ସେଓ ପରି ପିଚ୍ ମଧ୍ୟ ଶୀତ ପ୍ରଧାନ ଦେଶମାନଙ୍କର ଗୋଟିଏ ଫଳ । ସେଓ ପରି ସେତେ ମିଠା ଓ ସୁସ୍ଵାଦୁ ନହେଲେ ମଧ୍ୟ ପିଚ୍ ଫଳ ଖାଇବାକୁ ବହୁତ ପସନ୍ଦ କରନ୍ତି । ସେଓ ତୁଳନାରେ ଏହା ଟିକିଏ ପାଣିଚିଆ ଲାଗେ । ଡାଇବେଟିସ ରୋଗୀମାନେ ଏ ଫଳ ଖାଇପାରିବେ । ବଡକଥା ପିଚ୍ ଚାଷ ଓଡିଶାରେ ହୋଇପାରିବ । ଉତ୍ପତ୍ତି : ପର୍ସିଆ, ଚୀନ ଜଳବାୟୁ ଏହା ଶୀତମଣ୍ଡଳୀୟ ଫଳ । କିନ୍ତୁ ସେଓ ଓ ନାସପାତି ଠାରୁ କମ୍ ଶୀତ ଦରକାର କରେ । ଭଲ ପିଚ୍ ଫଳ ଚାଷ ପାଇଁ ୪ଡିଗ୍ରୀ ରୁ ୭ଡିଗ୍ରୀ ସେଣ୍ଟିଗ୍ରେଡ ଉତ୍ତାପ ୬୦୦ ରୁ ୮୦୦ ଘଣ୍ଟା ଦର୍କାର । ତେବେ ୨୦୦ ରୁ ୩୦୦ ଘଣ୍ଟା ପର୍ଯ୍ୟନ୍ତ ଯେଉଁଠାରେ ଉପରୋକ୍ତ ଉତ୍ତାପ ରହେ ସେଠାରେ ପିଚ୍ ଚାଷ କରାଯାଇ ପାରିବ । ଆମର କୋରାପୁଟ, ଫୁଲବାଣୀ ଜିଲ୍ଲା ଓ ସିମିଳିପାଳର ପାର୍ବତ୍ୟ ଅଞ୍ଚଳରେ ଯେଉଁଠାରେ ଶୀତ ବେଶୀ ହୁଏ ସେଠାରେ ଏହାର ଚାଷ ଭଲଭାବରେ ହୋଇପାରିବ । ମୃତ୍ତିକା ନିଗିଡା ଦୋରସା ମାଟିରେ ଏହାର ଚାଷ ଖୁବ ଭଲ ହୁଏ । ମାଟିର ଅମ୍ଳତା ୫.୫ ରୁ ୬.୫ ଭିତରେ ରହିଲେ ଭଲ ହୁଏ । କିସମ ଚାଇନାଫ୍ଲାଟ, ଫ୍ଲୋରଡାସନ, ସୁଫେଦା, ସାରବାହ, ଆଲେକଜାଣ୍ଡର , ଡ୍ୟୁକ ଅଫ ୟର୍କ, ଏଲବରଟ, କେ ଏଚ ହେଲ , ସନ୍ରେଡ, ସରବତୀ, ଆର୍ଲିଅମ୍ବର । ବଂଶବିସ୍ତାର ସିଲଡ ବଡିଙ୍ଗ ଓ ରିଙ୍ଗ ବଡିଙ୍ଗ ଦ୍ଵାରା କଲମୀ କରି ବଂଶ ବିସ୍ତାର କରାଯାଏ । ରୋପଣ ଗଛକୁ ଗଛ ୬/୭ ମିଟର ଦୂରତାରେ କରାଯାଏ । ଗଛ ଲଗାଇବା ପାଇଁ ଏକ ମିଟର ଓ ଏକ ମିଟର ଗଭୀର ଗାତ କରାଯାଏ । ଗାତରେ ୨/୩ ଟୋକେଇ ଖତସହ ୨/୩ କେଜି ଜୈବିକସାର ଦେଇ ଗଛ ଲଗାଯାଏ । ବର୍ଷିକିଆ କଲମୀ ଚାରା ଲଗାଇବା କଥା । ଗଛ ଶୀତଦିନେ ଲଗାଯାଏ । ଖତ ଓ ସାର ବଡଗଛରେ ବର୍ଷକୁ ୪୦୦ ଗ୍ରାମ ଯବକ୍ଷାରଜାନ , ୧୦୦ଗ୍ରାମ ଫସଫରସ ଓ ୪୦୦ ଗ୍ରାମ ପଟାସ ମୂଳସାର ହିସାବରେ ଦିଆଯାଏ । ଜଳସେଚନ ଶୀତଦିନେ ଓ ଖରାଦିନେ ଦରକାର ଅନୁଯାୟୀ ଜଳସେଚନ କରିବ । କାଟଛାଣ୍ଟ ବର୍ଷିକିଆ ପୁରୁଣା ଡାଳରେ ଫୁଲ ଫଳ ଆସୁଥିବାରୁ ନିୟମିତ କାଟଛାଣ୍ଟ ଆବଶ୍ୟକତା ଅଛି । ପିଚ୍ଗଛ ତାଲିମ ଦେବା ସମୟରେ ଏହାର ୩/୪ ଟି ମୁଖ୍ୟ ଶାଖା ଓ ପ୍ରତି ଶାଖାରୁ ୨ଟି କରି ପ୍ରଶାଖା ରଖାଯିବାର ବ୍ୟବସ୍ଥା କରିବା ଉଚିତ । ପ୍ରତିବର୍ଷ ବର୍ଷିକିଆ ପୁରୁଣା ଡାଳରୁ ଦୁଇ ତୃତୀୟାଂଶ ରଖି ବାକିତକ କାଟି ଦିଆଯାଏ । ରୋଗ, ପୋକ ଓ ତାର ପ୍ରତିକାର ଲିଫକର୍ଲ ଅଫିସ ୦.୧% ଭାଗ ମେଟାସିଷ୍ଟକ ସ୍ପ୍ରେ କରନ୍ତୁ । ଡିଫୋଲିଏଟିଙ୍ଗ ବିଟଲ ୦.୨୫% କ୍ଲୋରପାଇରିଫସ ସ୍ପ୍ରେ କରନ୍ତୁ । ଗୁମାସିସ ଶତକଡା ୧ଭାଗ ଚୂନ ପାଣିରେ ଶତକଡା ୦.୧ ଭାଗ ମେଟାସିଷ୍ଟକ ମିଶାଇ ଗଛରେ ଲେପ ଦିଅନ୍ତୁ । ଅମଳ ଗଛ ଲଗାଇବାର ୪/୫ ବର୍ଷ ପରେ ଫଳ ଆସେ । ପିଚଗଛ ୧୦ ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚେ । ପିଚ ଫଳ, ନାସପାତି ଫଳପରି ଖୁବ ଶିଘ୍ର ନଷ୍ଟ ହୋଇଯାଉଥିବାରୁ ଗଛରେ ପାଚିଲା ପୂର୍ବରୁ ତୋଳାଜାଏ । ଫଳ ତୋଳି କିଛି ଦିନ ରଖିଦେବା ପରେ ପାଚେ । ବଡଗଛରୁ ବର୍ଷକୁ ହାରାହାରି ୨୦ ରୁ ୪୦ କେଜି ଫଳ ମିଳେ । ହେକ୍ଟର ପିଛା ହାରାହାରି ଆୟ ଟ ୧୫,୦୦୦ । ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା