ଜାମୁକୋଳି ଗଛ ସହର ବଜାର ଗାଁ ଗଣ୍ଡା ସବୁଠି ଦେଖିବାକୁ ମିଳେ । ବର୍ଷାଦିନେ ଗଛରେ କୋଳି ଭର୍ତ୍ତି ହୋଇଯାଏ । ଫଳଗୁଡିକ ଖଟା ମିଠା ହୋଇଥିବାରୁ ପାଟିକୁ ସୁସ୍ଵାଦୁ ଲାଗେ । ପିଲାମାନଙ୍କର ଏହା ଅତି ପ୍ରିୟ । ବହୁମୂତ୍ର ରୋଗ ପାଇଁ ଜାମୁକୋଳି ଔଷଧରୂପେ ବ୍ୟବହାର କରାଯାଏ । ଜାମୁକୋଳିରେ ପୃଷ୍ଟିସାର, ଚର୍ବି, ତନ୍ତୁ, ଶ୍ଵେତସାର, କାଲସିୟମ, ଫସଫରସ, ଲୌହ, ଭିଟାମିନ ବି ଓ ସି ଥାଏ । ଜାମୁକୋଳିରେ ଭଲ ସ୍କ୍ୱାସ ହୁଏ । ଜାମୁକୋଳି ଗଛର କାଠରେ ଭଲ ଆସବାସ ତିଆରି ହୁଏ । ଉତ୍ପତ୍ତି ଭାରତ ଓ ପୂର୍ବ ଭାରତୀୟ ଦ୍ଵୀପପୁଞ୍ଜ । ଜଳବାୟୁ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ଭଲ ବଢେ । ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଚାଷ କରାଯାଇପାରିବ । ସାଧାରଣତଃ ଭାରତରେ ପଥପାର୍ଶ୍ଵ ରୂପେ ଓ ବଗିଚାର ପରିସୀମାରେ ବାତ୍ୟା ନିରୋଧକ ବୃକ୍ଷ ରୂପେ ଲଗାଯାଏ । ମୃତ୍ତିକା ସବୁପ୍ରକାର ମାଟିରେ ଏ ଗଛ ହୁଏ । କିନ୍ତୁ ଗଭୀର ଦୋରସା ନିଗିଡା ମାଟିରେ ଖୁବ୍ ଭଲ ହୁଏ । କିସମ ସେପରି ବିଶେଷ କିଛି କିସମ ନାହିଁ । ତେବେ ରାମ ଜାମନ ଓ ଜାଭାରୁ ଆସୁଥିବା ଜାମୁକୋଳି ଖୁବ ବଡ ଓ ରସୁଆଳ । ବଂଶବିସ୍ତାର ମଞ୍ଜିରୁ ଓ ଯୋଡକଲମି ଦ୍ଵାରା ବଂଶ ବିସ୍ତାର କରାଯାଏ । ମଞ୍ଜି ପକାଇବାର ୨/୩ ସପ୍ତାହ ପରେ ଗଛ ଉଠେ । ପଲିଥିନ ବ୍ୟାଗରେ ଚାରା ଉଠାଇ ୨/୩ ମାସ ପରେ ଗଛ ଲଗାଯାଏ । ରୋପଣ ବର୍ଷା ଋତୁରେ ସାଧାରଣତଃ ଗଛ ଲଗାଯାଏ । ରାସ୍ତାକଡରେ ଗଛକୁ ଗଛ ୧୦ ରୁ ୧୨ ମିଟର ଦୂରତାରେ ଓ ବାତ୍ୟା ନିରୋଧକ ବୃକ୍ଷ ପାଇଁ ୧୫ ରୁ ୧୭ ମିଟର ଦୂରତାରେ ଲଗାଯାଏ । ୫୦x୫୦x୫୦ ସେମିର ଗାତ କରାଯାଇ ଗଛ ଲଗାଯାଏ । ଖତ ଓ ସାର ଗଛ ଲଗାଇବା ବେଳେ ଦୁଇ ଟୋକେଇ ଖତ ସହ ୫୦୦ଗ୍ରାମ ଜୈବିକସାର ଦେଇ ଲଗାଯାଏ । ସାଧାରଣତଃ ଜାମୁକୋଳି ଗଛରେ କେହି ଖତ ସାର ଦିଅନ୍ତିନି । ତେବେ ଗଛ ପ୍ରତି ୨ କେଜି ଜୈବିକସାର ଦେଲେ ଅଧିକ ଫଳେ । ଜଳସେଚନ ଗଛଲଗାଇବାରେ ପ୍ରଥମ ଅବସ୍ଥାରେ ଗଛ ବଞ୍ଚିବା ପାଇଁ ଜଳସେଚନ କରାଯାଏ । ଗାଁ ଗହଳରେ ସାଧାରଣତଃ ପୋଖରୀ ହୁଡାରେ ଯେଉଁ ଜାମୁକୋଳି ଗଛ ଥାଏ ସେଥିରେ ଭଲ ଫଳ ଆସେ । ପାଣି ସୁବିଧା ଥିଲେ ଫଳ ଥିବା ସମୟରେ ଖରାଦିନେ ଥରେ ଦିଥର ପାଣି ଦେଲେ ଫଳ ବଡ ବଡ ହୁଏ । କାଟଛାଣ୍ଟ ଜାମୁକୋଳି କାଟଛାଣ୍ଟ ଦରକାର କରେନି । ପ୍ରଥମ ଅବସ୍ଥାରେ ଅଦରକାରୀ ଡାଳ ଗୁଡିକ କାଟି ଦେଇ ଗଛକୁ ତାଲିମ କଲେ ଭଲ ଗଣ୍ଡି ହୁଏ । ରୋଗ,ପୋକ ଓ ତାର ପ୍ରତିକାର ପତ୍ରଖିଆ ଶଁବାଳୁଆ ସ୍ପର୍ଶଯୁକ୍ତ କୀଟ ନାଶକ ଔଷଧ ବ୍ୟବହାର କରାଯାଇପାରେ । ଧଳାମାଛି ସେତେ ପରିମାଣରେ ମାରାତ୍ମକ ନୁହନ୍ତି । ଗଛ ମୂଳରେ ପଡିଥିବା ଫଳକୁ ଉଠାଇ ବଗିଚା ସଫା ରଖିଲେ ଏ ମାଛି ହୁଅନ୍ତିନି । ଅମଳ ଜୁନ ରୁ ଜୁଲାଇ ମାସ ମଧ୍ୟରେ ଫଳ ଅମଳ ହୁଏ । ହାତ ଦ୍ଵାରା ଫଳ ତୋଳା ଯାଏ । ଫଳ ଗୁଡିକ ଖୁବ ଶିଘ୍ର ନଷ୍ଟ ହୋଇଯାଏ । ତେଣୁ ପ୍ରତିଦିନ ଫଳ ତୋଳାଜାଇ ବ୍ୟବହାର କରାଯାଏ । ଅତିବେଶିରେ ୨/୩ ଦିନ ପର୍ଯ୍ୟନ୍ତ ଏହା ତୋଳାଯାଇ ରଖାଯାଏ । ଫଳର କଷା ଭାଗ କଟିବା ପାଇଁ ଲୁଣ ପାଣିରେ ବୁଡାଇଲେ କଷା ଅଂଶ କଟିଯାଏ । ହେକ୍ଟର ପ୍ରତି ଆୟ ଟ୧୦,୦୦୦ । ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା