ପରିଚୟ

ଆମ୍ୱିଳିତି, ଯାହାକୁ ଅମ୍ଳିତୀ ଓ ସଂସ୍କୃତରେ ଚାଂଗେରୀ ବୋଲି କୁହାଯାଏ, ତାହା ପାଣି ଜାଗାରେ ମାଡ଼ୁଥିବା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହାକୁ ଇଂରାଜୀରେ creeping woodsorrel, Procumbent Yellow-sorrel ବା Sleeping Beauty ମଧ୍ୟ କୁହାଯାଏ। ଏହା ଦେଖିବାକୁ Common Yellow Woodsorrel(O. stricta) ପରି । ଏହା କୋମଳ, କ୍ଷୁଦ୍ରକାୟ ମାଟିରେ ଲୋଟୁଥିବା ଲତା ଯାହା ଅକ୍ଜାଲଡାସିଆଇ ପରିବାରର ଅନ୍ତର୍ଭୁକ୍ତ। ଏହାର କାଣ୍ଡ ଅତି ପତଳା ଓ ଗଣ୍ଠିଯୁକ୍ତ। ପ୍ରତି ଗଣ୍ଠିରେ ଚେର ଆସିଥାଏ। ଏହାର ପତ୍ର ଗୁଡ଼ିକ ଗୋଲାକାର ତିନିଶାଖା ଯୁକ୍ତ (ତିନିଖଣ୍ଡିଆ ବା ତ୍ରିପର୍ଣି), ସବୁଜ ଅଥବା ଖଇରିଆ ରଙ୍ଗର। ଏହାର ଫୁଲ ହଳଦିଆ ରଙ୍ଗର।

ଏହାର ଫଳ ଅତି କ୍ଷୁଦ୍ରକାୟ, ସିଲିଣ୍ଡର ବା କେପସୁଲ ଆକାରର, ପାଖାପାଖି ୧ ରୁ ୨ ସେଣ୍ଟିମିଟର ହୋଇଥାଏ। ଫଳଟି ପାଚିଗଲେ ଆପେ ଆପେ ଫୁଟେ ଓ ଏଥି ଭିତରେ ଥିବା ମଞ୍ଜି ଗୁଡ଼ିକ (ଆକାର ପାଖାପାଖି ୧ ମିଲି ମିଟର) ପଦାକୁ ବାହାରି ଆସେ।

ଏହି ପ୍ରଜାତିରେ ଆମ୍ୱିଳିତି ପରି ଦେଖାଯାଉଥିବା ଆଉ ଦୁଇଟି ଗଛ ମଧ୍ୟ ରହିଛି, କିନ୍ତୁ ସେମାନଙ୍କର ଫୁଲର ରଙ୍ଗ ଅଲଗା ଓ ଗୁଣ ଧର୍ମ ମଧ୍ୟ ଅଲଗା।

ଦେଖାଯାଉଥିବା ସ୍ଥାନ

ଏହି ପ୍ରଜାତି ଦେଶ ବିଦେଶରେ ସର୍ବତ୍ର ଦେଖାଯାଏ। ଏହାର ମୂଳ ସ୍ରୋତ ଏବେ ବି ଅଜ୍ଞାତ। ଏହାକୁ ବଗିଚା, ପାର୍କ କିମ୍ବା ଚାଷଜମିର ଅନାବନା ଗଛ ଭାବରେ ପରିଗଣିତ କରାଯାଏ।

ଉପଯୋଗ

ଔଷଧୀୟ

ଏହାର ସର୍ବାଙ୍ଗ ଔଷଧ ଭାବେ ବ୍ୟବହାର କରାଯାଏ। ରକ୍ତହୀନତା, ପେଟ ଗୋଳମାଳ, ଦୁଦୁରା ବିଷ ନିବାରଣ, ଜର ଓ ଅର୍ଶ ଆଦିର ଚିକିତ୍ସାରେ ଏହା କାମରେ ଆସିଥାଏ।

ଅନ୍ୟାନ୍ୟ

ଏହାର ପତ୍ର ଆମ୍ୱିଳା ସ୍ୱାଦଯୁକ୍ତ। ଏଥିରେ ଜୀବସାର ‘ଗ’ ଓ କେତେକ ଖଣିଜ ଲବଣ ଥିବାରୁ ଏହାର ସ୍ୱାଦ ଆମ୍ବିଳା ହୋଇଥାଏ। ଏହାକୁ ଶାଗ କରି ଖିଆଯାଏ। ଏହାକୁ ଗରମ ପାଣିରେ ୧୦ ମିନିଟ ଫୁଟାଇ ସେଥିଲେ କିଛି ଚିନି ମିଶାଇ ଶୀତଳ କରି ଏକ ପ୍ରକାର ପାନୀୟ ପ୍ରସ୍ତୁତ କରାଯାଏ। ଏହି ଗଛଟିର ସର୍ବାଙ୍କ ଜୀବସାର ‘ଗ’ ରେ ପରିପୂର୍ଣ। ଏହାକୁ ଅଳ୍ପମାତ୍ରାରେ ଖାଇବା ହିତକର, କିନ୍ତୁ ଅଧିକ ମାତ୍ରାରେ ଦୀର୍ଘକାଳ ଖାଇଲେ ଏହା ଦେହର କ୍ୟାଲସିୟମ ପରିଶୋଷଣ କ୍ଷମତାର ବାଧକ ହୋଇ ପାରେ।

ଭାରତରେ ଏହାକୁ ଛିଛୋଡା ଭାଜି ବୋଲି ମଧ୍ୟ କୁହାଯାଏ। ଏହାକୁ ବର୍ଷର ନିର୍ଦିଷ୍ଟ ମାସରେ (ଡିସେମ୍ବର ମାସ)ରେ ଖିଆଯାଏ। ଓଡ଼ିଶାର ଗାଁ ଗହଳିରେ ଏହା ଏକ ପ୍ରିୟ ଶାଗ।

ଆଧାର : ଗଛ ବଇଦ, ପ୍ରକାଶକ ସୃଜନିକା, ଜାଗମରା, ଭୁବନେଶ୍ୱର