ଉଦ୍ଭିଦ ହରମୋନ

ରାସାୟନିକ ପ୍ରକ୍ରିୟାରେ ତିଆରି କରାଯାଉଥିବା ଉଦ୍ଭିଦ ହରମୋନ ଗୁଡିକ ପ୍ରୟୋଗ କରିବା ଦ୍ଵାରା ଉଦ୍ଭିଦର ପ୍ରାକୃତିକ ପ୍ରକ୍ରିୟା ଏବଂ ଦୈହିକ ଗଠନ ପ୍ରଣାଳୀ ଓ ପ୍ରକାର ଇତ୍ୟାଦିରେ ଅସାଧାରଣ ପରିବର୍ତ୍ତନ ଅଣାଯାଇପାରେ । ମୁଲ୍ୟବାନ ଫସଲ ଉତ୍ପାଦନ କ୍ଷେତ୍ରରେ ଏଗୁଡିକ ପ୍ରୟୋଗ ପାଇଁ ପ୍ରଶସ୍ତ କ୍ଷେତ୍ର ରହିଛି । ଉଦ୍ଭିଦ ହରମୋନ ବ୍ୟବହାର କରି ଗଛର ଗଠନ, ପାକଳ ହେବା ସମୟ ଉତ୍ପାଦନ କ୍ଷମତାର ଆଶାତୀତ ପରିବର୍ତ୍ତନ ଅଣାଯାଇ ପାରୁଛି ଓ ଫଳରେ ଲାଭର ପରିମାଣ ବଢାଇଦେବା ସମ୍ଭବପର ହେଉଛି । ରାସାୟନିକ ପ୍ରକ୍ରିୟାରେ ତିଆରି ଏହି ଉଦ୍ଭିଦ ହରମୋନ ବ୍ୟବହାର କରି ଗଛର ରୋଗ ପୋକ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଯାଇପାରୁଛି । ସାଧାରଣତଃ ଉଦ୍ଭିଦ ହରମୋନର କୌଣସି ବିସକ୍ରିୟା ନାହିଁ । ତେଣୁ ଏହାର ବ୍ୟବହାର କରି ଆମେ ଫସଲର ଉତ୍ପାଦନ ଯଥେଷ୍ଟ ବଢାଇ ଦେଇ ପାରିବା ।

କୃତିମ ହରମୋନ

ବର୍ତ୍ତମାନ ପାଇଁ ଯେତେଗୁଡିଏ କୃତିମ ହରମୋନ ବାହାର କରାଯାଇଛି ସେଗୁଡିକ ଗଛରେ ଫୁଲ ଫଳ ଆସିବାକୁ, ଫୁଲ ଫଳ ଝଡି ନପଡିବା ପାଇଁ, ଫଳର ଆକାର ବଡ ହେବା ପାଇଁ ଏବଂ ଫଳକୁ ବେଶି ଦିନ ଗଛରେ ରଖିବା ପାଇଁ ବ୍ୟବହାର କରାଯାଉଛି । ସେଥିମଧ୍ୟରୁ କେତେଗୁଡିଏ କୃତ୍ରିମ ହରମୋନ ହେଲା ନାପଥାଲିନ ଏସିଟିକ ଏସିଡ, କ୍ଲୋରଫେନକସି ଏସିଟିକ ଏସିଡ, ଇଣ୍ଡୋଲ ଏସିଟିକ ଏସିଡ, ଇଣ୍ଟ୍ରୋଲ ଏସିଟିକ ଏସିଡ, ଇଣ୍ଡୋଲ ଏସିଟିକ ଏସିଡ, ଇଣ୍ଡୋଲ ବ୍ୟୁଟାରିକ ଏସିଡ ୨-୪ ଡି ଇତ୍ୟାଦି ପ୍ରଧାନ ।

ଏହିସବୁ ହରମୋନ ବଜାରରେ ବିଭିନ୍ନ ନାମରେ ମିଳେ । ବଜାରରେ ଅଧିକାଂଶ ଯାଗାରେ ମିଳୁଥିବା କେତେଗୁଡିଏ ହରମୋନର ନାମ ହେଉଛି ପ୍ଲାନୋଫିକସ, ହରମାନଫିକସ ସେଲେମାନ, ଏସିମୋନ, ଆଗ୍ରୋନା ଇତ୍ୟାଦି । ଏକ ଏକର ଫଳ ବଗିଚାରେ ଥରେ ସ୍ପ୍ରେ କରିବା ପାଇଁ ପ୍ରାୟ ୧୦୦ ମିଲି ହରମୋନ ଦରକାର ହୋଇଥାଏ । ତେବେ ପ୍ରତି ହରମୋନ ବୋତଲରେ କେଉଁଥିପାଇଁ କେତେ ପାଣିରେ କେତେ ହରମୋନ ମିଶାଇ ସ୍ପ୍ରେ କରିବେ ଲେଖା ହୋଇଥାଏ । ତାକୁ ପଢି ସେପରି ବ୍ୟବହାର କରିବେ । ତେବେ କେତୋଟି ନିର୍ଦ୍ଧିଷ୍ଟ ଫଳ ପାଇଁ ପ୍ଲାନୋଫିକସର ବ୍ୟବହାର ଦିଆଗଲା ।

ଲେମ୍ବୁ କମଳା ଜାତୀୟ ଫଳ

ଯେତେବେଳେ ଫଳ ସବୁ ଚଣା ଆକାରରେ ହୋଇଯାଏ, ସେତେବେଳେ ଥରେ ହରମୋନ ସ୍ପ୍ରେ କଲେ ଫଳ ଝଡିବା ବନ୍ଦ ହୋଇଯାଏ । ଏଥିପାଇଁ ୪.୫ ଲିଟର ପାଣିରେ ୨ମିଲି ପ୍ଲାନୋଫିକ୍ସ ମିଶାଇ ଗଛରେ, ଫଳରେ ସିଞ୍ଚନ କରିବେ ।

ଆମ୍ବ

ଆମ୍ବର ଫଳ ବଡ ହେବାକୁ ଓ ଝଡି ନପଡିବା ପାଇଁ ହରମୋନ ପ୍ରୟୋଗ କରାଯାଏ । ଆମ୍ବ ପାଇଁ ୪.୫ ଲିଟର ପାଣିରେ ୨ମିଳି ପ୍ଲାନୋଫିକସ ମିଶାଇ ଥରେ ଆମ୍ବ ଚଣା ସାଇଜ ହେଲା ବେଳେ ଓ ଆଉଥରେ ପ୍ରଥମ ଥର ପକାଇବାର ୧୫ଦିନ ପରେ ପକାଇବେ ।

ସପୁରୀ, ପଣସ

ସପୁରୀର ଫୁଲ ଆସିବା ପାଇଁ, ଫଳର ଆକାର ବଢାଇବା ପାଇଁ ଏବଂ ଫଳ ପାଚିବାରେ ଡେରି କରିବା ପାଇଁ ହରମୋନ ବ୍ୟବହାର କରାଯାଏ ।

ଫୁଲ ଆସିବା ପାଇଁ

ବଗିଚାର ସବୁ ସପୁରୀ ପଣସ ଗଛରେ ଏକାବେଳେକେ ଫୁଲ ଆସିବା ପାଇଁ ଯେଉଁ ସବୁ ଗଛରେ ୩୦ ରୁ ୪୦ ଟି ପତ୍ର ହୋଇଥିବ ସେ ଗଛର ମଝି କନ୍ଦାରେ ୩୦ ରୁ ୫୦ ମିଲି ପ୍ଳାନୋଫିକସ ଦ୍ରବଣ ଢାଳିବେ । ୩୦ ଟି ପତ୍ରରୁ କମ ଥିବା ଗଛରେ ହରମୋନ ପ୍ରୟୋଗ କଲେ ଫୁଲ ଫଳ ଆସିଯିବ କିନ୍ତୁ ଫଳ ଛୋଟ ହେବ । ସାଧାରଣତଃ ଡିସେମ୍ବର ମାସରେ ଗଛରେ ହରମୋନ ପ୍ରୟୋଗ କଲେ ଜାନୁୟାରୀ ଓ ଫେବୃୟାରୀ ମାସରେ ସବୁ ଗଛରେ ଫୁଲ ଆସେ ।

ଫଳ ବଡହେବା ପାଇଁ

ଫଳ ବଡ ହେବା ପାଇଁ ୪.୫ ଲିଟର ପାଣିରେ ୧୦ମିଲି ପ୍ଳାନୋଫିକସ ମିଶାଇ କେବଳ ଫଳକୁ ଏହି ଦ୍ରବଣ ଦ୍ଵାରା ଓଦା କରିଦେବେ । ପତ୍ରରେ ଏହି ଦ୍ରବଣ ପକାଇବା ଦରକାର ନାହିଁ । ଫଳ ଡେରିରେ ପାଚିବାକୁ ଚାହିଁଲେ ୪.୫ ଲିଟର ପାଣିରେ ୧୦ମିଲି ପ୍ଳାନୋଫିକସ ମିଶାଇ ତୋଳିବାରେ ୨ସପ୍ତାହ ପୂର୍ବରୁ କେବଳ ଫଳକୁ ଏହି ଦ୍ରବଣରେ ଓଦା କରିଦେଲେ ଫଳ ପାଚିବାରେ ଆଉ ୧୫ଦିନ ଡେରି ହୋଇଯାଏ ।

ଅମୃତଭଣ୍ଡା

ଫଳର ସାଇଜ ବଡ ହେବା ପାଇଁ ଓ ଫଳ ନଝଡିବା ପାଇଁ ଛୋଟ ଛୋଟ ଫଳ ଓ ଫୁଲରେ ୧ଲିଟର ପାଣିରେ ୧ମିଲି ପ୍ଳାନୋଫିକସ ମିଶାଇ ସ୍ପ୍ରେ କରନ୍ତୁ ।

ଅଙ୍ଗୁର

ଅଙ୍ଗୁର ଫଳ ବଡ ହେବାକୁ ଏବଂ ଫଳ ତୋଳିବା ପୂର୍ବରୁ ଫଳ ଖସି ନପଡିବା ପାଇଁ ଅଙ୍ଗୁର ଛୋଟ ଛୋଟ ହୋଇଥିବ ବେଳେ ଏକ ଲିଟର ପାଣିରେ ଏକ ମିଲି ପ୍ଳାନୋଫିକସ ମିଶାଇ ସ୍ପ୍ରେ କରନ୍ତୁ ।

ପିଜୁଳି, ସପେଟା, ଲିଚି, ବରକୋଳି ପାଇଁ

ପିଜୁଳି, ସେପେଟା, ଲିଚି ଓ ବରକୋଳିରେ ଫୁଲ ଫଳ ନଝଡିବା ପାଇଁ ୪.୫ ଲିଟର ପାଣିରେ ୧ମିଲି ପ୍ଳାନୋଫିକସ ମିଶାଇ ଦୁଇଥରରେ ଥରେ ଫୁଲ ଆସିବା ବେଳେ ଓ ଆଉଥରେ ଫଳ ସବୁ ଚଣା ସାଇଜର ହେଲାବେଳେ ପକାଇବା କଥା ।

ପଣସ

ପଣସର ଫଳ ଝଡି ନପଡିବା ପାଇଁ ୧ଲିଟର ପାଣିରେ ଏକ ମିଲି ପ୍ଳାନୋଫିକସ ମିଶାଇ ସିଞ୍ଚନ କରନ୍ତୁ ।

ନଡିଆ

ନଡିଆ ମଧ୍ୟ ଗୋଟମା ଖସି ନପଡିବା ପାଇଁ ଏକ ଲିଟର ପାଣିରେ ଏକ ମିଲି ପ୍ଳାନୋଫିକସ ମିଶାଇ ନଡିଆ ଚଅଁରରେ ପକାଇଲେ ଭଲ କାମ ଦିଏ ।

ଗୋଟିଏ କଥା ମନେ ରଖିବେ, ହରମୋନକୁ ଯେଉଁ ପାଣିରେ ମିଶାଇ ସ୍ପ୍ରେ କରିବେ ତାହା ଖାରିଆ ନହୋଇ ମଧୁର ହେବା ଉଚିତ୍ । ହରମୋନ ମଧ୍ୟ ପାଣିରେ ମିଶି ଯାଉଥିବା କୀଟନାଶକ ଔଷଧ ସଙ୍ଗରେ, ୟୁରିୟା ଦ୍ରବଣ ସଙ୍ଗେ ମିଶାଯାଇ ସ୍ପ୍ରେ କରାଯାଇ ପାରିବ । ତେବେ ବୋର୍ଡମିଶ୍ରଣ, ବରଗୁଣ୍ଡି ମିଶ୍ରଣ, ଚୂନମିକଶ୍ଚର, ନିକୋଟିନ ସଲଫେଟ ଦ୍ରବଣରେ ହରମୋନ ମିଶାଇ ସ୍ପ୍ରେ କରିବେ ନାହିଁ ।

ଆଧାର: ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା