ଉପକ୍ରମ ଫୁଲ, ଫଳ ରେ ବିଭିନ୍ନ ପ୍ରକାର ପୋକ ହୁଏ । ଏହି ପୋକ ଫୁଲ ଓ ଫଳ କୁ ନଷ୍ଟ କରିଥାଏ । ରୋଗପୋକ ନିୟନ୍ତ୍ରଣ ପାଇଁ କେତେ ପରିମାଣର ଓ କିପରି ବ୍ୟବହାର କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି । ଗେଣ୍ଡୁ ଗେଣ୍ଡୁ ଗଛରେ ଲାଲ ବୁଢିଆଣୀ (ଅଷ୍ଟପଦୀ) ର ଦମନ ପାଇଁ ଏକର ପ୍ରତି ଏକ କିଗ୍ରା ସଲଫର ଗୁଣ୍ଡ କିମ୍ବା ୬୦୦ମିଲି ଡାଇକୋଫଲ ସିଞ୍ଚନ କରନ୍ତୁ । ସମ୍ବାଲୁଆ ଜାତୀୟ କଢଖିଆ ପୋକର ଦମନ ପାଇଁ ଏକର ପ୍ରତି ୪୦୦ ମିଲି ଏଣ୍ଡୋସଲଫାନ ସିଞ୍ଚନ କରନ୍ତୁ; ଯେପରି କାଣ୍ଡ, ଫୁଲ, ପତ୍ର, ସଂପୂର୍ଣ୍ଣ ଭିଜି ଔଷଧ ମିଶ୍ରିତ ଜଳ ତଳକୁ ବୁନ୍ଦା ବୁନ୍ଦା ହୋଇ ଖସିବ । ଆଗରୁ ଖରାଟିଆ ଗେଣ୍ଡୁ ଗଛ ପାଇଁ ତଳି ପକାଇ ନ ଥିଲେ ତଳି ପକାନ୍ତୁ । ଅଧିକ ଅମଳକ୍ଷମ କମଳା ରଙ୍ଗର ସରାକୋଲା କିସମ ତଳି ବ୍ୟବହାର କରନ୍ତୁ । ତଳିଘରାରେ ଧାଡି ମଧ୍ୟରେ ପାଞ୍ଚ ସେମି ବ୍ୟବଧାନ ରଖି ବିହନ ଏକ ସେମି ଗଭୀରରେ ବୁଣନ୍ତୁ । ଅତ୍ୟଧିକ ତାପମାତ୍ରାରୁ ସୁରକ୍ଷା ଦେବା ପାଇଁ ତଳିଘେରାରେ ନଡା ଘୋଡାଇଦିଅନ୍ତୁ । ଭେଣ୍ଡି ଭେଣ୍ଡି ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ। ଏହା ଏକ ଭଲ ପରିବା ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ଶକ୍ତ, ପତ୍ର ଗୁଡ଼ିକ ଟାଉଁସିଆ ଓ ବଡ, ଫୁଲ ହଳଦିଆ ରଙ୍ଗର ଓ ଏହା ମଝିରେ ନାଲି ଚିହ୍ନଥାଏ। ଏହାର ଫଳ ଲମ୍ବା ଓ ସବୁଜ ରଙ୍ଗର। ଏହାର ଉତ୍ପତ୍ତିସ୍ଥଳ ବିବାଦୀୟ। କେହି କେହି ଏହା ଦକ୍ଷିଣ ଏସିଆ, କେହି ଇଥିଓପୀୟ ଓ କେହି ଏହା ପଶ୍ଚିମ ଆଫ୍ରିକୀୟ ବୋଲି ମତ ପ୍ରଦାନ କରିଥାନ୍ତି। ଏହା ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଭଲ ବଢ଼ିଥାଏ। ଗ୍ରୀଷ୍ମ ପାଗରେ ଭେଣ୍ଡି ଲଗାଇପାରିବେ । ଭେଣ୍ଡିର ଉନ୍ନତ କିସମ : ପର୍ବାଣିକ୍ରାନ୍ତି, ଅର୍କ ଅନାମିକା , ଉତ୍କଳ ଗୌରବ , ପଞ୍ଜାବ ପଦ୍ମିନୀ , ଏସଡ଼ିୟୁ -୧ ସାତଶିରା ଇମ୍ପ୍ରୁଭଡ । ସଙ୍କର କିସମ : ଉପହାର , ମଖମଲି , ମାହିକେ -୧୦ , ବର୍ଷା, ବିଜୟ, ସାରଥି । ଏକର ପ୍ରତି ସାତରୁ ଆଠ କିଗ୍ରା ମଞ୍ଜି ବୁଣନ୍ତୁ । ବୁଣିବାର ଦଶ –ବାର ଘଣ୍ଟା ପୂର୍ବରୁ ଦୁଇ ଗ୍ରାମ କାର୍ବେଣ୍ଡାଜିମ ମିଶ୍ରିତ ଏକ ଲିଟର ପାଣିରେ ମଞ୍ଜି ଭିଜାନ୍ତୁ । ଶେଷ ଓଡ ଚାଷ ସମୟରେ ଏକର ପ୍ରତି ଆଠ –ଦଶ ଟନ ଶଢା ଗୋବର ଖତ , ଆଠରୁ ଦଶ କିଗ୍ରା ଫୁରାଡନ ମାଟିରେ ମିଶାନ୍ତୁ । ମାଟି ସାମାନ୍ୟ ବତର ଥିବା ଅବସ୍ଥାରେ ତିରିଶ ସେମି ବ୍ୟବଧାନରେ ମଞ୍ଜି ଲଗାନ୍ତୁ । ତିରିଶ ଦିନ ପରେ ସାତରୁ ଦଶ ଦିନ ବ୍ୟବଧାନରେ ଜିଙ୍କ ଇଡିଟିଏ ଏକର ପ୍ରତି ୨୫୦ ଗ୍ରାମ ହିସାବରେ ଦୁଇ ଥର ସିଞ୍ଚନ କରନ୍ତୁ । ଏହା ଦ୍ଵାରା ଅଧିକ ଅମଳ ହେବ । ଡାଲି ଫସଲରେ ରୋଗପୋକ ଦମନ ବୁଟ ଓ ମଟରରେ ଫଳବିନ୍ଧା ପୋକ ଦେଖାଗଲେ ଏକର ପ୍ରତି ୨୫୦ ଶୂକ ସମତୁଲ ନ୍ୟୁକ୍ଲିୟର ପଲି ଭୂତାଣୁ ୨୦୦ ଲିଟର ପାଣିରେ ମିଶାଇ ଅପରାହଣରେ ସିଞ୍ଚନ କରନ୍ତୁ । ଏକର ପ୍ରତି ଏକ କିଗ୍ରା ବିଟି ବୀଜାଣୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ପ୍ରତି ଲିଟର ପାଣିରେ ଦୁଇ ମିଲି ହିସାବରେ ଏଣ୍ଡୋସଲଫାନ କିମ୍ବା ପ୍ରୋଫେନୋଫସ ମିଶାଇ ସିଞ୍ଚନ କରିପାରିବେ । ମଟର ଏକ ମାସର ହୋଇଯାଇଥିଲେ ଦୁଇ ପ୍ରତିଶତ ଡିଏପି ସିଞ୍ଚନ କରନ୍ତୁ । ମୁଗ, ବିରି ଆଦିରେ ଜଉପୋକ ଦମନ ପାଇଁ ଏକର ପ୍ରତି ୫୦ ମିଲି ଇମିଡାକ୍ଳୋଫ୍ରିଡ କିମ୍ବା ୪୦୦ ମିଲି ଡାଇମିଥୋଏଟ କିମ୍ବା ମିଥାଇଲ ଅକ୍ସିଡେମିଟନ ୨୦୦ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଆଳୁଚାଷରେ ବୋରିକ ଏସିଡର ବ୍ୟବହାର ଆଳୁ ଭାରତୀୟମାନଙ୍କର ଏକ ଗ୍ରହଣୀୟ ସୁସ୍ଵାଦୁ ପରିବା । ଆଲୁରେ ଜୀବସାର ଭିଟାମିନ କ, ଖ,ଗ, କ୍ୟାଲସିୟମ, ପୁଷ୍ଟିସାର ଓ ଶ୍ଵେତସାର ଭରପୁର ରହିଛି । ଛୋଟ ପିଲାଙ୍କର ଆଲୁଚିପ୍ସ ପ୍ରିୟ ଖାଦ୍ୟ । ଓଡିଶାରେ ୨୨ ହଜାର ହେକ୍ଟର ଜମିରେ ଆଳୁଚାଷ ହେଉଛି । କିନ୍ତୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ୪ଲକ୍ଷ ହେକ୍ଟର ଜମିରେ ଆଳୁଚାଷ ହେଉଛି । ଭାରତରେ ଶତକଡା ୮୬ ଭାଗ ଆଳୁ ଉତ୍ପାଦନ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ବିହାର ଓ ପଞ୍ଜାବରେ ହୋଇଥାଏ । ଓଡିଶାରେ ବାର୍ଷିକ ୧୩ ଲକ୍ଷ ଟନ ଆଳୁ ଆବଶ୍ୟକ ହେଉଥିବା ବେଳେ ୨.୫ ଲକ୍ଷ ଟନ ଉତ୍ପାଦନ ହେଉଛି । ଶୀତଳଭଣ୍ଡାର ସ୍ଥାପନ , ବଜାର ବ୍ୟବସ୍ଥା ଓ ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କାଲେ ଆମେ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଆଳୁର ମୁଖ୍ୟ ରୋଗ ହେଉଛି ଝାଉଁଳା ରୋଗ । ରାଲଷ୍ଟୋନିଆ ସୋଲାନାସିଆରାମ ବୀଜାଣୁ ଏହି ରୋଗ ସୃଷ୍ଟି କରେ । ଉପକଳବର୍ତ୍ତୀ ଜିଲ୍ଲାରେ ଏହି ରୋଗ ସୃଷ୍ଟି କରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଏହି ରୋଗ ବେଶି ଦେଖାଯାଏ । ଉକ୍ତ ରୋଗକୁ ଠିକ ଭାବରେ ନିୟନ୍ତ୍ରଣ ନ କଲେ ଶତକଡା ୭୦ ଭାଗରୁ ଅଧିକ ଅମଳ କମିଯାଏ । ତେଣୁ ଆଳୁ ଲଗାଇବା ୧୫ ଦିନ ପୂର୍ବରୁ ମାଟିରେ ବ୍ଲିଚିଂ ପାଉଡର ପ୍ରୟୋଗ କରନ୍ତୁ । ବିହନ ଆଳୁକୁ ଶତକଡା ୩ଭାଗ ବୋରିକ ଏସିଡ ଦ୍ରବଣରେ ବୁଡାଇ ଛାଇରେ ଶୁଖାଇ ଗଜା କରି ଲଗାନ୍ତୁ । ଦେଖାଯାଇଛି ଏହା ଦ୍ଵାରା ଝାଉଁଳା ରୋଗ ଓ ପଚାରୋଗକୁ ନିୟନ୍ତ୍ରଣ କରାଯାଇପାରୁଛି । ବଜାରରେ ଔଷଧ ଦୋକାନରେ ବୋରିକ ପାଉଡର ନାମରେ ଏହା ଉପଲବ୍ଧ । ଆଧାର - କୃଷି ବିଭାଗ