ଜୈବିକ ଖତ ବ୍ୟବହାର ପ୍ରଣାଳୀ ଖତକୁ ଗାତରୁ ବାହାର କରିବା ପରେ ସଙ୍ଗେ ସଙ୍ଗେ ଜମିରେ ପ୍ରୟୋଗ କରି ଜମିଚାଷ କରିଦେଲେ ତାହା ମାଟି ସହିତ ମିଶିଯାଏ । ବିଲକୁ ନେବା ପାଇଁ ଡେରିଥିଲେ ଖତକୁ ଖତଗାଡି ନିକଟରେ ଖରା ନ ପଡୁଥିବା ସ୍ଥାନରେ ଗଦାଇ ରଖାଯାଏ । ସ୍ଥଳ ବିଶେଷରେ ଖତକୁ ଜମିକୁ ବୋହି ନେବା ପରେ ସଙ୍ଗେ ସଙ୍ଗେ ପ୍ରୟୋଗ ନ କରି ଜମିରେ ଠାଏ ଠାଏ ଗଦାକରି ଦିଆଯାଏ । ସେପରି ସ୍ଥଳେ ଖତଗଦା ଉପରେ ମାଟି ଟେକା ବିଛାଇ ଦିଆଯିବା ଆବଶ୍ୟକ । ତା’ ନହେଲେ ଖତଗଦା ଖରାରେ ଶୁଖିଯାଏ ଏବଂ ଏଥିରୁ କିଛି ପବନରେ ମଧ୍ୟ ଉଡିଯାଏ । ସେଥିରୁ ଯବକ୍ଷାରଜାନ ଆମୋନିଆ ଗ୍ୟାସ୍ ହୋଇ ନଷ୍ଟ ହୁଏ । ସିଆରରେ ଲଗାଯାଉଥିବା ଫସଲରେ ଅଳ୍ପ ପରିମାଣ ଖତକୁ ସିଆର ମଧ୍ୟରେ ପ୍ରୟୋଗ କରିବା ଅଧିକ ଫଳପ୍ରଦ । ମୃତ୍ତିକାର ଫସଫେଟ୍ ବନ୍ଧନ ଶକ୍ତି ଅଧିକ ହୋଇଥିଲେ , ଫସଫେଟ୍ ସାରକୁ ଖତ ସହିତ ଫେଣ୍ଟି ପ୍ରୟୋଗ କରିବା ଦ୍ଵାରା ଫସଫେଟ୍ ସାର ଅଧିକ କାର୍ଯ୍ୟକାରୀ ହୁଏ । ଜୈବିକ ଖତ ପ୍ରୟୋଗର ପ୍ରୟୋଜନୀୟତା ମୃତ୍ତିକାର ଭୌତିକ ଗୁଣର ଉନ୍ନତି ଜୈବିକ ଖତ ଖତ ମାଟିରେ ସଢିଗଲେ ତହିଁରୁ ହ୍ୟୁମସ୍ ନାମକ ଏକ ଚିକ୍କଣ ଗାଢବାଦାମୀ ରଙ୍ଗର ସୂକ୍ଷ୍ମ ପଦାର୍ଥ ସୃଷ୍ଟି ହୁଏ । ଏହା ଏକ ଅଠାଳିଆ ପଦାର୍ଥ । ତେଣୁ ମୃତ୍ତିକାର ଦାନ ସଂରଚନା ଉନ୍ନତ ହୁଏ । ବାଲିଆ ମାଟିର ଜଳ ଧାରଣ ଶକ୍ତି ବୃଦ୍ଧି ହୁଏ ଏବଂ ମଟାଳ ମାଟିର କଠିନତା ହ୍ରାସ ପାଏ । ଜୈବ ପଦାର୍ଥ ମୃତ୍ତିକାକୁ ଅଧିକ ଉଷ୍ମ ରଖେ । ଏହାଦ୍ଵାରା ମଞ୍ଜିକୁ ଗଜା ହେବା ଓ ଗଜା ଗଛର ଛେରା ବୃଦ୍ଧି ତ୍ୱରାନ୍ୱିତ ହୁଏ । ମୃତ୍ତିକାର ସ୍ଥୂଳ ଘନତ୍ଵ ହ୍ରାସପାଏ ଛିଦ୍ରତ୍ଵ ବୃଦ୍ଧିପାଏ । ଏହା ଉଦ୍ଭିଦର ଛେରା ବିସ୍ତାରରେ ସାହାଯ୍ୟ କରେ । ମାଟିର ଜଳ ଭେଦ୍ୟତା ଗୁଣ ବୃଦ୍ଧିପାଏ । ମାଟିରୁ ପାଣି ଶୀଘ୍ର ବହିଯାଏ ନାହିଁ । ମାଟି , ପାଣିକୁ ବେଶୀ ସମୟ ଧରି ରଖିପାରେ । ମାଟିର ରାସାୟନିକ ଗୁଣ ଓ ଉର୍ବରତାର ଉନ୍ନତି ମାଟିରେ ହ୍ୟୁମସ୍ ପରିମାଣ ବୃଦ୍ଧି ହେଲେ ଧନାତ୍ମକ ଆୟନ ବିନିମୟ କ୍ଷମତା ମଧ୍ୟ ବୃଦ୍ଧିପାଏ । ଏହାଦ୍ଵାରା ମାଟି ଅଧିକ ଖାଦ୍ୟସାର ଶୋଷଣ କରି ରଖିପାରେ ଏବଂ ଖାଦ୍ୟସାର ଧୋଇ ହୋଇ ନଷ୍ଟ ହୁଏ ନାହିଁ । ପ୍ରୟୋଗ କରାଯାଉଥିବା ସାରର କାର୍ଯ୍ୟକାରିତା ବୃଦ୍ଧିପାଏ । ଖତରେ ଥିବା ଖାଦ୍ୟସାର ଧୀରେ ଧୀରେ ଗ୍ରହଣୀୟ ହୋଇ ଅନେକ ଦିନ ପର୍ଯ୍ୟନ୍ତ ଫସଲକୁ ମିଳେ । ବିଶେଷତଃ ଅଣୁ ଉପାଦାନର ଗ୍ରହଣୀୟତାରେ ବିଶେଷ ଉନ୍ନତି ହୁଏ। ଅତ୍ୟଧିକ ଅମ୍ଳୀୟ କ୍ଷାରୀ ଓ ଲବଣାକ୍ତ ମାଟିରେ ଦେଖାଯାଉଥିବା କୁପ୍ରଭାବ ପ୍ରଶମିତ ହୁଏ । ଖତ ସଢିବା ସମୟରେ ସେଥିରୁ ନିର୍ଗତ ଜୈବ ଅମ୍ଳ ଅଦ୍ରବଣୀୟ ଖଣିଜକୁ ଦ୍ରବିଭୂତ କରିବାରେ ସହାୟକ ହୁଏ ଏବଂ ସେଥିରୁ ଖାଦ୍ୟସାର ଉଦ୍ଭିଦକୁ ପ୍ରାପ୍ତ ହୁଏ। ମୃତ୍ତିକାର ଫସଫେଟ୍ ବନ୍ଧନ କ୍ଷମତା ହ୍ରାସ ହୁଏ । ମୃତ୍ତିକାର ଜୈବ ଗୁଣାବଳୀର ଉନ୍ନତି ଅଧିକ ଖତ ପ୍ରୟୋଗ କରାଯାଉଥିବା ମୃତ୍ତିକାର ଜିଆ, ଉଇ , କଲିକତରା , କାନକୁଟୁଳି ଇତ୍ୟାଦି ଅନ୍ୟାନ୍ୟ ପୋକମାନଙ୍କ ସଂଖ୍ୟା ବୃଦ୍ଧିପାଏ । ସେମାନେ ମାଟି ଖୋଳି ନରମ କରିଦିଅନ୍ତି ଏବଂ ଜମିର ଉତ୍ପାଦିକା ଶକ୍ତି ବୃଦ୍ଧିପାଏ । ଖତରେ ଥିବା ଜୈବ ଯୌଗକାରୀ ଅଣୁଜୀବମାନେ ଅଧିକ ଖାଦ୍ୟ ଓ ଶକ୍ତି ଆହରଣ କରନ୍ତି । ସେମାନଙ୍କର ବଂଶ ବୃଦ୍ଧି ଘଟେ ଓ କ୍ରିୟାଶୀଳତା ବୃଦ୍ଧିପାଏ । ଫଳତଃ ମୃତ୍ତିକାରେ ଅଧିକ ଯବକ୍ଷାର ବିବନ୍ଧନ ହୋଇପାରେ ଏବଂ ଅଧିକ ଗନ୍ଧକ ଗ୍ରହଣୀୟ ଅବସ୍ଥାକୁ ଆସେ । ମୃତ୍ତିକାରେ ହାନିକାରୀ ଜୀବାଣୁ ଏବଂ ସୂତ୍ର ଜୀବମାନଙ୍କର ସଂଖ୍ୟା କମିଯାଏ । ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ