ମୂଳସାର ପ୍ରୟୋଗ ପ୍ରଣାଳୀ ଫସଲ ଲଗା / ବୁଣା ହେବା ପୂର୍ବରୁ ବା ସମୟରେ ଯେଉଁ ସାର ପ୍ରୟୋଗ କରାଯାଏ ତାହାକୁ ମୂଳସାର କୁହାଯାଏ । ମୂଳସାର ପ୍ରୟୋଗ ପାଇଁ ବିଭିନ୍ନ ପ୍ରଣାଳୀ ହେଲା – ସାର ବିଞ୍ଚିବା ଧାନ, ଗହମ, ମଣ୍ଡିଆ, ଝୋଟ ପ୍ରଭୃତି ଫସଲର ଗଛଗୁଡିକ ପାଖାପାଖି ରହିଥାନ୍ତି । ଫସଲ ଛଟାବୁଣା ହେଉଥିଲେ ବା ଖୁବ୍ ପାଖାପାଖି ଧାଡିରେ ବୁଣା ଯାଉଥିଲେ ଏହି ପ୍ରଣାଳୀରେ ସାର ପ୍ରୟୋଗ କରାଯାଏ । ବିହନ ବୁଣିବା ପୂର୍ବରୁ ଶେଷ ଓଡ ଚାଷ ବେଳେ ଜମିରେ ସାରକୁ ସମାନ ଭାବରେ ବିଞ୍ଚି ଦେଇ ହଳକରି ମାଟି ସହିତ ମିଶାଇ ଦିଆଯାଏ । ରକ୍ ଫସଫେଟ୍ , ହାଡଗୁଣ୍ଡ ପ୍ରଭୃତି ସାରକୁ ଏହି ପ୍ରଣାଳୀରେ ବିହନ ବୁଣିବାର ୨/୩ ସପ୍ତାହ ଆଗରୁ ପ୍ରୟୋଗ କରାଯାଏ । ସ୍ଥାନୀକରଣ ଛାଡି ଛାଡି ସିଆର କରି , ଧାଡିକରି ବା ମନ୍ଦାକରି ଲଗାଯାଉଥିବା ଫସଲରେ ମୂଳସାର ପ୍ରଣାଳୀରେ ପ୍ରୟୋଗ କରାଯାଏ । ମକା, ଆଖୁ, ଆଳୁ, ଚିନାବାଦାମ, ଜୁଆର, ସୂର୍ଯ୍ୟମୁଖୀ ପ୍ରଭୃତି ବୁଣିବା ପୂର୍ବରୁ ପ୍ରଥମେ ପ୍ରଥମେ ସିଆର ଟାଣି ସେଥିରେ ଖତସାର ଦିଆଯାଏ ଓ ସିଆର ମଧ୍ୟରେ କାଠି ଟାଣି ନେଲେ ସାର ଅଳ୍ପ ମାଟିଦ୍ଵାରା ଘୋଡାଇ ହୋଇଯାଏ । ତା’ପରେ ସେହି ସିଆରରେ ମଞ୍ଜି ବୁଣାଯାଏ । ଅନେକ କ୍ଷେତ୍ରରେ ମଞ୍ଜି ଓ ସାରବୁଣା ଯନ୍ତ୍ର ସାହାଯ୍ୟରେ ପ୍ରଥମେ ସାର ଓ ତା ପଛେ ପଛେ ମଞ୍ଜି ଏକ ସମୟରେ ବୁଣାଯାଇ ପାରେ । କଖାରୁ , ପୋଟଳ, କୋବି, ବାଇଗଣ, ବିଲାତିବାଇଗଣ ପ୍ରଭୃତି ମନ୍ଦାରେ ଲଗାଯିବା ପୂର୍ବରୁ ମନ୍ଦା ଭିତରେ ସାର ଦେଇ ମାଟି ସହିତ ମିଶାଇ ଦେବା ପରେ ମଞ୍ଜି ବା ଚାରା ଲଗାଯାଏ । ଫଳଗଛ ଚାରା ଲଗାଇବା ବେଳେ ମଧ୍ୟ ଏହି ପ୍ରଣାଳୀରେ ମୂଳସାର ପ୍ରୟୋଗ କରାଯାଏ । ସିଆର ତଳି ସାର ପ୍ରୟୋଗ ଲଙ୍ଗଳ ସିଆର ତଳେ ତଳେ ସାର ପ୍ରୟୋଗ କଲେ ସାର ବେଶି ନଷ୍ଟ ହୁଏ ନାହିଁ । ମାଟିରେ ଥିବା ବତର ଉପରେ ନିର୍ଭର କରି ବୁଣାଯାଉଥିବା ଫସଲରେ ଏହି ପ୍ରଣାଳୀରେ ହଲ ପଛେ ପଛେ ଲଙ୍ଗଳ ସିଆରରେ ସାର ପକାଯାଏ ଏବଂ ତାହା ପରବର୍ତ୍ତୀ ସିଆରର ମାଟିଦ୍ଵାରା ଘୋଡାଇ ହୋଇଯାଏ । ସାର ମାଟିର ପ୍ରାୟ ଗଭୀରରେ ରହେ । ତାପରେ ମଇ ଦେଇ ଜମି ସମତୁଲ କଲାପରେ ମଞ୍ଜି ବୁଣାଯାଏ ବା ତଳି ରୁଆଯାଏ ।ଲଙ୍ଗଳ କଣ୍ଟିରେ ଗୋଟିଏ ନଳାବାନ୍ଧି ଦିଆଯାଏ । ଏଥିରେ ଗୋଟିଏ ପଳା ଲାଗିଥାଏ । ପଳାରେ ସାର ପକାଇଲେ ଏହା ନଳା ଭିତରେ ଯାଇ ଲଙ୍ଗଳ ସିଆରରେ ପଡେ ଏବଂ ବେର୍ ହାରୁ ଖସୁଥିବା ମାଟି ଦ୍ଵାରା ଘୋଡାଇ ହୋଇଯାଏ । ପରେ ବିହନ ବୁଣାଯାଏ । ପରବର୍ତ୍ତୀ ଅବସ୍ଥାରେ ସାର ପ୍ରୟୋଗ ପ୍ରଣାଳୀ ଫସଲ ବଢୁଥିବା ଅବସ୍ଥାରେ ସାଧାରଣତଃ ଯବକ୍ଷାରଜାନ ଓ ସ୍ଥଳ ବିଶେଷରେ ପଟାସ୍ ସାର ଓ ଅଣୁସାର ପ୍ରୟୋଗ କରାଯାଏ । ସେଥିପାଇଁ ବିଭିନ୍ନ ପ୍ରଣାଳୀଗୁଡିକ ହେଲା – ମାଟିରେ ବିଞ୍ଚିବା ପ୍ରଣାଳୀ କିଆରୀରେ ଗଛ ଖୁବ୍ ଲଗାଲଗି ହୋଇଥିଲେ ସାରକୁ ବଞ୍ଚି ଦିଆଯାଏ ଏହାପରେ ବଛା ଖୁସା କରିଦେଲେ ସାର ମାଟି ସହିତ କିଛି ପରିମାଣରେ ମିଶିଯାଏ । ଲଗାଲଗି ହୋଇ ଧାଡିରେ ବୁଣା ହୋଇଥିବା ଫସଲରେ ଧାଡି ମଝିରେ ମଝିରେ ଚକ୍ରବିଦା ଚଳାଇ ଦିଆଯାଇପାରେ କିମ୍ବା ସାର ଧାଡିରେ ବୁଣି ଖୁସାଇ ହୁଡା ଟେକି ଦିଆଯାଏ । ଧାଡି ଛଡା ଛଡା ହୋଇଥିଲେ ଖୁସେଇ ଗଛ ମୂଳରେ ସରୁ ସିଆର ଟେକି ଦିଆଯାଏ । ଧାଡି ଛଡା ଛଡା ହୋଇଥିଲେ ଖୁସେଇ ଗଛ ମୂଳରେ ସରୁ ସିଆର କରି ସେଥିରେ ସାର ବୁଣି ଦିଆଯାଇ ଅଳ୍ପ ହୁଡା ଟେକି ଦିଆଯାଏ । ମାଟି ଶୁଖିଲା ଥିଲେ ସାର ବଞ୍ଚିବା ପରେ ପାଣି ମଡାଯାଏ କିମ୍ବା ଠିକ୍ ବର୍ଷା ପୂର୍ବରୁ ବା ବର୍ଷା ହେବାର ଅଳ୍ପ କେତେ ଘଣ୍ଟା ପରେ ସାର ବିଞ୍ଚାଯାଏ । ସାର ବିଞ୍ଚିବା ବେଳେ ପତ୍ରରେ କାକର ବା ବର୍ଷାପାଣି ଲାଗି ନ ରହିଥିବା ଦରକାର । ନଚେତ୍ ସାରଦାନା ପତ୍ରରେ ଲାଗିରହେ ଓ ପତ୍ରକୁ ପୋଡି ପକାଏ । ଧାନ, ଗହମ, ମଣ୍ଡିଆ, ସୋରିଷ, ରାଶି ପ୍ରଭୃତି ଫସଲରେ ଏହିପରି ସାର ପ୍ରୟୋଗ କରାଯାଏ । ଧାଡି ପାର୍ଶ୍ଵ ପ୍ରୟୋଗ ଯଥେଷ୍ଟ ବ୍ୟବଧାନରେ ଧାଡିରେ ଲଗାଯାଇଥିବା ମକା, ଆଖୁ, ଆଳୁ, ସାରୁ, କପା ପ୍ରଭୃତି ଫସଲରେ ଏହି ପ୍ରଣାଳୀରେ ସାର ପ୍ରୟୋଗ କରାଯାଏ । ପ୍ରଥମେ ଧାଡି ମଝିକୁ ଖୁସାଇ ଦିଆଯାଏ । ତାପରେ ଗଛ ଧାଡିର ଦୁଇ ପାର୍ଶ୍ଵରେ ଧାଡି ମୂଳରୁ ୨/୩ ଇଞ୍ଚ ଛଡାଇ ଛୋଟ ସିଆର ଟଣାଯାଏ । ସେହି ସିଆରରେ ସାର ପ୍ରୟୋଗ କରି ହୁଡା ଟେକି ଦିଆଯାଏ । ତାପରେ ଆବଶ୍ୟକ ସ୍ଥଳେ ହୁଡା ମଝି ପହଣିରେ ପାଣି ମଡାଯାଏ । ମଳାରେ ସାର ପ୍ରୟୋଗ କଖାରୁ, କାକୁଡି, ପୋଟଳ, କଲରା ପ୍ରଭୃତି ଫସଲ ମନ୍ଦାରେ ଲଗାଯାଏ । ମନ୍ଦା ଚାରିପଟ ମାଟିକୁ ଖୁସାଇ ମଲାଠାରୁ ୪/୬ ଇଞ୍ଚ ଦୂରତାରେ ବୃତ୍ତାକାର ସିଆର କରି ତହିଁରେ ସାର ଦିଆଯାଏ ଓ ଚାରିପଟର ମନ୍ଦାମୂଳକୁ ମାଟି ଟେକି ଦିଆଯାଏ । କଦଳୀ, ଅମୃତଭଣ୍ଡା, ପିଜୁଳି , ଲେମ୍ବୁ ପ୍ରଭୃତି ଫଳଗଛରେ ମଧ୍ୟ ଏହି ପ୍ରଣାଳୀରେ ସାର ଦିଆଯାଏ । କିନ୍ତୁ ଗଛ ମୂଳଠାରୁ ଅଧିକ ଦୂରରେ ୧୫ – ୨୦ ସେ.ମି. ଗଭୀର ନାଳି କରି ସାର ଦିଆଯାଏ । ସାର ଗୁଳା ପୋତିବା ପ୍ରଣାଳୀ ଖାଲୁଆ ଧାନ କିଆରୀରେ ଅଧିକ ପାଣିଥିବା ବେଳେ ଏହି ପ୍ରଣାଳୀରେ ସାର ଦିଆଯାଏ । ଏଥିପାଇଁ ବଡଗୁଳା ୟୁରିଆ ସାର ସଂଗ୍ରହ କରାଯାଏ କିମ୍ବା ସାକ୍ଷାରଣ ୟୁରିଆ ତା’ର ୫ ଗୁଣ ପରିମାଣ ମାଟି ମିଶାଇ ଚକଟି ୫-୧୦ ଗ୍ରାମ୍ ଓଜନର ଗୁଳାକରି ଛାଇରେ କିଛି ସମୟ ଶୁଖାଇ ଦିଆଯାଏ । ଧାନ ରୋଇବାର ୭-୧୦ ଦିନ ମଧ୍ୟରେ ବୁଦାଫାଙ୍କ ସ୍ଥାନ ମଝିରେ ଗୋଟିଏ ଗୋଟିଏ ସାର ଗୁଳା ପ୍ରାୟ ୩୦-୪୦ ସେ.ମି. ବ୍ୟବଧାନରେ ନରମ କାଦୁଆ ମଧ୍ୟକୁ ପୋତି ଦିଆଯାଏ । ଏଥିରୁ ଯବକ୍ଷାରଜାନ ଧୀରେ ଧୀରେ ନିର୍ଗତ ହୋଇ ଧାନ ଫସଲକୁ ଶେଷ ପର୍ଯ୍ୟନ୍ତ ମିଳୁଥାଏ । ପତ୍ର ଛିଞ୍ଚା ଫସଲରୁ ଖାଦ୍ୟସାର ଅଭାବ ଖୁବ୍ କମ୍ ସମୟରେ ଦୂର କରିବା ପାଇଁ ପତ୍ର ସିଞ୍ଚନ କରାଯାଏ । ଆଉ ମଧ୍ୟ ମାଟିରେ ସାର ପ୍ରୟୋଗ କରିବା ଦ୍ଵାରା ଫସଲ ଖାଦ୍ୟସାର ଗ୍ରହଣ କରିବାରେ ଅସୁବିଧା ଥିଲେ ମଧ୍ୟ ପତ୍ର ସିଞ୍ଚନ କରାଯାଏ । କମ୍ ପରିମାଣରେ ପ୍ରୟୋଗ କରାଯାଉଥିବା ଅଣୁସାରଗୁଡିକ ଏହି ପ୍ରଣାଳୀରେ ପ୍ରୟୋଗ କରାଯାଏ । ପତ୍ର ସିଞ୍ଚନ ପାଇଁ ଫସଲର ପତ୍ର ବିସ୍ତୃତି ଖୁବ୍ ବେଶି ହେବା ଆବଶ୍ୟକ । ଫସଲ ବଢି ପତ୍ରଦ୍ଵାରା ମାଟି ପୂରା ଘୋଡେଇ ହୋଇଯିବା ଦରକାର । ପତ୍ର ଗହଳ ନଥିଲେ ସିଞ୍ଚନ ହେଉଥିବା ଦ୍ରବଣର ଅଧିକ ଭାଗ ପତ୍ରରେ ନପଡି ଫାଙ୍କ ସ୍ଥାନ ମାଟିରେ ପଡେ । ଦ୍ରବଣ ସମାନ ଭାବରେ ପତ୍ରରେ ଛିଞ୍ଚିବା ପାଇଁ ଉତ୍ତମ ସ୍ପ୍ରେ ଯନ୍ତ୍ର ଆବଶ୍ୟକ । ତୃତୀୟତଃ , ସାଧାରଣ ହସ୍ତଚାଳିତ ସ୍ପ୍ରେୟର ବ୍ୟବହାର କରାଯାଉଥିଲେ 2 – 4 % ୟୁରିଆ ଦ୍ରବଣ ସ୍ପ୍ରେ କରାଯାଏ । ୟୁରିଆ ସାରରେ ବାଇ ୟୂରେଟ ବା ଲୌହ ସଲଫେଟ୍ ଅଣୁସାର ସିଞ୍ଚନ 0.5% ପାଇଁ ଦ୍ରବଣ ପ୍ରସ୍ତୁତ କରାଯାଏ । ଦ୍ରବଣ ପ୍ରସ୍ତୁତ କଲାବେଳେ ତାହାକୁ ନିରପେକ୍ଷ କରିବା ପାଇଁ ଲବଣର ଅଧାପରିମାଣ ଚୂନ ମିଶିଯାଏ । ଟାଙ୍ଗଣା ବା ବୋରିକ୍ ଅମ୍ଳ ଏବଂ ସୋଡିଅମ୍ ମଲିବେଡେଟ୍ ପତ୍ର ସିଞ୍ଚନ ପାଇଁ ଯଥାକ୍ରମେ 0.25% ଏବଂ 0.05% ଦ୍ରବଣ ବ୍ୟବହାର କରାଯାଏ । ଯନ୍ତ୍ରଚାଳିତ ସ୍ପ୍ରେୟର ବ୍ୟବହାର କରାଯାଉଥିଲେ ହେକ୍ଟର ପିଛା କମ୍ ପରିମାଣ ଦ୍ରବଣ ଆବଶ୍ୟକ ହୁଏ । ତେଣୁ ସେହି ଅନୁସାରେ ଦ୍ରବଣର ସାନ୍ଧ୍ରତା ବଢାଇବା ଆବଶ୍ୟକ ହୁଏ । ସାଧାରଣତଃ ପାଗ ଥଣ୍ଡା ଥିବା ସମୟରେ ଉପରବେଳା ପତ୍ରରେ ସାର ସିଞ୍ଚନ କରିବା ନିରାପଦ । ଟାଣ ଖରା ପଡୁଥିବା ବେଳେ ପତ୍ର ସିଞ୍ଚନ କଲେ ପତ୍ର ପୋଡିଯାଏ । ଦୁଇଥର ପତ୍ର ସିଞ୍ଚନ ମଧ୍ୟରେ ଅତି କମ୍ ରେ ୧୦ ଦିନ ବ୍ୟବଧାନ ରହିବା ଆବଶ୍ୟକ । ଜଳସେଚନ ସହିତ ସାର ପ୍ରୟୋଗ ତରଳ ସାର ଯଥା – ତରଳ ଯବକ୍ଷାରଜାନ ସାର , ତରଳ ଆମୋନିଅମ୍ ପଲିଫସଫେଟ୍ ସାର ଇତ୍ୟାଦିକୁ ଜଳସେଚନ ପାଇଁ ନାଳୀରେ ନିଆଯାଉଥିବା ପାଣି ସହିତ ମିଶାଇ ପ୍ରୟୋଗ କରାଯାଇପାରେ । ତଳି ଘରାରେ ଅଳ୍ପ ପରିମାଣ ସାର ପ୍ରୟୋଗ କରିବା ପାଇଁ ସାରକୁ ପାଣିରେ ଗୋଳାଇ ଦେଇ ଛିଞ୍ଚି ଦିଆଯାଏ ଓ ତାପରେ କେବଳ ପାଣି ଛିଞ୍ଚି ଦିଆଯାଏ । ଏହା ଫଳରେ ସାର ପାଣି ସହିତ ମାଟିକୁ ଭେଦିଯାଏ ଓ ସହଜରେ ଫସଲ ଚେର ଦ୍ଵାରା ଗୃହୀତ ହୋଇପାରେ । ସାର କାର୍ଯ୍ୟକାରିତା ପ୍ରଭାବକାରୀ ଅନ୍ୟାନ୍ୟ କାରଣ ଜଳର ସୁଲଭତା ଚେର ସାର ଶୋଷିବା ପାଇଁ ମୃତ୍ତିକାରେ ଯଥେଷ୍ଟ ଆର୍ଦ୍ରତା ଥିବା ଆବଶ୍ୟକ । ତେଣୁ ପାଣି ମଡାଇବା ଦରକାର ପଡେ । କିନ୍ତୁ ସାର ପ୍ରୟୋଗ ପରେ ଜମିରୁ ଉଦ୍ ବୃତ୍ତ ଜଳ ବାହାରିଗଲେ କିମ୍ବା ବାଲିଆ ମାଟିରେ ତଳକୁ ରହିଗଲେ ଜଳ ସହିତ ଦ୍ରବୀଭୂତ ଖାଦ୍ୟସାର ମଧ୍ୟ ବାହାରିଯାଏ । ତେଣୁ ସାରର କାର୍ଯ୍ୟକାରିତା ବୃଦ୍ଧିପାଇଁ ଉତ୍ତମ ଜଳ ବିନିଯୋଗ ମଧ୍ୟ ଗୁରୁତ୍ଵପୂର୍ଣ୍ଣ । ଅଧିକ ଫଳନକ୍ଷମ କିସମ ସାଧାରଣତଃ ଅଧିକ ଫଳନ କ୍ଷମ କିସମଗୁଡିକ ଦେଶୀୟ କିସମ ଅପେକ୍ଷା ସାରକୁ କାର୍ଯ୍ୟକାରୀ କରିବାରେ ଅଧିକ ସମର୍ଥ । ଅନାବନା ଗଛ ଫସଲ କିଆରୀରେ ଥିବା ଅନାବନା ଘାସ ସାରର କିଛି ଅଂଶ ଭାଗ ବାଣ୍ଟି ନିଅନ୍ତୁ । ତେଣୁ ଫସଲ ସାରରୁ ଆଶାଜନକ ଉପକାର ପାଇପାରେ ନାହିଁ । ଗଛ ସଂଖ୍ୟା ସାରର ସମୁଚିତ ଭାବରେ କାର୍ଯ୍ୟକାରୀ ହେବା ପାଇଁ ଫସଲ କିଆରୀରେ ଆବଶ୍ୟକ ବ୍ୟବଧାନରେ ଯଥେଷ୍ଟ ସଂଖ୍ୟକ ଗଛ ରହିଥିବା ଆବଶ୍ୟକ । ଉପଯୁକ୍ତ ପରିମାଣରେ ଗଛ ନଥିଲେ ସାର ମାଟିରେ ଭେଦି ତଳକୁ ବହି ନଷ୍ଟ ହୁଏ । ମାଟିର ଭୌତିକ ଓ ରାସାୟନିକ ଗୁଣ ମାଟିର ଦୈହିକ ଗଠନ, ଛିଦ୍ରତା, ବାୟୁ ସଞ୍ଚାଳନ ଠିକ୍ ନଥିଲେ ଚେର ଭଲ ବଢିପାରେ ନାହିଁ । ସେହିପରି ମାଟି ଅତିଶୟ ଅମ୍ଳୀୟ, କ୍ଷାରୀ ବା ଲବଣାକ୍ତ ଥିଲେ ଚେର ଭଲ ବଢେ ନାହିଁ । ଲୌହ, ଆଲୁମିନିୟମ , ମାଙ୍ଗାନିଜ ଅତ୍ୟଧିକ ଦ୍ରବୀଭୂତ ହୋଇଥିଲେ ସେମାନଙ୍କର ବିଷାକ୍ତ ପ୍ରଭାବ ଦେଖାଯାଏ । ଉପରୋକ୍ତ କାରଣରୁ ସାରର କାର୍ଯ୍ୟକାରିତା କମିଯାଏ । ତେଣୁ ପ୍ରଥମେ ମାଟିର ଶୋଧନ ବା ଉନ୍ନତି କରଣ ଆବଶ୍ୟକ । ରୋଗ ପୋକ ଆକ୍ରମଣ ସାର ଦିଆଯାଇଥିବା ଫସଲ ଅଧିକ ନରମା ବା କଅଁଳ ରହେ । ତେଣୁ ଅଧିକ ରୋଗ ପୋକ ଦ୍ଵାରା ଆକ୍ରାନ୍ତ ହୁଅନ୍ତି । ତେଣୁ ଆବଶ୍ୟକ ଫସଲ ସଂରକ୍ଷଣ ବ୍ୟବସ୍ଥା କରାଯିବା ଆବଶ୍ୟକ । ଖରାପ ପାଗ ଓ ପରିବେଶ ଖରାପ ପାଗ ଯୋଗୁଁ ଫସଲ ବୃଦ୍ଧିରେ ବ୍ୟାଘାତ ସୃଷ୍ଟି ହୁଏ । ତେଣୁ ଅଧିକ ସାର ବିଶେଷତଃ ଯବକ୍ଷାରଜାନ ପ୍ରୟୋଗ ହୋଇଥିଲେ ଗଛ ଭାଙ୍ଗି ପଡେ, ସାରର କାର୍ଯ୍ୟକାରିତା ହ୍ରାସପାଏ । ବିଭିନ୍ନ ସମୟରେ ପ୍ରୟୋଗ ପାଇଁ ସାର ପରିମାଣ ହିସାବ ଉଦାହରଣ – ୧ ଧାନ ଫସଲ ପାଇଁ NPK ଅନୁମୋଦନ ହେକ୍ଟର ପ୍ରତି 80-40-40 ଏକର ପ୍ରତି 32-16-16 ପ୍ରୟୋଗ ସମୟ ଯବକ୍ଷାର ୩ ଥରରେ ଦିଆଯିବ । ମୂଳସାର – 8+ ପିଲସାର 16+ଗର୍ଭସାର – 8 = 32 କି.ଗ୍ରା. / ଏକର ପିଚ୍ଛା ଫସଫରସ୍ = ସମୁଦାୟ 16 କି.ଗ୍ରା. / ଏକର ମୂଳସାର ପଟାସ୍ ୨ ଥରରେ = ମୂଳସାର 8+ ଗର୍ଭସାର 8 = 16 କି.ଗ୍ରା. / ଏକର । ନିର୍ମାଚିତ ସାର – ୟୁରିଆ 46% N ସିଙ୍ଗଲ ସୁପର ଫସଫେଟ୍ = 16% ଏବଂ ମିଉରିଏଟ୍ ଅଫ୍ ପଟାସ୍ = 60%O ସାର ପରିମାଣ ହିସାବ ମୂଳସାର = 8କି.ଗ୍ରା. N, 16 କି.ଗ୍ରା. ଓ 8 କି.ଗ୍ରା. O 8 କି.ଗ୍ରା. N = = 17.4 କି.ଗ୍ରା. ୟୁରିଆ 16 କି.ଗ୍ରା. = = 100 କି.ଗ୍ରା. ଏସ୍ .ଏସ୍ . ପି. 8 କି.ଗ୍ରା. O = = 13.3 କି.ଗ୍ରା. ମିଉରିଏଟ୍ ଅଫ୍ ପଟାସ୍ । ପିଲସାର (ଧାନରୁଆର 15 ଦିନ ପରେ) 16 କି.ଗ୍ରା. N = = 34.8 କି.ଗ୍ରା. ୟୁରିଆ ଗର୍ଭସାର (ଧାନକୁ ଲିଙ୍ଗ ଧରିବା ଅବସ୍ଥାରେ) 8 କି.ଗ୍ରା. = 17.4 କି.ଗ୍ରା. ୟୁରିଆ 8 କି.ଗ୍ରା. = 13.3 କି.ଗ୍ରା. ମିଉରିଏଟ୍ ଅଫ୍ ପଟାସ୍ ଉଦାହରଣ - ୨ ଚନ୍ଦ୍ରମୁଖୀ ଆଳୁପାଇଁ NPK ଅନୁମୋଦନ = ୧୦୦ – ୬୦ – ୧୦୦ କି.ଗ୍ରା./ ହେକ୍ଟର କିମ୍ବା ୪୦-୨୪-୪୦ କି.ଗ୍ରା. / ଏକର ପ୍ରୟୋଗ ସମୟ ମୂଳସାର ହୁଡାଟେକା ସାର ମୋଟ ଯବକ୍ଷାର (N) 10 30 40 ଫସଫରସ୍ 24 0 24 ପଟାସ୍ (O) 20 20 40 ନିର୍ବାଚିତ ସାର ମୂଳସାର DAP 18 – 46 ଏବଂ ମିଉରିଏଟ୍ ଅଫ୍ ପଟାସ୍ 60% O ହୁଡାସାର = ଆମୋନିଅମ୍ ସଲଫେଟ୍ = 20.6 N ଏବଂ ମିଉରିଏଟ୍ ଅଫ୍ ପଟାସ୍ = 60% O ସାର ପରିମାଣ ହିସାବ ମୂଳସାର 24 କି.ଗ୍ରା. = = 52 କି.ଗ୍ରା. DAP 52 କି.ଗ୍ରା. DAPରେ ଥିବା N = = 9.35 କି.ଗ୍ରା. । ତେଣୁ ଅବଶିଷ୍ଟ (10-9.35) = 0.65 କି.ଗ୍ରା. N ମୂଳସାରରେ ନଦେଇ ହୁଡାଟେକା ସାର ସହିତ ମିଶାଇ ପ୍ରୟୋଗ କରାଯାଇପାରେ । 20 କି.ଗ୍ରା. O = = 33.3 କି.ଗ୍ରା. ମିଉରିଏଟ୍ ଅଫ୍ ପଟାସ୍ । ମୋଟ ମୂଳସାର = 52 କି.ଗ୍ରା. DAP ଏବଂ 33.3 କି.ଗ୍ରା. MOP । ହୁଡାଟେକା ସାର 30.65 କି.ଗ୍ରା. N = X 100 = 149 ବା 150 କି.ଗ୍ରା. ଆମୋନିଅମ୍ ସଲଫେଟ୍ 20 କି.ଗ୍ରା. = 33.3 କି.ଗ୍ରା. ସୂଚନା ମୂଳସାର ଭାବରେ ମିଶ୍ରିତ ସାର ବ୍ୟବହାର କରାଯାଉଥିଲେ ଯେହେତୁ ସବୁତକ ଫସଫରସ୍ ଖାଦ୍ୟସାର କେବଳ ମୂଳସାର ଭାବରେ ପ୍ରୟୋଗ କରାଯାଏ ତେଣୁ ଆବଶ୍ୟକ ପରିମାଣ ଫସଫରସ୍ ପାଇଁ କେତେକ ପରିମାଣ ମିଶ୍ରିତ ସାର ଆବଶ୍ୟକ ତାହା ପ୍ରଥମେ ହିସାବ କରାଯାଏ । ସେହି ପରିମାଣର ମିଶ୍ରିତ ସାରରେ କେତେକ N ଓ O ରହୁଛି ତାହା ବାଦ୍ କରି ଅବଶିଷ୍ଟ N ଓ O ଅନ୍ୟ ନିର୍ବାଚିତ ସାର ଭାବରେ ହିସାବ କରାଯାଏ । ଏକ ହେକ୍ଟର = 2.47 ଏକର ବୋଲି ଧରାଯାଏ । ତେଣୁ ଏକର ପିଚ୍ଛା ସାର ପରିମାଣ ହିସାବ କରାଯାଇଥିଲେ ହେକ୍ଟର ପିଚ୍ଛା ହିସାବ କରିବାକୁ 2.47 ରେ ଗୁଣନ କରାଯାଏ । ମୃତ୍ତିକା ଶୋଧନ ଫସଲ ବୃଦ୍ଧିରେ ପ୍ରତିବନ୍ଧକ ହେଉଥିବା ଏବଂ କୁପ୍ରଭାବ ପକାଉଥିବା ମୃତ୍ତିକାର ଅସ୍ଵାଭାବିକ ରାସାୟନିକ ଗୁଣ ଓ ଦୈହିକ ଅବସ୍ଥାକୁ ସୁଧାରିବା ପାଇଁ ଯେଉଁ ସବୁ ପଦାର୍ଥ ଜମିରେ ପ୍ରୟୋଗ କରାଯାଏ ସେଗୁଡିକୁ ମୃତ୍ତିକା ଶୋଧନ କୁହାଯାଏ । ବିଶେଷ କରି ଅତ୍ୟଧିକ ଅମ୍ଳୀ ଏବଂ କ୍ଷାରୀ ମାଟିର ଶୋଧନ ନିହାତି ଆବଶ୍ୟକ ଅଧିକାଂଶ ମାଟିର ଅମ୍ଳ ପରିମାପକ (PH) 4.0 ରୁ 10.0 ମଧ୍ୟରେ ରହିଥିବାର ଦେଖାଯାଏ । ବିଭିନ୍ନ ମାଟିର ଅମ୍ଳତା ଓ କ୍ଷାରୀତାର ପରିମାଣ ଅନୁସାରେ ସେଗୁଡିକୁ ନିମ୍ନ ପ୍ରକାରେ ଶ୍ରେଣୀଭୂକ୍ତ କରାଯାଏ । ଅମ୍ଳୀୟ ମୃତ୍ତିକା ଅମ୍ଳତା ଶ୍ରେଣୀ ଅମ୍ଳ ପରିମାପକ ସାମାନ୍ୟ ଅମ୍ଳୀ 6.0 -6.5 ମଧ୍ୟମ ଅମ୍ଳୀ 5.0-6.0 ଅଧିକ ଅମ୍ଳୀ 4.5-5.0 ତୀବ୍ର ଅମ୍ଳୀ 4.0-4.5 ଅତିବ୍ର ଅମ୍ଳ 4.0 ରୁ କମ୍ କ୍ଷାରୀୟ ଶ୍ରେଣୀ କ୍ଷାରୀୟ ଶ୍ରେଣୀ ଅମ୍ଳ ପରିମାପକ ସାମାନ୍ୟ ଅମ୍ଳୀ 7.4-8.0 ମଧ୍ୟମ ଅମ୍ଳୀ 8.0-9.0 ଅଧିକ ଅମ୍ଳୀ 9.0-9.5 ତୀବ୍ର ଅମ୍ଳୀ 9.5-10.0 ଅତିବ୍ର ଅମ୍ଳ 10.0 ରୁ ଅଧିକ 6.5-7.5 ନିରପେକ୍ଷ ମୃତ୍ତିକା 6.5-7.5 ସାଧାରଣତଃ ମୃତ୍ତିକାର ରୁ କମ୍ କିମ୍ବା ଅଧିକ ରହିଲେ ମୃତ୍ତିକା ଶୋଧନ କରାଯିବ ନିହାତି ଆବଶ୍ୟକ । ଅମ୍ଳୀ ମୃତ୍ତିକାର କୁପ୍ରଭାବ ମାଟି ଅଧିକ ଅମ୍ଳୀ ହୋଇଥିଲେ ଚେର ବୃଦ୍ଧି ବାଧା ପ୍ରାପ୍ତ ହୁଏ । ଅମ୍ଳୀ ମୃତ୍ତିକାର ଗଠନ ଓ ରାସାୟନିକ ପରିବେଶ ଚେର ବୃଦ୍ଧି ପାଇଁ ଅନୁକୂଳ ନୁହେଁ । ଅମ୍ଳୀ ମୃତ୍ତିକାରେ କ୍ୟାଲେସିୟମ ଓ ସ୍ଥଳ ବିଶେଷରେ ମ୍ୟାଗ୍ନେସିୟମ ଓ ଅଭାବ ଥାଏ । ତେଣୁ ଫସଲକୁ ଯଥେଷ୍ଟ ମିଳେ ନାହିଁ । ସାଧାରଣତଃ ଯେଉଁ ମୃତ୍ତିକାରେ ବିନିମୟଶୀଳ କ୍ୟାଲେସିୟମ 100 ଗ୍ରାମ୍ ମୃତ୍ତିକା ପିଚ୍ଛା 2 ମିଲି ଇକ୍ୟୁଭାଲେଣ୍ଟ ରୁ କମ୍ ଓ ବିନିମୟଶୀଳ ମ୍ୟାଗ୍ନେସିୟମ 0.4 ମିଲି ଇକ୍ୟୁଭାଲେଣ୍ଟରୁ କମ୍ ଥାଏ । ସେଠାରେ ଅପେକ୍ଷାକୃତ ଅଧିକ କ୍ୟାଲେସିୟମ ଆବଶ୍ୟକ କରୁଥିବା କପା, ଚିନାବାଦାମ, ଭେଣ୍ଡି, ଗହମ, ମକା ପ୍ରଭୃତି ଫସଲରେ ଅଭାବ ଅଭାବ ପରିଲକ୍ଷିତ ହୁଏ । ଅମ୍ଳ ମୃତ୍ତିକାରେ ଥିବା ଫସଫରସ୍ ଖାଦ୍ୟସାର ମୁଖ୍ୟତଃ ଅଗ୍ରହଣୀୟ ଲୌହ ଫସଫେଟ୍ ବା ଆଲୁମିନିୟମ ଫସଫେଟ୍ ଭାବରେ ବାନ୍ଧି ହୋଇ ରହିଥାଏ । ଜଳ ଦ୍ରବଣୀୟ ଫସଫେଟ୍ ସାର ପ୍ରୟୋଗ କଲେ ଅଧିକାଂଶ ଭାଗ ମୃତ୍ତିକାରେ ଅଗ୍ରହଣୀୟ ଲୌହ ଓ ଆଲୁମିନିୟମ ଫସଫେଟ୍ ରେ ପରିଣତ ହୁଏ । ତେଣୁ ଅମ୍ଳୀ ମୃତ୍ତିକାରେ ଫସଫରସ୍ ଖାଦ୍ୟସାରର ଗ୍ରହଣୀୟତା କମ୍ । ଅମ୍ଳୀ ମୃତ୍ତିକାରେ ମଲିବଡେନମ୍ ଲଘୁ ଉପାଦାନର ଗ୍ରହଣୀୟତା ମଧ୍ୟ ଖୁବ୍ କମ୍ । ତେଣୁ ଅପେକ୍ଷାକୃତ ଅଧିକ ଆବଶ୍ୟକତା ଥିବା ଶିମ୍ବଜାତୀୟ ଫସଲରେ ଅଭାବ ପରିଲକ୍ଷିତ ହୁଏ । ଅମ୍ଳୀ ବାଲିଆ ମାଟିରୁ ବୋରନ୍ ଲଘୁ ଉପାଦାନ ସହଜରେ ଦ୍ରବୀଭୂତ ହୋଇ ନିକ୍ଷାଳିତ ହୋଇଯାଏ । ତେଣୁ ଚିନାବାଦାମ, କୋବି, ବିଲାତି ବାଇଗଣ ପ୍ରଭୃତି ଧାନ ଫସଲରେ ଅଭାବ ପରିଲକ୍ଷିତ ହୁଏ । ଅମ୍ଳୀୟ ମୃତ୍ତିକାରେ ଆଲୁମିନିୟମ, ମାଙ୍ଗାନିଜ ପ୍ରଭୃତି ଅଧିକ ଦ୍ରବୀଭୂତ ହୋଇ ରହୁଥିବାରୁ ଫସଲରେ ବିଷାକ୍ତ ପ୍ରଭାବ ଦେଖାଯାଏ । ଅମ୍ଳୀୟ ଗେରୁ ମାଟିରେ ଧାନ ଫସଲରେ ଲୌହ ବିଷାକ୍ତ ପ୍ରଭାବ ଦେଖାଯାଏ । ଅମ୍ଳୀୟ ମୃତ୍ତିକାରେ ବିଭିନ୍ନ ପ୍ରକାର ଉପକାରୀ ଶାକାଣୁ ବଂଶ ବୃଦ୍ଧି ଓ କାର୍ଯ୍ୟଦକ୍ଷତା କମିଯାଏ । ଅଧିକ କ୍ଷାର ମାଟିର କୁ – ପ୍ରଭାବ ମୃତ୍ତିକାର ବିନିମୟଶୀଳ ସୋଡିୟମ ପରିପୃକ୍ତତା 15% ରୁ ଅଧିକ ଓ ଅମ୍ଳ ପରିମାପକ 8.5 ରୁ ଅଧିକ ଥିଲେ ତାହାକୁ କ୍ଷାଋ ମୃତ୍ତିକା କୁହାଯାଏ । ଏହି ପ୍ରକାର ମୃତ୍ତିକାରେ କର୍ଦ୍ଦମ ଅଣୁ ଏବଂ ହ୍ୟୁମସ ଅଣୁ ପରସ୍ପରଠାରୁ ଅଲଗା ହୋଇ ରହିଥାନ୍ତି । ତେଣୁ ମୃତ୍ତିକାରେ ଦାନା ଗଠନ ହୋଇପାରେ ନାହିଁ ଓ ଶୁଷ୍କ ଅବସ୍ଥାରେ ଏହା ପଥର ଭଳି କଠିନ ଓ ଆର୍ଦ୍ର ଅବସ୍ଥାରେ ଛିଦ୍ର ବିହୀନ ଚିକିଟା କାଦୁଅ ଭଳି ରହିଥାଏ । ମୃତ୍ତିକାରୁ ଜଳ ସହଜେ ତଳକୁ ନିଗିଡି ପାରେ ନାହିଁ । ଏହି ପ୍ରକାର ଖରାପ ଦୈହିକ ଅବସ୍ଥା ଯୋଗୁଁ ଛେରା ବୃଦ୍ଧି ବାଧାହୁଏ । ଅନେକ ସ୍ଥଳରେ ଅତ୍ୟଧିକ କ୍ଷାରୀ ଯୋଗୁଁ ଛେରା ମରିଯାଏ । ଅମ୍ଳ ପରିମାପକ 8.5 ରୁ କମ୍ ଥିବା କ୍ଷାରୀୟ ମାଟିରେ ବୋରନ୍ ତଥା ଫସଫରସ୍ କ୍ୟାଲେସିୟମ ସହିତ ବାନ୍ଧି ହୋଇ ରହିବା ଫଳରେ ଗ୍ରହଣୀୟତା କମିଯାଏ । ଲୌହ, ମାଙ୍ଗାନିଜ ଦସ୍ତା ଓ ତମ୍ବାର ଦ୍ରବଣୀୟତା ହ୍ରାସ ପାଇବା ଯୋଗୁଁ ଫସଲରେ ଏହି ଲଘୁ ଉପାଦାନଗୁଡିକର ଅଭାବ ପରିଲକ୍ଷିତ ହୁଏ । କ୍ଷାରୀୟ ମୃତ୍ତିକାରେ ସଲଫର୍ ଖାଦ୍ୟସାର କମ୍ ଥିବାର ଦେଖାଯାଏ ଏବଂ ଯବକ୍ଷାର ଆମୋନିଆ ଗ୍ୟାସ୍ ଭାରେ ବିନଷ୍ଟ ହୁଏ । କ୍ଷାରୀୟ ମୃତ୍ତିକାରେ ଆଳୁ ଫସଲରେ ଯାଦୁରା ରୋଗ ପ୍ରାର୍ଦୁଭାବ ଦେଖାଯାଏ । ଏହି ସବୁ ଦୃଷ୍ଟିରୁ ମାଟିର ଅମ୍ଳ ପରିମାପକ 6ରୁ 7 ମଧ୍ୟରେ ରହିବା ଭଲ । ତେଣୁ ଅଧିକ ଅମ୍ଳୀ ବା କ୍ଷାରୀ ମୃତ୍ତିକାରେ ଶୋଧକ ପ୍ରୟୋଗ କରି ମାଟିର ଅମ୍ଳତା ବା କ୍ଷାରୀତା କମାଇବା ଆବଶ୍ୟକ । ଅମ୍ଳମାଟି ଶୋଧନ ମାଟିରେ ଚୂନ ଜାତୀୟ ପଦାର୍ଥ ପ୍ରୟୋଗ କଲେ ମାଟିରେ ଅମ୍ଳତା ହ୍ରାସ ପାଏ । ଚୂନ ଜାତୀୟ ପଦାର୍ଥ ଭାବରେ କ୍ୟାଲେସିୟମ ଓ ମ୍ୟାଗ୍ନେସିଅମ, କାର୍ବୋନେଟ, ବାଇକାର୍ବୋନେଟ, ଅକସାଇଡ ଓ ସିଲିକେଟ ଆଦି ବ୍ୟବହୃତ ହୁଏ । ଚୂନ ପଥର ଗୁଣ୍ଡ, ଡୋଲମାଇଟ, ଗୁଣ୍ଡ, ଚୂନ, ଇସ୍ପାତ କାରଖାନା ମଳ, ଇତ୍ୟାଦି ଚୂନ ଜାତୀୟ ପଦାର୍ଥ ଭାବରେ ଉପଯୋଗ କରାଯାଏ । ଚୂନ ଜାତୀୟ ପଦାର୍ଥ ପ୍ରୟୋଗ କଲେ । ମୃତ୍ତିକାର ଅମ୍ଳତା କମେ , କ୍ୟାଲେସିୟମ, ଫସଫରସ, ମଲିବଡେନମ୍ ର ସୁଲଭତା ବୃଦ୍ଧିପାଏ, ଆଲୁମିନିୟମ , ମାଙ୍ଗାନିଜର ବିଷାକ୍ତ ପ୍ରଭାବ ଦୂରହୁଏ । ଶାକାଣୁମାନଙ୍କର କାର୍ଯ୍ୟକାରିତା ବୃଦ୍ଧିପାଏ, ମୃତ୍ତିକାର ଦାନାଗଠନ ଓ ଦୈହିକ ଅବସ୍ଥାର ଉନ୍ନତି ହୁଏ, ଶିମ୍ବ ଜାତୀୟ ଫସଲରେ ଅଧିକ ଶାକାଣୁ ଭାତୁଡି ସୃଷ୍ଟି ହୁଏ । ମୃତ୍ତିକାର ଉତ୍ପାଦିକା ଶକ୍ତି ବୃଦ୍ଧିପାଏ । ମୃତ୍ତିକାରେ ଚୂନର ରାସାୟନିକ ପ୍ରତିକ୍ରିୟା ଅମ୍ଳୀ ମୃତ୍ତିକାରେ ଗୁଣ୍ଡ ଚୂନ ବା ଗୁଣ୍ଡ ଚୂନ ପଥର ପ୍ରୟୋଗ କଲେ ତାହା ମୃତ୍ତିକାସ୍ଥ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା ଯୋଗୁଁ ବାଇକାର୍ବୋନେଟରେ ପରିଣତ ହୁଏ ଓ ଦ୍ରବୀଭୂତ ହେବାକୁ ଲାଗେ । ସେଥିରୁ ଆୟନ ସୃଷ୍ଟିହୁଏ । ଏହି କ୍ୟାଲେସିୟମ ଆୟନ ମୃତ୍ତିକାରେ ବହୁଳ ଭାବରେ ରହିଥିବା ବିନିମୟଶୀଳ ଆୟନକୁ ଅପସାରିତ କରେ । ମୃତ୍ତିକାର କ୍ୟାଲେସିୟମ ପରିପୃକ୍ତତା ବୃଦ୍ଧିପାଏ ଏବଂ ଅମ୍ଳତା ହ୍ରାସ ପାଏ । ଉପରୋକ୍ତ ସମୀକରଣରୁ ଜଣାଗଲା ଯେ ଚୂନଜାତୀୟ ପଦାର୍ଥ ପ୍ରୟୋଗ ଦ୍ଵାରା ମୃତ୍ତିକା କଲଏଡ୍ ସଂଯୁକ୍ତ ବିନିମୟଶୀଳ ହ୍ରାସ ପାଇ ତା ସ୍ଥାନରେ Ca ପରିପୃକ୍ତତା ବୃଦ୍ଧି ହେଲା । ଏହାଦ୍ୱାରା ଅମ୍ଳତା ହ୍ରାସ ପାଇଲା । ଅମ୍ଳ ମୃତ୍ତିକାର ଚୂନ ଆବଶ୍ୟକତା ଚୂନ ଆବଶ୍ୟକତା ମୃତ୍ତିକାର ବିନିମୟଶୀଳ ଗଚ୍ଛିତ ଅମ୍ଳ ବା ପରିମାଣ ଉପରେ ନିର୍ଭର କରେ । ଗୋଟିଏ ବାଲିଆ ଓ ଗୋଟିଏ ମଟାଳିଆ ମାଟିର ଅମ୍ଳ ପରିମାପକ ସମାନ ଥିଲେ ମଧ୍ୟ ମଟାଳିଆ ମାଟିରେ ଅଧିକ ପରିମାଣର ଗଚ୍ଛିତ ମଳ ଥିବାରୁ ତାହାର ଶୋଧନ ପାଇଁ ଅଧିକ ପରିମାଣର ଚୂନ ଜାତୀୟ ପଦାର୍ଥ ଆବଶ୍ୟକ ହେବ । ତେଣୁ ମୃତ୍ତିକା ପରୀକ୍ଷା ଚୂନ ଆବଶ୍ୟକତା ନିରୂପଣ କରାଯାଏ । ଅମ୍ଳ ମାଟିର ଅମ୍ଳତା ହ୍ରାସ କରି ଏହାକୁ ନିରପେକ୍ଷ କରିବା ପାଇଁ ଯେଉଁ ପରିମାଣର ବିଶୁଦ୍ଧ ଚୂନ ପଥର ଗୁଣ୍ଡ ପ୍ରୟୋଗ କରିବା ଆବଶ୍ୟକ ହୁଏ, ତାହାକୁ ଅମ୍ଳମାଟିର ଚୂନ ଆବଶ୍ୟକତା କୁହାଯାଏ । (ମୃତ୍ତିକା ପରୀକ୍ଷାଗାରରେ ଉଡରଫ୍ ବଫର ବ୍ୟବହାର କରି ଚୂନ ଆବଶ୍ୟକତା ନିରୂପଣ କରାଯାଉଛି ) । ଉଷ୍ମ ମଣ୍ଡଳୀୟ ଅଞ୍ଚଳର ଅମ୍ଳ ମୃତ୍ତିକାକୁ ଚୂନ ପ୍ରୟୋଗ କରି ସମ୍ପୂର୍ଣ୍ଣ ନିରପେକ୍ଷ କରିବା ଆବଶ୍ୟକ ନୁହେଁ । ଶୋଧନକରି PH 6.0+ 0.2 ମଧ୍ୟରେ ରଖାଗଲେ ଅଧିକାଂଶ ଫସଲରୁ ଭଲ ଉତ୍ପାଦନ ହେଉଥିବାର କ୍ଷେତ୍ର ପରୀକ୍ଷା ଦ୍ଵାରା ଜଣାଯାଇଛି । ଆହୁରି ମଧ୍ୟ ପରୀକ୍ଷା କରି ଦେଖାଯାଇଛି ଯେ ଉଡରଫ୍ ପ୍ରଣାଳୀରେ ଚୂନ ଆବଶ୍ୟକତା ନିରୂପଣ କରି ତାର ଅଧା ପରିମାଣ ପ୍ରୟୋଗ କଲେ ମୃତ୍ତିକାର PH 6.0 ପାଖାପାଖି ରହୁଛି ଏବଂ ଚୂନ ପ୍ରୟୋଗର ଉଦ୍ଦେଶ୍ୟ ସାଧିତ ହେଉଛି । ମାଟିର PH ଓ ବୟନ ଶ୍ରେଣୀକୁ ବିଚାରକୁ ନେଲେ ଆନୁମାନିକ ଚୂନ ଆବଶ୍ୟକତା ନିରୂପଣ କରାଯାଇପାରେ । ଏଥିପାଇଁ ନିମ୍ନ ସାରଣୀରେ ହିସାବ କରାଯାଏ । ଆନୁମାନିକ ଚୂନ ଆବଶ୍ୟକତା ବିଶୁଦ୍ଧ ଚୂନପଥର ଗୁଣ୍ଡ ହେକ୍ଟର ପ୍ରତି କି.ଗ୍ରା. ମୃତ୍ତିକା ବୟନ ଶ୍ରେଣୀ PH 4.5 ରୁ 5.5 କୁ ବଢାଇବା ପାଇଁ ପରିମାଣ PH 5.5 ରୁ 6.5 ବଢାଇବା ପାଇଁ ପରିମାଣ ବାଲିଆ 750 1000 ବାଲି ଦୋରସା 1250 1750 ଦୋରସା 2000 2500 ପଟୁ ଦୋରସା 3000 3500 ମଟାଳ ଦୋରସା ଓ ମଟାଳ 1750 5000 ଚୂନ ପରିମାଣ ହିସାବ ଉଦାହରଣ - ଅମ୍ଳ ମୃତ୍ତିକାର PH 5.1 ବୟନ ଶ୍ରେଣୀ ଦୋରସା । ଏହାକୁ ଶୋଧନ କରି PH 6.0 ପର୍ଯ୍ୟନ୍ତ କେତେ ଚୂନ ପଥର ଗୁଣ୍ଡ ଆବଶ୍ୟକ ହେବ ? ପ୍ରଥମେ PH 5.1 ରୁ 5.5 ପର୍ଯ୍ୟନ୍ତ ବଢାଇବା ପାଇଁ ପରିମାଣ ଓ ତାପରେ PH 5.5 ରୁ 6.0 ପର୍ଯ୍ୟନ୍ତ ବଢାଇବା ପାଇଁ ପରିମାଣ ହିସାବ କରି ଉଭୟ ପରିମାଣକୁ ମିଶାଇ ମୋଟ ପରିମାଣ ନିଆଯିବ । 4.5 ରୁ 5.5 ବା 1.0 ଏକକ ବଢାଇବା ପାଇଁ ଦୋରସା ମାଟିର 2000 କି.ଗ୍ରା. ଆବଶ୍ୟକ । ତେଣୁ 5.1 ରୁ 5.5 ବା 0.4 ଏକକ ବଢାଇବା ପାଇଁ = 800 କି.ଗ୍ରା. ଆବଶ୍ୟକ । ସେହିପରି 5.5 ରୁ 6.5 ବଢାଇବା ପାଇଁ = 1200 କି.ଗ୍ରା. ଆବଶ୍ୟକ । ମୋଟ 8000 + 250= 2050 କି.ଗ୍ରା. ଆବଶ୍ୟକ । ହେକ୍ଟ ପିଛା 2050 କି.ଗ୍ରା. ଚୂନ ପଥର ଗୁଣ୍ଡ ପ୍ରୟୋଗ କଲେ PH 5.1 କୁ 6.0 ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଚୂନଜାତୀୟ ପଦାର୍ଥଗୁଡିକର ଶୋଧନ ଶକ୍ତି ବିଶୁଦ୍ଧ ଚୂନପଥର ଗୁଣ୍ଡର ଶୋଧନ ଶକ୍ତିକୁ 100 ବୋଲି ଧରାଯାଏ । ଅନ୍ୟାନ୍ୟ ଚୂନଜାତୀୟ ପଦାର୍ଥରେ କ୍ୟାଲେସିୟମ ଓ ମ୍ୟାଗ୍ନେସିୟମର ଶତକଡା ଭାଗକୁ ହିସାବକୁ ନେଇ ସେଗୁଡିକର ଶୋଧନ ଶକ୍ତି ନିର୍ଦ୍ଧାରଣ କରାଯାଏ । କେତେକ ଚୂନଜାତୀୟ ପଦାର୍ଥ ଶୋଧନ ଶକ୍ତି ତଳେ ଦିଆଗଲା । ଚୂନଜାତୀୟ ପଦାର୍ଥ ଶୋଧନ ଶକ୍ତି ବିଶୁଦ୍ଧ ଚୂନପଥର ଗୁଣ୍ଡ 100 ବିଶୁଦ୍ଧ ଡୋଲମାଇଟ ଚୂନପଥର ଗୁଣ୍ଡ 109 ବିଶୁଦ୍ଧ ଗୁଣ୍ଡଚୂନ 179 ଇସ୍ପାତ କାରଖାନା ମଳ 60 କାଗଜ ଜଳ ମଧ୍ୟ 75 ଫେରୋକ୍ରମ କାରଖାନା ମଳ 105 ଯଦି ମୃତ୍ତିକାର ଚୂନ ଆବଶ୍ୟକତା ହେକ୍ଟର ପିଛା 2050 କି.ଗ୍ରା. ହୋଇଥାଏ ତେବେ ବିଶୁଦ୍ଧ ଚୂନପଥର ଗୁଣ୍ଡ ବଦଳରେ କେତେ କାଗଜକଳ ମଳ ଆବଶ୍ୟକ ହେବ ? କାଗଜକଳ ମଳର ପରିମାଣ = 2733 କି.ଗ୍ରା./ ହେକ୍ଟର । ଏହିପରି ଅନ୍ୟ ଯେ କୌଣସି ଚୂନଜାତୀୟ ପଦାର୍ଥର ପରିମାଣ ହିସାବ କରାଯାଏ । ଚୂନ ପ୍ରୟୋଗ ସମୟ ଓ ପ୍ରଣାଳୀ ଚୂନଜାତୀୟ ପଦାର୍ଥ ପ୍ରୟୋଗ ପାଇଁ ଶୋଧନ ଶକ୍ତି ବ୍ୟତୀତ ପଦାର୍ଥର ସୂକ୍ଷ୍ମତା ଓ ଦ୍ରବଣୀୟତାକୁ ମଧ୍ୟ ବିଚାରକୁ ନିଆଯାଏ । ଚୂନପଥର ଗୁଣ୍ଡ ଓ ଲୁହା କାରଖାନା ମାଲା ଜଳରେ ଦ୍ରବଣୀୟ ନୁହେଁ । ଅମ୍ଳମାଟିରେ ପ୍ରୟୋଗ ହେବା ପରେ ଏହା ଧୀରେ ଧୀରେ ଦ୍ରବୀଭୂତ ହୁଏ ଏବଂ ସୂକ୍ଷ୍ମତା ଅଧିକ ଥିଲେ ମାଟିରେ ମିଳାଇବା ପାଇଁ କମ୍ ଦିନ ଲାଗେ । ଯଦି ଭଲ ଭାବରେ ଗୁଣ୍ଡ ହୋଇ ନଥାଏ ତେବେ ମାଟିରେ ସମ୍ପୂର୍ଣ୍ଣ ମିଳାଇବାକୁ ବହୁତଦିନ ଲାଗେ । କିନ୍ତୁ ବିଶୁଦ୍ଧ ଚୂନ ଏବଂ କାଗଜ କଳ ମଳ ପ୍ରୟୋଗ ହେବା ସଙ୍ଗେ ସଙ୍ଗେ ମିଳାଇଯାଏ ଓ ମାଟି ସହିତ ମିଶିଯାଏ । ଉପରୋକ୍ତ ବିଷୟ ବିଚାରକୁ ନେଇ ଅଦ୍ରବଣୀୟ ପଦାର୍ଥଗୁଡିକ ଅନ୍ତତଃ ଫସଲ ଲଗାଯିବାର ଏକମାସ ପୂର୍ବରୁ ଏବଂ ଦ୍ରବଣୀୟ ଚୂନ ପଦାର୍ଥ 8/10 ଦିନ ପୂର୍ବରୁ ପ୍ରୟୋଗ କରାଯାଏ । ଚୂନ ପଦାର୍ଥକୁ ଜମିର ସବୁଆଡେ ସମାନ ଭାବରେ ବିଞ୍ଚିଦେଇ ମାଟିକୁ ଚାଷକରି ମିଶାଇ ଦିଆଯାଏ । ଚୂନ ମାଟିରେ ମିଳାଇବା ପାଇଁ ମାଟି ଆର୍ଦ୍ର ରହିବା ଆବଶ୍ୟକ । ତେଣୁ ବର୍ଷା ନହେଲେ ପାଣି ମଡାଯାଏ । ପାଗ ହେଲେ ଫସଲ ଲଗାଯାଏ । ଚୂନ ପ୍ରୟୋଗ ସଙ୍ଗେ ସଙ୍ଗେ ମଞ୍ଜିବୁଣିରେ ବା ଚାରାଗଛ ପୋତିଲେ ମାଟିରେ ମିଳାଇ ନଥିବା ଚୂନ ସଂସ୍ପର୍ଶରେ ଆସି ସେଗୁଡିକ ସଢିଯାଏ । ଚୂନ ପ୍ରୟୋଗରେ ସାବଧାନତା ଆବଶ୍ୟକ ପରିମାଣଠାରୁ ବରଂ କମ୍ ଚୂନ ପ୍ରୟୋଗ କରିବା ନିରାପଦ କିନ୍ତୁ ଅଧିକ ଚୂନ ପ୍ରୟୋଗ କରିବା କ୍ଷତି କାରକ । କାରଣ ଅଧିକ ପରିମାଣ ଚୂନ ପ୍ରୟୋଗ କଲେ ମୃତ୍ତିକା କ୍ଷାରୀୟ ହୋଇଯାଏ । ଦସ୍ତା, ବୋରନ୍ ପ୍ରଭୃତି ଅଣୁ ଉପାଦାନର ଗ୍ରହଣୀୟତା କମିଯାଏ ଫସଫରସ୍ ଓ ପୋଟାସ୍ ପ୍ରଭୃତି ଖାଦ୍ୟସାରର ଗ୍ରହଣୀୟତା କମିଯାଏ । ମୃତ୍ତିକାସ୍ଥ ଜୈବ ପଦାର୍ଥ ଶୀଘ୍ର ବିପଚିତ ହୋଇଯାଏ । ତେଣୁ ଫସଲର ଉତ୍ପାଦନ କମିଯାଏ । ବାର୍ଷିକ ଫସଲ ପର୍ଯ୍ୟାୟର ଯେଉଁ ଫସଲ ଚୂନ ପ୍ରୟୋଗ ଦ୍ଵାରା ଅଧିକ ଉପକୃତ ହେବ, ସେହି ଫସଲ ପୂର୍ବରୁ ଚୂନ ପ୍ରୟୋଗ କରିବା ଉଚିତ । ଚୂନ ପ୍ରୟୋଗ ସହିତ ଯଥେଷ୍ଟ ପରିମାଣର ଜୈବିକ ଖତ ଓ ସୁଷମ ସାର ପ୍ରୟୋଗ କରାଯିବା ଆବଶ୍ୟକ । ତା ନକଲେ ମୃତ୍ତିକାର ଉର୍ବରତା ନଷ୍ଟ ହୁଏ । କ୍ଷାରୀ ମୃତ୍ତିକାର ଶୋଧନ କ୍ଷାରୀ ମାଟିରେ ବିନିମୟଶୀଳ ସୋଡିୟମ ପରିପୃକ୍ତତା ଅଧିକ । ଏହି ସୋଡିୟମକୁ କ୍ୟାଲେସିୟମ ଦ୍ଵାରା ଅପସାରିତ କଲେ କ୍ଷାରୀତା କମିଯାଏ । ମୃତ୍ତିକା ପରୀକ୍ଷା ଦ୍ଵାରା କ୍ଷାରୀତାର ତୀବ୍ରତା ନିରୂପଣ କରାଯାଏ । ସାଧାରଣତଃ ଜିପସମ୍ ଗୁଣ୍ଡ କ୍ଷାରୀ ମାଟିର ଶୋଧନ ଭାବରେ ବ୍ୟବହାର କରାଯାଏ । ଜିପସମ୍ ଆବଶ୍ୟକତା ନିରୂପଣ କରାଯାଇ ଆବଶ୍ୟକ ପରିମାଣ ଜିପସମ୍ ପ୍ରୟୋଗ କରି ଚାଷ ଦ୍ଵାରା ମାଟି ସହିତ ମିଶାଇ ଦିଆଯାଏ ଏବଂ ଜମିରେ ପାଣି ମଡାଇ ଦିଆଯାଏ । ଏହା ଫଳରେ ବିନିମୟଶୀଳ ସୋଡିୟମ ଅପସାରିତ ହୋଇ ଜଳ ସହିତ ନିକ୍ଷାଳିତ ହୋଇ ବାହାରିଯାଏ ଓ କ୍ଷାରୀତା ହ୍ରାସ ପାଏ । ଏହି ରାସାୟନିକ କ୍ରିୟାର ସମୀକରଣ ନିମ୍ନରେ ଦିଆଗଲା । PH ଅତ୍ୟଧିକ ଥିବା କ୍ଷାରୀୟ ମାଟିରେ ଗନ୍ଧକ ଗୁଣ୍ଡ ପ୍ରୟୋଗ କରାଯାଏ । ଗନ୍ଧକ ଗୁଣ୍ଡ ପ୍ରୟୋଗ କରାଯାଏ । ଗନ୍ଧକ ଗୁଣ୍ଡ ପ୍ରୟୋଗ ହେବା ପରେ ମୃତ୍ତିକାରେ ଗନ୍ଧକାମ୍ଳ ସୃଷ୍ଟିହୁଏ । ଏଥିରୁ ଉଦଜାନ ଆୟନ ନିର୍ଗତ ହୋଇ ବିନିମୟଶୀଳ ସୋଡିୟମ ଆୟନକୁ ଅପସାରଣ କରେ । ଏଥି ସଙ୍ଗେ ସଙ୍ଗେ ଅତ୍ୟଧିକ କ୍ଷାରୀୟ ମୃତ୍ତିକାରେ ଥିବା ମଧ୍ୟ ଅମ୍ଳ ସହିତ ରାସାୟନିକ କ୍ରିୟା ଦ୍ଵାରା ନଷ୍ଟ ହୋଇଯାଏ । ମୃତ୍ତିକା ଶୋଧକ ବ୍ୟବହାର କରିବା ସଙ୍ଗେ ମୃତ୍ତିକାରେ ଯଥେଷ୍ଟ ଜୈବ ପଦାର୍ଥ ପ୍ରୟୋଗ କରାଯିବା ଆବଶ୍ୟକ । ସୁବିଧା ଥିଲେ ସବୁଜ ଖତ ଫସଲ ଚାଷକରି ମାଟି ସହିତ ମିଶାଇ ଦିଆଯିବା ଆବଶ୍ୟକ । ଏହାଦ୍ଵାରା କ୍ଷାରୀ ମୃତ୍ତିକାର ଦୈହିକ ଗଠନରେ ଉନ୍ନତି ହୁଏ । ଲବଣାକ୍ତ ମୃତ୍ତିକାର ଉନ୍ନତି ଉନ୍ନତି ମୃତ୍ତିକାରେ ଅଧିକ ଦ୍ରବୀଭୂତ ଲବଣ ଥାଏ । ମଧୁର କରି ଜଳସେଚନ ଓ ଭୂମିନିମ୍ନ ଜଳ ନିଷ୍କାସନ ସୁବିଧା କଲେ ମାଟିରୁ ଲବଣଗୁଡିକ ମିକ୍ଷାଳିତ ହୋଇଯାଏ । ଲବଣ ନିକ୍ଷାଳିତ ହେବା ପରେ ଅନେକ କ୍ଷେତ୍ରରେ ମୃତ୍ତିକା କ୍ଷାରୀ ହୋଇଯିବାର ଦେଖାଯାଏ । ତେଣୁ ମୃତ୍ତିକାରେ ଦ୍ରବଣୀୟ କ୍ୟାଲେସିୟମ ଥିବା ପଦାର୍ଥ ଯଥା – କାଗଜକଳ ମଳ , ଫସପୋଜିପସମ୍ ଗୁଣ୍ଡ ପ୍ରୟୋଗ କରାଗଲେ ମୃତ୍ତିକା କ୍ଷାରୀ ହୋଇଯିବାର ଆଶଙ୍କା ନଥାଏ । ଲବଣାକ୍ତ ମୃତ୍ତିକାର ଉନ୍ନତିକରଣ ପାଇଁ ଅଧିକ ପରିମାଣ ଜୈବ ପଦାର୍ଥ , ସବୁଜ ଖତ ପ୍ରଭୃତି ପ୍ରୟୋଗ କରାଯିବା ନିହାତି ଆବଶ୍ୟକ । ଜୈବ ପଦାର୍ଥ ବିପଚନ ହେବା ଫଳରେ ଜୈବ ଅମ୍ଳ ସୃଷ୍ଟିହୁଏ ଏବଂ ଲବଣ ଗୁଡିକର ଖରାପ ପ୍ରଭାବକୁ ପ୍ରଶମିତ କରେ । ଏହାଦ୍ଵାରା ମୃତ୍ତିକାର ଉତ୍ପାଦିକା ଶକ୍ତି ବୃଦ୍ଧିପାଏ । ଲବଣାକ୍ତ ମୃତ୍ତିକାର ସୁପରିଚାଳନା ଉପରୋକ୍ତ ଉନ୍ନତିକରଣ ବ୍ୟତୀତ ନିମ୍ନଲିଖିତ ସୁପରିଚାଳନା ମାଧ୍ୟମରେ ଲବଣାକ୍ତ ମୃତ୍ତିକାରେ ଫସଲ ଉତ୍ପାଦନ ବୃଦ୍ଧି କରାଯାଇପାରିବ । ଲୁଣି ସହଣୀ ଶକ୍ତିଥିବା ଫସଲ ବା ଫସଲ କିସମ ବାଛି ଚାଷ କଲେ ଅପେକ୍ଷାକୃତ ଅଧିକ ଅମଳ ମିଳେ । ଲୁଣିସହଣୀ ଫସଲ ମାଣ୍ଡିଆ, କପା, ସୋରିଷ, ବିଲାତି ବାଇଗଣ , କୁସୁମୀ, ପୋଇ ଲୁଣିସହଣୀ ଧାନ ଗେଟୁ, ଦାମୋଦର, ଏସ୍.ଆର – 26-B ଲୁଣି ମାଟିରେ ଅନେକ ମଞ୍ଜି ଗଯା ହେବା ଅବସ୍ଥାରେ ନଷ୍ଟ ହୋଇଯାଏ । ତେଣୁ ଅଧିକ ପରିମାଣ ମଞ୍ଜି ବୁଣାଯିବା ଆବଶ୍ୟକ । ବୁଣିବା ଅପେକ୍ଷା ମଧୁର ମାଟିରେ ଚାରା ଉତ୍ତାରି ଲୁଣି ମାଟିରେ ରୋଇଲେ ଫସଲ ଲବଣର କୁପ୍ରଭାବରୁ କେତେକାଂଶରେ ରକ୍ଷା ପାଇଯାଏ । ତଳି ବା ଚାରା ରୋପଣ କରିବା ପୂର୍ବରୁ ଜମିରେ ଜଳସେଚନ କରାଯାଏ । ଏହାଦ୍ଵାରା ଜମିରୁ ଲୁଣାଅଂଶ ଧୋଇଯାଏ । ହୁଡା ସିଆର କରି ଗୋଟିଏ ଛାଡି ଗୋଟିଏ ସିଆରରେ ପାଣି ମଡାଯାଏ । ଯେଉଁ ସିଆରରେ ପାଣି ମଡାଯାଏ, ଏହାର ଏହାର ଦୁଇପାର୍ଶ୍ଵ ହୁଡା ଧାରରେ ପାଣି ଭେଦିଥିବା ସ୍ଥାନରେ ଧାଡିରେ ମଞ୍ଜି ବୁଣିଲେ ସହଜରେ ଗଜାହୁଏ ଏବଂ ଚାରାଗଛ ଲବଣ ପ୍ରଭାବରୁ ରକ୍ଷାପାଏ । ମୃତ୍ତିକାରେ ଦ୍ରବୀଭୂତ ଲବଣର ସାନ୍ଧ୍ରତା କମ୍ ରଖିବା ପାଇଁ ଅଳ୍ପ ଦିନ ବ୍ୟବଧାନରେ ଜଳସେଚନ କରାଯିବା ଆବଶ୍ୟକ । ବାରମ୍ବାର ଜଳସେଚନ କରିବା ସମ୍ଭବ ନହେଲେ ମାଟି ଖୁସାଇ ଦେଇ ଛାଡି ଦିଆଯାଏ । ଏହା ଫଳରେ କୈଶିକନଳୀ ଭାଙ୍ଗିଯିବା ହେତୁ ମୃତ୍ତିକା ପୃଷ୍ଠରୁ ବାଷ୍ପୀଭବନ ବନ୍ଦ ହୋଇଯାଏ, ତଳ ମୃତ୍ତିକା ଆର୍ଦ୍ର ରହେ ଏବଂ ଲବଣ ଉପର ମାଟିକୁ ଉଠି ଆସିପାରେ ନାହିଁ । ସୁବିଧା ଥିଲେ ମୃତ୍ତିକା ପୃଷ୍ଠକୁ ଶୁଖିଲା ପତ୍ର, ନଡା ପ୍ରଭୃତି ଦ୍ଵାରା ଆଚ୍ଛାଦନ କରି ରଖିଲେ ମୃତ୍ତିକା ପୃଷ୍ଠରୁ ବାଷ୍ପୀଭବନ ବନ୍ଦ ହୋଇଯାଏ ଏବଂ ମୃତ୍ତିକା ଅଧିକ ଦିନ ଆର୍ଦ୍ର ରହେ । ଏଥିପାଇଁ କଳା ପଲିଥିନ କାଗଜ ବ୍ୟବହାର କରାଯାଇପାରେ । ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ