୍ୟ କାରଣ ମଧ୍ୟରୁ ମୃତ୍ତିକାର ଜଳ ଧାରଣ କ୍ଷମତାରେ ବୃଦ୍ଧି, ଜଳ ସଂରକ୍ଷଣ ଏବଂ ଜମିରେ ସଠିକ ଉତ୍ତାପ ରଖିବା I ସୋପାନ -୪: ଜମି ପ୍ରସ୍ତୁତ କିପରି କରିବେ: ଅଂଶଗ୍ରହଣକାରୀମାନଙ୍କୁ ଏକ ନିକଟବର୍ତ୍ତୀ ଜମିକୁ ନେଇ ପ୍ରକୃତରେ ହଳ କିପରିଭାବେ କରାଯାଏ ପ୍ରଦର୍ଶନ କରନ୍ତୁ I ଜମି ପ୍ରସ୍ତୁତି ପାଇଁ ଯଦି ଟ୍ରାକ୍ଟର ଦ୍ୱାରା ହଳ କରାଯାଉଥାଏ ତେବେ ଦୁଇ ରୁ ତିନିଥର କରିବା ଦରକାର ଏବଂ ଯଦି ବଳଦ ଦ୍ୱାରା କରାଯାଉଥାଏ ତେବେ ଚାରି ରୁ ପାଞ୍ଚ ଥର ହଳ କରିବା ଆବଶ୍ୟକ I ପ୍ରାୟ ପନ୍ଦର ସେ.ମି. ପର୍ଯ୍ୟନ୍ତ ହଳ କରି ମାଟିକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ I ମାଟି ଟେଳାସବୁକୁ ଭାଙ୍ଗିବା ତଥା ମୃତ୍ତିକାର ଜଳୀୟ ଅଂଶ ମାତ୍ରା ସଂରକ୍ଷଣ କରିବା ପାଇଁ ଜମିକୁ ସମତୁଲ କରନ୍ତୁ I ଜମି ଯଦି ଗଡାଣିଆ ହୋଇଥାଏ, ତେବେ ଏହାକୁ ସମତୁଲ କରନ୍ତୁ ଏବଂ ଜମି ହିଡ ନିର୍ମାଣ କରନ୍ତୁ I ଜମିରୁ ଅତ୍ୟଧିକ ପାଣି ବାହାର କରି ଦିଅନ୍ତୁ I ପାଣି ନିଷ୍କାସନ କରିବା ପୂର୍ବରୁ ନାଳୀ ଭିତରୁ ଅନାବନା ଗଛଲତା ସବୁ ବାହାର କରିଦିଅନ୍ତୁ ଯେପରିକି ପାଣି ଭଲଭାବରେ ପ୍ରବାହିତ ହୋଇ ପାରିବ I ୱିଡର ବ୍ୟବହାର କରି ଜମି ହିଡରୁ ତୃଣସବୁକୁ ବାହାରକରି ଦିଅନ୍ତୁ I ଉପସଂହାର ଅଧିବେଶନର ଶେଷ ଆଡକୁ କୌଣସି ଜଣେ ମୁଖର କିମ୍ବା ପ୍ରଗତିଶୀଳ ଚାଷୀଙ୍କୁ ଅଧିବେଶନର କାର୍ଯ୍ୟବାହୀକୁ ସଂକ୍ଷେପରେ ବର୍ଣନ କରିବାକୁ କହି ପଚାରନ୍ତୁ ଯେ ଜମି ପ୍ରସ୍ତୁତି କରିବା କାହାକୁ କୁହାଯାଏ ? ଅଂଶଗ୍ରହଣକାରୀମାନଙ୍କୁ ରବି ଫସଲ ସମୟରେ ଜମି ପ୍ରସ୍ତୁତ କରିବା ଫଳରେ ଯେଉଁ ସବୁ ଉପାଦେୟତା ମିଳିଥାଏ ଯେପରିକି ତୃଣ ସବୁ ବାହାର କରିବା ଏବଂ ଚେର ସହଜରେରେ ଭୂମୀ ଭିତରେ ପ୍ରବେଶ କରିବା ଇତ୍ୟାଦି ବର୍ଣନ କରିବାକୁ ଉତ୍ସାହିତ କରନ୍ତୁ I ଆଧାର – ପୋର୍ଟାଲ ଟିମ